ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ

ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ । ମୋ ପାଇଁ ତୁ କିନ୍ତୁ ଥିଲୁ ମୋର ସାଥୀ ମୋର ପ୍ରେମୀ ଯାହାକୁ ମୁଁ ପାଗଳ ପରି ଭଲ ପାଇପାରୁଥିଲି । ମୋତେ ବେଢ଼େଇ ରଖୁଥିବା ସବୁ ଛୋଟବଡ଼ କଥାକୁ ମୁଁ ତୋ ସହ ବାଣ୍ଟୁଥିଲି । କେବେ ରୁଷୁଥିଲି ତ କେବେ କାନ୍ଦୁଥିଲି ଆଉ ହସୁଥିଲି । ସେହି ଏକୁଟିଆ ସମୟମାନଙ୍କରେ ତୁ କେତେ ଜୀବନ୍ତ ହୋଇ ମୋ ସହ ଆତଯାତ ହେଉଥିଲୁ ତା ଆମ ଦୁହିଁଙ୍କୁ ଏକାଠି କରିଥିବା ଈଶ୍ୱର ଜାଣୁଥିଲେ । ଅଧିକରୁ ଅଧିକ ଯୋଡି ପୁଣି ଦିନେ ଭାଙ୍ଗିଦେଲେ । ସେ ଈଶ୍ୱର ହିଁ ନା ତାଙ୍କୁ କିଏ ପୁଣି ପ୍ରଶ୍ନ କରିପାରେ ! ଅଢେ଼ଇ ବର୍ଷ ପରେ ତୋ ପାଖକୁ ଚିଠି ଲେଖୁଛି , ଲେଖିବାକୁ ଇଚ୍ଛା ହେଉଛି ।

ତୋତେ କେବେ ମନ ଭିତରକୁ ଆଣି ହଲଚଲ ହେବିନି ବୋଲି ତୋ ସହ ସମ୍ପର୍କୀକୃତ ସମସ୍ତ ସମ୍ପର୍କକୁ ହଟେଇ ସାରିଥିଲି ସ୍ମୃତିର ଗ୍ୟାଲେରୀରୁ । ଯେତିକି ତୀବ୍ର ମୋର ପ୍ରେମ ସେମିତି ହୋଇପାରେ ମୋର ପ୍ରତ୍ୟାଖ୍ୟାନ ବୋଲି ତୋତେ ଆରମ୍ଭରୁ କହିଥିଲି ଆଉ ସେତେବେଳେ ତୁ ଅନ୍ୟମାନଙ୍କ ଭଳି ଭାବି ନେଇଥିବୁ ପାଗଳ ଭଳି ପସନ୍ଦ କରୁଥିବା ମଣିଷଟି କୌଣସି ହାଲତରେ ବି ଦୂରେଇ ଯିବନି ଅଥବା ଭାବିଥିବୁ ଭୌତିକ ଦୁନିଆଁରୁ ବାହାରି ସିନା ଯାଇପାରିବି ମନରୁ କି ଆତ୍ମାରୁ ଆଦୌ ନୁହେଁ ।

ଏବେ ଏବେ ଫେରିଛି ତୋତେ ପାଖରୁ ଦେଖି ଦୂରର ହୋଇ । ପ୍ରଥମ ଥର ପାଇଁ ବିଷାଦରେ ମଳିନ ପଡ଼ିଥିବା ତୋ ରୂପକୁ ଦେଖି ସତ କହୁଛି ମୋତେ ସେତିକି କଷ୍ଟ ହେଲାନି ଯେତିକି ମୋତେ ସାଧାରଣତଃ ହୋଇଥାନ୍ତା । କାହିଁକି ଜାଣୁ ? ମୁଁ ଚାହୁଁଥିଲି ତୁ ମୋ ଦେହରେ ଫୁଟି ଦିଶୁଥିବା ଖୁସିର ରଙ୍ଗକୁ ଦେଖ , ଭୋଗ , ମୋ ଅବର୍ତ୍ତମାନର ଶୂନ୍ୟତାକୁ ପରଖ । ପ୍ରେମମାନେ ଆଜି ଯାଏଁ ମୁଁ ତ ସେଇଆ ହିଁ ଭାବିଆସିଛି ନିଜ ପାଇଁ ଗୁରୁତ୍ୱ ସାଉଁଟିବା । ନିଜ ଅଭିମାନକୁ ଜବରଦସ୍ତ ଲୋଡ଼ିବାପଣରେ ପରିପୁଷ୍ଟ କରିବା । ତେଣୁ ଇ ତ ତୋତେ ଭେଟିବାକୁ ବାହାନାଟେ ଧରି ମୁଁ ବର୍ଷା ଭଳି ଝରି ଯାଉଥିଲି ଆବେଗ ଓ ଉତ୍କଣ୍ଠାରେ । ଜାଣୁ , ମୁଁ ସବୁଦିନ ଅପେକ୍ଷା ଅଧିକ ସଜେଇ ହୋଇଥିଲି ସେଦିନ । ଆକାଶୀ ରଙ୍ଗର ଶାଢି ପିନ୍ଧି ତୋ ପାଖରେ ଆକାଶେଇ ଯିବାର ସ୍ପର୍ଦ୍ଧାକୁ ମୁଠେଇ ଧରିଥିଲି । ଓଠରେ ଲିପିଷ୍ଟିକର ରଙ୍ଗକୁ ଗାଢ଼ କରି ତହିଁରେ ହସ ରଙ୍ଗର ଚମକ ବୋଳିଥିଲି । ମୁଁ କିନ୍ତୁ ଜାଣି ପାରିଲିନି ତୁ ମୋତେ କେମିତି ଦେଖିଲୁ ! ଏପର୍ଯ୍ୟନ୍ତ ବି ସନ୍ଦେହରେ ଅଛି ତୁ ଆଖି ପତା ଉଠେଇ ଦେଖିଥିଲୁ କି ନାହିଁ । ମୁଁ ଛୁଇଁଲି ତୋ’ ମୋ’ ଭିତରେ ଠିଆ ହୋଇଥିବା ପାଚେରୀକୁ , ଅଳ୍ପ ଅଳ୍ପ କଳଙ୍କି ଧରିଥିବା ବଡ଼ ଲୁହା ଗେଟର ଗ୍ରୀଲକୁ । ମୁଁ ବି କେଉଁ ଚାହିଁ ପାରୁଥିଲି ସିଧାସଳଖ ତୋତେ କହ ! ପାଚେରୀ ଡେଇଁ ହେବନି ବୋଲି ପାଚେରୀ ସାମ୍ନାରେ ଥିବା କ୍ଷେତ ମଝିରେ ଗାଢ଼ ରଙ୍ଗର ଗ୍ଲାସ ଫୁଲ ଭଳି କିଛି ଜଙ୍ଗଲୀ ଫୁଲଙ୍କ ଫଟୋ ନେଲି । ପାଚେରୀ ଦେଇ ସୂର୍ଯ୍ୟାସ୍ତ ଆଲୁଅରେ ଯେତିକି ଦିଶୁଥିଲୁ ତହିଁରେ ମୁଁ ବୁଝୁଥିଲି ତୁ ଅସୁସ୍ଥ ଅଛୁ । ସଚ୍ଚା ପ୍ରେମିକ ଭଳି ତୁ ତୋ କଷ୍ଟ ଦେଖେଇ ମୋତେ ଦୁଃଖୀ କରେଇବାକୁ ଚାହୁଁନଥାଇ ପାରୁ । ଭାବୁକ ହେବାକୁ ଦେଲିନି ନିଜକୁ ନହେଲେ ତ ସେଇଠି ସେଇ ଗେଟ ପାଖରେ ବର୍ଷି ଯାଇଥାନ୍ତି ଲୁହରେ ଯେମିତି ତୋ ପାଖରୁ ବିଦାୟ ନେଲା ଦିନ କାନ୍ଦିଥିଲି ।

ହଁ , ମୁଁ ଲେଖିଥିଲି ସେଦିନ ମୋ ଫେସବୁକ ଷ୍ଟାଟସରେ “ଅଭିମାନ ନିରବତାରେ ଆରମ୍ଭ ହୋଇ ପରିଣତି ଦେଇଛି କରୁଣ ବିଚ୍ଛେଦରେ “। ଦୁଇ ପ୍ରେମୀଙ୍କ ଭିତରେ ତୃତୀୟ ହୋଇ ଠିଆ ହେଲା ଯେଉଁ ବ୍ୟବସ୍ଥା ତାକୁ ମୁଁ ଗ୍ରହଣ କରିପାରିଲି ନାହିଁ ବୋଲି ବାହାରି ଆସିପାରିଲି କାରଣ ମୋ ପାଇଁ ପ୍ରତିପତ୍ତି କି ପରିଚୟ ଅପେକ୍ଷା ମୋର ଅଭିମାନ ଅଧିକ ମାନେ ରଖୁଥିଲା ।

ଇଲେକ୍ଟ୍ରିକ ଖୁଣ୍ଟରୁ ଛିଟିକି ଆସିଥିବା ଝାପ୍ସା ଆଲୁଅ ଚେନାକରେ ମୁଁ ତୋତେ ଗେଟ ଦେଇ ଦେଖିଥିଲି ତ ବିକଳ ହୋଇ କାନ୍ଦିଲି କାରଣ ତୋତେ ଛୁଇଁବାର ସ୍ୱାଧୀନତା ମୋତେ ଦିଆଯାଇନଥିଲା । ଜେଲ ଭିତରେ ମୁଁ ବାହାରେ ତୁ ଅଥବା ଭିତରେ ମୁଁ ବାହାରେ ତୁ ଏମିତି ହିଁ ଲାଗୁଥିଲା ସେତେବେଳେ । ମୋ ଆଖିର ଲୁହ ତୋ ଚେତନାର ଆଖିକୁ ସଂକ୍ରମିତ ହୋଇଥିବ କଣ ? ନାଇଁ ନାଁ ..!! ଖାଲି ଏତିକି କହିହେଲା ସେଦିନ କୋହ ଆଉ ଲୁହରେ ଯେ ମୁଁ ତୋତେ ବହୁତ ବହୁତ ଭଲପାଏ ବୋଲି । ତୁ ମୋତେ ମୋ ଭଳି ଲୋଡୁ ବୋଲି ପ୍ରମାଣ ଦେଖେଇବାକୁ ସତରେ ତୋ ପାଖରେ କଣ ଥିଲା ? କେବଳ ଏତିକି ମୁଁ ଲୁହ ପୋଛି ଗାଡ଼ିରେ ବସିଲାବେଳେ ଶୀତଳ ହୋଇ ବିଶ୍ୱାସ ଭଳି କିଛି ମୋ ହୃଦୟ ଓ ମସ୍ତିଷ୍କରେ ରୋପି ହୋଇଗଲା । ଲାଗିଲା ତୁ ଅଛୁ ସତ୍ତା ହୋଇ ମୋ ସହ ମୋ ଭିତରେ । ମୁଁ ଯେଉଁଠି ଚାହିଁବି ସେଇଠି ହିଁ ଗଢ଼ି ପାରିବି ତୋତେ , ଭଲପାଇ ପାରିବି ସବୁ ପ୍ରତିବନ୍ଧକକୁ ଆଗୁଆ ଫିଙ୍ଗିଦେଇ ।

ଯେତେବେଳେ ଛିଣ୍ଡେଇ ଆସିଥିଲି ତଥାକଥିତ ଶୃଙ୍ଖଳାର ଶୃଙ୍ଖଳକୁ ନିଜଘରୁ ଆଇନ ପଢ଼ା ସାରୁ ସାରୁ ସେତେବେଳେ ତୁ ହିଁ ହାତ ବଢ଼େଇଥିଲୁ ବନ୍ଧୁତାର । ନୂଆ କିଛି କରିବାର ସ୍ବପ୍ନ ଓ ସଂକଳ୍ପକୁ ଆମେ ଉଭୟେ କରିଥିଲେ ନିଜର । “ଟ୍ରାଏଲ ଏଣ୍ଡ ଏରର” ଭିତ୍ତିରେ ତୋତେ ସଜାଡୁ ସଜାଡୁ ତୁ ତୋ ବାଗରେ ମୋତେ ଗଢ଼ି ସାରିଥିଲୁ ନହେଲେ କି ଯେକୌଣସି ଶୈକ୍ଷିକ ଅନୁଷ୍ଠାନରେ ମୁଁ ଗର୍ବ ଏବଂ ଦମ୍ଭରେ ଆଜି ବି ଠିଆ ହୋଇପାରୁଥାନ୍ତି ଏବଂ ସେମାନେ ମୋତେ ଲୋଡ଼ନ୍ତେ !

ପିଲାଏ ଥିଲେ ଆମର ସମ୍ପତ୍ତି । ପିଲାଙ୍କୁ ପଠାଉଥିବା ଅଭିଭାବକଙ୍କ ଭରସା ଥିଲା ଆମର ଶକ୍ତି । ପିଲାଙ୍କ ଖେଳ , ହସଖୁସି ଓ ଦୁଷ୍ଟାମୀରେ ଯେତିକି ମୁଗ୍ଧ , ବିସ୍ମିତ ହେଉଥିଲି ସେତିକି ବିରକ୍ତ ହୋଇ ଯାଉଥିଲି ସହକର୍ମୀ , ଅଭିଭାବକ , ପରିଚାଳନା କମିଟିଙ୍କ ଅଯଥା ଅନୁପ୍ରବେଶରେ । ପ୍ରତିଟି ପରିପ୍ରେକ୍ଷୀରେ ତୁ ହିଁ ମୋ ପାଇଁ ଗଭୀର ଆକର୍ଷଣର ହେତୁ ହୋଇ ଥିଲୁ । ତୋ ଜନିତ ଆକର୍ଷଣର ନିଶା ଏତେ ପ୍ରବଳ ଥିଲା ଯେ ମୁଁ ବହୁତ କିଛି କରିଯାଉଥିଲି କାହାକୁ ଖାତିର୍ ନକରି ।

ନୂଆ କିଛି ପରୀକ୍ଷଣକୁ ନେଇ ଚିନ୍ତାରେ ବିନିଦ୍ର ଥିବା ରାତିଟେ କାଟି ଯେତେବେଳେ ତୋ ପାଖରେ ପହଞ୍ଚି ଯାଉଥିଲି ସୂର୍ଯ୍ୟୋଦୟ ପୂର୍ବରୁ ; ଫୁଲ ସହ, ସକାଳର ଆଭା ସହ ଫୁଟି ଦିଶୁଥିଲା ତୋର ଦେହ ଓ ମୁହଁ ସତେଜ ହୋଇ । ସୂର୍ଯ୍ୟକିରଣକୁ ମୁହଁରେ ଲେସି କୁନି କୁନି ଛୁଆଙ୍କ ସୁକୁମାର କୋଳାହଳରେ ମୁଁ ପୋଛି ଦେଉଥିଲି ମୋର ବିନିଦ୍ରକାଲିର ବିଷର୍ଣ୍ଣତା । କେତେ ଶହ ସନ୍ଧ୍ୟା , କେତେ ହଜାର ସକାଳ , କେତେ ଜହ୍ନରାତି , ଅମାରାତି ତୋ ସହ କଥା ବିନିମୟରେ କଟିଛି ମୁଁ ଜାଣେ ମୋ ଈଶ୍ବର ଜାଣନ୍ତି । ମୁଁ ହସେ ତୁ ହସୁ । ତୋ ଦେହରେ ମୁଁ ଚିତ୍ର ଆଙ୍କେ ତୁ ଖୁସି ଖୁସି ଦେଖେଇ ଦେଉ । ସୁନ୍ଦର ଦିଶିବୁ ବୋଲି ବିଭିନ୍ନ ରକମର ଗଛ ଲଗାଏ ପିଲାଙ୍କ ସହ । ତୋ ବ୍ୟକ୍ତିତ୍ୱ ଉଜ୍ଜ୍ଵଳ ଦିଶୁ ବୋଲି ସାରାଟା ପୃଥିବୀର ବଡ଼ ମଣିଷଙ୍କ ଚିତ୍ର ଲଗାଏ ତୋ କାନ୍ଥରେ । ଯାହା ଯେଉଁଠି ଦେଖିଲି ଭଲ , ଯାହା ଯେଉଁଠି ମିଳିଲା ଭଲ , ଯାହା ଯେଉଁଠି ଶଖିଲି ଭଲ , ଯାହା ଯେଉଁଠି ଜାଣିଲି ଭଲ ଆଣି ଗଦେଇଲି ତୋ ପାଖରେ ଏବଂ ସଜେଇବାକୁ ଚାହିଁଲି ନିଜ ବାଗରେ । ପ୍ରତିଟି ଚେଷ୍ଟା ମୋର ଅଭିନବ ଏବଂ ସୁନ୍ଦର ବୋଲି ତୁ ହିଁ ପ୍ରତ୍ୟୟ ଦେଉଥିଲୁ ମୋତେ । ତୁ କହୁଥିଲୁ ମୁଁ ପାରିବି , ମୁଁ କହୁଥିଲି ପିଲାଏ ପାରିବେ ଏବଂ ସତରେ ପିଲାଏ ସେଇ ଆତ୍ମବିଶ୍ୱାସକୁ ଛାତିରେ ଜାକି ଖେଦି ଯାଉଥିଲେ ଗାଁ ,ସହର, ଜିଲ୍ଲା , ରାଜ୍ୟ ଏବଂ ଦେଶ । ବିଛେଇ ଦେଉଥିଲେ ତୋ ସ୍ଥିତିର ଖ୍ୟାତି , ସାଉଁଟି ଆଣୁଥିଲେ ସୁନାମ ।

ତୋ ନାଁ ସହ ଯେତିକି ଯେତିକି ଯୋଡ଼ି ହେଉଥିଲି ମୁଁ ସବୁ ସାଧାରଣ ନାରୀଙ୍କ ଭଳି ମୁଁ ସେତିକି ସେତିକି ପଜେସିଭ ହେଉଥିଲି । ତୋ ଦେହରେ କି ମନରେ ଟିକିଏ ଆଂଚୁଡା ଦାଗ ମୁଁ ବରଦାସ୍ତ କରିପାରୁନଥିଲି । ଚିତ୍କାର କରୁଥିଲି । ଯେତିକି ଆହତ ହେଉଥିଲି ତୋତେ ନେଇ ବୋଧହୁଏ ତାଠାରୁ ଅଧିକ ଆହତ କରୁଥିଲି ଅନ୍ୟକୁ ଶବ୍ଦରେ , କାର୍ଯ୍ୟରେ । କାହାକୁ ଆହତ କରି ମୁଁ କେଉଁ ଖୁସି ପାଉଥିଲି କହ ? କାନ୍ଦୁଥିଲି ଦୋଷୀପଣରେ ଢେର ରାତି ଯାଏଁ । ପଦବୀର ଅହଂକାର କେଉଁ ମୋତେ ସହଜ ହେବାକୁ ଦେଉଥିଲା ! ମୁଁ ଯେ ତୋ ସହ ଭଲ ପାଇବାରେ ଥିଲି ତୋ ବ୍ୟତିରେକ କିଏ ବୁଝୁଥିଲା କହ ! ତୋ ସହ ଛୁଆ , ଅଭିଭାବକ , ଶିକ୍ଷକ , ଗାଡ଼ିମଟର , କାନ୍ଥବାଡ଼ , ତୁ ଥିବା ସହର , ସହରର ଲୋକ ସଭିଙ୍କୁ ମୁଁ ପ୍ରବଳ ଭଲ ପାଇପାରୁଥିଲି ତୋ ଯୋଗୁଁ କେବଳ । ମୋର ଏହି ଅଧିକାରପ୍ରବଣତାକୁ ପ୍ରେମ ବୋଲି ତୁ ଏବଂ ପିଲାଏ ବୁଝୁଥିଲେ , ବୁଝୁଥିଲେ ବି ସାରାଟା ସହରର ଲୋକେ । ମାନି ଯାଉଥିଲେ ପିଲେ । ପସନ୍ଦ କରୁଥିଲେ ସହରର ଲୋକେ । ଭୟ କରୁଥିଲେ , ସମ୍ମାନ ବି । ବିଶ୍ୱାସ କରୁଥିଲେ , ପ୍ରଶଂସା ବି । ତୀବ୍ର ପ୍ରେମକୁ କୁଆଡେ ସହି ପାରନ୍ତିନି ଈଶ୍ୱର ବୋଲି କେଉଁଠି ଠାଏ ଶୁଣିଥିଲି । ତୋତେ ନେଇ ପରିବାରଟେ ଯେଉଁ ଗଢିଥିଲି ତହିଁରେ ହୁଏତ ଈଶ୍ୱର ସିଞ୍ଚିଲେ ଅବିଶ୍ୱାସ , ଅବଜ୍ଞା , ସ୍ୱାର୍ଥପରତା ଓ ଅସହିଷ୍ଣୁତା । ବୋଧହୁଏ ସେସବୁ ମୁଁ ବୁଝି ସେହି ଅନୁଯାୟୀ ଦୃଢ଼ ହୁଏ ବୋଲି ଠାକୁର ଚାହୁଁଥିଲେ । ମୁଁ ଅବୁଝା ହେଲି , ଅଧୈର୍ଯ୍ୟ ହେଲି । ଦୁଃଖମାନ ବେଶି ଛଟପଟ କଲେ ମୋତେ । ଧରି ହେଲାନି ତୋର ହାତକୁ ଆଉ ଦୃଢ଼ କରି । ମୋ ଆଗରେ ଏକୋଇଶ ବର୍ଷର ସ୍ବପ୍ନ ଓ ସଂକଳ୍ପ ଧୂଆଁ ଭଳି ମାଟିମୁହାଁ ହେଉଥିଲା । ସେହି ସବୁ ଦିନମାନଙ୍କରେ ମୁଁ କେତେ ବିବ୍ରତ ହୋଇଛି , କେତେ ଯନ୍ତ୍ରଣାରେ ସଢ଼ିଛି , ମୋର ଆହତକ୍ଷମ ମନ କେତେ ଗୁମୁରିଛି ତୋତେ ହିଁ ତ କହୂଥିଲି ।

ତୋତେ ଛାଡିବାର ନିଷ୍ପତ୍ତି ନେବା ଦିନ ତୋ ଛାତିରେ ମୁଁ ଯେଉଁଠି ଗାଢ଼ ନୀଳ ରଙ୍ଗରେ ଲେଖିଥିଲି “ବି ୟୋର ଓନ୍ “ଏବଂ ଯାହା ଉପରେ ବୁଦ୍ଧଙ୍କ କରୁଣାଦୀପ୍ତ ମୁହଁ ଆଙ୍କିଥିଲି ସେଇଠି ହାତ ରଖିଥିଲି । ତୋର ସ୍ପନ୍ଦନ ମାପିବା ଭିତରେ ବୁଝିନେଲି ତୁ ଚାହୁଁଚୁ ମୋତେ ଅପମାନିତ ହେବା ତୁ ବି ବରଦାସ୍ତ କରିପାରୁନୁ । ଲାଗିଲା ତୁ ସେହି ଟାଇଟାନିକ ସିନେମାର ଆର୍ଟିଷ୍ଟ ହିରୋ ଯିଏ ହିମ ଶୀତଳ ଜଳରେ ପଟା ଖଣ୍ଡକରେ ଶୁଆଇ ଦେଇଛି ମୋ ଜୀବନ ଏବଂ ନିଜ ମୁତାବକ ଜୀବନ ଜୀଇଁବା ପାଇଁ ରାସ୍ତାଟେ ବଢ଼େଇ ଦେଉଛି । ଯିଏ କହୁଛି , “ଯା , ନିଜକୁ ପ୍ରମାଣିତ କରି ନିଜ ମୁତାବକ ଜୀଇଁ ମୋତେ ତହିଁରେ ଜୀବନ୍ୟାସ ଦେ ।” ମାନିବାକୁ ଇଚ୍ଛା ହେଲା ତୋତେ ଏବଂ ମାନିଗଲି । ତୋତେ ମାନିଥିଲି ବୋଲି ବିଶ୍ୱାସ କର ତୋତେ ମୁଁ କେବେ ବି ଝୁରି ହୋଇନି । ତୋତେ ଛାଡ଼ି ଆସିଲି ବୋଲି ଅନୁତାପ କରିନି କି ଦୋଷୀପଣରେ ରହିନି । ବରଂ ସମସ୍ତଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରି ଅଧିକ କାର୍ଯ୍ୟକ୍ଷମ ହୋଇଛି । ନିଜକୁ ଅଧିକ ବିସ୍ତାରିତ କରିଛି ବିଭିନ୍ନ କ୍ଷେତ୍ରରେ । ଅନେକଙ୍କୁ ଭଲପାଇଛି । ତୋତେ ସେହି ଭଲପାଇବାରେ ଖୋଜିଛି ଆଉ ପାଇଛି । ତୋ ସତ୍ତା ଅଛି ମୋ ସହ ଆଉ ମୁଁ ଭଲପାଇବାର ଚିର ବର୍ତ୍ତମାନରେ ଅଛି । ତୋତେ ନେଇ ମୁଁ କେବେଠୁ ପ୍ରଜାପତି ହୋଇଯାଇଛି ଏବଂ ଉଡାଣ ପ୍ରକ୍ରିୟାରେ ଅଛି ..। ମୁଁ ତୋ ଭଲପାଇବାରେ ଅଛି , କିଛି ନୂଆ କରି ଗଢ଼ିବା ନିଶାରେ ଅଛି ।

ତୋର “ମୁଁ “