Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ରାଜଗାଦି ଯେବେ ନିଲାମରେ ଥାଏ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୪ 

 

ପ୍ରସଙ୍ଗ ହେଉଛି ଗୋଟିଏ ନିଲାମ।

ଏହା ଏମିତି ଗୋଟିଏ ସମୟର କଥା ଯେତେବେଳେ ପୃଥିବୀର ସେହି ବିଖ୍ୟାତ ତଥା ଇତିହାସ ଦୃଷ୍ଟିରୁ ଅତ୍ୟନ୍ତ ଶକ୍ତିଶାଳୀ ଅଞ୍ଚଳରେ ଏମିତି ଗୋଟିଏ ନିଲାମ ସମ୍ଭବ ହୋଇପାରିଥିଲା ବୋଲି ସାଧାରଣରେ କେହି କଳ୍ପନା କରି ପାରିବ ନାହିଁ ।

ସମୟ ହେଉଛି ୧୯୩ ଖ୍ରୀଷ୍ଟାବ୍ଦ। ସ୍ଥାନ ରୋମ । ପ୍ରଖ୍ୟାତ ରୋମାନ୍ ସାମ୍ରାଜ୍ୟ ବା ଯାହାକୁ ଇତିହାସରେ ପବିତ୍ର ରୋମାନ ସାମ୍ରାଜ୍ୟ ବୋଲି କୁହାଯାଏ ସେଇଠି ଏହି ନିଲାମଟି ଡକାଯାଇଥିଲା । ଜୁଲିଅସ ସିଜରଙ୍କ ଭଳି କିଛି ମହାନ ସମ୍ରାଟ ଏହି ସୁବିଖ୍ୟାତ ରାଜପଣର ଅଂଶବିଶେଷ ରହିଥିବା କଥା ଆମ ସମସ୍ତଙ୍କୁ ଭଲଭାବରେ ଜଣା ଅଛି । ସେ ଯାହାହେଉ ଏଇଠି ଏଇ ନିଲାମ କଥାକୁ ଟିକିଏ ଆଉ ବିସ୍ତାରରେ କହିଲେ, ସେଦିନ ଥିଲା ୧୯୩ ସାଲର ମାର୍ଚ୍ଚ ମାସ ୨୮ ତାରିଖ । ଆଉ ଠିକ୍ ସେଇଦିନ ହିଁ ଏହି ବିଚିତ୍ର ନିଲାମଟିର ଘୋଷଣା କରାଯାଇଥିଲା ।

ସାଧାରଣତଃ ଯେତେବେଳେ କୌଣସି ନିଲାମର କଥା ପ୍ରସଙ୍ଗକୁ ଆସେ ସେଇଠି ଦେଖାଯାଏ ତାହାର ପ୍ରମୁଖ ଅଂଶୀଦାର ଭାବରେ ଉପସ୍ଥିତ ହୋଇଯାଆନ୍ତି, ନିଲାମ ହେଉଥିବା ବସ୍ତୁର ମହତ୍ୱ ବା ମୂଲ୍ୟରୂପ, ନିଲାମ ଡାକିବା ପାଇଁ ପ୍ରସ୍ତୁତ ସକ୍ଷମ ବ୍ୟକ୍ତି ବିଶେଷ ଏବଂ ନିଲାମ ଡକାଯିବା ବା ନିଲାମର ପ୍ରେକ୍ଷାପଟ ଏବଂ ପ୍ରମୁଖ ଭାବରେ ଦେଖିଲେ ନିଲାମ ହେବା ଘଟଣା ପଛରେ ସବୁବେଳେ ଏକ ପ୍ରଚ୍ଛନ୍ନ ଗଣତାନ୍ତ୍ରିକତା କାର୍ଯ୍ୟ କରିଥାଏ । ନିଲାମ ଦ୍ୱାରା ଜଣେ ବ୍ୟକ୍ତି ବସ୍ତୁତଃ ତାହାର ଆଗ୍ରହର ପଦାର୍ଥକୁ ଲାଭ କରିବାକୁ ସମର୍ଥ ହୋଇଥାଏ । ଅବଶ୍ୟ ଏହା ସହିତ ନିଲାମରେ ସଫଳ ଏବଂ ବିଫଳ ଉଭୟ ବ୍ୟକ୍ତିଙ୍କ ସମାନତାର ଗଣତନ୍ତ୍ର ରହିଥିଲେ ହେଁ ନିଲାମ ବି ସେହି ଉଭୟ ସଫଳ ଏବଂ ବିଫଳ ବ୍ୟକ୍ତିଙ୍କ ଭିତରେ ପୁଞ୍ଜିଗତ ଅସମାନତା ଏବଂ ଅର୍ଥବାଦକୁ ବି ପ୍ରତିଷ୍ଠିତ କରିଥାଏ ।

ଘୋଷଣାନାମା ଅନୁସାରେ ସେହି ବିଚିତ୍ର ନିଲାମ ଟି ଯେଉଁ ସ୍ଥାନରେ ସଂଘଟିତ ହୋଇଥିଲା ତାହା ବି ଅଦ୍ଭୁତ । ନିଲାମର ସ୍ଥାନ ଥିଲା ସେ ସମୟରେ ରୋମୀୟ ସୈନ୍ୟବାହିନୀ ରହୁଥିବା ଗୋଟିଏ ବାରାକ୍ । ଅବଶ୍ୟ ନିଲାମ ଡାକିବା ପାଇଁ ଯେଉଁମାନେ ଆଗ୍ରହୀ ଥିଲେ ସେମାନଙ୍କୁ ବାରାକ୍ ଭିତରକୁ ଯିବାର ଅନୁମତି ନଥିଲା । ସେମାନେ ବାରାକ୍ ବାହାରେ ରହି ସେହି ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ସେଦିନ ର ସେହି ନିଲାମ ଘୋଷଣାନାମାରେ ସର୍ତ୍ତ ରହିଥିଲା ।

ସେଦିନ ସେହି ରୋମାନ୍ ନିଲାମର ଘୋଷଣାନାମା ସମ୍ପର୍କରେ ସମକାଳର ଐତିହାସିକ ସିରିଆବାସୀ ହେରୋଡିଆନ (୧୭୦-୨୪୦ ଖ୍ରୀଅ) ନିଜର ଏକ ବିବରଣୀରେ ବିସ୍ତାରରେ ଲେଖିଛନ୍ତି । ହେରୋଡିଆନଙ୍କ ଅନୁସାରେ,”ଯେତେବେଳେ ନିଲାମର ଘୋଷଣାନାମା ହେଲା ଆଉ ସମସ୍ତେ ଏକଥା ଜାଣିପାରିଲେ, ସେସମୟର ସଂଭ୍ରାନ୍ତ ଧନୀକ ତଥା ସମ୍ମାନିତ ସିନେଟରମାନେ ତଥା ଉଚ୍ଚବଂଶଜମାନେ ଯାଇ ସୈନ୍ୟବାହିନୀ ରହୁଥିବା ଗୋଟିଏ ବାରାକର ବାହାରେ ଛିଡାହୋଇ ନିଜର ଅର୍ଥ ସମ୍ପଦ ମାଧ୍ୟମରେ ଏଇଭଳି ଗୋଟିଏ ନିହାତି ନୀଚ ଭାବରେ ଗୋଟିଏ କଳଙ୍କିତ ପଦାର୍ଥକୁ ନିଲାମ ଡାକିବା ପାଇଁ ଆଗ୍ରହ ପ୍ରକାଶ କରି ନଥିଲେ।”

ଏହି ନିଲାମରେ ରହିଥିବା ବସ୍ତୁ ବିଶେଷକୁ ସମକାଳର ଐତିହାସିକ ହେରୋଡିଆନ୍ “କଳଙ୍କିତ” ବୋଲି କହିଛନ୍ତି । ବସ୍ତୁତଃ ହେରୋଡିଆନ୍ ବିବରଣୀ ଲେଖିଥିବା ସମୟର ପୂର୍ବ ଶହେ ବର୍ଷ ଭିତରେ ସେଇ ଉଲ୍ଲେଖର ବସ୍ତୁ ଟି କ୍ରମଶଃ ତାହାର ସମସ୍ତ ସମ୍ମାନ ଓ ପ୍ରତିପତ୍ତି ରକ୍ଷା କରିପାରିନାହିଁ । କଳଙ୍କିତ ହୋଇଯାଇଛି । ପୃଥିବୀରେ ମାନବଜାତିର ଅପରାଧର ଇତିହାସରେ ସେଠାରେସେହି ସମୟ ହେଉଛି ସବୁଠାରୁ ଅମାନବିକ ଆଉ କ୍ରୁରତମ ସମୟ । ସେଇ ସମୟର ରୋମାନ ରାଜାମାନଙ୍କର ଅତ୍ୟାଚାର ଏବଂ ତାହାର ପରିଣତି ଆକାର ରେ ନିୟମିତ ରାଜହତ୍ୟା ସମକାଳର ସ୍ୱାଭାବିକ ଆଉ ଅମାନବିକ ସତ୍ୟ ଥିଲା ।

ଐତିହାସିକ ହେରୋଡିଆନ୍ ସେଦିନର ସେହି ନିଲାମ ପାଇଁ ପଦାର୍ଥ ଯାହାକୁ କଳଙ୍କିତ ବୋଲି କହିଥିଲେ ତାହା ହେଉଛି ସେ ସମୟର ସାର୍ବଭୌମତା । ଆଉ ଟିକିଏ ପରିଷ୍କାର ଭାବରେ ତଥା ସ୍ଥୁଳଭାବରେ କହିଲେ , ସେଦିନର ସେହି ନିଲାମର ବସ୍ତୁଟି ଥିଲା ସେ ସମୟର ରୋମର ରାଜଗାଦୀ ।

୧୯୩ ସାଲର ମାର୍ଚ୍ଚମାସ ୨୮ ତାରିଖ ବେଳକୁ ମାତ୍ର ତିନି ମାସ ହେଲା ରୋମର ରାଜଗାଦୀକୁ ଅଳଙ୍କୃତ କରିଥାନ୍ତି ରାଜା ପର୍ଟିନାକ୍ସ । ସେ ଶାସନ ଭାର ଗ୍ରହଣ କରିବା ମାତ୍ରେ ରୋମରେ ଶୃଙ୍ଖଳା ଏବଂ ସୁଶାସନ ନିମନ୍ତେ ଅନେକ ଦୃଢ ପଦକ୍ଷେପ ନେଇଥିଲେ । ଏକଥା ସେ ସମୟର ଅନେକ ଉଚ୍ଚପଦସ୍ଥ ରାଜବ୍ୟକ୍ତି ତଥା ସିନେଟର୍ ମାନଙ୍କର ପସନ୍ଦର ନଥିଲା । ରୋମାନ ରାଜଗାଦି ଏବଂ ଷଡଯନ୍ତ୍ର ସବୁବେଳେ ସମାର୍ଥବାଚକ ଶବ୍ଦ । ତେଣୁ ମାତ୍ର ତିନି ମାସର ଶାସନ ପରେ ରୋମାନ ସମ୍ରାଟଙ୍କର ଅଙ୍ଗରକ୍ଷୀ ବା ଯେଉଁମାନଙ୍କୁ ପ୍ରିଟୋରିଆନ୍ ଗାର୍ଡ ବୋଲି କୁହାଯାଉଥିଲା ସେମାନେ ରାଜା ପର୍ଟିନାକ୍ସଙ୍କୁ ହତ୍ୟା କରିଥିଲେ । ଏବଂ ଠିକ୍ ତାହାର ପରେ ପରେ ରୋମର ରାଜଗାଦି ନିଲାମପାଇଁ ଉପଲବ୍ଧ ରହିଛି ବୋଲି ରାଜ୍ୟସାରା ସେଦିନ ଘୋଷଣାନାମା ଦିଆଯାଇଥିଲା ।

ରାଜା ଏବେ ମୃତ ମାତ୍ର ରାଜା ଦୀର୍ଘଜୀବୀ ହୁଅନ୍ତୁ ଭଳି ଆପ୍ତବାକ୍ୟ ସହିତ ଆମେ ପରିଚିତ। ତେଣୁ ଆମର ସବୁବେଳେ ରାଜା ଆବଶ୍ୟକ ହୋଇଥାଏ।

ନିଲାମ ଥିବା ରାଜଗାଦି କଳଙ୍କିତ ଆଉ ଏହାକୁ ଏହିଭଳି ନୀଚ ଉପାୟରେ ନିଲାମରେ ଧରିବା ପାଇଁ କୌଣସି ସଂଭ୍ରାନ୍ତ , ଧନୀକ ତଥା ରାଜବ୍ୟକ୍ତି ତଥା ସିନେଟରମାନେ କେହି ଆଗ୍ରହୀ ନଥିବା କଥା ହେରୋଡିଆନଙ୍କଠାରୁ ଆମେ ଆଗରୁ ଶୁଣିଛୁ । ଯଦି କେହି ସେତେବେଳେ ଏହି ରୋମାନ୍ ରାଜଗାଦିକୁ ଏମିତି ନିଲାମରେ ଧରିବା ପାଇଁ ଆଗ୍ରହୀ ନଥିଲେ ତେବେ ନିଲାମ ଆଉ ହେବ କେମିତି ତେଣୁ କାହାଣୀର ଶେଷ ଏଇଠି ଆପାତତଃ।

ମାତ୍ର ଏଇ ନିଲାମ କାହାଣୀର ଏମିତି ଶେଷ ହୋଇନାହିଁ । ହଠାତ୍ ସଂଭ୍ରାନ୍ତମାନଙ୍କ ଭିତରୁ ଜଣେ ରାଜଗାଦି କୁ ନିଲାମ ରେ ଧରିବା ପାଇଁ ଆଗଭର ହୋଇଥିଲା । ସେହି ସଂଭ୍ରାନ୍ତର ନାଆଁ ଥିଲା ଦିଦିଅସ୍ ଜିଲିଆନସ୍ । ସଂଭ୍ରାନ୍ତ ହେଲେ ବି ଜିଲିଆନସ୍ ସିନେଟରମାନଙ୍କର କୌଳିନତାକୁ ନିଜର ଆଚରଣରେ ସବୁବେଳେ ପରିହାର କରୁଥିଲା । ସେଇଥିପାଇଁ ସେ ସିନେଟର୍ ଥାଇ ବି ସିନେଟରର ସାମାନ୍ୟତମ ମର୍ଯ୍ୟଦା ଲାଭ କରୁନଥିଲା । ସିନେଟର୍ ବର୍ଗରୁ ପ୍ରାୟତଃ ବାଛନ୍ଦ ଥିବା ଏହି ସିନେଟର୍ ଜିଲିଆନସ୍ ଯେତେବେଳେ ଜାଣିଲା ଯେ ରାଜଗାଦୀ ନିଲାମରେ ଉଠିଛି , ସେ ତତକ୍ଷଣାତ୍ ଏହାକୁ ନିଜ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ମନେକରି ନିଲାମ ଡାକିବା ପାଇଁ ଆଗଭର ହୋଇପଡିଥିଲା । ନିହାତି ବ୍ୟଭିଚାରୀ ଏହି ସିନେଟର୍ ଜିଲିଆନସକୁ ଏଇ ଦିଗରେ ପ୍ରୋତ୍ସାହିତ କରିଥିଲା ତାହାର କନ୍ୟା ଏବଂ ତାହାର ପତ୍ନୀ । ସେମାନେ ବି ମନେକରୁଥିଲେ ଯେ ଏହା ଦ୍ୱାରା ସେମାନଙ୍କର କ୍ଷମତାର ଲାଳସା ବି ଚରିତାର୍ଥ ହୋଇପାରିବ।

ନିଲାମରେ ରାଜଗାଦି ସିନେଟର୍ ଦିଦିଅସ୍ ଜିଲିଆନସକୁ ମିଳିଗଲା । ମାତ୍ର ତାହାର ଆୟୁକାଳ ଥିଲା ମାତ୍ର ଦୁଇ ମାସ ।

ଜିଲିଆନସର ଏଇଭଳି ରାଜ୍ୟପ୍ରାପ୍ତିକୁ ରୋମରେ କେହି ଗ୍ରହଣ କରିପାରି ନଥିଲେ । ରାଜ୍ୟ ପ୍ରାପ୍ତିକୁ ଏମିତି ନିଲାମ ଶବ୍ଦର ପ୍ରହେଳିକା ଭିତରେ ରଖିବା କଥା ସେ ସମୟର ସାଧାରଣ ରୋମାନର ପସନ୍ଦର କଥା ନଥିଲା । ବ୍ୟାପକ ଜନ ଅସନ୍ତୋଷ ଦେଖାଯାଇଥିଲା । ତେଣୁ ରାଜା ଦିଦିଆସ୍ ଜିଲିଆନସଙ୍କ ପ୍ରତି ଆନୁଗତ୍ୟ ବଦଳରେ ଜନସାଧାରଣ ତାଙ୍କ ପ୍ରତି ଘୃଣାପୂର୍ଣ୍ଣ ଚିତ୍କାର ପ୍ରଦର୍ଶନ କରୁଥିଲେ, ସର୍ବସାଧାରଣ ସ୍ଥାନରେ ଦେଖିଲେ ତାଙ୍କ ଉଦ୍ଦେଶ୍ୟରେ ଢେଲା ଫୋପାଡୁଥିଲେ । କାରଣ ସେମାନଙ୍କ ଦୃଷ୍ଟିରେ ଜିଲିଆନସ୍ ଏମିତି ନୀଚ ଆଉ ହୀନ ଉପାୟରେ ରୋମର ରାଜଗାଦିକୁ କିଣିଛନ୍ତି ଏବଂ ଏହାକୁ ଯଥାସମ୍ଭବ ବିରୋଧ କରାଯିବା ଉଚିତ୍ ।

ଶେଷରେ ଏଇ ଘଟଣାର ଦୁଇମାସ ପରେ ସେପ୍ଟିମିଅସ୍ ସେଭେରସ୍ ବୋଲି ଜଣେ ସିନେଟର୍ ତାଙ୍କୁ ଗାଦିଚ୍ୟୁତ ରୋମର ସମ୍ରାଟ୍ ହୋଇଥିଲେ ।

ଐତିହାସିକ ହେରୋଡିଆନଙ୍କର ବିବରଣୀରୁ ଏ ସମ୍ପର୍କରେ ଯେଉଁ ପରିଣତିସୂଚକ ଉଲ୍ଲେଖ ଦେଖିବାକୁ ମିଳେ ତାହା ଏହିପରି :

ନୂତନ ସମ୍ରାଟ୍ ସେପ୍ଟିମସ୍ ସେଭେରସଙ୍କ ଅନୁଗତ ସୈନ୍ୟମାନେ ରୋମରାଜଗାଦିର ଏହି ପ୍ରଥମ ଆଉ ସର୍ବଶେଷ ନିଲାମଧାରୀ ଜିଲିଆନସକୁ ହତ୍ୟା ଉଦ୍ଦେଶ୍ୟରେ ରାଜରାସ୍ତାରେ ଘୋଷାରି ଘୋଷାରି ନେଉଥିବା ବେଳେ ସେ ଦେଖଣାହାରୀଙ୍କୁ କେବଳ ଏତିକି ନିବେଦନ କଲା ଭଳି କହୁଥିଲା,
” ମୋର ଭୁଲ୍ କ’ଣ ? ମୁଁ କାହାକୁ ହତ୍ୟା କରିଛି ?”

Leave A Reply

Your email address will not be published.