ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର 

ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ ” ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି …।” ଗାଁ’ ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି ଶୁଭିବନି ଆପଣଙ୍କ ବିଚଳିତ ସ୍ୱର ଅଦୂରରୁ ଭାସି ଆସୁଥିବା ସଂକୀର୍ତ୍ତନର ଭ୍ରମାତ୍ମକ ଗାୟନବାଦନରେ । ଗୁଞ୍ଜରିତ ହେବନି ତତ୍ପରତାର ସ୍ୱର ଘରକୁ ଆସିଥିବା ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା ହେଉଥିଲାବେଳେ । ଫଟେଇ ଦେବନି ଆଉ ନିରବତାର ଭାଷା ଯାହା ଆପଣ ଆଦରି ନିଅନ୍ତି ଅଭିମାନରେ ନିଜକୁ ସବୁଥିରୁ ପ୍ରତ୍ୟାହାର କରି ଆମକୁ ଶାସ୍ତି ଦେଲାବେଳେ । ସେହି ନିରବତା ଯାହା ଆପଣଙ୍କ ଅଖଣ୍ଡ ଅସ୍ତିତ୍ୱ ହୋଇ ଆମ ପାଇଁ ଭୟ ଆଣେ (ଆପଣଙ୍କୁ ହରେଇ ଦେବାର ଭୟ) ତାହା ନିସ୍ତବ୍ଧତାର ରୂପ ନେଇଛି ଆପଣ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲାପରେ ।

ମୁଁ ଆପଣଙ୍କୁ କାହିଁକି ମନ ଭିତରକୁ ଆଣିବି ନନା ଯଦି ମୋର ହାତ , ଗୋଡ଼ କି ପାରିଲାପଣ ଆପଣଙ୍କ ଯାଏଁ ପହଞ୍ଚି ପାରିବନି ଆଉ ? ଦୁଃଖ କଣ କମ୍ ଦେଇଛନ୍ତି ଈଶ୍ୱର ଯେ ଆପଣଙ୍କ ନଥିବାପଣର ଶୂନ୍ୟସ୍ଥାନକୁ ବୋହି ମୁଁ ଘାରି ଘୋରି ହେଉଥିବି ? ଆପଣ ଥିଲେ , ଖୋଜୁଥିଲେ , ଚାହୁଁଥିଲେ ..କେବେ ବଖାଣରେ ତ କେବେ ବ୍ୟବହାରରେ ଆଉ କେବେ କେବଳ ନିରବତାରେ ଜଣେଇ ପାରୁଥିଲେ ତ ମୁଁ ସକ୍ରିୟ ହୋଇପାରୁଥିଲି , ହେବାକୁ ସାମର୍ଥ୍ୟ ଯୋଗାଡୁଥିଲି । ପାରୁନଥିଲି ସେ ପଛକଥା । ନିଜ ମୁତାବକ ଜୀବନ ଜୀଇଁବାର ଲୋଭ ଏତେ ବାହାନା ଯୋଗାଡି ଦେଉଥିଲେ ଯେ ଏକାଗ୍ର ହୋଇ ଠିଆ ହୋଇ ହେଉନଥିଲା ଆପଣଙ୍କ ଏକୁଟିଆପଣ ପାଖରେ । ମୁଁ କେଵଳ ସାଇତିବାକୁ ଚାହିଁଛି ସେହିସବୁ ସ୍ମୃତିକୁ ଯେତେବେଳେ ଆପଣ ଭୁଲି ସାରିଥିଲେ ମୋତେ ।

ମସ୍ତିଷ୍କକୁ ସଠିକ ଅମ୍ଳଜାନ ପ୍ରବାହିତ ହୋଇ ପାରୁନଥିଲା ବୋଲି ଭୁଲି ଯାଉଥିଲେ ଅନେକ କିଛି ଏକ ସମୟରେ । ବୋହୂ ହୋଇ ଆପଣଙ୍କ ପରିବାରରେ କୋଡ଼ିଏ ବର୍ଷ କାଟିଥିଲେ ହେଁ ‘ମାନୁ’କୁ ମନେ ରଖିପାରିଲେ ଅଥଚ ସେହି ମଣିଷଟି ଯେ ‘ମୁଁ ‘ଆପଣ ଭୁଲିଯାଇଥିଲେ । ପବିତ୍ର ବଡ଼ପୁଅ ଏବଂ ଭାଇ ଭଉଣୀଙ୍କୁ ମଣିଷ କରିବାକୁ ପୁରୀରେ ଅଛି , ନିଜକୁ ଲେଖାପଢ଼ାରେ ବୁଡ଼େଇ ରଖି ବାହା ନହେବାକୁ ନିଷ୍ପତ୍ତି ନେଇଚି ବୋଲି ଆପଣ ମୋତେ ସୂଚେଇ ଦେଉଥିଲେ ଯେତେବେଳେ ମୋତେ ଚିହ୍ନେଇବାକୁ ‘ପଵିତ୍ରଙ୍କ ସ୍ତ୍ରୀ କିଏ ‘ ବୋଲି ମୁଁ ପଚାରି ହେଉଥିଲି । ‘ମୁଁ ପବିତ୍ରଙ୍କୁ ଚାହେଁ’ , ‘ଆପଣଙ୍କର ବୋହୂ ହେବାକୁ ଚାହେଁ ‘କହିଲାବେଳେ ଆପଣ ଏମିତି ହସଟେ ହସି ଦେଉଥିଲେ ଯେମିତି ଅସମ୍ଭବ ଇଚ୍ଛା କିଛି ପୋଷଣ କରି ମୁଁ ମୋର ମୂର୍ଖାମୀ ଦେଖାଉଛି । ଆପଣ ଭୁଲି ଯାଉଛନ୍ତି ସବୁ ଜାଣି ସୁରେଶ ଭାଇନା ଯେତେବେଳେ ଆପଣଙ୍କ ସହ ଫୋନରେ କଥା ହୋଇ ମଜ୍ଜାରେ କହିଲେ ,”କାହିଁକି ତେବେ ଭଉଣୀଟା ଆମର ଗାଁରେ ପଡ଼ିରହିଥିବ ବିନା ପରିଚୟରେ ତେଣୁ ବାପ ଘରକୁ ପଠେଇଦେବା ଉଚିତ” ତ ଆପଣ ସତସତିକା ବ୍ୟସ୍ତ ହୋଇ ପଡ଼ିଲେ ।

ଜୁନ ଦଶରେ ବାହାଘର ତିଥି ଅଛି ବୋଲି ସୁରେଶ ଭାଇନାଙ୍କଠାରୁ ଶୁଣିବା ପରେ ପୁରୋହିତ, ମାମୁଁ , କାକା , ଦୁଇ ଗାଁର ମୁରବୀମାନଙ୍କୁ ଡାକି ଭଲରେ ବାହାଘରଟା ପବିତ୍ରକୁ ବୁଝେଇ ଶୁଝେଇ କରେଇ ଦିଅ ବୋଲି ଆପଣ ତେଣିକି ଅଡ଼ି ବସିଲେ ଘରେ । ଏତେ କଷ୍ଟରେ ବି ବୋଉ ହସି ପକାଉଥିଲେ ଆମ କଳ୍ପିତ ବାହାଘରକୁ ନେଇ ଆପଣଙ୍କ ଅଦଉତିରେ । ବାରମ୍ବାର ଚେତନା ହରେଇବା , ସାଲାଇନ ନେବା ଭିତରେ ବି ଆପଣ ଖୋଜୁଥିଲେ କୁଣିଆ ମଇତ୍ରଙ୍କ ଗହଳି । ରସଗୋଲା ଛଣା ହେଲାଣି କି ନାଁ , ଲୁଗାପଟା ଆସିଲାଣି କି ନାଁ , କେତେଲୋକ ଆସିବେ ଦୁଇ ଘରର ପୁରୋହିତଙ୍କ ମତ ମିଳନ ହେଉଛି କି ନା ସବୁ ..ସବୁ…। ପୂରବୀ ଆପଣଙ୍କର ଏହି ଭୁଲିଯିବା କଥା ଶୁଣି କହିଲା ଆପଣ କୁଆଡେ ମନରେ ମୋତେ ଗ୍ରହଣ ହିଁ କରିନଥିଲେ । ଆପଣଙ୍କ ଦୃଢ଼ ନିଷ୍ପତ୍ତିରେ ହିଁ ଏହି ଘରକୁ ମୁଁ ବୋହୂ ହୋଇ ଆସିପାରିଥିଲି ବୋଲି ଜୋରର ଦେଇ କହି ପାରିଲିନି ସେହି ଛୋଟ ଭଉଣୀଟିକୁ । ସେ କହିବା କଥା କହିଦେଲା । ମୋର ଉଦାସ ହେବାର ଥିଲା ମୁଁ ହେଲି । ମୃତ୍ୟୁ ସହ ଲଢେ଼ଇ କରୁଥିଲାବେଳେ , ଯନ୍ତ୍ରଣାରେ ଅଣନିଃଶ୍ୱାସୀ ହୋଇ ଯାଉଥିଲାବେଳେ ଅର୍ଦ୍ଧଚେତନ ,ଅବଚେତନ ଅବସ୍ଥାରେ ମୋତେ ଘରେ ସବୁବେଳେ ଦେଖିବାକୁ ଛୁଆଟେ ଭଳି ଉଦଗ୍ରୀବ ହେବା ସବୁ କେଉଁ ଚେତନାର କଥା କହେ ନନା ?

ମୁଁ ଏବେ କିଛି ବୁଝିବାକୁ ଚାହେଁଇ ନାହିଁ କାରଣ ମୃତ୍ୟୁ ପରର ତଥାକଥିତ ଶୋକ ଆଡ଼ମ୍ବରରେ ମୁଁ ବିଶ୍ୱାସ କରିପାରେନି। ଲୋଡୁଥିବା ସମୟରେ ଉପସ୍ଥିତି ହୋଇ , ଯତ୍ନ ହୋଇ , ତୃପ୍ତି ହୋଇ , ଭରସା ହୋଇ କି ମନୋବଳ ହୋଇ ଠିଆ ହୋଇ ହେଲାନି ଯଦି ମୃତ୍ୟୁ ପରେ ଏହି ଲୁହବୁହାର ଆୟୋଜନ କାହିଁକି ହୁଏ ତାର ସନ୍ତୋଷଜନକ ଉତ୍ତର ଖୋଜି ପାଇଲିନି ମୁଁ ନିଜ ପାଇଁ ଆଜିଯାଏଁ । ବରଂ ଲୁହ ଆସିଲେ ମୁଁ ବୁଝି ପାରେ ତାର ମିଛପ୍ରକାଶକୁ ତ ଆତ୍ମଦୟାରେ ସନ୍ତୁଳିଯାଏ । ବୋଧହୁଏ ସେହି କାରଣରୁ ଆପଣଙ୍କ ଅବର୍ତ୍ତମାନର ଅନୁଭବକୁ ମୁଁ ମୋର ପାଖ ମଡ଼େଇ ଦେଉନି । ମୋର ସୁଖଲୋଭୀ , ସୁବିଧାବାଦୀ ପ୍ରାଣ ସହିପାରୁନି ଆପଣଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱକୁ । ଆପଣ ଜଣେ ଭଲ ବନ୍ଧୁ ଥିଲେ ମୋର , ଅହଂକାର ବି । ମୁରବୀପଣର ଅସହାୟତାରେ ଚିପୁଡ଼ି ହୋଇଯାଉଥିବା ଆପଣଙ୍କର କଳାକାର ଆତ୍ମାଟିକୁ ମୁଁ ପ୍ରତକ୍ଷ୍ୟ କରୁଥିଲି ସବୁବେଳେ ଏବଂ ନିଜେ ସାଙ୍କୁଡ଼ି ଯାଉଥିଲି ଗୋଟେ ଆତଙ୍କିତ ଅପାରଗତାରେ । ସବୁ ନଥିବା ଭିତରେ ଥିବାଟିକୁ ଖୋଜି ଜୀବନଟେ ଜୀଉଁଥିବା ଜଣେ ପୁଣ୍ୟପ୍ରାଣ, ପରିବାରର ସାଙ୍ଗଠନିକ ବ୍ୟବସ୍ଥା ଉପରେ ଆସ୍ଥା ରଖି ନିଜକୁ ହସି ହସି ବାଣ୍ଟି ଦେଉଥିବା ମୁରବୀ , ଅଭିମାନରେ ଗୋଷ୍ଠୀ ପ୍ରତି ଥିବା ପ୍ରଚଣ୍ଡ ଭଲପାଇବାର ମୋହକୁ ପଛ କରି ନୀରବି ଯାଇଥିବା ମୁଖିଆ , କଥା କହିବାର ଦକ୍ଷତା ଏଣିକି ରହିବନି ବୋଲି ଡାକ୍ତର ଶୁଣେଇ ଦେଲା ପରେ ବି ଗୁଣୁଗୁଣାଉ ଥିବା ସଂକୀର୍ତ୍ତନ ସୁରରେ ତାଳ ଲୟ କଟଉନଥିବା ସଙ୍ଗୀତ ସାଧକ ମୋ ପାଖରେ ଖୋଜିଲାବେଳେ ନାହାଁନ୍ତି ଭାବିଲେ ବିକଳ ଲାଗୁଛି ନନା । ଏହି ନାହାନ୍ତି ହିଁ ଆପଣ ଅଛନ୍ତି ହେଉ ନନା । ସ୍ମୃତି ଜନିତ ପୀଡା ନୁହେଁ ତାର ଉପଲବ୍ଧି ମୋତେ ବୟସ୍କ ଏବଂ ପରିପକ୍ୱ କରୁ ।

ଆପଣଙ୍କର ମାନୁ