Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ସେଲଫି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୩

ଆତ୍ମପ୍ରେମର ପ୍ରତିଫଳନ କଥା

“ସେଲଫି” ର ଗୋଟିଏ ସରଳ ସଂଜ୍ଞାରୁ କଥାଟି ଆରମ୍ଭ ହେଉ ।

ନିଜର ଯେଉଁ ଛବି ଆମେ ନିଜେ ହିଁ ଉତ୍ତୋଳନ କରିଥାଉ ତାହାକୁ “ସେଲଫି” ବୋଲି କୁହାଯାଏ ।

ସେ ଦୃଷ୍ଟିରୁ ଦେଖିଲେ ସାଧାରଣତଃ ସେଲଫି ହେଉଛି ଏକ ଆତ୍ମସମୃଦ୍ଧ ତଥା ଆତ୍ମ-ଉତ୍ତୋଳନର କାର୍ଯ୍ୟ ଯାହାକୁ ଆମେମାନେ ଏବେ ଭାରି ପସନ୍ଦ କରିଥାଉ । ଏମିତିରେ କହିଲେ ସବୁ ଭଲପାଇବାର ଶୀର୍ଷରେ ରହିଛି ନିଜକୁ ନିଜେ ଭଲପାଇବାର କଥା । ଆଗ ଆମେ ନିଜକୁ ଭଲ ପାଉ ଆଉ ତାହାପରେ ନିଜକୁ ଭଲପାଇବାର ନିବିଡତାକୁ ଆଧାରକରି ଗୋଟିଏ ଭଲପାଇବାର ସିଦ୍ଧାନ୍ତ ଏବଂ ଅବଧାରଣା ନିର୍ମାଣ କରୁ ଏବଂ ତାହାପରେ ଆମର ବାହ୍ୟ ଜଗତରେ ଯେଉଁଠି ଆମର ସେହି ଅବଧାରଣାର ଉପସ୍ଥିତି ଅଛି ବୋଲି ଆମର “ହୃଦବୋଧ” ହୁଏ ତାହାକୁ ଆମେ ଭଲପାଇଯାଉ । ସମସ୍ତ ଭଲପାଇବା ପଛରେ ଏହି ଭଳି ଏକ ସୈଦ୍ଧାନ୍ତିକ ଉତ୍ସ ରହିଛି ବୋଲି ପ୍ରଖ୍ୟାତ ମନସ୍ତତ୍ତ୍ୱବିତ୍ ଏରିଖ୍ ଫ୍ରମ୍ ତାଙ୍କର ” ଆର୍ଟ ଅଫ୍ ଲଭିଙ୍ଗ୍” ବହିରେ ଉଲ୍ଲେଖ କରିଛନ୍ତି । ସବୁ ଭଲପାଇବା ପଛରେ,ଆମେ ଯେତେ ଏହାକୁ ହଠାତ୍ ଘଟିଯିବା ଭଳି କୌଣସି ଏକ କାରଣବିହୀନ କାର୍ଯ୍ୟ ଅଥବା ଲଭ୍ ଆଟ୍ ଫାର୍ଷ୍ଟ ସାଇଟ୍ ବୋଲି କହି ସେହି ଭଲପାଇବା ପ୍ରତି ଆବେଗପରକ ଭାବରେ ସଂଯୁକ୍ତ ହୋଇପଡୁଥାଉ ପଛକେ, ଏହାର ଆଢୁଆଳରେ ସୈଦ୍ଧାନ୍ତିକ ଅବଧାରଣା ରହିଥାଏ ବୋଲି ଆମର ଭଲପାଇବା ର ସ୍ୱରୂପ ସବୁ ଭିନ୍ନ ଭିନ୍ନ । ଆମେ ପୁଅକୁ ଯେମିତି ଭଲପାଉ ,ଝିଅକୁ ସେମିତି ଅବିକଳ ଭଲ ପାଉନା, ମାଆକୁ ଯେମିତି ଭଲପାଉ ,ପତ୍ନୀକୁ ସେମିତି ଭଲ ପାଉନା, ଫୁଲକୁ ଯେମିତି ଭଲପାଉ ପଥରକୁ ସେମିତି ଭଲପାଉନା । ଆମର ଭଲପାଇବାର ପ୍ରାକ୍ ନିର୍ବାଚିତ ସିଦ୍ଧାନ୍ତ ଆଉ ଅବଧାରଣା ତଥା ତାହାର ଆମର ମନରେ ଥିବା ସେହି ପ୍ରାକ୍-ପ୍ରସ୍ତୁତି ଆମର ଭଲପାଇବାର ପ୍ରେକ୍ଷାପଟ ଏବଂ ପରିଦୃଶ୍ୟକୁ ଭିନ୍ନଭିନ୍ନ କରିଥାଏ । ମାତ୍ର ଆମେ ଏତେ ଗଭୀରକୁ ନଯାଇ ପ୍ରେମର ସ୍ୱାଭାବିକତାକୁ ଆବେଗ ର କଷଟିପଥରରେ ଦେଖି ସବୁ ପ୍ରେମ ସମାନ ବୋଲି ଧରିନେବାକୁ ସହଜ ମନେ କରିଥାଉ ।

ଆମର ପ୍ରେମ ତେଣୁ ସବୁବେଳେ ଆତ୍ମବରଣର ଚିରାଚରିତ କଥା,ଆମକୁ ଏଇକଥା ସବୁବେଳେ ମନେ ରଖିବାକୁ ପଡିବ ।

ପ୍ରେମର ଆତ୍ମକଥାରେ ସବୁବେଳେ ପ୍ରଥମରେ ଯାହାର ପ୍ରସଙ୍ଗ ଆମର ଆଖିଆଖକୁ ଆସିବ ସେ ହେଉଛି ଗ୍ରୀକ୍ ପୁରାଣର ଚର୍ଚ୍ଚିତ ସୁପୁରୁଷ ନାର୍ସିସସ୍ । ନିଜକୁ ଏକାନ୍ତ ଭାବରେ ପ୍ରେମ କରିବା ଭଳି ଆଉ ଗୋଟିଏ ଦ୍ୱିତୀୟ ଚରିତ୍ର ଆମ ସାମ୍ନାରେ ନାହିଁ । ନିଜ ପ୍ରତି ପ୍ରେମ ମାତ୍ରାଧିକ ହୋଇବା ଭଳି ପରିସ୍ଥିତି ଉପସ୍ଥିତ ହେଲେ ଆମେ ତାହାକୁ ଅର୍ଥାତ୍ ସେହି ବ୍ୟକ୍ତି ବିଶେଷକୁ ମନସ୍ତାତ୍ତ୍ୱିକ ଭାବରେ ନାର୍ସିସିଷ୍ଟିକ୍ ବୋଲି ପରିଭାଷିତ କରିଥାଉ । ଯାହା ଟିକିଏ ଆଗରୁ କୁହାଯାଇଛି ଯେ,ପ୍ରେମ ପ୍ରଥମରେ କୌଣସି ଅପର ନୁହଁ ବରଂ ନିଜକୁ ଭଲପାଇବାର ଅନ୍ତରଙ୍ଗପଣରୁ ଆରମ୍ଭ ହୋଇଥାଏ । କିନ୍ତୁ ସମସ୍ତ ପ୍ରେମ ପରିଭାଷିତ ହେବା ପାଇଁ ସବୁବେଳେ ଗୋଟିଏ ଅନୁପସ୍ଥିତି ର ପୃଷ୍ଟଭୂମୀ ରହିବା ଆବଶ୍ୟକ । ଅର୍ଥାତ୍ ଯାହାକୁ ଆମେ ଭଲପାଉ ତାହାକୁ ଲୋଡିବାପଣରେ ହିଁ ଆମ ପ୍ରେମ ପ୍ରତିଷ୍ଠିତ ହୋଇଥାଏ । ଆଉ ପ୍ରେମର ପ୍ରଧାନ ଧାରକ ଏଇ ଲୋଡିବାପଣ କେବଳ ପ୍ରେମାସ୍ପଦର ଅନୁପସ୍ଥିତିରେ ରୂପବନ୍ତ ହୋଇଥାଏ ।

ତାହାହେଲେ ଏଇଠି ପ୍ରଶ୍ନ ଉଠିବ ଯଦି ସବୁ ପ୍ରେମର ଆରମ୍ଭ ଆତ୍ମପ୍ରେମ ତାହାହେଲେ ସେହି ଆତ୍ମପ୍ରେମରେ କେଉଁ ଆତ୍ମ ଆଉ କେଉଁ ଆତ୍ମଠାରୁ ଅନୁପସ୍ଥିତ ରହିଅଛି ? ଏହି କଥାକୁ ବୁଝାଇବା ପାଇଁ ଆମ ଆଗରେ ସୁନ୍ଦର ସୁପୁରୁଷ ନାର୍ସିସସ୍ ର ପୁରାଣ କାହାଣୀଟି ରହିଅଛି ।

ନାର୍ସିସସ୍ ହେଉଛି ଏମିତି ଏକ ସମୟର କାହାଣୀ ଯେତେବେଳେ ଜଣେ ନିଜର ସୁନ୍ଦରପଣକୁ ବୁଝିବା ପାଇଁ ଅନ୍ୟର ଆଖିହଳକୁ ଆଶ୍ରା କରି ରହୁଥିଲା । ସେତେବେଳେ ଦିନେ ନାର୍ସିସସ୍ କୌଣସି ଏକ ଜଳାଶୟର କାଚକେନ୍ଦୁ ଜଳରେ ଦେଖିବାକୁ ପାଏ ଏକ ଅପରୂପ ଅନିନ୍ଦ୍ୟ ସୁନ୍ଦରୀ ଜଳପରୀକୁ ଆଉ ସେ ହଠାତ୍ ତାହାର ପ୍ରେମରେ ପଡିଯାଏ । ସେ ତାହାକୁ ଯାହା ଯାହା ପ୍ରେମର କଥା କହିବାକୁ ଆରମ୍ଭ କରେ ତାହାର ପ୍ରତିଧ୍ୱନୀ ତାହାର କାନରେ ବାଜୁଥାଏ । ସେ ଏଥିରେ ବିଭୋର । ତାହାପରଠାରୁ ସେ ନିୟମିତ ସେହି ଜଳାଶୟ ନିକଟକୁ ଆସେ ଆଉ ଜଳାଶୟର ଅଭ୍ୟନ୍ତର ରେ ଥିବା ସେହି ଜଳପରୀକୁ ପ୍ରେମ ନିବେଦନ କରେ ଓ ତାହାର ପ୍ରତିଧ୍ୱନୀର ସମ୍ବଳ ଟିକକକୁ ସାଥିରେ ଧରି ଫେରିଯାଏ । ଏହି ଭଳି ଏକ ପ୍ରେମକଥାର ବାରମ୍ବାର ପୁନରାବୃତ୍ତି ତାହାକୁ କଷ୍ଟ ଦିଏ । ଏହାର କୌଣସି ନିର୍ଦ୍ଦିଷ୍ଟ ପରିଣତି ପାଇଁ ସେ ଖାଇବାପିଇବା ଛାଡିଦିଏ ,ରୁଗ୍ଣ ହୋଇଯାଏ । ତାହାପରେ ଦିନେ ସେହି ଜଳାଶୟର ଅଭ୍ୟନ୍ତରରେ ବାସ କରୁଥିବା ପ୍ରେମିକା ଜଳପରୀର ପ୍ରସାରିତ ବାହୁ କୁ ନିଜର ଆଲିଙ୍ଗନକୁ ଆଣିବା ପାଇଁ ନାର୍ସିସସ୍ ଜଳାଶୟର ଅଭ୍ୟନ୍ତରକୁ ଯିବାକୁ ଉଚିତ ମନେକରେ ଏବଂ ତାହାଫଳରେ ସେହି କାଚକେନ୍ଦୁ ଜଳରେ ବୁଡିଯାଇ ତାହାର ମୃତ୍ୟୁଘଟେ ।

ଏହି କରୁଣ ପ୍ରେମ କାହାଣୀର ନାୟକ ନାର୍ସିସସ୍ ଶେଷଯାଏଁ ବୁଝିପାରିନଥିଲା ଯେ,ସେ ଯାହାକୁ ପ୍ରେମ କରିବସିଛି ତାହା ହେଉଛି ତାହାର ନିଜର ଏକ ପ୍ରତିଫଳନ । ଜଳାଶୟର କାଚକେନ୍ଦୁ ଜଳରେ ସୃଷ୍ଟି ହେଉଥିବା ତାହାର ଏକ ପ୍ରତିଫଳନ ଯାହା ତାହାକୁ ଏକ ପ୍ରେମାସ୍ପଦା ଜଳପରୀର ବିଭ୍ରମ ପ୍ରଦାନ କରୁଥିଲା ।

ନାର୍ସିସସ୍ ର କାହାଣୀ ଆମକୁ ବୁଝାଇଦିଏ ଯେ ଆମେ ବସ୍ତୁତଃ ସବୁବେଳେ ଆମର ନିଜର ପ୍ରତିଫଳନକୁ ଭଲପାଇଥାଉ ।

ପ୍ରତିଟି ସେଲଫି ପଛର ଏହା ହିଁ ଗୋପନ କଥା। ଆମର ନିଜର ପ୍ରତିଫଳନ ପ୍ରତି ପ୍ରେମ ।

ଆଉ ଗୋଟିଏ କଥା ।

ଆମର ପ୍ରତିଫଳନ ପ୍ରେମରେ ସବୁବେଳେ ଗୋପନତା ତଥା ପ୍ରାଇଭେଟ୍ ସ୍ପେସ୍ ର କଥା ରହିଛି । ଆମେ ଯେତେବେଳେ କୌଣସି ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ହୋଇଥାଉ ସେତେବେଳେ ଆମ ସହିତ ଆଉ ଜଣେ ଅର୍ଥାତ୍ ଜଣେ ଫଟୋଗ୍ରାଫର ରହିଥାଏ । ସେହି ଫଟୋଗ୍ରାଫର୍ ଜଣକ ଆମର ବ୍ୟକ୍ତିଗତ ମୁହୂର୍ତ୍ତକୁ ଦସ୍ତାବେଜୀକରଣ କରିବାରେ ଅପରିହାର୍ଯ୍ୟ । ନିଜର ଫଟୋ ଉଠାଇବା ବେଳେ ଜଣେ ଫଟୋଗ୍ରାଫରର ଅନିର୍ବାର୍ଯ୍ୟତାକୁ ଆମେ କେମିତି ଗ୍ରହଣ କରିଥାଉ ? ଆମ ପାଖରେ ସେମିତି ପ୍ରଯୁକ୍ତିଗତ ସାମର୍ଥ୍ୟ ନଥାଏ ବୋଲି ଆମେ ଆମର ବ୍ୟକ୍ତିଗତ ମୁହୂର୍ତ୍ତମାନଙ୍କୁ ଜଣେ ଫଟୋଗ୍ରାଫର ସହ ସହଭାଗ କରିଥାଉ। ଆମ ଭିତରେ କେଉଁଠି ନା କେଉଁଠି ଏହି ଭଳି ସମୟରେ ଜଣେ ଫଟୋଗ୍ରାଫରର ଉପସ୍ଥିତିକୁ ନେଇ ଏକ ଅସହଜ ପଣ ରହିବା ସ୍ୱାଭାବିକ କଥା । ଜଣେ ତୃତୀୟ ବ୍ୟକ୍ତିର ଅବାଞ୍ଛିତ ହସ୍ତକ୍ଷେପ । ତେଣୁ ଆମେ ଯେତେବେଳେ ପ୍ରଯୁକ୍ତିଗତ ଭାବରେ ସକ୍ଷମ ହେଲୁ ସେତେବେଳେ ଆମର ବ୍ୟକ୍ତିଗତ ମୁହୂର୍ତ୍ତରେ ଫଟୋଗ୍ରାଫର ର ଉପସ୍ଥିତି କୁ ଅସ୍ୱୀକାର କରି ଆମେ ନିଜେ ହିଁ ନିଜର ଫଟୋଗ୍ରାଫର ସାଜିଲୁ । ଆଉ ପୃଥିବୀରେ ଏହା ଫଳରେ

” ସେଲଫି ” ର ପ୍ରଚଳନ ପ୍ରବଳ ହେବାକୁ ଲାଗିଛି ।

୧୮୩୯ ମସିହାରେ ଜଣେ ଆମେରିକୀୟ ଫଟୋଗ୍ରାଫର ଫଟୋଗ୍ରାଫିକୁ ନେଇ ପରୀକ୍ଷାନିରୀକ୍ଷା କରୁଥାନ୍ତି । ତାଙ୍କର ନାଆଁ ରବର୍ଟ କର୍ଣ୍ଣେଲିଅସ୍ । ସେ ସମୟ ହେଉଛି କ୍ୟାମେରା ତଥା ଫଟୋଗ୍ରାଫିର ଆଦ୍ୟକାଳ । ଫୋଟୋ ଉଠାଇବାବେଳେ ଗୋଟିଏ ଦୃଶ୍ୟକୁ ଧାରଣ କରିବା ପାଇଁ ଗୋଟିଏ କ୍ୟାମେରାର ସଟରକୁ ଅଧିକ ସମୟ ଖୋଲା ରଖିବାକୁ ପଡୁଥାଏ । ଦିନେ ଗୋଟିଏ ଅଭିଜାତ ନବବିବାହିତ ଦମ୍ପତ୍ତି ଙ୍କ ଫଟୋ ଉଠାଇବା ପାଇଁ ଢେର୍ ସମୟ ଆଗରୁ କର୍ଣ୍ଣେଲିଅସ୍ ନିଜର କ୍ୟାମେରା କୁ ପ୍ରସ୍ତୁତ କରୁଥାନ୍ତି । ସେସମୟରେ କ୍ୟାମେରାର ସଟର୍ କୁ ଖୋଲା ରଖି ସେ ହଠାତ୍ କେଜାଣି କାହିଁକି କ୍ୟାମେରା ଆଗକୁ ଦୌଡିଯାଇ ଛିଡା ହୋଇଯାଇଥିଲେ ଆଉ ତାହାପରେ ତୁରନ୍ତ କ୍ୟାମେରା ପଛକୁ ଆସି କ୍ୟାମେରାର ସଟର୍ କୁ ବନ୍ଦ କରିଦେଇଥିଲେ । ରବର୍ଟ କର୍ଣ୍ଣେଲିଅସ୍ ଙ୍କର ୧୮୩୯ ମସିହାର ଏହି ଅହେତୁକ କାର୍ଯ୍ୟ ପୃଥିବୀକୁ ପ୍ରଦାନ କରିଥିଲା ପ୍ରଥମ “ସେଲଫି” ଯେଉଁଠି ଜଣେ ଫଟୋଗ୍ରାଫର ବିନା ଅନ୍ୟ ଫଟୋଗ୍ରାଫରର ସହାୟତାରେ ନିଜର ଫଟୋ ଉତ୍ତୋଳନ କରିପାରିଥିଲା ।

ପୃଥିବୀର ଏହି ପ୍ରଥମ “ସେଲଫି” ର ବିବରଣୀ ରବର୍ଟ କର୍ଣ୍ଣେଲିଅସ୍ ତାଙ୍କର ସେହି “ସେଲଫି” ର ପଛରେ ନିଜ ହାତରେ ଲେଖିଯାଇଛନ୍ତି ।

ଏବେ ମହାଶୂନ୍ୟରେ ଉଠାଯାଇଥିବା ଗୋଟିଏ “ସେଲଫି” ର କଥା ।

୧୯୬୬ ମସିହାରେ ଜେମିନି-୧୨ ମିଶନ୍ ରେ ମହାଶୂନ୍ୟ କୁ ଯାଇଥିବା ବଜ୍ ଆଲଡ୍ରିନ୍ ଏହିଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ “ସେଲଫି” ଉଠାଇଥିଲେ । ମହାଶୂନ୍ୟରେ ପଦଚାରଣ କଲାବେଳେ ସେ ଏହି “ସେଲଫି” ଟି ଉଠାଇଥିଲେ । ସେହି ବିଶେଷ ଫଟୋଟି ଯେଉଁ କ୍ୟାମେରାରେ ଗ୍ରହଣ କରାଯାଇଥିଲା ତାହା କିନ୍ତୁ ଆଲଡ୍ରିନ୍ ଙ୍କ ହାତରେ ନଥିଲା । ତାହା ନିକଟରେ ଥିବା ସ୍ପେସକ୍ରାଫ୍ଟ ସହ ସଂଯୁକ୍ତ
ଥିଲା । ମାତ୍ର ଏହାର ପରିଚାଳନା ତଥା ନିୟନ୍ତ୍ରଣ ର ଦାୟିତ୍ୱ ଆଲଡ୍ରିନ୍ ଙ୍କ ହାତରେ ରହିଥିଲା ।

ସେହି ହାସେଲବ୍ଲାଡ କ୍ୟାମେରାରେ ନିଜେ ବଜ୍ ଆଲଡ୍ରିନ୍ ନିଜର “ସେଲଫି” ମହାଶୂନ୍ୟରେ ନେଲା ବେଳେ କହିଥିଲେ , ଏଥର ମୁଁ ମୋ ଭିଜର୍ ( ହେଲମେଟ୍ ର ଚଳମାନ ଅଂଶ ) କୁ ଉପରକୁ କରିବି ଆଉ ହସିବି ।

ସେଦିନ ଥିଲା ୧୨ ନଭେମ୍ବର ୧୯୬୬ ।

ପରେ ୨୦୧୪ ରେ ବଜ୍ ଆଲଡ୍ରିନ୍ ଏହାକୁ “ପୃଥିବୀର ଶ୍ରେଷ୍ଠତମ ସେଲଫି ” ବୋଲି କହିଛନ୍ତି ।

ଏମିତି କହିଲେ ଆମେ ଯେତେ ଯେତେ ସେଲଫି ନେଉଛୁ ସବୁ ସେଲଫିରେ ଆମେ ଥାଉ ଆଉ ଆମ ସହିତ ଥାଏ ବାହାର ର ପରିବ୍ୟାପ୍ତତା । ବିସ୍ତୃତି ।

ପରିବ୍ୟାପ୍ତତାର ପରିଭାଷା ତ ମହାଶୂନ୍ୟ !
ପ୍ରଥମ ସେଲଫି

Leave A Reply

Your email address will not be published.