ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ରସିକ ରାଜ୍ୟ ହିସାବରେ ଓଡିଶାର ପଟାନ୍ତର ପୃଥିବୀରେ ବିରଳ । ଏଠି ବିଳାସ ଓ ସମ୍ଭୋଗରେ ଦିନ କଟିଯାଉଥିଲା । ଓଡ଼ିଶାର ସାହିତ୍ୟ ସୂଚନା ଦେଉଛି ଏଠି ମରୁଡ଼ି ନଥିଲା, ଭ୍ରଷ୍ଟାଚାର, ଦୁର୍ନୀତି ନଥିଲା, ହତ୍ୟା, ଲୁଣ୍ଠନ, ରାହାଜାନୀ, ବ୍ୟଭିଚାର କିଛି ନଥିଲା ! ଏପରିକି ବିଶ୍ୱର ମହାଖଣି ଦୁର୍ନୀତି ବି ନ ଥିଲା । ଏଠି ସବୁ ନାରୀମାନେ ସତୀ ଥିଲେ, ସବୁ ପୁରୁଷମାନେ ବ୍ରହ୍ମଚାରୀ ଥିଲେ ।
ରସିକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ ରଥଙ୍କ ପର୍ଯ୍ୟନ୍ତ ଗାଧୁଆ ତୁଠରେ ରାଜଜେମାଙ୍କ ଭିଜାଭିଜା ଶାଢିର ଚମତ୍କାର ଯୌବନକୁ କବିତାରେ ବର୍ଣ୍ଣନା କରିଛନ୍ତି । ଏପରିକି ଆଧୁନିକ ଯୁଗର ମହାନ କବି ସଚ୍ଚି ରାଉତରାୟ ଗାଁରେ ବୁଲୁବୁଲୁ ପୋଖରୀକୂଳ ଗାଧୁଆ ତୁଠରେ ଗାଧୋଉଥିବା ନାରୀର ଛୋଟପୁଅଟି ତାଙ୍କୁ ବାପା ବୋଲି ଡାକିଦେବାରୁ ସେଇ ଅପୂର୍ବ ସୁନ୍ଦରୀ ନାରୀଟି ଲାଜେଇଯାଇ ଓଦାଲୁଗାର କାନି ଯାବୁଡି ମୁରୁକି ହସି ଦେଇଥିଲା । ସଚ୍ଚି ବାବୁଙ୍କ କଲମ ବୋଲ ମାନିଲା ନାହିଁ ଘରକୁ ଆସି କବିତାଟିଏ ଲେଖିଦେଲେ ‘ବାପା ବାପା ପକାଇଲା ହୁରି’ ! ଏମାନେ କାହାକୁ ଛାଡି ନାହାଁନ୍ତି ଫୁଲକୁ ଛାଡିନାହାଁନ୍ତି କି ଫୁଲେଇକୁ ଛାଡିନାହାଁନ୍ତି ।
ଆଜିର ସାହିତ୍ୟକୁ କହିବାକୁ କ୍ଷୋଭ ଲାଗେ ଯେ ମୁଖ୍ୟତଃ ଚରିତ୍ରହୀନତାର ସାହିତ୍ୟ । ଘଟଣା, ଚରିତ୍ର ଓ ପରିସ୍ଥିତିର ପରିଧିରେ ସାହିତ୍ୟ ସେଇ ଲୋହିତ କେନ୍ଦ୍ର, ଯାହା ବିଧାତାପୁରୁଷର ନାଭିକେନ୍ଦ୍ରଠାରୁ ସୁଦ୍ଧା କିଛି କମ୍ ନୁହେଁ । ଏହି ଲୋହିତ କେନ୍ଦ୍ରର କମ୍ପନ ସମାଜକୁ ଥରାଇ ଦିଏ, ସଂସ୍କୃତିକୁ ଜୀବନ୍ୟାସ ଦିଏ ଏବଂ ସମୟକୁ ରଖିଦିଏ ହାତମୁଠାରେ । ସେ ସାହିତ୍ୟ କିନ୍ତୁ ଆଜି କେଉଁଠି ? ସର୍ଜ୍ଜନା ନାମରେ ଆଜି ଅପର୍ଯ୍ୟାପ୍ତ ଆବର୍ଜ୍ଜନା । ଆଜିର ଜୀବନଧାରା ସାହିତ୍ୟ ପାଇଁ ଅବାନ୍ତର ହୋଇପଡିଲାଣି ।
ସକ୍ରେଟିସ୍ ଦିନ ଦି’ପହରେ ବତି ଜାଳି ମଣିଷ ଖୋଜିଲାପରି ଆଜି ସାହିତ୍ୟକୁ ମଧ୍ୟ ଏ ଦାରୁଣ ଦୁଷ୍କାଳ ମଧ୍ୟରେ ପୁନଃଆବିଷ୍କାର କରିବାକୁ ପଡିବ, ସନ୍ଧାନ କରିବାକୁ ପଡିବ ଉପାଦେୟ ବିଷୟବସ୍ତୁ ସହ ଉପଯୁକ୍ତ ଚରିତ୍ର । ଲେଖକଟିଏ ପ୍ରଥମେ ମଣିଷଟିଏ ହେବା ନିହାତି ଜରୁରୀ । ଫକୀରମୋହନ ରାମଚନ୍ଦ୍ର ମଙ୍ଗରାଜ ପରି ଅମଣିଷକୁ ନିଜ ସାହିତ୍ୟର ସ୍ପର୍ଶ ଦେଇ ବିଶ୍ୱବିଦିତ କରାଇ ସାରିଛନ୍ତି । ଏହାର ମୂଳକାରଣ ହେଉଛି ସାରିଆ ଭଗିଆ ଭଳି ମଣିଷ ଉପରେ ଜୁଲମ୍ ତାଙ୍କ ଆଖିରେ ଆଣିଥିଲା ଅସରନ୍ତି ବେଦନାର ଛାପ । ମଣିଷ ପ୍ରତି ଶୁଭେଚ୍ଛା ଓ ଅମଣିଷ ପ୍ରତି ପ୍ରତିବାଦ ପ୍ରତ୍ୟେକ ସତ୍ସାହିତ୍ୟର ସ୍ୱଧର୍ମ ।
ମାଟିର ମହାକବି ଶାରଳା ଦାସଙ୍କ ଠାରୁ ଆରମ୍ଭ କରି ମଣିଷର ମୂର୍ତ୍ତିକାର ଫକୀରମୋହନଙ୍କ ପର୍ଯ୍ୟନ୍ତ ଆମ ସାହିତ୍ୟରେ ବାଟି ବାଟି କିଆରି କି ଅନାନ୍ତୁ, ଦେଖିବେ ଫୁଲ ଫସଲର ପ୍ରାଞ୍ଜଳ ପ୍ରାଚୁର୍ଯ୍ୟ । ଅଥଚ ଏକ ଦୀର୍ଘ ବ୍ୟବଧାନ ପରେ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଆମେ ଏବେ ଲକ୍ଷ୍ୟ କରୁଛୁ ଯେ ଓଡ଼ିଆ ସାହିତ୍ୟ ହରାଇ ବସିଛି ତା’ର ମୂଳ ଚରିତ୍ର । ବୁଦ୍ଧି ପ୍ରକଟିତ ହେଉଛି, ମାତ୍ର ସେ ବୁଦ୍ଧି ବିବେକ ବର୍ଜିତ ଓ ବିଚାର ବିହୀନ । କୁରୁକ୍ଷେତ୍ରକୁ ଯେତେବେଳେ ବ୍ୟାସ ବର୍ଣ୍ଣନା କଲେ, ସେତେବେଳେ ସେ ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ବିବର୍ତିତ କଲେ । ଆମ ସମୟର ବ୍ୟାସମାନେ କିନ୍ତୁ ସାହିତ୍ୟ ପରି ଏକ ଧର୍ମକ୍ଷେତ୍ରକୁ ଯୁଦ୍ଧକ୍ଷେତ୍ରରେ ପରିବର୍ତ୍ତନ କରିସାରିଛନ୍ତି । ଏ ପ୍ରକାର ଓଲଟ ଢାଞ୍ଚା ଆମ ମାନସିକତାରୁ ମାନବତାବାଦକୁ ମୂଳପୋଛ କରିସାରିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।
ସାହିତ୍ୟର ବିଷୟବସ୍ତୁ କ’ଣ ? ଯାହା ଲକ୍ଷ୍ୟ କରାଯାଉଛି ଆଜି ବସ୍ତୁ ହିଁ ବିଷୟ ! ଅଥଚ ବିଶ୍ୱସାହିତ୍ୟର ଅମର ଅର୍ଘ୍ୟସବୁ ଭାବଭିତିକ ଭାବି ଭିତ୍ତିକ । ସାହିତ୍ୟକୁ ନେଇ ଲେଖକଟିଏ କେବେହେଲେ ବାଣିଜ୍ୟ ବା ବ୍ୟବସାୟ କରେନା ଲେଖା ତା’ର ବୃତ୍ତି ନୁହେଁ, ପ୍ରବୃତି । ଏବେ କିନ୍ତୁ ଦେଖାଯାଉଛି ଅଧିକାଂଶ ଲେଖକ ବଜାର ଆଗରେ ଆତ୍ମସମର୍ପଣ କରିସାରିଥିବା ଏକ ଏକ ଅସହାୟ ଅସ୍ତିତ୍ୱ । ଲେଖକର ଯାହା ଛଳଛଳ ଭାବ ଆଜି ସାହିତ୍ୟରେ ତା’ର ଘୋର ଅଭାବ । ବହିଟିଏ ଲେଖିଲା ବେଳକୁ ତା’ର ମନେପଡୁଛି ବଜାରର ତାଗିଦା ଓ ଚାହିଦା, ଅତଏବ ଦୁଃଖର ସହ ଘୋଷଣା କରିବାକୁ ପଡୁଛି ଯେ – ବର୍ତ୍ତମାନର ସାହିତ୍ୟ ବଜାରୀକରଣ ପ୍ରକ୍ରିୟାରେ ପ୍ରଚୁର ଭାବରେ ଉତ୍ପୀଡିତ ।
ବଜାରୀ ବିଷୟବସ୍ତୁ ଆଜି ସାହିତ୍ୟର ମୁଖ୍ୟ ଉପାଦାନ । ଘଟଣା ଅଛି ଚରିତ୍ର ନାହିଁ , ମୂଲ୍ୟ ଅଛି , ମୂଲ୍ୟବୋଧ ନାସ୍ତି । ଆମ
ଶୋଭାଯାତ୍ରା ମଫସଲରୁ ମହାନଗରୀକୁ ମୁହାଁଉଥିଲାବେଳେ ଆମ ସାହିତ୍ୟର ଦଶା ଏମିତି । ଆଜିର ଦ୍ରୁତ ଶିଳ୍ପାୟନ ସାହିତ୍ୟକୁ କରିସାରିଛି ସୁଖକର ସାମଗ୍ରୀ ମଧ୍ୟ । ସାହିତ୍ୟ କହିଲେ ଆମେ କେବଳ ବୁଝୁଛୁ ଗୁଡିଏ ବ୍ୟବହାରିକ ଓ ବୈଷୟିକ ତଥ୍ୟ ଉପରେ ପରିପୁଷ୍ଟ ଗଦାଗଦା ବହିର ପାହାଡ, ଯେଉଁଠି ସମାଜର ଚାପାକାନ୍ଦଣା ଶୁଭେନା ଆଉ ଶୁଭେନା ଇତିହାସର ଆର୍ତ୍ତନାଦ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ଆସିବା । ସାହିତ୍ୟ ଓ ସରକାର । ପୂର୍ବେ ସାମନ୍ତବାଦୀ ବ୍ୟବସ୍ଥାରେ ସୁଦ୍ଧା ସାହିତ୍ୟକୁ ଯେଉଁ ରାଜକୀୟ ପୃଷ୍ଠପୋଷକତା ମିଳୁଥିଲା , ତା’ର ଶ୍ରେଷ୍ଠ ନମୁନା ସ୍ୱରୂପ ଆମେ ବିକ୍ରମାଦିତ୍ୟଙ୍କ ଅମଳରେ ମହାକବି କାଳିଦାସଙ୍କ କଥା ଉଲ୍ଲେଖ କରିପାରିବା ।
ଗୋଟିଏ ଶ୍ଳୋକପାଇଁ ଗୋଟିଏ ସୁନାମୋହର ଥିଲା ସେଦିନର ରାଜକୀୟ ପୃଷ୍ଠପୋଷକତାର ଅପୂର୍ବ ଇସ୍ତାହାର । ଆଜି କିନ୍ତୁ ଯିଏ ସାହିତ୍ୟ ଲେଖେ, ସେ ଯଦି ପ୍ରକୃତ ସାଧକ, ତା’ହେଲେ ତା’ର ସମଗ୍ର ଜୀବନ ଉତ୍କଟ ଦାରିଦ୍ର୍ୟର ଉର୍ଦ୍ଧ୍ୱଶ୍ୱାସ । ଏଭଳିକି ଗଙ୍ଗାଧରଙ୍କ ପରି ସ୍ୱଭାବକବିଙ୍କ ସ୍ୱର ମଧ୍ୟ ମନରୁ ଲିଭିନାହିଁ । ‘ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର’ ତା’ଛଡା ସାଧକ ସାହିତ୍ୟିକଙ୍କର ଜୀବନ ସହିତ ଦାରିଦ୍ର୍ୟ କିପରି ଏକୀଭୂତ। ବିଦ୍ରୋହୀ କବି କାଜି ନଜରୁଲ ଇସଲାମଙ୍କର ଏ ଶାଣିତ ପଂକ୍ତି ମଧ୍ୟ ଏ କ୍ଷେତ୍ରରେ ସ୍ମରଣୀୟ । ‘ହେ ଦାରିଦ୍ର୍ୟ ତୁମେ ମୋତେ କରିଛ ମହାନ ।’
ବନ୍ଧୁଗଣ ! ଗଙ୍ଗାଧରଙ୍କଠାରୁ ଆରମ୍ଭ କରି ନଜରୁଲଙ୍କ ପର୍ଯ୍ୟନ୍ତ ମହାନ ସାହିତ୍ୟିକମାନେ ପରମ ଉଦାରତାର ସହିତ ଆମମାନଙ୍କୁ ବିମଳ ଆନନ୍ଦ ଦେବାପାଇଁ ନିଜନିଜ ନିଷ୍ପେଷିତ ଜୀବନରେ ଚରମ ଦାରିଦ୍ର୍ୟକୁ ବରଣ କରିନେଲେ ବୋଲି ଆମେ କ’ଣ ସମସ୍ତପ୍ରକାର କର୍ତବ୍ୟବୋଧ ବିସ୍ମୃତ ହୋଇ ସାହିତ୍ୟିକଶ୍ରେଣୀକୁ ଏକ ଚିରଦୁର୍ଗତ ଦଳିତ ଦରିଦ୍ର ଗୋଷ୍ଠୀରେ ସବୁଦିନ ପାଇଁ ଥଇଥାନ କରି ରଖିଥିବା ?
ଏ କ୍ଷେତ୍ରରେ ସାହିତ୍ୟ ପ୍ରତି ସରକାରଙ୍କର ଭୂମିକା ଏକ ପଙ୍ଗୁର ଭୂମିକା । ସରକାରୀ ନିଷ୍କ୍ରିୟତାର ଶିକାର ଆଜିର ସାହିତ୍ୟ । ଯେଉଁ ସରକାର ଏ ମାଟିର ପାତାଳରୁ ମଧ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା ଳୁଟି ଚାଲିଛି, ସେଥିରୁ କାଣିଚାଏ ମଧ୍ୟ ସାହିତ୍ୟ ପାଇଁ ଖର୍ଚ୍ଚ କରିବାକୁ ନାରାଜ । କେନ୍ଦ୍ରରୁ ରାଜ୍ୟକୁ ମିଳୁଥିବା କୋଟି କୋଟି ଟଙ୍କାର ସହାୟତା ରାଶି ଖର୍ଚ୍ଚ ନ କରିପାରି ରାଜ୍ୟ ସରକାର କେନ୍ଦ୍ରକୁ ଫେରାଇ ଦେବାକୁ ବାଧ୍ୟ । ମାତ୍ର ସାହିତ୍ୟର ଶୋଷପାଇଁ ବୁନ୍ଦେ ଜଳଦାନ କରିବାରେ ମଧ୍ୟ ଏ ରାଜ୍ୟରେ କି ସରକାରୀ କାର୍ପଣ୍ୟ ! ପାଠାଗାରମାନଙ୍କ ପାଇଁ ପୁସ୍ତକ ମନୋନୟନ ସମୟରେ ପ୍ରକୃତ ଲେଖକ ସାଧକମାନଙ୍କର ସୃଷ୍ଟି ଉପେକ୍ଷିତ । ବହି କହିଲେ ବର୍ତ୍ତମାନ ଯାହା ଲେଖା ଯାଉଛି, ସେଥିରୁ ଅଧିକାଂଶ ଭବିଷ୍ୟତର ଠୁଙ୍ଗା ।
ଅସଲ ସାହିତ୍ୟର ଅନୁକୂଳ ବାତାବରଣ ସୃଷ୍ଟି କରିବା ଦିଗରେ ତା’ହେଲେ ସରକାର ପଛାଉଛନ୍ତି କାହିଁକି ? ସମ୍ଭବତଃ ଅସଲ ସାହିତ୍ୟ ଯେଉଁ ସଜାଗତା ଓ ସଚେତନତା ସୃଷ୍ଟି କରିବାରେ ସମର୍ଥ, ସେଥିପ୍ରତି ସରକାର ଆତଙ୍କିତ । କାରଣ ଅସଲ ସାହିତ୍ୟ ଶିଶୁକୁ ଯୀଶୁଖ୍ରୀଷ୍ଟ କରେ ଏବଂ ତରୁଣକୁ କରେ ତୀବ୍ର ତଲ୍ୱାର୍ । ସରକାର କ’ଣ ଠିକାଦାର କିମ୍ବା ଖଣିମାଲିକଙ୍କ ଅପେକ୍ଷା
ଯୀଶୁଖ୍ରୀଷ୍ଟ ଆଉ ତଲୱାରମାନଙ୍କୁ ଖୋଲାମନରେ ଗ୍ରହଣ କରିପାରିବ !
କୌଣସି ରାଷ୍ଟ୍ରର ଶାସନତନ୍ତ୍ର କିମ୍ବା କୌଣସି ରାଜ୍ୟର ସରକାର ବିପ୍ଳବକୁ ବରଦାସ୍ତ କରିପାରେନା । ଅସଲ ସାହିତ୍ୟ ପାଠ କରେ ଏ ବିପ୍ଳବର ବୀଜମନ୍ତ୍ର । ସରକାରଙ୍କର ପ୍ରତିବିପ୍ଳବୀ ଚରିତ୍ର ଅସଲ ସାହିତ୍ୟର ଶୁଭାରମ୍ଭ କ୍ଷେତ୍ରରେ ତେଣୁ ଘୋର ବାଧକ ହେବାକୁ ବାଧ୍ୟ । ମୁଁ ଦାବୀ କରୁଛି , ସାହିତ୍ୟକୁ ଏବେଠୁଁ ସରକାର ଶିଳ୍ପର ମାନ୍ୟତା ଦେବାକୁ ଘୋଷଣା କରନ୍ତୁ, ନହେଲେ ଅଦୂର ଭବିଷ୍ୟତରେ ଏପରି ଦୁଃସ୍ଥିତି ସୃଷ୍ଟି କରିବ ସାହିତ୍ୟର ସ୍ୱାସ୍ଥ୍ୟ ପ୍ରତି ଏକ ଘୋର ସଙ୍କଟ ।
ଏବେ ଓଡିଆସାହିତ୍ୟର ସାମ୍ପ୍ରତିକ କ୍ଷେତ୍ରରେ ଭଦ୍ର ଓ ଭବ୍ୟ ଲେଖକମାନଙ୍କର ଭାଗ୍ୟ ବିଡମ୍ବିତ ଓ ବିପର୍ଯ୍ୟସ୍ତ । ବାହାରିଛନ୍ତି
ବ୍ୟୂହରଚନାକାରୀ ଦଳେ ଗୃହଯୋଦ୍ଧା ଯେଉଁମାନେ ନିଜ ଘରେ ନିଜେ ନିଆଁ ଲଗାଇ ସାହିତ୍ୟର ଶୀତଋତୁକୁ ବେଶ୍ ଆରାମ୍ରେ ପୁଆଁଇଚାଲିଛନ୍ତି ଓ ପୁହାଇଚାଲିଛନ୍ତି । ସେମାନେ ସାହିତ୍ୟକୁ ନେଇ ବିବାଦୀୟ ବ୍ୟାପାରଗୁଡିକୁ ବିସ୍ତାରିତ କରିଚାଲିଛନ୍ତି ଏବଂ ସଜ୍ଜନ ଲେଖକ ଲେଖିକାମାନଙ୍କ ଲାଂଛିତ କରି ନାରକୀୟ ଆନ ନ୍ଦଲାଭ କରୁଛନ୍ତି । ଗୋଟିଏ ବହି ଯଦି ପୁରସ୍କାର ପାଇଲା, ତେବେ ପୁରସ୍କୃତ ଲେଖକ ଲେଖିକା ଏବେ ପୁଲକିତ ହେବେ କଣ ଓଲଟି ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ।
କାରଣ ଏ ପୁରସ୍କାର ତାଙ୍କୁ ତିରସ୍କାରଆଡେ ମୁହାଁଇ ନେଇପାରେ, ବିତର୍କର ଭଉଁରିରେ ସେମାନେ ହୋଇପାରନ୍ତି ନିର୍ଘାତ ନୟାନ୍ତ ! ମୁଁ ଘୋର ନିନ୍ଦା କରୁଛି ପରଶ୍ରୀକାତର ନିନ୍ଦୁକ ବିତର୍କସ୍ରଷ୍ଟାବର୍ଗଙ୍କୁ ଯେଉଁମାନେ ସାଧନାରତ ଲେଖକ ଲେଖିକାମାନଙ୍କୁ ଅଭିନନ୍ଦନ ଦେବା ବଦଳରେ ଉପହାର ଦେଉଛନ୍ତି ଅପନିନ୍ଦା ଓ ଅପଖ୍ୟାତି । ଦୁଃଖର ବିଷୟ ଯେ ଏ ନିନ୍ଦୁକମାନେ ପାଠକ ନୁହନ୍ତି, ଏମାନେ ଲେଖକଶ୍ରେଣୀ ମଧ୍ୟରେ ଛପିରହିଥିବା କିଛି ଛଦ୍ମବେଶୀ ବିଭୀଷଣ – ଗୃହଶତ୍ରୁ ! ମିଡିଆଠଟିଭି ଚ୍ୟାନେଲଯାଏଁ ସବୁଠି ଏମାନେ ସକ୍ରିୟ – ବିତର୍କର ବିଷଚକ୍ର ଦ୍ୱାରା ଏମାନେ ଅସୁସ୍ଥ କରିଚାଲିଛନ୍ତି ଆମ ସାହିତ୍ୟକୁ । ଏମାନଙ୍କୁ ପ୍ରୋତ୍ସାହନ ନେଇ ଆମେ କ’ଣ ସାହିତ୍ୟ ପ୍ରତି ପ୍ରବଞ୍ଚନା କରୁନାହୁଁ ? ବର୍ତ୍ତମାନ ଏ କଥା ପ୍ରକୃତରେ ବିଚାରିବାର ବେଳ ।
ଲେଖକମାନେ ମଞ୍ଚ ହେଉ କି ପଞ୍ଚ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିସର ହେଉ ସବୁ ପ୍ରକାର ମୋହ ଛାଡି ଗୌତମ ବୁଦ୍ଧଙ୍କ ପରି ଅଶ୍ୱତ୍ଥ ବୃକ୍ଷ ମୂଳେ ଅନ୍ତତଃ ଧ୍ୟାନସ୍ଥ ନ ହେଲେ ନାହିଁ , ରାସ୍ତାକଡର ବରଗଛ ତଳେ ଏକାଠି ହୁଅନ୍ତୁ । ସେଇ ରାସ୍ତାରୁ ଆରମ୍ଭ ହେଉ ସାହିତ୍ୟର ସେମିନାର, ସାହିତ୍ୟିକଙ୍କର ଶୁଭ ଶୋଭାଯାତ୍ରା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.