Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ

ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । ‘ଶେଷ’ ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ ଯେମିତି ଅନେକ ଆରମ୍ଭର ସମ୍ଭାବନା ପାଖୁଡା ହୋଇ ମେଲିଯାଉଥିବ ସକାଳ ସୂର୍ଯ୍ୟକୁ ମୁହାଁଇ ଥିବା ଫୁଲ ଭଳି । କିନ୍ତୁ ଶେଷ କେତେ ଜବରଦସ୍ତ ହେଉଛି ଦେଖ ଯାହା କୌଣସି ପରିପ୍ରେକ୍ଷୀରେ ମୁଁ ଚାହୁଁ ଇ ନଥିଲି ।

ବିଶ୍ୱାସ କର ଯେବେ ବି ବସିଯାଏ ଚିଠି ଲେଖିବାକୁ ପ୍ରତି ପ୍ରଣୟିନୀ ଭଳି ସମୁଦ୍ରକୁ କାଳି କରି ଲେଖିଯିବାକୁ ଚାହିଁଛି ଆକାଶ ରୂପକ ଫର୍ଦ୍ଦରେ । ଭାବିଛି , ଯେତିକି ଗୁଞ୍ଜନ ଏହି ପୃଥିବୀରେ , ଯେତିକି ସାଙ୍ଗୀତିକତା ବାତାବରଣରେ , ଯେତିକି ଦରୋଟିର ମାଧୁର୍ଯ୍ୟ ନିଃସନ୍ତାନ ପରିବାରରେ , ଯେତିକି ବିଭୋରତା ସମସ୍ତଙ୍କ ପ୍ରାଣରେ .. ସେସବୁକୁ ଶବ୍ଦ କରି ବଖାଣି ପକାନ୍ତି ମୋ ଅନୁରାଗ ଓ ଲୋଡିବାପଣକୁ ତୁମ ଉଦ୍ଦେଶ୍ୟରେ । ଅଥଚ ତୁମେ ତୁମ ଭଳି ସଦା ଅପହଞ୍ଚ ମୋ’ ସାଧାରଣତ୍ୱକୁ ଏଡେଇଯିବାର ଅସାଧାରଣ ସିଦ୍ଧାନ୍ତରେ ।
ଦେଖ କି ନଦେଖ , ଖୋଜ ବା ନଖୋଜ ଆଜିଠୁଁ ଅଟକେଇ ଦେଉଛି ସେହି ପ୍ରାଣମୟ ଆବେଗ ଯିଏ ଜ୍ୟୋସ୍ନାର ଦୋଳିକୁ ପାଥେୟ କରି ଯିବାକୁ ଚାହୁଁଥିଲା ଜହ୍ନରାଇଜକୁ । ଭେଟିବାକୁ ଚାହୁଁଥିଲା ତାର ଇପ୍ସିତଙ୍କୁ ଯିଏ ଜହ୍ନମୟ ଘୋଡାରେ ସୱାର ହୋଇ ଅଚାନକ ଉଠେଇ ନେଇପାରୁଥିବେ ମୋତେ ସକଳ ବିଷାଦରୁ ମୁକ୍ତି ଦେଇ । ଗତ ଚିଠିରେ କହିଥିଲି ନା ବହୁତ କିଛି ମୋ’ ମୁତାବକ ହୁଏନି ଅଥବା ସେହି ସବୁର ପ୍ରାପ୍ତି ପାଇଁ ମୋର ଯୋଗ୍ୟତା ଇ ନାହିଁ ।

ଅନ୍ୟ ସବୁ ସାଧାରଣ ନାରୀ ଭଳି ଆଖପାଖରୁ ଅର୍ଜୁଥିବା ଲୁହମାନଙ୍କୁ ଏକ କୋମଳ ଉଚ୍ଛ୍ୱାସରେ ବୁହାଇ ଦେବାକୁ ଚାହିଁଥିଲି ତୁମ ସାମ୍ନାରେ ଯେ ଲୁହ ଏକ ଜୈବିକ ପ୍ରକ୍ରିୟା ଯାହାର ନିଃସରଣରେ ଆଖି ଏବଂ ଅନ୍ତଃକରଣର ଭାବନା ପରିଚ୍ଛନ୍ନ ହୁଏ ବୋଲି ତୁମେ ଜଣେଇ ଦେଲ ତୁମ ପ୍ରତିକ୍ରିୟାରେ । କେମିତି କହିବି ମୋ’ ଭିତରେ ସେହି ନିପାରିଲାପଣର ନ୍ୟୁନବୋଧ ଯାହା କଳାକାରଟିଏ ଭୋଗୁଥାଏ ତାର କଳ୍ପନାର ରୂପକୁ ଜୀବନ୍ୟାସ ଦେଲାବେଳେ । ତୁମେ ଆଦୌ ପ୍ରସ୍ତୁତ ନୁହେଁ ସତ୍ତାର ସେହି ସୂକ୍ଷ୍ମ ରୂପକୁ ତ୍ୟାଗ କରି ମଣିଷର ରୂପ ପରିଗ୍ରହ ସକାଶେ ଯେଉଁଠି ମୁଁ ବିଦୀର୍ଣ୍ଣ କରୁଛି ମୋ ବାସ୍ତବ ଦୁନିଆଁକୁ କଳ୍ପନାର ରଙ୍ଗ ଚଢ଼େଇବାର ପ୍ରଚେଷ୍ଟାରେ ।

ମୁଁ ଯେତେଯେତେ ଭିଜୁଛି ଲୁହରେ ତୁମକୁ ଝୁରିହୋଇ, ତୁମକୁ ସେତିକି ଦିଶୁଛି ଲୁହ ବିନ୍ଦୁ ସବୁ ମାଘଫାଲ୍ଗୁନର କାକର ଟୋପାର କୋମଳତା ହୋଇ । ଯେତିକି ଖୋଲୁଛି ମୋ ଅଭିମାନର ପେଡ଼ି ତୁମକୁ ଦେଖେଇ ଆଶ୍ୱସ୍ତ ହେବି ବୋଲି ତୁମେ ସେହି ଅନୁଯାୟୀ ଦୃଢ଼ତା ଦେଖେଇଛ ମୋର ଅଭିମାନକୁ ଅଭିଯୋଗର ରୂପ ଦେଇ। ଯେତିକି ଯେତିକି ଟାଣି ହୋଇଛି ତୁମ ଆଡେ , ଦୃଷ୍ଟିରେ କରୁଣା ରଖି ସେତିକି ସେତିକି ଘୁଞ୍ଚି ଯାଇଛ ତୁମେ ଏକ ରହସ୍ୟମୟ ବ୍ୟବଧାନକୁ ବ୍ୟବହାର କରି । କାହିଁକି , କାହିଁକି ବୋଲି ରାତିଅଧିଆ କୁକୁର ଭଳି ଚିତ୍କାର କରୁଥାଏ ମୁଁ ମୋ ଚାରିପଟର ନିସ୍ତବ୍ଧତାକୁ କ୍ଷତବିକ୍ଷତ କରି କେହି ନଥିଲାବେଳେ ।

ତୁମେ ଥିବା ଘରର କବାଟ ଖୋଲେନି । ଖୋଲିଯିବାର ଉପକ୍ରମକୁ କଳ୍ପନାର ଆଖିରେ ଦେଖି ଦେଖି କେବେ ବି ଖୋଲିନଥିବା କବାଟ ଆଡକୁ ମୋର ଆଉ ଦୃଷ୍ଟି ଯାଇନି । ମୋ’ ଆଖି ପାଉନଥିବା ଦୁନିଆଁରେ ତୁମେ ନିଜ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାରେ ବିଫଳ ଭାବୁଛି ତ ମୋ ସ୍ଥିତିକୁ ନେଇ ମୁଁ ଭୁଶୁଡୁଛି । ଯେଉଁଠି ଏକାଧିକବାର ଭାଙ୍ଗିବାର ଧ୍ୱନି ମୋତେ ବିଳାପ ହୋଇ ଆକ୍ରମଣ କରୁଛି ସେଇଠି କେଉଁ ଦମ୍ଭରେ ବାରମ୍ବାର ଗଢିବାର ଚେଷ୍ଟା ଜାରି ରଖିବି ? ପଚାରିବି ତ କାହାକୁ ? ତୁମ ସହ ଈଶ୍ବରଙ୍କ ପ୍ରତି ବି ମୋର ପ୍ରଚଣ୍ଡ ଅଭିମାନ । ମୁଁ ପାରେନି ଜାଣି ବି ପ୍ରାୟତଃ ଠିଆ କରେଇ ଦେଇଥାନ୍ତି ସେଇଠି ଯେଉଁଠି ଅସହାୟତା ବ୍ୟତିରେକ ଅନ୍ୟ କିଛି ଅନୁଭବ ନାହିଁ ।

ଜାଣିସାରିଛି ତୁମକୁ ଆକର୍ଷିତ କରିବାର ଦୈବୀଶକ୍ତି ମୋ ସହ ନାହିଁ । ବହୁତ କିଛି ନାହିଁ ସହ ମୁଁ ପିଲାଦିନୁଁ ଯେହେତୁ ଅଭ୍ୟସ୍ତ ତେଣୁ ପ୍ରତ୍ୟୟର ‘ହଁ’ ମାନଙ୍କୁ ଏକତ୍ରିତ କରିପାରୁନି ତୁମକୁ ବାସ୍ତବରେ ଚିତ୍ରାୟିତ କରି । ତୁମକୁ ମୋ’ ମୁତାବକ ପାଇବା ପାଇଁ ଯେଉଁ ଅସଫଳ ଚେଷ୍ଟା ମୁଁ ଅହର୍ନିଶି କରିଛି ତହିଁରେ ମୋର ସ୍ୱାର୍ଥପରତା ଓ ହୀନମନ୍ୟତା ମୋତେ ଫୁଟି ହିଁ ଦିଶୁଛି ।

ଜୀବନର ଶେଷ ଯାଏଁ ତୁମର ଅପହଞ୍ଚ ରହିବାର ଦୁଃଖ ଛାତିର କେଉଁ ଅନ୍ଧାରିକୋଣରେ ଲଟକି ରହି ପ୍ରତିଟି ଦୀର୍ଘନିଃଶ୍ଵାସରେ ତାର ସ୍ଥିତି ଜାହିର କରୁଥିବ । ଅଭିମାନ ନିରବତାର ରୂପ ନେଲାବେଳେ ଆହୁରି ତୀବ୍ର ହୁଏ ତାର ଆବେଦନ ମୁଁ ଜାଣେ କିନ୍ତୁ ତୁମକୁ ତୁମଠାରୁ ମାଗିବାର ପ୍ରକ୍ରିୟାକୁ ଶେଷ କରିବା ପାଇଁ ମୋ ପାଖରେ ଆଉ ଅନ୍ୟ ରାସ୍ତା କିଛି ନାହିଁ ।

ତୁମେ ତୁମ ଭଳି ଥାଅ । ଅନ୍ତତଃ ମୋ ଭଳି ଅତି ସାଧାରଣ ମଣିଷ ପାଇଁ ନିଜକୁ ନବଦଳେଇ ତୁମେ ତୁମର ସୂର୍ଯ୍ୟ ସମ ସ୍ଥିତି ଜାହିର କରୁଥାଅ । ମୋ’ ଭଳି ଅନେକଙ୍କ ଭ୍ରମକୁ ବିଳମ୍ବରେ ହେଉ ପଛେ ସିଦ୍ଧାନ୍ତରେ ଠିଆ କରେଇବାର ସାମର୍ଥ୍ୟରେ ସମର୍ଥ ହୋଇ ଥାଅ । ଦୁଃଖମାନଙ୍କୁ ନିଜ ଗ୍ରହଣଶୀଳତାରେ ସୁଖର ଫୁଲ କରି ଫୁଟେଇ ପାରୁଥିବା ହେ ମୋର ଅନ୍ତରତମ ମୁଁ ମୋ ଅର୍ଜିତ ଦୁଃଖଙ୍କୁ ପୁଟୁଳି କରି ଫେରିଯାଉଛି ସେହି ଉପତ୍ୟକାକୁ ଯେଉଁଠି ଆଲୋକର ଅନୁପ୍ରବେଶ ନଥାଏ ଆଉ ମୁଁ ମୋ ଭିତରରୁ ଆହୁରି ଭିତରକୁ କ୍ରମଶଃ ଗତି କରୁଥାଏ ।

ସବୁଦିନ ପାଇଁ ତୁମର ହିଁ “ମୁଁ” କିନ୍ତୁ…. ବିନା ଅପେକ୍ଷାରେ ।

Leave A Reply

Your email address will not be published.