Latest Odisha News

BREAKING NEWS

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ “ଶ୍ରଦ୍ଧାଞ୍ଜଳି “

କୁଆଡ଼େ ଯାଇଛ ଫେରିଆସ ଥରେ
ଆହେ ଗଙ୍ଗାଧର ତୁମେ ,
ତୁମକୁ ହରାଇ ଶୋକାକୁଳ ଆଜି
ଲୋକେ ଉତ୍କଳ ଭୂମେ ।

ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ
ପ୍ରତି ଓଡ଼ିଆର ମନେ,
ମାତୃଭୂମି ଝୁରେ ତୁମ ଉପସ୍ଥିତି
ଲୋତକ ଭରି ନୟନେ ।

ତୁମ ସ୍ମୃତିଦୀପ ଜଳାଇ ମନରେ
ଖୋଲି ଇତିହାସ ପୃଷ୍ଠା,
ତୁମ ଜୀବନର ଘାତ ପ୍ରତିଘାତ
ସାହିତ୍ୟ ସୃଜନ ନିଷ୍ଠା।

କୌଳିକ ବେଉସା ତାଳେ ତାଳେ ପୁଣି
ହାତରେ ଧରି ଲେଖନୀ,
ଲେଖିଗଲ କେତେ ମହାକାବ୍ୟ ସବୁ
ଅର୍ଘ୍ୟଥାଳି, ତପସ୍ୱିନୀ।

ପ୍ରଣୟ ବଲ୍ଳରୀ, ଇନ୍ଦୁମତୀ ପୁଣି
ପଦ୍ମିନୀ , ଅହଲ୍ୟାସ୍ତବ,
ଉତ୍କଳ ଲକ୍ଷ୍ମୀ ଓ ଭାରତୀ ଭାବନା
ପୁଣି ଯେ କୀଚକ ବଧ।

ଭକ୍ତି ସ୍ୱରୂପର ଯେଉଁ ମହାକାବ୍ୟ
ସୃଷ୍ଟି କରିଥିଲ ତୁମେ,
ନିତି ନବ ରୂପ ସଞ୍ଚାରଣ କରି
ଭକ୍ତିଭାବ ଭରେ ମନେ ।

ସ୍ମୃତିର ପରଶେ ଆଶା ନେଇ ପୁଣି
ସୃଷ୍ଟି କରି ନୂଆ ଗୀତି ,
ଅମୃତ ସନ୍ତାନ ଏଇ ଭାବ ନେଇ
ଗର୍ବରେ ଫୁଲେଇ ଛାତି ।

ମାତୃଭାଷା କ୍ଷେତ୍ର କରି ବିକଶିତ
ଓଡ଼ିଆ ସନ୍ତାନ ଆମେ ,
ମଧୁମୟ କରି ଏ ଧରା ପୃଷ୍ଠକୁ
ଗାଇଯିବୁ ଏକ ତାନେ ।

ଈଶ୍ୱରଙ୍କଠାରେ ଆମେସବୁ ଆଜି
ଏତିକି ପ୍ରାର୍ଥନା କରୁ,
ତୁମରି ସ୍ମୃତିର ସୁବାସିତ ଫୁଲ
ନିତି ଆମ ମନେ ଝରୁ ।

ଭାବନା ଭିତରେ ହଜିଯାଇ ଆମେ
ତୁମକୁ ଦେଖିବୁ ନିତି ,
ତୁମ ରଚନାକୁ ପାଥେୟ କରିଣ
ପାଇବୁ ସ୍ଵର୍ଗୀୟ ଶାନ୍ତି।

Leave A Reply

Your email address will not be published.