Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ରାଣୀଙ୍କ କାଠର ଦାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୫

ଏଲିଜାବେଥ ପ୍ରଥମ।

ଇଂଲଣ୍ଡ ର ରାଣୀ।

ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ।

“କୁମାରୀ ରାଣୀ ” ବା ଭର୍ଜିନ କ୍ୟୁଇନ୍ ହିସାବରେ ଇତିହାସରେ ବେଶ୍ ଚର୍ଚ୍ଚିତ।

 

ତାଙ୍କର ରାଜତ୍ୱର ଶେଷ ଆଡକୁ ଦଳେ ବଣିକ ଏକ ଦୁଃସାହସିକ ଅଭିଯାନ ଏବଂ ବେପାର,ଏଇ ଭଳି ଦ୍ୱୈତ ଉଦ୍ଦେଶ୍ୟରେ ଭାରତ ଅଭିମୁଖେ ଆସିବା ପାଇଁ ଯେଉଁ ଅନୁମତି ମାଗିଥିଲେ ସେ ସେହି ଅନୁଜ୍ଞାର ସନନ୍ଦ ପତ୍ରରେ ସନ୍ତକ କରିଥିଲେ। ତାଙ୍କର ସେହି ବିଶେଷ ସନ୍ତକର ତାରିଖ ଥିଲା ୩୧ ଡିସେମ୍ବର ୧୫୯୯। ଠିକ୍ ତାହାର ପରଦିନ ଅର୍ଥାତ୍ ୧୬୦୦ ର ନବବର୍ଷ ଦିନ ଏହି ଅଭିଯାତ୍ରୀ ବଣିକ ଦଳ ଯାହାର ନାଆଁ ଥିଲା “ଫ୍ରି ଆଡଭେଞ୍ଚରରସ୍” ନିଜକୁ “ଇଷ୍ଟ ଇଣ୍ଡିଆ କଂପାନୀ” ବୋଲି ନାମିତ କରି ଭାରତ ଅଭିମୁଖେ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ।

 

ରାଣୀ ଏଲିଜାବେଥ ପ୍ରଥମ ।

ଟ୍ୟୁଡର ରାଜବଂଶର ସର୍ବଶେଷ ଦାୟାଦ।

ଇଂଲଣ୍ଡ ର ଶାସନରେ ମହତ୍ୱପୂର୍ଣ୍ଣ ଭୂମୀକା ସଂପାଦନ କରିଥିବା ଏହି ବିଚିତ୍ରକର୍ମା ରାଣୀଙ୍କର ଜୀବନରେ କହିବାକୁ ଗଲେ ଗୋଟିଏ ବଡ ଦୁର୍ବଳତା ଥିଲା । ସେହି ଦୁର୍ବଳତାଟି ହେଉଛି ମିଠା ପ୍ରତି ପ୍ରବଳ ଆସକ୍ତି। ଖାଇବାବେଳେ ମିଠା ପାଇଁ ଯେଉଁମାନେ ଅତ୍ୟଧିକ ଦୁର୍ବଳ ସେମାନଙ୍କ ଏହି ଖାଦ୍ୟ-ଆଗ୍ରହକୁ ପରିଭାଷିତ କରିବା ପାଇଁ ଇଂରେଜୀରେ ଗୋଟିଏ ବିଶେଷଣ ସୂଚକ ଶବ୍ଦ ରହିଛି। ତାହା ହେଉଛି,”ସ୍ୱିଟ୍ ଟୁଥ୍ “। ରାଣୀ ଏଲିଜାବେଥ୍ ପ୍ରଥମ ଙ୍କର ମାତ୍ରାଧିକ ଭାବରେ ସେହି ” ସ୍ୱିଟ୍ ଟୁଥ ” ରହିଥିଲା। ଏପରିକି ଦିନରେ ଅନେକ ଥର ଖାଇବାଘରୁ ମୁଠା ମୁଠା ଚିନି ଆଣି ତାହାକୁ ନିଜର କଳରେ ଚାପି ଧରିବାରେ ସେ ଅତ୍ୟଧିକ ସୁଖ ଅନୁଭବ କରୁଥିଲେ ।

 

ରାଣୀ ଏଲିଜାବେଥ୍ ପ୍ରଥମଙ୍କ ସମୟ ଅର୍ଥାତ୍ ଖ୍ରୀଷ୍ଟ୍ରୀୟ ଷୋଡଶ ଶତାବ୍ଦୀର ଉତ୍ତରାର୍ଦ୍ଧ ,ଏହି ସମୟ ଉପରେ ଅନେକ ଖାଦ୍ୟ -ଐତିହାସିକଙ୍କ ଅଭିମତ ଯେ,ଏଇ ବିଶେଷ ସମୟରେ ଇଂଲଣ୍ଡର ଅଧିବାସୀ ମାନେ ନିଜର ଖାଦ୍ୟ-ଅଭ୍ୟାସ ରେ ମିଠା ର ବହୁଳ ଉପଯୋଗ କରୁଥିବା ବିଷୟଟି ନିହାତି ଭାବରେ ଉଲ୍ଲେଖ୍ୟଯୋଗ୍ୟ। ସାଧାରଣତଃ ଖାଦ୍ୟ-ଅଭ୍ୟାସରେ ମିଠା ର ଅଧିକ ପ୍ରୟୋଗକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ସମାଜରେ ଯେତେବେଳେ ସ୍ୱଚ୍ଛଳତା,ସମୃଦ୍ଧି ଏବଂ ତଜ୍ଜନିତ ଆନନ୍ଦ ଉପସ୍ଥିତ ରହିଥାଏ ସେତେବେଳେ ଆମର ଖାଦ୍ୟରେ ମିଠା ର ପରିମାଣ ବୃଦ୍ଧି ପାଇଥାଏ। ଏମିତିରେ ଆମର ଖାଦ୍ୟ ଅଭ୍ୟାସରେ ” ମିଠା” କୌଣସି ସମୟରେ ଏକ ମୌଳିକ ଅତ୍ୟାବଶକୀୟ ଖାଦ୍ୟ ନୁହଁ । ସବୁବେଳେ ଆମର ଖାଦ୍ୟ-ଅଭ୍ୟାସରେ “ମିଠା” ଏକ ଅତିରିକ୍ତ ଏବଂ ଆନନ୍ଦପାଳନ-ସୂଚକ ଖାଦ୍ୟ ସଂଯୋଜନ ବା “ଏ ସେଲିବ୍ରେଟୋରୀ ଏକଷ୍ଟ୍ରା” ଆଉ ଏହା ଆମର ପାରିପାର୍ଶ୍ବିକ ର ଆର୍ଥିକ ସ୍ୱଚ୍ଛଳତାର ଆନନ୍ଦ ସହ ସମାନୁପାତବିଶିଷ୍ଟ । ତେଣୁ ରାଣୀ ଏଲିଜାବେଥ ପ୍ରଥମଙ୍କ ସମୟରେ ଇଂଲଣ୍ଡର ସମୃଦ୍ଧି ସେଠିକାର ଅଧିବାସୀଙ୍କର

ଖାଦ୍ୟ -ଅଭ୍ୟାସରେ “ମିଠା” ର ବହୁଳ ଉପସ୍ଥିତିର ଏକ ପ୍ରମୁଖ କାରକ ହୋଇଥିଲା ବୋଲି କହିଲେ ଅତିଶୟୋକ୍ତି ହୋଇଯିବ ନାହିଁ।

 

ରାଣୀ ଏଲିଜାବେଥ ପ୍ରଥମ।

ଏକ ରେ ରାଣୀ ,ଦୁଇରେ ଇଂଲଣ୍ଡର ସମୃଦ୍ଧିର ପ୍ରତୀକ । ତେଣୁ ଖାଦ୍ୟରେ ତାଙ୍କର ମିଠା,

ବହୁ ପରିମାଣରେ ମିଠା।

 

ଖାଦ୍ୟ-ଅଭ୍ୟାସରେ ମିଠା ର ଉପସ୍ଥିତି ଅଧିକ ଥିବା ଘଟଣାକୁ ଆଉ ଦଳେ ଐତିହାସିକ ଭିନ୍ନ ଭାବରେ ଦେଖିଛନ୍ତି। ଜନସ୍ୱାସ୍ଥ୍ୟ ଆଉ ଚିକିତ୍ସାଶାସ୍ତ୍ରର ଅଧ୍ୟୟନ କରୁଥିବା ଐତିହାସିକ ମାନଙ୍କ ଦୃଷ୍ଟିରେ ଅଧିକ ପରିମାଣରେ ମିଠା ଖାଉଥିବାରୁ ସେଇ ସମୟରେ ଇଂଲଣ୍ଡର ଅଧିବାସୀଙ୍କର ପ୍ରଚୁର ପରିମାଣରେ ଦାନ୍ତ-ସମସ୍ୟା ତଥା ଦନ୍ତ-କ୍ଷୟ ଦେଖିବାକୁ ମିଳିଥାଏ । ଏଇଠି ଏଇ କଥା କହିବା ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ସର୍ବପୁରାତନ ଯେଉଁ ଦୁଇଟି ଅସୁଖ ମଣିଷ କ୍ଷେତ୍ରରେ ବିଦ୍ୟମାନ ତାହା ହେଉଛି,ଦାନ୍ତର ସମସ୍ୟା ଏବଂ ଅଜୀର୍ଣ୍ଣ । ଏଇ ଦୁଇଟିର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ଘଟିଅଛି। ରାଣୀ ଏଲିଜାବେଥ ପ୍ରଥମଙ୍କ ଶାସନ କାଳରେ ଦାନ୍ତର ସୁରକ୍ଷା ନିମନ୍ତେ ସେମିତି କିଛି ସଫଳ ଉପଚାରର ବିକଶିତ ହୋଇନଥିଲା। ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ ଏଟ୍ରୁସ୍କାନ ସଭ୍ୟତାରେ ସର୍ବପ୍ରଥମେ “କୃତ୍ରୀମ ଦାନ୍ତ” ର ବ୍ୟବହାର କରାଯାଇଥିଲା। ବିଭିନ୍ନ ପଶୁର ହାଡରୁ ବା ହାତୀର ଦାନ୍ତରୁ ସେତେବେଳେ ଏଇ କୃତ୍ରୀମ ଦାନ୍ତମାନ ପ୍ରସ୍ତୁତ କରାଯାଉଥିଲା । ଏହାର ବ୍ୟବହାର କେବଳ ବାହାରକୁ ସୁନ୍ଦର ଦେଖିବା ଭଳି ଏକ ଉପକରଣ ଅର୍ଥାତ୍ କସମେଟିକ ଆକାରରେ ରହିଥିଲା।

 

ରାଣୀ ଏଲିଜାବେଥ ପ୍ରଥମ।

ମାତ୍ରାଧିକ “ସ୍ୱିଟ୍ ଟୁଥ୍”।

କଳରେ ତାଙ୍କର ଅନେକ ସମୟରେ ମୁଠାମୁଠା ଚିନି ।

ଏହାର ଫଳ ଏମିତି ହୋଇଥିଲାଯେ ଅଳ୍ପ ବୟସରୁ ରାଣୀ ଏଲିଜାବେଥ୍ ଙ୍କ ଦାନ୍ତ ମାନ କଳା ହୋଇଯାଇଥିଲା। ଝଡିଯିବାକୁ ଆରମ୍ଭ କରିଥିଲା । ଏପରିକି ପରେ ସେ ସଂପୂର୍ଣ୍ଣ ଭାବରେ ଦନ୍ତହୀନା ହୋଇଯାଇଥିଲେ।

 

ଇଂଲଣ୍ଡର ପ୍ରବଳ ପରାକ୍ରମୀ ରାଣୀ କ୍ରମଶଃ ବାସ୍ତବରେ ଦନ୍ତହୀନା ହୋଇଯିବା ଘଟଣାକୁ ପଢିଲେ ଆମକୁ ଆଜି ବିଚିତ୍ର ଲାଗିପାରେ ।

 

ରାଣୀ ଏଲିଜାବେଥ ପ୍ରଥମଙ୍କର ଜଣେ ଜୀବନୀକାର ଆଲିସନ ପ୍ଲାଉଡେନ୍ ଙ୍କ ଉଲ୍ଲେଖ ଅନୁସାରେ,ରାଣୀ ଏଲିଜାବେଥଙ୍କ ଦାନ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ସେସମୟର ସଂଭ୍ରାନ୍ତ ମାନେ ନବବର୍ଷ ଦିନ ରାଣୀଙ୍କୁ ଉପହାର ପ୍ରଦାନ କରିବା ସମୟରେ ଅନ୍ୟାନ୍ୟ ପଦାର୍ଥ (ସେଥିରେ ନାନାପ୍ରକାରର ମିଠା ବି ରହିଥାଏ) ସହ ହଲାଣ୍ଡରେ ନିର୍ମିତ ଦାନ୍ତ-ପୋଛା ବା ଟୁଥ୍-କ୍ଲଥସ୍ ବି ରଖୁଥିଲେ । ଏଇ ସବୁ ଦାନ୍ତ-ପୋଛା ଗୁଡିକରେ କଳାରଂଗର ଧଡି ଆଉ ତାହାର ଉପରେ ରୂପାର କାମ ରହିଥିଲା। କହିବା କଥା ହେଉଛି ଯେହେତୁ ସେଇ ସମୟରେ ଦାନ୍ତକୁ ସଫା ରଖିବା ପାଇଁ ସେମିତି କିଛି ଉପାୟ ବିକଶିତ ହୋଇନଥିଲା ତେଣୁ ଉଚ୍ଚବର୍ଗରେ ପ୍ରାୟ ୧୦୦୦ଖ୍ରୀଷ୍ଟାବ୍ଦ ବେଳକୁ ଗେଣ୍ଡା ,ପଶୁର ଶିଙ୍ଗ,ଜିପସମ୍ ,ଚକମକି ପଥର ବା ଫ୍ଲିଣ୍ଟକୁ ଏକାଠି ଗୁଣ୍ଡ କରି ଆଉ ସେଥିରେ ମହୁ ପକାଇ ଏକ “ପେଷ୍ଟ” ତିଆରି କରି ସେଥିରେ ଦନ୍ତମାର୍ଜନା କରୁଥିଲେ । ଅନ୍ୟମାନେ ବିଭିନ୍ନ ପ୍ରକାର ପଥରଗୁଣ୍ଡ ପାଉଁଶ ଆଦିର ବ୍ୟବହାର କରୁଥିଲେ। ଆମେ ଆଜି ଯାହାକୁ ଟୁଥପେଷ୍ଟ ବୋଲି କହୁଛୁ ତାହାର ଏକ ଆଦ୍ୟରୂପ ଏଲିଜାବେଥଙ୍କ ସମୟର ବହୁପରେ ଅର୍ଥାତ୍ ୧୮୦୦ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ କେମିଷ୍ଟ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ତେଣୁ କହିବା କଥା ହେଉଛି ରାଣୀ ଏଲିଜାବେଥଙ୍କ ସମୟରେ ଦାନ୍ତକୁ ସଫା ରଖିବା ପାଇଁ ଏଇଭଳି ସ୍ୱତନ୍ତ୍ର ଦାନ୍ତ-ପୋଛାମାନ ବିଶେଷ ଭାବରେ ବ୍ୟବହୃତ ହେଉଥିଲା।

 

ସମସ୍ତ ଦନ୍ତରୋଗ ଆଉ ଦାନ୍ତବିନ୍ଧାର ପଛରେ କାରଣ ହିସାବରେ ଦୀର୍ଘ ପାଞ୍ଚହଜାର ବର୍ଷ ଧରି ଏକ ବିଶ୍ୱାସ ରହି ଆସିଥିଲା ଯେ ଦନ୍ତ କ୍ଷୟର ଅସଲ କାରଣ ହେଉଛି ଏକ ପୋକ । ସେଇ ବିଶେଷ ପୋକଟି ଦାନ୍ତର ଭିତରେ ରହି ଦାନ୍ତକୁ କାଟିକାଟି ଖାଏ । ରାଣୀ ଏଲିଜାବେଥ ପ୍ରଥମଙ୍କ ଦେହାବସାନର ପ୍ରାୟ ଶହେ ବର୍ଷ ପରେ ପିଅର ଫୁଚାର୍ଡ ( ୧୬୭୮-୧୭୬୧) ନାମକ ଜଣେ ଫରାସୀ ଚିକିତ୍ସକ ଏହି ଦାନ୍ତ ଭିତରେ ପୋକ ଧାରଣାକୁ ପ୍ରଥମେ ଅସ୍ୱୀକାର କରିଥିଲେ । ସେ ଯାହାହେଉ ଦନ୍ତକ୍ଷୟ ଆଉ ଦାନ୍ତବିନ୍ଧାର ଅପରିସୀମ ଯନ୍ତ୍ରଣାରେ ରାଣୀ ଏଲିଜାବେଥ୍ ରାତି ପରେ ରାତି ଭଲରେ ଶୋଇପାରୁନଥିଲେ । ଦାନ୍ତ ଭିତରେ ଥିବା ସେତେବେଳର ବିଶ୍ୱାସ ସେଇ ପୋକ ଟିକୁ ଦୂର କରିବା ପାଇଁ ସେ ନିଜର ଗାଲ ଉପରେ ଗରମପାଣିର ସେକ୍ ଦେଉଥିଲେ ଆଉ ସେତେବେଳେ ପ୍ରଚରିତ ଉପଚାର ରୋଜମେରୀ କାଠର ପାଉଁଶକୁ ବିନ୍ଧା ଦାନ୍ତ ଉପରେ ଘଷୁଥିଲେ ।

 

ଦୁଇମାସ ଧରି ଯନ୍ତ୍ରଣାରୁ ତାଙ୍କର ପରିତ୍ରାଣ ନାହିଁ । ତେଣୁ ବିନ୍ଧା ଦାନ୍ତକୁ ଉପାଡି ଦେବା ପାଇଁ ରାଣୀ ଏଲିଜାବେଥ୍ ଙ୍କୁ ଶେଷରେ ଚିକିତ୍ସକ ମାନେ ଉପଦେଶ ଦେଇଥିଲେ । ମାତ୍ର ରାଣୀ ନଛୋଡବନ୍ଧା ।ସେ ନିଜର ଦାନ୍ତଙ୍କୁ କଦାପି ଉପାଡିବାକୁ ଦେବେ ନାହିଁ । ତାଙ୍କର ବିଶ୍ୱାସ ଥିଲା ଯେ ଦାନ୍ତ ଉପାଡିବାର କଷ୍ଟ ଅପରିସୀମ । ମୃତ୍ୟୁସମ। ଶେଷରେ ଏଲିଜାବେଥ ଙ୍କ ଅନୁଚରମାନେ ରାଣୀଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏକ ଉପାୟ କରିଥିଲେ । ସେହି ଅନୁସାରେ ରାଣୀଙ୍କ ସାମ୍ନାରେ ଜଣେ ବ୍ୟକ୍ତିର ଦାନ୍ତକୁ ଉପାଡି ଦିଆଯାଇଥିଲା। ଏଲିଜାବେଥ୍ ଙ୍କ ସାମ୍ନାରେ ନିଜର ଦାନ୍ତକୁ ଉପାଡି ଦେବା ଭଳି ରାଜକାର୍ଯ୍ୟରେ ସ୍ୱତଃପ୍ରବୃତ୍ତ ଭାବରେ ଆଗଭର ହୋଇଥିବା ସେଦିନର ସେହି ବ୍ୟକ୍ତି ଜଣକ ଥିଲେ ଜଣେ ତରୁଣ ବିଶପ ,ନାଆଁ ଜନ୍ ଆଇଲମାର୍। ତାଙ୍କର ସେମିତି କିଛି ଦନ୍ତରୋଗ ନଥିଲା। ବିଶପ ଜନ୍ ଆଇଲମାର୍ ଙ୍କ ସୁସ୍ଥ ଦାନ୍ତରୁ ଗୋଟିଏକୁ ଉପାଡିନେବା ବେଳର କଷ୍ଟକୁ ସ୍ୱୟଂ ପ୍ରତ୍ୟକ୍ଷ କରିବା ପରେ ରାଣୀ ଏଲିଜାବେଥ୍ ଶେଷରେ ନିଜର ବିନ୍ଧାଦାନ୍ତକୁ ଉପାଡିଦେବାକୁ ରାଜି ହୋଇଥିଲେ ।

 

ରାଣୀ ଏଲିଜାବେଥ ପ୍ରଥମ।

ଇଂଲଣ୍ଡର ରାଣୀ।

ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ ।

 

ରାଣୀ ଏଲିଜାବେଥ ପ୍ରଥମ ଷାଠିଏ ବର୍ଷ ଅତିକ୍ରମ କଲାବେଳକୁ ପ୍ରାୟତଃ ଦନ୍ତହୀନ ହୋଇଯାଇଥିଲେ । ଯଦିଓ ଆଗରୁ ଯାହା କୁହାଯାଇଛି ଅର୍ଥାତ୍ ଖ୍ରୀପୂ ସପ୍ତମ ଶତାବ୍ଦୀ ବେଳକୁ ପଶୁର ହାଡ ଆଉ ହାତୀର ଦାନ୍ତରେ କୃତ୍ରୀମ ଦାନ୍ତ ର ତିଆରି ଆରମ୍ଭ ହୋଇଥିଲା। ଏହା ଏକ ପ୍ରସାଧାନ ବା କସମେଟିକସ୍ ଆକାରରେ ରହିଥିଲା ଆଉ ଏଲିଜାବେଥ୍ ପ୍ରଥମଙ୍କ ସମୟରେ ଅର୍ଥାତ୍ ଏହି ଦୁଇହଜାର ରୁ ଅଧିକ ବର୍ଷ ଭିତରେ ଏହାର ସେମିତି ଆଦୃତି ଦେଖାଯାଇନଥିଲା। ଅସଲରେ ବିଶେଷ ଭାବରେ ବ୍ୟବହୃତ କୃତ୍ରୀମ ଦାନ୍ତର ପ୍ରସ୍ତୁତି ହୋଇଥିଲା ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ।

 

ରାଣୀ ଏଲିଜାବେଥ ପ୍ରଥମ ଦନ୍ତବିହୀନା ହୋଇଯିବା ଭଳି ଘଟଣା ଯୋଗୁ ସୃଷ୍ଟି ହେଉଥିବା ଗୋଟିଏ ସମସ୍ୟାର କଥା ଉଲ୍ଲେଖ କରିଛନ୍ତି ଜଣେ ଫରାସୀ ରାଜଦୂତ,ଆନ୍ଦ୍ରେ ହୁରାଉଲତ୍ ଦି ମାଇସେ । ସେ ଲେଖିଛନ୍ତି,

” ନିଜର ଦୁର୍ବଳ ଦନ୍ତପନ୍ତିର କାରଣରୁ ମହାମହିମ ରାଣୀ ଏଲିଜାବେଥ୍ ଯେତେବେଳେ ଦ୍ରୁତ ଭାବରେ କିଛି କହୁଥିଲେ ତାହାକୁ ବୁଝିବା ସମସ୍ତଙ୍କ ପକ୍ଷରେ ଅସମ୍ଭବ ଥିଲା। ମାତ୍ର ମହାମହିମ ରାଣୀ ଙ୍କୁ ସେ କଥା କହିବ କିଏ ?”

Leave A Reply

Your email address will not be published.