Latest Odisha News

ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨ 

୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ ।

ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,
କିଛି କାରୁଣ୍ୟ ଅଛି ।

ଆଗ କାରୁଣ୍ୟର କଥା ।
ତାହାପରେ ଆମେ ବିଶ୍ୱାସକୁ ପ୍ରବେଶ କରିବା।

ଲଣ୍ଡନର ଗୋଟିଏ କବରଖାନାକୁ ମାଆଟିଏ ଯାଏ । ନିୟମିତ ଯାଏ ।

ମାଆଟିର ନାଆଁ ଜଣାନାହିଁ ଆଉ ସେହି ଭଳି ସେ କେଉଁ କବରଖାନାକୁ ଯାଉଥିଲା ତାହାର ନାଆଁ ମଧ୍ୟ ଜଣାନାହିଁ ।

ଯଦି ଏହା କୌଣସି ବିଶେଷ ଏକ ଘଟଣା ହୋଇଥାଆନ୍ତା ତାହାହେଲେ ନିଶ୍ଚୟ ସେହି ମାଆ ଆଉ ସେହି କବରଖାନାର ନାଆଁ କେଉଁଠି ନା କେଉଁଠି ଦରଜ ହୋଇ ରହିଯାଇଥାନ୍ତା । ଏତେକାଳ ପରେ ବି ଆମେ ତାହାକୁ ଠିକ୍ ତେଣୁ ଚିହ୍ନିତ କରି ପାରିଥାଆନ୍ତେ। ଯେହେତୁ ଏହା ସେ ସମୟର ଅତି ସାଧାରଣ କଥା ଥିଲା ତେଣୁ ଇତିହାସରେ ପ୍ରାୟତଃ ସବୁ ସାଧାରଣମାନେ ଅଜଣା ରହିବା ଭଳି ଏଇଠି ଉଲ୍ଲିଖିତ ମାଆ ଆଉ କବରଖାନା ଉଭୟେ ଅନାମ ହୋଇ ରହିଯାଇଛନ୍ତି ।

ମାଆଟି ସେଇ କବରଖାନାକୁ ଯାଏ । ନିର୍ଦ୍ଦିଷ୍ଟ କବରଖାନାକୁ ନିୟମିତ ଯାଏ । ସେଠିକୁ ଗଲାବେଳେ ସେ ପିନ୍ଧିଥାଏ କଳାରଙ୍ଗର ପୋଷାକ । କଳାରଙ୍ଗର ପୋଷାକ ହେଉଛି ଶୋକର ପ୍ରତୀକ ।

କଳାରଙ୍ଗର ପୋଷାକ କିନ୍ତୁ ପ୍ରଥମରେ ଶୋକର ପୋଷାକ ନଥିଲା । ଏହା ଥିଲା ପ୍ରତିବାଦର ପୋଷାକ । ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଖ୍ରୀଷ୍ଟ୍ରୀୟ ଧର୍ମ ସଂସ୍କାରକମାନେ ବିଶେଷ ଭାବରେ ନିଜର ଗୋଡଠାରୁ ମଥାଯାଏଁ ନିଜକୁ କଳାପୋଷାକରେ ଆବୃତ୍ତ କରି ସେମାନଙ୍କର ଧର୍ମସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରୁଥିଲେ । ବିଶେଷ ଭାବରେ ସ୍ପେନୀୟ କାଥୋଲିକ ଧର୍ମଗୁରୁମାନେ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀରେ ନିଜକୁ ଏହି ଭଳି ପୋଷାକରେ ନିଜକୁ ସର୍ବସାଧାରଣରେ ଉପସ୍ଥାପନ କରୁଥିଲେ । ସେମାନେ ଏହି ଭଳି କଳାରଙ୍ଗର ପୋଷାକ ପରିଧାନ କରିବା ପଛରେ ସେମାନଙ୍କର ବିଶ୍ୱାସ ଥିଲା ଯେ,କଳା ରଙ୍ଗ ହେଉଛି ଆଢୁଆଳ ଆଉ ବିନମ୍ରତାର ଏକ ବିସ୍ତୃତ ପରିଭାଷା ବା ପ୍ରତୀକ । ତେଣୁ ଏହି ଭଳି ପୋଷାକ ପରିଧାନ କରି ସେମାନେ ସମାଜର ସମକାଳରେ ପ୍ରଚଳିତ ଧର୍ମଧାରଣାରେ ଯଦି କୌଣସି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ତାହାହେଲେ ସେମାନେ ଅନ୍ତତଃ ଈଶ୍ୱରଦ୍ରୋହୀ ହେବେ ନାହିଁ ।

ପରେ ଯେବେ ସମାଜରେ କେବଳ ଧର୍ମଗତ ନୁହଁ କ୍ଷମତାର ସ୍ୱୈରତାନ୍ତ୍ରିକତାର ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭବ କରାଗଲା ସେତେବେଳେ ତାହା କେବଳ ନିରୀହ ପରିବର୍ତ୍ତନ ବା ସୁଧାର ସଂସ୍କାର ହୋଇ ଆଉ ରହିଲା ନାହିଁ । ଉଗ୍ର ହେବାକୁ ଲାଗିଲା । ପ୍ରତିବାଦ ହୋଇଗଲା । ଆଉ ସେତିକିବେଳେ ସମସ୍ତେ ପୂର୍ବର ପୋଷାକୀ ଭିନ୍ନ ରୂପ ଅର୍ଥାତ୍ କଳାରଙ୍ଗକୁ ପୁଣି ପ୍ରତିବାଦର ପ୍ରତୀକ-ରଙ୍ଗ ବୋଲି ବିବେଚନା କରିବାକୁ ଆରମ୍ଭ କଲେ ।

ଭିକ୍ଟୋରିଆ ଯୁଗରେ ଲଣ୍ଡନରେ ପୂର୍ବବର୍ତ୍ତୀ ସମୟର ନିରୀହ ଧାର୍ମିକ କଳାରଙ୍ଗ ଶୋକର ପ୍ରତୀକୀ ପୋଷାକ ହୋଇଗଲା । ଏହା ବିଶେଷ ଭାବରେ ରାଣୀ ଭିକ୍ଟୋରିଆ (୧୮୧୯-୧୯୦୧) ଙ୍କର ଅବଦାନ । ରାଣୀ ଭିକ୍ଟୋରିଆଙ୍କୁ ଯେତେବେଳେ ମାତ୍ର ୪୨ ବର୍ଷ ସେତେବେଳେ ପ୍ରିନ୍ସ ଆଲବର୍ଟଙ୍କର ଦେହାନ୍ତ ହୁଏ । ପ୍ରିନ୍ସ ଆଲବର୍ଟ ରାଣୀ ଭିକ୍ଟୋରିଆଙ୍କର ପରେ ଇଂଲଣ୍ଡର ରାଜଗାଦୀର ପରବର୍ତ୍ତୀ ଦ୍ୱିତୀୟ ଉତ୍ତରାଧିକାରୀ ଥିଲେ । ପ୍ରିନ୍ସ ଆଲବର୍ଟଙ୍କ ମୂତ୍ୟୁପରେ ରାଣୀ ଯେଉଁ ପୋଷାକ ପିନ୍ଧି ଶୋକାନୁଷ୍ଠାନମାନଙ୍କରେ ତାହା କଳାରଙ୍ଗର ଥିଲା ଏବଂ ତାହାପରଠାରୁ ନିଜର ମୃତ୍ୟୁ ଯାଏଁ ରାଣୀ ଭିକ୍ଟୋରିଆ ସମସ୍ତ ଶୋକାନୁଷ୍ଠାନମାନଙ୍କରେ ନିୟମିତ କଳାରଙ୍ଗର ପୋଷାକ ପରିଧାନ କରୁଥିବାର ଦେଖାଯାଇଥିଲା । ରାଣୀଙ୍କର ଏହି ଭଳି ବିଶେଷ ପରିସ୍ଥିତିରେ ଏହିଭଳି ବିଶେଷ ରଙ୍ଗର ପୋଷାକ ପରିଧାନ କରୁଥିବାର ପ୍ରବଣତାକୁ ଲକ୍ଷ୍ୟକରି ୧୮୮୪ ରେ ଜଣେ ଶିଷ୍ଟାଚାରବିଷୟକ ଲେଖକ “ଏଟିକେଟ୍ ରାଇଟର୍” ଲେଖିଥିଲେ, “ଗୋଟିଏ ଶୋକ ପୋଷାକ କୌଣସି ନାରୀକୁ ତାହାର ଚରମ ଦୁଃଖ ସମୟରେ ଏହି ଭଳି ସଂଗୁପ୍ତ କରି ରଖିବା ଉଚିତ୍ ଯେ,ଯେପରି କି ତାହାର ପ୍ରିୟଜନର ବିଚ୍ଛେଦ ସମୟରେ ତାହାର ପୋଷାକରୁ ସାମାନ୍ୟତମ ଆନନ୍ଦ କି ଔଜଲ୍ୟ ପରିଦୃଶ୍ୟ ନହୁଏ ।

ରାଣୀ ଭିକ୍ଟୋରିଆଙ୍କ ଶୋକକାଳୀନ କଳାରଙ୍ଗର ପୋଷାକ କ୍ରମଶଃ ସର୍ବସାଧାରଣରେ ବିଶେଷ ଭାବରେ ଅନୁକରଣ କରାଗଲା ।କୁହାଗଲା ,ଏହା ହେଉଛି ଗୋଟିଏ କାନ୍ଥ, ବେଦନାର୍ତ୍ତ ମୁହୂର୍ତ୍ତର ଗୋଟିଏ ଆଶ୍ରା।

କହିବା ବାହୁଲ୍ୟ ,ଆମର ଅନୁକରଣର ଶୀର୍ଷରେ ରାଜାରାଣୀମାନେ ହିଁ ରହିଥାନ୍ତି ।

ରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥିଲେ ସେ ସମୟର ବିଧବାମାନେ । ସେମାନଙ୍କର ବୈଧବ୍ୟ ସମୟର ଆଦ୍ୟ ଦୁଇ ତିନି ବର୍ଷ ସେମାନେ ନିଜର ଝରକାରେ କଳାରଙ୍ଗର ପରଦା ଲଗାଉଥିଲେ । ସେମାନଙ୍କର ପୋଷାକ ,ସେମାନଙ୍କର ହାତରେ ଗ୍ଲୋଭ୍ ସବୁ କଳାରଙ୍ଗର । ଏପରିକି ସେମାନେ ଯେଉଁ ଗହଣା ବ୍ୟବହାର କରୁଥିଲେ ସେଥିରେ କଳାରଙ୍ଗର ପଥର ଅଧିକରୁ ଅଧିକ ଲଗାଯାଉଥିଲା । ତାହା ଛଡା ସେମାନଙ୍କର ଶୋଇବାର ଶେଜ,ତକିଆ ଆଦି କଳାରଙ୍ଗର ଥିଲା । ଏପରିକି ସେମାନଙ୍କର ପେଟିକୋଟ୍ ରେ କଳାରଙ୍ଗର ରିବନ ଆଉ ସମସ୍ତ ଦୈନନ୍ଦିନ ପୋଷାକରେ କଳାରଙ୍ଗର ବର୍ଡର ରହୁଥିଲା । ସେମାନେ ବାହାରକୁ ଯିବାକୁ ଯେଉଁ ଘୋଡାଗାଡି ବ୍ୟବହାର କରୁଥିଲେ ସେଥିରେ ଥିବା ଗଦିର ରଙ୍ଗ କଳା ରହୁଥିଲା ।

ପ୍ରାୟତଃ ୧୮୬୦ ବେଳକୁ ଶୋକର ଏହି କଳାରଙ୍ଗ ଏକ ନାଟକୀୟ ମୋଡ ଗ୍ରହଣ କରିଥିଲା । ଭିକ୍ଟୋରିଆ ଯୁଗର ବିଧବାମାନେ ନିଜର କଳାରଙ୍ଗର କାରାଗାରରେ ଏକେଲା ରହୁଥିଲେ କାରଣ ବାହାରେ ସେମାନଙ୍କୁ ନେଇ କେହି ଯେମିତି କୌଣସି ଥଟ୍ଟା ମଜା ନକରନ୍ତି ସେଥିପ୍ରତି ସେମାନେ ବେଶ୍ ସତର୍କ ଥିଲେ । ମାତ୍ର ୧୮୬୦ ବେଳକୁ ଜଣେ ଫରାସୀ ଅଭିନେତ୍ରୀ ସାରା ବର୍ଣ୍ଣାର୍ଡ (୧୮୪୪-୧୯୨୩) କଳା ରଙ୍ଗକୁ ନେଇ ରହିଥିବା ସମସ୍ତ ଗୋପନତାକୁ ମୁକ୍ତ କରିଦେବାର ପ୍ରୟାସ କରିଥିଲେ । ସେ ନିଜର ଶୋଇବା ଘରେ ଗୋଟିଏ କଫିନ୍ ରଖିଥିଲେ ଆଉ ସେଥିରେ ଥିବା କଳାରଙ୍ଗର କୁସନ୍ ରେ ସେ ପ୍ରକାଶ୍ୟରେ ବିଶ୍ରାମ କରୁଥିଲେ । ତାହା ଛଡା ବିଭିନ୍ନ ଷ୍ଟେଜ୍ ପ୍ରୋଗ୍ରାମରେ ସେ ପ୍ରାୟତଃ କଳାରଙ୍ଗର ଭେଲଭେଟ୍ ପୋଷାକ ପରିଧାନ କରୁଥିଲେ । ତାହାଛଡା ନିର୍ବାକ୍ ଛବି ଯୁଗର ଜଣେ ଚର୍ଚ୍ଚିତ
” ଭାମ୍ପ ” ଥେଦା ବାର୍ (୧୮୮୫ -୧୯୫୩) ନିଜର ଅଙ୍ଗଭଙ୍ଗୀ ଆଉ ନୃତ୍ୟମାୟା ପ୍ରଦର୍ଶନ କରିବା ସମୟରେ କଳାରଙ୍ଗର ପୋଷାକ ପରିଧାନ କରୁଥିଲେ । ତେଣୁ ଏଇଠି କହିବା କଥା ହେଉଛି ଉଭୟ ଅଭିନେତ୍ରୀ ସାରା ବର୍ଣ୍ଣାର୍ଡ ଏବଂ ଥେଦା ବାର୍ ଙ୍କ କାରଣରୁ କଳାରଙ୍ଗର ପୋଷାକ ଆଉ ସେହିପରି ଅସ୍ପୃଶ୍ୟ ଆଉ ଶୋକଦୀପ୍ତ ହୋଇ ରହିଲା ନାହିଁ । କଳାରଙ୍ଗ କ୍ରମଶଃ ଅନ୍ୟ ସମସ୍ତ ରଙ୍ଗ ଭଳି ସ୍ୱାଭାବିକ ଆବରଣର ମାନ୍ୟତା ପାଇବାକୁ ଆରମ୍ଭ କଲା ।

କଳାରଙ୍ଗ କିନ୍ତୁ ତଥାପି ଭିକ୍ଟୋରିଆ ଯୁଗପରଠାରୁ ଖ୍ରୀଷ୍ଟୀୟ ଜଗତରେ ଶୋକର ଏକମାତ୍ର ରଙ୍ଗ ହୋଇ ରହିଅଛି ।

ଏବେ ଆମେ ନାଆଁ ନଜଣା ସେହି ମାଆ ପାଖକୁ ଫେରିବା । ସେ ନିୟମିତ ଭାବରେ ସେହି ନିର୍ଦ୍ଦିଷ୍ଟ କବରଖାନାକୁ ଯାଉଥିଲା । କିଛିଦିନ ତଳେ ତାହାର ପାଞ୍ଚବର୍ଷର ଝିଅକୁ ସେଇଠି ଭୂସମାଧୀସ୍ଥ କରିଦିଆଯାଇଛି। ଝିଅଟା ଭାରି ଅଝଟ କରେ । ମାଆଠୁ ଦିପଦ ଗୀତ ନଶୁଣିଲେ ତାହାର ଆଖିରେ ନିଦ ନାହିଁ ।

ମାଆ କବରଖାନାକୁ ଯାଏ ଆଉ ନିୟମିତ ଗୀତ ଗାଇ ତାହାର ଝିଅକୁ ଶୁଆଇ ଦେଇ ସାରିଲାପରେ ଫେରିଆସେ ନିଜର ସଂସାରକୁ।

ଜଣେ ପ୍ରତିବେଶୀଙ୍କ ଘରେ କାନ୍ଥରେ ଦିନେ ସେମାନେ ସେକଥା ଦେଖିଥିଲେ । ତାହାପରେ ବାପାମାଆ ଦିଜଣ ଠିକ୍ କରିଥିଲେ ସେମାନେ ବି ତାହାର ଅନୁସରଣ କରିବେ ।

ସେଦିନ ସେମାନେ ଏକା କବରଖାନାକୁ ଯାଇ ନଥିଲେ । ସେମାନଙ୍କ ସାଥିରେ ଯାଇଥିଲା ସେହି ଅଞ୍ଚଳର ଜଣେ ନାମୀ ଫଟୋଗ୍ରାଫର ।

କିଛି ଦିନ ପରେ ଫଟୋଗ୍ରାଫର ଜଣକ ସେମାନଙ୍କୁ ଛବିଟି ପ୍ରଦାନ କରିଥିଲା । ଛବିରେ ସେହି କବର ପାଖରେ ବସିଛି ମାଆ। ମାଆର ହାତ ପଡିଛି ମେଞ୍ଚାଏ କୁହୁଡି ଉପରେ ଆଉ ସେହି କୁହୁଡିରେ ସଜବାଜ ହୋଇ ଛିଡା ହୋଇଛି ସେମାନଙ୍କର ଝିଅ । ସେମାନେ ଯେମିତି ଏଇଲେ କେଉଁ ପର୍ଯ୍ୟଟନ ସ୍ଥଳକୁ ବୁଲି ଆସିଛନ୍ତି ।

ଫଟୋ କହିଲେ ସବୁବେଳେ ତାହା ଫଟୋର ଗୋଟିଏ ମଣ୍ଟାଜ୍ ।

ଏହି ଭଳି ଫଟୋ-ମଣ୍ଟାଜ୍ ଟିଏ କାନ୍ଥରେ ଥିଲେ ,କ’ଣ କହିବା ?

ସମସ୍ତ ଶବ୍ଦ ଆଉ ଚିତ୍ରକୁ କିଏ ଲିପିପୋଛି ପରିଷ୍କାର କରିଦେବ ଯେମିତି, ଏହାପରେ ।

ଯେଉଁମାନେ କୁହୁଡି ପାଲଟି ଯାଇଛନ୍ତି ସେମାନେ ଆମ ପାଖରେ ଉପସ୍ଥିତ ରହିଥିବେ । ଆମକୁ ଖାଲି ସେମାନଙ୍କର ହାତ ଉପରେ ନିଜର ହାତକୁ ଟିକିଏ ରଖିବାକୁ
ହେବ । ଟିକିଏ ।

Leave A Reply

Your email address will not be published.