ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୩
ମୋବାଇଲ ଭାଇବ୍ରେସନରେ ନିଦ ଭାଙ୍ଗିଲା। ବଢିଆ ନିଦଟେ ହେଇଥିଲା। ଭଲ ଲାଗୁଥିଲା ଅମୃତାକୁ। ଦେଖିନେଲା ସବୁ ଠିକ୍ ଅଛି।ଆଣ୍ଟି ଭଲରେ ଶୋଇଚନ୍ତି।
ସ୍ମରଣଶକ୍ତି ପ୍ରଖର। ସବୁ ମନେପଡେ ଗୋଟିଗୋଟି କରି । କେତେ ବା ବୟସ, କେତେ ବା ଅନୁଭୂତି ଜଳଜଳ ଦିଶେ ସବୁ।ସମୟ ଆଗକୁ ଯାଏନି , ସତେକି ସେତେବେଳେ।
ଖରାଦିନେ ବିଲକୂଅର ପାଣି ଶୁଖେନି। କପିକଳ ନଥାଏ। ତଳୁ ଉହୁଁକି ଆଣିବାକୁ ପଡେ ବାଲ୍ଟିରେ। ଭାରି ମିଠା , ଥଣ୍ଡା ପାଣି। ଖଣ୍ଡେ ବାଟ ମାଆ ଯାଏ , କମଳା ମାଉସୀ ସହ।ଦୁହେଁ ଆଣନ୍ତି ଗରାରେ । ରୁକ କି ନୟନା ଦିନେ ଦିନେ ସାହାଯ୍ୟ କରନ୍ତି। ଆଉ ସେ ଗୋବିନ୍ଦ ଭାରେ ପାଣି ଆଣିଲେ ବେଲାଏ ପଖାଳ ଖାଇବ। କେତେ ଦବ ମ ତା’କୁ। ତାକତ କମିଯିବ କହି ଖାଇବ ନିଶ୍ଚୟ। ତେଣିକି ପଇସା ଦେଲେ ଦିଅ କି ନଦିଅ। ହସି ହସି ଖାଇବ ,କାମ କରିବ, ଲାଗେ ସେ ଖାଲି ଆନନ୍ଦର ଅବତାର।
ତୋଟାମାଳ, ଘାସ ପଡିଆ , ବାଲିଛତୁ, ନୂଆ ପୋଖରୀ ବାରମ୍ବାର ଭାସିଆସେ ।ହକଲେ , ମଙ୍ଗଳି କଞ୍ଚା ଶାଳପତ୍ରରେ ପୁଳାଏ ଛତୁ ଆଣିଦିଅନ୍ତି। ତାଙ୍କ ସହ ଅଭିଯାନ ହୁଏ ଛତୁ ଉତ୍ପତ୍ତି ସ୍ଥାନକୁ। ମାଟି ଫଟେଇ କେତେକତେ ଛତା ମ, ଏକାସହିତ ଅପେକ୍ଷା। ବର୍ଷା ଯେତେ ଛତୁ ସେତେ। ପାଳଗଦାରେ ଫୁଟେ କେତେ। ବଣ ବୁଦାରେ ଆଉ କେତେ ପ୍ରକାରର। ରଙ୍ଗ ବେରଙ୍ଗର ବି ଥାଏ। ସବୁ କ’ଣ ଖାଆନ୍ତି କି, ନାମ ବିଷ ଛତୁ ବି ଥାଏ।
ଛତୁପତ୍ରପୋଡା ଦେଇ ପଖାଳଖିଆ। ଥଲଥଲିଆ ଦଦୟାପତ୍ରକୁ ଥାଳିରେ ରଖି କଟାପାଳୁଅ ଭଳି ଖିଆ, ପାଳଧୁଆ କୋଳି, ବଇଁଚକୋଳି,ଆଙ୍କ କୋଳି ସହ ମିତ ବସି ଯେତେ ଗାଳି ଶୁଣିଲେବି ଲୁଣ ମଡେଇ ଖାଇବା ବେଳରେ ଭାଗ କମି ଯିବା ଭୟ, କବାଟ କୋଣ କି କୁଟାପୁଞ୍ଜି ପଛରେ ଲୁଚିବା ଅନିବାର୍ଯ୍ୟ ସେ ସମୟରେ ।
ସାଧବବୋହୂକୁ ହାତରେ ଧରି ଦିଆସିଲି ଖୋଳରେ ରଖିବା , ନହଲେ ସେ ହଜିଯିବ ନା। ବାଟବଣା ହୋଇଯିବ। ପୁଣି ପାଇଥିବା ଜାଗାରେ ଛାଡିବା ବେଳରେ କରୁଣ ଦୃଶ୍ୟ। ସାଧବ ଘର ବୋହୂ ସିଏ। ଆମେ ଆଣିଲେ, ତାଙ୍କ ଘର ଖୋଜିବେ । ସାଙ୍ଗ ହୁଏ ସେ ଅଳ୍ପ ସମୟ ପାଇଁ। ଛାଡିବା ବେଳଟା କଷ୍ଟଦାୟକ। ସବୁ ସ୍ମୃତି ଜୀବନ୍ତ।
କଷିକଇଁଆ, କଇଥ, କମଳା ସହ ଲୁଣ ଲଙ୍କା, ମରିଚର ସମନ୍ବୟ ହଜିଯାଇଚି ଆଜି ସବୁ। ସେଇଜିନିଷ ପାଇଁ ଆଣ୍ଠେଇବାକୁ ପଡେ, କାନମୋଡା ମିଳେ। ଅମୃତା ଚାଲାକ। ଖାଇବ ସତ, ଠିକ୍ ସମୟରେ, ଠିକଣା ଜାଗାରେ। ଜମା ଧରା ପଡେନି । ସାଧାରଣ ହୋଇପାରେନା,କାହିଁକି କେଜାଣି।
ଏସବୁ ମନେ ପଡିଲେ ମନଟା ଶିଶୁ ହୋଇଯାଏ। ସରରକିନା ଖସରିଯାଏ। ଛିଟିକି ପଡେ ଗାଁ ଦାଣ୍ଡରେ, ନଡିଆ ଷଢେଇ ଭିତରେ, ଢେଙ୍କିଶାଳରେ , ପୋଖରୀ ତୁଠରେ ଲମ୍ବିଯିବ ତାଲିକା। ଉଁ ଉଁ ଏତେ ପିଲାଳିଆମି ଠିକ୍ ନୁହେଁ ଆଦୌ। ଏଇ ସବୁ ସ୍ମୃତି ଭିତରୁ ଖୋଜିନେବ ସଠିକ ମୁକ୍ତାକୁ। ଆଗେଇବ ଆଗକୁ ଆଗକୁ। ଉଠ୍ ଅମୃତା ଉଠ୍। କିଏ ଧରିବରେ ତୋତେ ବହ୍ନି କନ୍ୟା ତୁ। ଧରିଲେ ହାତ ଜଳି ଯିବ ଯେ। ତୁ ହିଁ ଧରା ଦେବୁ ନିଜେ ନିଜକୁ। ଜୀବନ ତ ଆରମ୍ଭ ମାତ୍ର। ଧରିବା ବାଲା କିଏ ସେ ମ । ହି ହି ହି ହସ ଫିଟି ପଡିଲା। ହାଁ, ହାଁ ଆସ୍ତେ ଆସ୍ତେ। ଅଙ୍କୁଶ ତୋ ଚାରିପଟେ ବେଢିଚି। ସଣ୍ଠଣା, ଆକଟ ସବୁଠି। ସେଇଥିପାଇଁ ତୁ ନିଆରା। ତୁ ତୋ’ ଭଳି ହେବୁ ।ଏଇଟା ତୋ’ ଜୀବନ !
ଆଜି ଆଣ୍ଟି ଭଲରେ ଶୋଇଚନ୍ତି। ଧିରେ ଧିରେ ଭଲ ହେଉଛନ୍ତି। କେବେଦିନେ ହସି ହସି କଥା କହିବେ। ବହୁତ ଭଲ ଲାଗିବ ସେଦିନ। ଶ୍ରମ ସାର୍ଥକ ହେଲାବୋଲି ଲାଗିବ।
ମୋବାଇଲ ଦେଖି ଜାଣିଲା ଦୁଇଟା ବାଜିଚି। ଆଉ କିଛି ସମୟ ଶୋଇପଡିଲେ ଭଲ ଲାଗିବ। କିଛି ଭାବନାକୁ ମନରୁ କାଢି ଫିଙ୍ଗିଦେଲା। ଆଖି ବୁଲେଇ ନେଲା। ସବୁ ଠିକ୍ ଅଛି। ଆକଟ କରି ମନକୁ ଶୁଆଇଦେଲା । ଆଖି ବନ୍ଦ କରି ଶୋଇଲାବେଳେ ଭାବିଲା କିଛି ସ୍ବପ୍ନରେ ନ ଆସୁ। ଅଳ୍ପ ପଛେ ହେଉ , ଭଲ ନିଦଟେ ହେଉ।
ଧୁଡ୍ ଶବ୍ଦ ସହ ଆଖି ଖୋଲିଗଲା। ନା ମ ମନର ବିକାର ଏସବୁ। ସବୁ ବନ୍ଦ ଅଛି। କିଏ ଆସିବ ଏ ସମୟରେ। ଶବ୍ଦ ହେଲା ଯେ । ବୁଝି ହେଉନି କିଛି। କ’ଣ ହୋଇଥାଇ ପାରେ। ବିଲେଇ ପଶିଲା କି ଆଉ।ନା କଦାପି ନୁହେଁ। ମନର ଭ୍ରମ । ହୋଇଥାଇ ପାରେ। ପାଣି ପିଇଲା। ଶବ୍ଦ ନୁହେଁ, ମନଟା ଡରଉଚି ଆଜିକାଲି। ଆଉ ଟିକିଏ ଯାଉ ଉଠିବ ତ କାମ ଆରମ୍ଭ ହୋଇଯିବ। ରାତି ତିନିଟାରୁ ଆରମ୍ଭ ହୋଇଯିବ ଯେ ପାଞ୍ଚରେ ସରିବ। ଏଇଟା ଏବେ ଅଭ୍ୟାସରେ ପଡିଗଲାଣି। ନୂଆ ନୂଆ ଅଡୁଆ ଲାଗୁଥିଲା କିଛି ମାତ୍ରାରେ। ଏବେ ଆଉ ଜଣାପଡୁନି ସେମିତି ।
ଆଚ୍ଛା ଜୀବନ କ’ଣ ଏଇଆ। ଏଇଠି କାମ, ଫାଇଲଚାଷ, ହଷ୍ଟେଲର ନାନାକଥା, ନାଚ, ପ୍ରାଣାୟାମ, ବ୍ଲଗରେଲେଖା ଏସବୁ ମିଶିଲେ ଗୋଟିଏ ଦିନ। ରୁଟିନ ବନ୍ଧା , ଶୃଙ୍ଖଳା, ସମୟାନୁସାରୀ । ଏଇଆ ତ।
ସୂର୍ଯ୍ୟ, ଚନ୍ଦ୍ର ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦିଷ୍ଟ କଥା କହୁଛନ୍ତି। ଆଉ ଛାର ଅମୃତା ବିତୃଷ୍ଣାରେ ମୁହଁ ଫେରେଇନେଉଚି। ଏଇ ପୃଥିବୀରେ ଅଛ ମାନେ ନିୟମ ମାନିବାକୁ ପଡିବହିଁ ପଡିବ। ନହଲେ କେତେ କେତେ ପ୍ରକାର ଦଣ୍ଡ ବ୍ୟବସ୍ଥା ରହିଛି। ମଣିଷ କୃତ ନୁହେଁ ମ ସବୁ ଦୈବ । ଯାହାକୁ ଭାଗ୍ୟ କହି ଆମେ ଆଡେଇ ଦଉ।
ବଞ୍ଚିବାକୁ ହେଲେ କଥାମାନିବାକୁ ପଡିବ । ଇଚ୍ଛା ଅନିଚ୍ଛାକୁ ପଚାରେ କିଏ ଯେ ? ଆଉ ଟିକିଏ ଗଡପଡ ହୋଇ ଉଠିବ। ବ୍ରାହ୍ମ ମୁହୂର୍ତ୍ତକୁ ଉପଭୋଗ କରିବ ସବୁଦିନ ଭଳି।