ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା 

ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ ଘୋଡେଇ ରଖିଛି ଗୋଟେ କଳାରଙ୍ଗର ପ୍ରକାଣ୍ଡ ମେଘ ।ସେ ମେଘ ଖଣ୍ଡ ପ୍ରକାରାନ୍ତରେ ମୋ ଲାଗି ଥିଲା ଯେମିତି ଘନୀଭୂତ ଆଶୀର୍ବାଦ। ପ୍ରବଳ ତାତିରେ ଆଶ୍ୱସ୍ତି ପାଇଁ ଡହଳ ବିକଳ କୁନି ଝିଅଟିର ମନ ଜାଣି ପାରୁଥିଲା ସ୍ୱପ୍ନରେ ସେ ମେଘ ଏକ ବିରାଟ ଆକୃତି ଯିଏ ମୁହଁ ଆଡକୁ ମୁହାଁଇ ଧରିଛି ବିଜୁଳି ରଙ୍ଗର ବଇଁଶୀ ଖଣ୍ଡେ । ବୁଝି ଯାଉ ଯାଉ ତାତି ସବୁ ଶୀତଳେଇ ଯାଉଥିଲା ରାତି ଆସିବା ସହ । କଞ୍ଚାନିଦିଆ ଝାଳନାଳ ଟିକି ଶରୀରଟି ଦୌଡିଯାଇ ଠାକୁର ଘର ଖୋଲି ଦେଖିଥିଲା ନନାଙ୍କ ହାତରେ ଫୁଲରେ ସଜେଇ ହୋଇ ମୃଦୁ ମୃଦୁ ହସୁଥିଲେ ତା ଉଚ୍ଚତାର ପାଖାପାଖି ଦୁଇଗୁଣ ଉଚ୍ଚତାର ଆପଣା ଛନ୍ଦରେ ଅନ୍ଧ କରୁଥିବା ମହାମହୀମ ଠାକୁର । ଲାଗିଥିଲା କେଉଁଠି ନା କେଉଁଠି ସେହି ରହସ୍ୟମୟ ହସ ସହ ମୋ ଅଭିମାନୀ ମନ ଅଳ୍ପବହୁତେ ସମ୍ପର୍କୀକୃତ ।

ଆଜି ଯେତେବେଳେ ସେହି ହସ ମୁଁ ତୁମ ଆଖିରେ ଦେଖୁଚି ତ ମୁଁ କେବେ ଆତ୍ମହରା ହେଉଛି ତ କେବେ କେବେ ଅପ୍ରସ୍ତୁତ । ନିରାଜନା ଓ ସମର୍ପଣରେ କଣ ଦୈବୀ ଓ ମାନୁଷୀ ଏକ ରୂପ ପରିଗ୍ରହ କରେ ! ତୁମ ଅପସ୍ପୃୟମାନ ଚେହେରାରୁ ସୋରାଏ ଆଲୁଅ ଭଳି ଖସି ଆସୁଥିବା ହସ ମୋ ଦୁଃଖର ପିଠି ଆଉଁସି ଦେବାକୁ ଉଦ୍ଦିଷ୍ଟ ବୋଲି ବୁଝେ ତ ଆହୁରି ଆବେଗପ୍ରବଣ ହୁଏ । ଅଧିକ ନିବିଡେଇ ଯିବାକୁ ଇଚ୍ଛା ହୁଏ ତୁମ ପାଇଁ ଲୋଡିବାପଣରେ । ନିଦ୍ରିତ ଅବସ୍ଥାରେ କ୍ଵଚିତ ସ୍ବପ୍ନ ଦେଖୁଥବା ମୋର ଏହି ଖିଆଲି ମନ ବୟସ ଅନୁଯାୟୀ ଆକାଶକୁ କାନଭାସ କରି ମେଘକୁ ଥାକ ମାରି ଖଞ୍ଜି ଜାଣିଲା ସିନା ବର୍ଷା ହୋଇ ତରଳି ଯାଉଥିବା ଅନୁରକ୍ତିକୁ ଲୁଚେଇ ସାଇତିଲା ଆଖିରେ ଲୁହ କରି । ଆଜିର ଚିତ୍ର ଆଙ୍କୁ ଆଙ୍କୁ ଆଙ୍କି ହୋଇଗଲା ସେହି ତିନିପାଦ ଇଚ୍ଛୁଥିବା ଇଚ୍ଛାମୟଙ୍କ ପାଦ ଏବଂ ନିଜକୁ ସଠିକ ଢଙ୍ଗରେ ବଖାଣି ପାରୁନଥିବା ଅସହାୟତା । ପାଦ ସଂଲଗ୍ନ ମାଟି , ତାର ବିବିଧତା , ନିଜ ସମୁଦାୟତା , ମୂର୍ଚ୍ଛିତ ବାସ୍ତବତା ..ଗଛ ହୋଇ , ଲତା ହୋଇ ଗୋଲାପି ଆକାଶରେ ଲମ୍ବେଇ ହୋଇଥିବା ଗୋଟେ ହଳଦୀ ରଙ୍ଗର ଛାଇ ମୁଁ ବୋଲି ବୁଝିଗଲା ପରେ ପୁଣି ଅଧୀର ହେଲି , ଅଣନିଃଶ୍ଵାସୀ ହେଲି ଚିତ୍ରକୁ ନେଇ । ରଙ୍ଗ ନୁହେଁ ତ କଳ୍ପନାରେ ରକ୍ତ ଦେଇ ଆଙ୍କିଥିବା କୌଣସି ଚିତ୍ରକୁ ମୁଁ ନିଜଠାରୁ ଅଲଗା କରି ଭାବିପାରିନି ଆଜିଯାଏଁ । ନିଜେ ଅସ୍ତିତ୍ୱ ହିଁ ରଙ୍ଗ ହୁଏ ,ଶବ୍ଦ ହେଉଥାଏ । ଇଡ଼ିଯାଏ ନହେଲେ ଖୋଲିହୁଏ । ସବୁରେ ମୁଁ ତଲ୍ଲୀନତାକୁ ପରଖୁଥାଏ । ଯେତିକି ଝୁଣ୍ଟି ହେଉଥାଏ ଅଭାବବୋଧରେ ସେତିକି ସେତିକି ମୁଁ ପୂର୍ଣ୍ଣ କରୁଥାଏ ନିଜକୁ ପରିକଳ୍ପନାର ବିଭିନ୍ନ କ୍ରମରେ । ଚିତ୍ରରେ ତୁମେ ହିଁ ଦିଶିଯାଅ ଆଜିକାଲି !

ଏଇ ଦେଖ ତୁମର ସେହି ସବୁଜ ରଙ୍ଗର ପାଦ ଯିଏ ପ୍ରଣବ ଓଁକାରକୁ ଶକ୍ତି କରି ନିଶ୍ଚିହ୍ନ କରିବାକୁ ଆସିଛି ମୋର ଅହଂକାରର ଆବରଣ । ତୁମେ ଅଛ , ପାଦ ଅଛି ମାନେ ସ୍ଥିତିରେ ଅନେକ ରଙ୍ଗର ପାଦଚିହ୍ନ । ଭିନ୍ନ ଭିନ୍ନ କଳ୍ପନାରେ ରୋମାଂଚିତ ସମୟଙ୍କ ଆୟୁଷ ଭଳି ଯେଉଁଆଡ଼େ ଦେଖ ସେହି ଆଡେ କେବଳ ପାଦଚିହ୍ନ । ଅଦ୍ଭୁତ ଲାଗୁନି ?? ପାଦ ଅଛି ମାନେ ରାସ୍ତାଟେ ଥୁଆ । ଯୁଆଡ଼କୁ ବୋହି ନେବ ପାଦ ରାସ୍ତାରେ ହିଁ ଥାପିହେବ ଜୀବନ । ସେହି ସବୁ ରାସ୍ତା ନିର୍ଦ୍ଧାରିତ କି ଇଚ୍ଛାକୃତ ଥିଲା ଅଥବା ରହିବ କାଳ ତାହା ନିର୍ଣ୍ଣୟ କରିବ ।

ତୁମ ଛାଇକୁ ଆଙ୍କିବା ପାଇଁ ସାମର୍ଥ୍ୟ ଅର୍ଜିଲି ଢେର ବିଳମ୍ବରେ ମୋର ପରିଣତ ବୟସରେ ଈଶ୍ୱରଙ୍କ କ୍ରୁର ଷଡଯନ୍ତ୍ରକୁ ଭୋଗିଲା ପରେ । ଅବଶ୍ୟ ମହଜାଗତିକ ଦୃଷ୍ଟିରେ ସବୁ ଅନୁଭବ କାଳାତୀତ । ଯେତେବେଳେ ପାଦ ଥାପିବା ଲାଗି ମାଟି ଖୋଜୁ ଖୋଜୁ ହଜି ଯାଉଥିଲା ଇପ୍ସିତ ମୁହୂର୍ତ୍ତ , ଏତେ ବେଶି ଅବଶ ଥିଲା ସେ ପାଦର ଶକ୍ତି ଯେ ମୁକ୍ତି ଖୋଜୁ ଖୋଜୁ କଚାଡି ହୋଇ ପଡୁଥିଲା ନିଜ ଭାଗକ ଆକାଶ । ସକାଳ ସୂର୍ଯ୍ୟର ଚମକ ଭଳି , ଦ୍ୱାଦଶୀର ଜହ୍ନ ଭଳି , ପହିଲି ବର୍ଷାରେ ଭିଜା ମାଟିର ମହକ ପରି କିଛି କିଛି ଆତଯାତ ହେଉଥିଲେ ହେଁ ସହଜରେ ମୁକୁଳିତ ହେଇ ପାରୁନଥିଲା ବ୍ୟଥିତ ଅସ୍ଥିର ପ୍ରାଣ । ଲାଗୁଥିଲା ଯେମିତି ଅଟକି ଯାଇଛି ମୁହୂର୍ତ୍ତ ଗୋଟିଏ ବିନ୍ଦୁରେ । ସେ ବିନ୍ଦୁ ଯେମିତି ପରିଣତ ହେଉଛି ଶେଷହୀନ ଯନ୍ତ୍ରଣାର ରେଖାରେ । ହସୁଥିଲେ ବି ଲୁହ ଆସୁଥିଲା ଆଖିକୁ । ଲୁହ ଥିଲେ ବି ଛିଟିକି ଆସୁଥିଲା ହସ ଭବିତବ୍ୟକୁ ଉପହାସ କରି , ନିଜ ସ୍ଥିତିକୁ ଦୟାରେ ଝିଙ୍ଗାସି ।

ଭାଗ୍ୟ ସହ କୁହୁଳିବାର ପ୍ରକ୍ରିୟାରେ କେଡ଼େ ଅସହଜ ଥିଲା କୁହ ତ ମୋ ଚାରିପାଖର ଜୀବନ ? ପ୍ରଥମେ ସ୍ଥାଣୁତ୍ୱ , ତହିଁରୁ ତିଆରି ଜିଦ୍ , ପରେ ଲୁହ ତିଆରି ଆସ୍ଥା ଏବଂ ବାରମ୍ବାର ଅନିଶ୍ଚିତତାର ଭୟରେ ଲୟ ହରେଇ ଦେଉଥିବା ପ୍ରାର୍ଥନା ତୁମକୁ ମୋ ଅଲକ୍ଷ୍ୟରେ ଗଢ଼ି ଗଢ଼ି ଚାଲିଥିଲା ବିକଳ ବ୍ୟାକୁଳତାରେ । ଅଜାଣତରେ ହେଉ ପଛେ ଅନୁରାଗର ଗାଢ଼ ରଙ୍ଗ ଚଢି ସାରିଥିଲା ତୁମ ଅସମ୍ପୂର୍ଣ୍ଣ ଅବୟବରେ ଯାହାକୁ କୌଣସି ଆକଟ କି ଅନୁଶାସନ ପୋଛି ପାରିବନି ଯେତେ ଚେଷ୍ଟା କଲେ । ଚେତନାରୁ ହୀରା ରଙ୍ଗର ଇଚ୍ଛାଟେ ଝୁଲେଇ ଦେଲେ ଠାକୁର ତୁମର ଆସିବା ଦିଗରେ । ମେଘ ଆକାଶରେ ଉଜ୍ଜ୍ଵଳ ଦିଶୁଥିବା ବାଦଲ ପିଠିରେ ମୁଁ ତୁମକୁ ଦେଖିପାରେ ତ ମୁଗ୍ଧ ହୁଏ ।ଏଇ ମାତ୍ର ପହଞ୍ଚି ଯାଇ ମୋର ସମସ୍ତ ଅବସନ୍ନତାକୁ ବିଭୋରତାରେ ବଦଳେଇ ଦେବ ଭାବି ବାରମ୍ବାର ମୂର୍ତ୍ତି ପାଲଟୁଥାଏ । କିଏ ମୋତେ ପଥର କହୁ କି କଠୋର କିନ୍ତୁ ତୁମ ଅଚାନକ ପହଂଚିଯିବାର ପ୍ରତ୍ୟୟ ମୋତେ ଘାରୁଥାଏ ସବୁବେଳେ ।

ମୁଁ ବୁଝି ସାରିଛି ଅନ୍ୟମନସ୍କତାରୁ ଉତ୍ତୁରୁଥିବା ମୋର ଅସଂଖ୍ୟ ଚିତ୍ର ଭଳି ତୁମର ଜନ୍ମ ଯାହାଙ୍କୁ ମୁଁ ବିଭୋରତାରେ ଆଙ୍କିପାରେ ସଂସାର ପାଇଁ ଠୁଳ କରିଥିବା ମୋର ସମସ୍ତ ଶପଥର ଆଢୁଆଳେ । ସେଇଠି ହିଁ ମୁଁ ଗାଢ଼ ନୀଳ ଏବଂ ଈଷତ ବାଇଗଣୀ ରଙ୍ଗରେ ସାବଜେଇ ନେଇ ପାରେ ପରିସଂସ୍ଥାର ହାତ ଗୋଡ଼ ।ସେଇଠି ଦେଖି ହୁଏ କୋମଳତା କେମିତି ପହଁରି ଆସୁଛି ସବୁ ନିୟମର ନିଗଡ଼ ଭାଙ୍ଗି ତୁମ ଆଖି ଓ ଆତ୍ମାକୁ ଛୁଇଁ ଛୁଇଁ ମୋର ସବୁ ଅନୁଭବକୁ ଫୁଙ୍ଗୁଳା କରି । ବାରିପାରେ ଆଞ୍ଜୁଳାଏ ଆନନ୍ଦକୁ ମୋ ପାପୁଲିରେ ରଖିବାକୁ ଯାଇ ତୁମେ ନିଜକୁ କେମିତି ବିଷାଦରୁ ଗଢ଼ିନେଉଛ ମୁହୂର୍ତ୍ତରୁ ମୁହୂର୍ତ୍ତକୁ ବିପୁଳ ଇଚ୍ଛା ଶକ୍ତିକୁ ମାଧ୍ୟମ କରି । ଆମ ଭିତରେ ଦୂରତାର ନାଁ କହିଲେ ହିଁ ନିରବତା । ନିରବତାର ଶବ୍ଦ ପୁଣି ଏତେ ନିର୍ଦ୍ଦିଷ୍ଟ ଓ ପ୍ରଚଣ୍ଡ ଏବେକୁ ବୁଝୁଛି ମୋ ରାଜକୁମାର ! ଜାଣୁଛି ଆକାଶ ଫଟେଇ ନିରବତା କଳ୍ପନାର ଫୁଲ ସବୁ ଓଟାରି ଆଣି ମାଟିରେ ବିଞ୍ଚିପାରେ । ଅୟୁତେ ସ୍ବପ୍ନକୁ ଗଜୁରେଇ ପାରେ ଯନ୍ତ୍ରଣାର ଶକ୍ତ ଚଟାଣରେ । ଜାଣିପାରିଲି ସେତେବେଳେ , ଯେତେବେଳେ ତୁମ ଆଖିର ପ୍ରେମରେ ପଡ଼ିଲି । ତୁମ ଆଖିରୁ କାହିଁ କେତେ ଆଲୋକବର୍ଷର ଦୂରତାରେ ଆମ ସଂସାରର ଗତାନୁଗତିକତା ଅଥଚ ତୁମେ ମୋ ସହ ଅଛ ବୋଲି ତୁମ ଆଖିରେ ଖୋଦେଇ ହୋଇଛି ସ୍ପଷ୍ଟତା । ତୁମ ଆଖି ପାଇଁ ମୁଁ ସମୁଦ୍ରର ପ୍ରତିଶବ୍ଦ ନେଉନି ଯଦିଓ ସେହି ଅନୁଭବର ପରିଚୟକୁ ବେକରେ ଗୁଡେଇ ସଞ୍ଜ ଆଳତୀର ପଣତ କରି । ସମୁଦ୍ର ପୁଣି ବିକ୍ଷୁବ୍ଧ ,ଉତ୍ତାଳ ଓ ଗଭୀର ହେବା ତ ଭିନ୍ନ କଥା କିନ୍ତୁ ତାର ଢେଉ ମାନେ ବୁଝେଇ ବସନ୍ତି ଶାନ୍ତ ଭାବର ବି ଗୋଟେ ଛନ୍ଦ ଅଛି । ସଂହତି ତାର ଅଭ୍ୟନ୍ତରରେ ଯାହାକୁ ମୁଁ ଅସମ୍ଭବ ପ୍ରେମ କରିପାରେ ।

ତୁମ ଆଖିର ପ୍ରଶାନ୍ତି ପଛରେ ଯେ ଏତେ ଉଦବେଳନ ଅଛି ତାହା କ୍ରମଶଃ ବୁଝୁଛି ଆଉ ଅଧିକରୁ ଅଧିକ ପ୍ରାଣମୟୀ ହେଉଛି । ହୁଏତ ଏଇ ଭାବରୁ ତିଆରି ହୋଇଛି ବିଥୋଭନ୍ , ମୋଜାଟ , ୱାଗନରଙ୍କ ସଙ୍ଗୀତ । ମୁଁ ଶୁଣେ ବିଥୋଭନର ମୁନ୍ ଲାଇଟ ସୋନାଟା ତ କିଏ ମୋତେ ସୂଚେଇ ଦିଏ କେତେ ରଙ୍ଗ, ସ୍ବପ୍ନ ଓ ସମ୍ଭାବନାରେ ଧୂନ୍ ସନ୍ନିବିଷ୍ଟ ହୋଇଛି ସମୟର ଡେଣାରେ ତୁମକୁ ସଂଗୀତମୟତା ଦେବା ଲାଗି । ଆଗରୁ କହିଛି ନା ତୁମ ଲାଗି ସମ୍ବୋଧନ ମୋର ପ୍ରାର୍ଥନାର ସ୍ୱର । ବସା ଫେରନ୍ତା ଚଢ଼େଇଙ୍କ ଗୀତର ଅନାହତ ଝଙ୍କାର । ତୁମେ ମୋର ସ୍ବପ୍ନମୟ ପ୍ରବଣତା , ମୋ ସ୍ୱପ୍ନିଳ ସୁକୁମାରତା । ମୋର ଅଖଣ୍ଡ କଳ୍ପନାରେ ଗଢ଼ା ବିପୁଳ ସ୍ନିଗ୍ଧତା । ମୋତେ ତୁମ ସତ୍ତାର ବାସ୍ତବ ରୂପକୁ ନେଇ ଆଗକୁ ଯିବାର ନାହିଁ କି କାହା ସହ ଲଢେ଼ଇ କରିବାର ନାହିଁ । ମୋତେ ଲୋଡ଼ା ଖରା ଧାସରେ ଝାଉଁଳି ଯାଇଥିବା ଚାରାରେ ଢାଳେ ପାଣିର ଜୀବନ ।

ସେତକ ତୁମେ ଦେଇ ପାରିବ ବୋଲି ଆଜି ପାଇଁ ତୁମ ନାଁ ରଖୁଛି ସିଞ୍ଚନ । ଆକାଶ ସହ ପୃଥିବୀର ସମ୍ପର୍କ ଭଳି ତୁମ ସତ୍ତା ଅପହଞ୍ଚ ଅଥଚ ବ୍ୟାପ୍ତ । ଜୀବନରେ ଭର୍ତ୍ତି ହେବାକୁ ଚାହୁଁଛି ବୋଲି ତୁମକୁ ମୋର ଲୋଭ ଲୋଡ଼ିଛି । ଅଧୀର କରୁଥିବା ଲୋଭ ଯେ ମୋର ଜୀବନୀ ଶକ୍ତି , ବଞ୍ଚିବାର ଉପାଦାନ ତୁମେ ହିଁ ଜଣେଇ ଦେଲ ସ୍ମିତର ଚହଟରେ । ମୋ ପ୍ରାଣଭର୍ତ୍ତି ଆତୁରତା ନିଅ । ଛୁଇଁ ଛୁଇଁ ଯାଅ ଅନୁରାଗରେ ଶୁଖି ଯାଇଥିବା ବନସ୍ପତି , ଉଦାସୀ ପାହାଡ଼ , ଅଚଞ୍ଚଳ ନଦୀ , ଥମି ଯାଇଥିବା ପବନ , ଅପର୍ଯ୍ୟାପ୍ତ ରେଖାରେ ଅଡ଼ୁଆ ହୋଇଯାଇଥିବା କାନଭାସର ଦେହ । ଜୀବନ କେମିତି ଭରି ଭରି ଯାଉଛି ତୁମେ ଦେଖ ସବୁଜ ଏବଂ ନୀଳ ରଙ୍ଗର କୁହୁକ ଛୁଆଁ ଭଳି । ଦେଖ ଅଦୃଷ୍ଟର ସେ ଅସ୍ଥିର ପଟ୍ଟୀରେ ପଲ୍ଲବି ଯାଉଛି କେମିତି ପୃଥିବୀ !

ଥରେ ସେ ଦିବ୍ୟ ସ୍ପର୍ଶର ଉଷ୍ମତାକୁ ଅପେକ୍ଷା । ଆସିବ ? କେଉଁ ରଙ୍ଗର ଘୋଡ଼ାରେ ?? ସେ ଆଗମନ ଆଣୁ ହଜାରେ ବସନ୍ତ । କଳ୍ପନାରେ ଭରିଯାଉ ନୂଆ ନୂଆ ରଙ୍ଗ । ଦିଗନ୍ତରେ ଆୟୋଜିତ ହେଉ ଚିତ୍ରର ମଖମଲୀ ସମାବେଶ ।ସେ ସ୍ପର୍ଶରେ ଖୋଲିଯାଉ ଆକାଶ ପରେ ଆକାଶ । ଝଟକି ଉଠନ୍ତୁ ମୋ ମସ୍ତିଷ୍କର ନୀଳ ତାରାମାନେ ତୁମକୁ ସ୍ପଷ୍ଟ ପ୍ରତିଭାତ କରିବାର ଅଭିପ୍ରାୟରେ । ସେ ଯାଏଁ ଉନ୍ମୁକ୍ତ ହୋଇପାରୁନଥିବା ଅନୁଭବର ଅନୁରଣନ ନିଅ । ଢେର ଜୀବନ ନେଇ ପ୍ରେମରେ ଜୀଉଁଥାଅ ।
ତୁମର ‘ମୁଁ ‘