Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କାଫକାଙ୍କ ଶତ୍ରୁ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୧

ସେହି ଗୋଟିକ ହିଁ ବ୍ୟତିକ୍ରମ। କାଫକାଙ୍କ ଶତ୍ରୁ କହିଲେ ସେହି ଜଣକ ।

ସେ ବି ଥିଲେ କାଫକାଙ୍କ ଭଳି ଜଣେ ଲେଖକ ଆଉ ବୃତ୍ତିରେ ଥିଲେ ଜଣେ ଡାକ୍ତର । ସେ ତାଙ୍କର ପ୍ରଣୟିନୀ ତଥା ସେ ସମୟର ଜଣେ ଖ୍ୟାତନାମା ଅଭିନେତ୍ରୀ ରାହେଲ ସାଞ୍ଜାରାଙ୍କୁ ଗୋଟିଏ ଚିଠିରେ ଲେଖିଥିଲେ,”ମୁଁ ଯେତିକି ଯେତିକି କାଫକାଙ୍କଠାରୁ ଦୂରେଇ ଯାଏ, ମୁଁ ସେତିକି ସେତିକି ତାଙ୍କୁ ଅପସନ୍ଦ କରେ । ବନ୍ଧୁତାର ଅତି ଭାବ ଦେଖାଇହେଉଥିବା ଜଣେ ଖଳ ଲୋକ ସେ, ସେଇଥିପାଇଁ ।”

ଏଇଭଳି ଚିଠିର ଲେଖକ ଆଉ କାଫକାଙ୍କର ଏକମାତ୍ର ଶତ୍ରୁ “ସେ” ଜଣକ ହେଉଛନ୍ତି ଡାକ୍ତର ଆର୍ଣ୍ଣଷ୍ଟ ୱେଇଜ୍ ଏବଂ ଏକଥାରେ ବି ଆମର ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଆର୍ଣ୍ଣଷ୍ଟ ୱେଇଜ୍ ଥିଲେ କାଫକାଙ୍କର ଜଣେ ବନ୍ଧୁ। ଖୁବ୍ ଘନିଷ୍ଟ ବନ୍ଧୁ ।

ଜଣେ ଲେଖକର ବନ୍ଧୁଟିଏ କେତେବେଳେ ତାହାର ଶତ୍ରୁ ପାଲଟିଯାଏ ତାହା କେହି କେବେ ସଠିକ କହିପାରିବ ନାହିଁ ମାତ୍ର ଏହି ଭଳି ଅନୁଭବ ଊଣା ଅଧିକେ ସବୁ ଲେଖକଙ୍କ ନିକଟରେ ହୁଏତ ରହିଥାଇପାରେ । ଲେଖକର ବନ୍ଧୁ ଜଣକ ଯଦି ଜଣେ ଲେଖକ ତେବେ ସେଇଠି ବନ୍ଧୁପଣ କେତେବେଳେ ରାତି ଅଧର ଅସ୍ଥାୟୀ ପୋଲକୁ ପାର ହୋଇ ସେପଟେ ଶତ୍ରୁ ହୋଇଯାଏ ଆଉ ତାହାପରେ ସେ ଅସ୍ଥାୟୀ ପୋଲକୁ କେତେ ସଂରକ୍ଷିତ କରି ରଖିଥାଏ ଏପଟକୁ ଫେରିବା ପାଇଁ ତାହା କେବଳ ତାହାକୁ ଏକା ଗୋଚର ।

ଡାକ୍ତର ଆର୍ଣ୍ଣଷ୍ଟ ୱେଇଜ୍ ଜଣେ ଲେଖକ ଥିଲେ। ତାଙ୍କର ରଚିତ ଗୋଟିଏ ଉପନ୍ୟାସ ” ଦି ଷ୍ଟ୍ରଗଲ୍ ” ୧୯୧୬ ମସିହାରେ ଜର୍ମାନୀ ଭାଷାରେ ପ୍ରକାଶିତ ହୋଇଥିଲା।

କାଫକା ଏମିତିରେ ଥିଲେ ଜଣେ ଅଜାତଶତ୍ରୁ।ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ନାରୀ ହେଉ କି ପୁରୁଷ ,ଜର୍ମାନ୍ ହେଉ କି ଚେକ୍, ଇହୁଦୀ ହେଉ କି ଖ୍ରୀଷ୍ଟାନ ସମସ୍ତଙ୍କର ସହିତ କାଫକା ସବୁବେଳେ ଅତି ସହଜ । ନିଜର ସହକର୍ମୀ ଅଥବା ତାଙ୍କର ଉପରିସ୍ଥ ଯେ କେହି ହେଉ ନା କାହିଁକି ସେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଆପଣାର ଭଳି ବ୍ୟବହାର ଦେଖାଇଥାନ୍ତି । ଏପରିକି କୌଣସି ଅଜଣା ଅଚିହ୍ନା ବ୍ୟକ୍ତି ସହ ଆଳାପ କରିବାକୁ ସେ କେବେହେଲେ ପଛେଇ ଯାଆନ୍ତି ନାହିଁ । ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ସେ ଖୁବ୍ ମେଳାପି ,ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ବିଶେଷ ଭାବରେ ସତର୍କ । ତାଙ୍କର ବ୍ୟବହାରରେ ସେ ସବୁବେଳେ ସତର୍କ ଥାଆନ୍ତି ଯେପରିକି ଅନ୍ୟକାହା ସହିତ କୌଣସି ବିଷୟରେ ଅସହମତ ହେଲେବି ସେ ଏମିତି କିଛି କଥା ବା ଆଚରଣ ପ୍ରଦର୍ଶନ କରନ୍ତି ନାହିଁ ଯାହା ଅପରପକ୍ଷକୁ ଆହତ କରିବ ।

କାଫକାଙ୍କର ନିକଟତମ ବନ୍ଧୁମାନଙ୍କ କଥା କହିଲେ ସର୍ବପ୍ରଥମେ ମାକ୍ସ ବ୍ରଡ୍ ଙ୍କ କଥା ଆସିବ । ମାକ୍ସ ବ୍ରଡକୁ ସମସ୍ତେ କାଫକାଙ୍କର ଘନିଷ୍ଠତମ ବନ୍ଧୁ ବୋଲି ବିଚାର କରିଥାନ୍ତି । କାଫକାଙ୍କର ସମସ୍ତ ସାହିତ୍ୟିକ-ଉଦ୍ଦେଶ୍ୟ ମାକ୍ସ ବ୍ରଡଙ୍କ ମାର୍ଫତରେ ହିଁ ପରିଚାଳିତ ହୋଇଥାଏ । ନିଜର ସମସ୍ତ ଲେଖାକୁ ନିଜର ମୃତ୍ୟୁ ପରେ ଧ୍ୱଂସ କରିଦେବାକୁ କହିଥିଲେ ହେଁ ବନ୍ଧୁ ମାକ୍ସ ବ୍ରଡ୍ ତାହାକୁ ଅମାନ୍ୟ କରି କାଫକାଙ୍କର ଲେଖା ସବୁକୁ ପ୍ରକାଶ କରିଥିଲେ ବୋଲି ଆମ ଆଗରେ ଆଜି ଫ୍ରାଞ୍ଜ କାଫକା ନାମକ ବତୀଘର ଟିଏ ଉପସ୍ଥିତ ରହିଛି । ସେ ଯାହାହେଉ କାଫକା ଏବଂ ମାକ୍ସ ବ୍ରଡ୍ ଙ୍କ ନିବିଡ ବନ୍ଧୁତ୍ୱର ଉଦାହାରଣ ଦେବା ବେଳେ ଆମକୁ ଆଉ ଗୋଟିଏ କଥା ପ୍ରତି ଲକ୍ଷ୍ୟ ରଖିବାକୁ ହେବ ଯେ ସେ ସମୟରେ କାଫକାଙ୍କ ଯେଉଁ ଅନ୍ୟ ବନ୍ଧୁମଣ୍ଡଳୀ ରହିଥିଲେ ସେମାନେ ବସ୍ତୁତଃ ମାକ୍ସ ବ୍ରଡ୍ ଙ୍କ ପ୍ରଭାବ ରେ ପରିଚାଳିତ ହେଉଥିଲା ।

ଡାକ୍ତର ଆର୍ଣ୍ଣଷ୍ଟ ୱେଇଜ୍ କିନ୍ତୁ କାଫକାଙ୍କ ନିକଟତମ ବନ୍ଧୁମଣ୍ଡଳୀରେ ମାକ୍ସ ବ୍ରଡ୍ ଙ୍କ ଆଧିପତ୍ୟକୁ ପସନ୍ଦ କରୁନଥିଲେ । ସେ ଏକ ନିରଙ୍କୁଶ ବନ୍ଧୁତା କାଫକାଙ୍କ ସହିତ ରଖିବାକୁ ଚାହୁଁଥିଲେ ଯାହା ମାକ୍ସ ବ୍ରଡଙ୍କ ଉପସ୍ଥିତି କାରଣରୁ ସମ୍ଭବପର ନଥିଲା। କାଫକା ଯେହେତୁ ମାକ୍ସ ବ୍ରଡଙ୍କ ଉପରେ ଅଧିକ ନିର୍ଭରଶୀଳ ଥିଲେ ତେଣୁ ଡାଃ ୱେଇଜ୍ ଓ କାଫକା ଙ୍କ ଭିତରେ ସମ୍ପର୍କରେ ଫାଟ ଧରିବାକୁ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଡାଃ ୱେଇଜ୍ ଙ୍କ ଧାରଣା ଥିଲା ଯେ,କାଫକାଙ୍କ ଜୀବନରେ ଯାହା ଯାହା ସମସ୍ୟା ରହିଛି ଯଦି ସେ ପ୍ରେଗ୍ ସହରରୁ ଯାଇ ଅନ୍ୟତ୍ର ଅର୍ଥାତ୍ ବର୍ଲିନ୍ ସହରରେ ବସବାସ କରନ୍ତି ତାହାହେଲେ ସେ ସାହିତ୍ୟିକ ଭାବରେ ଅଧିକ ବ୍ୟବସ୍ଥିତ ହୋଇପାରିବେ । ତାଙ୍କ ବିଚାରରେ ଏହି ମାକ୍ସ ବ୍ରଡ୍ ହିଁ କାଫକାଙ୍କୁ ଅନ୍ୟତ୍ର ଯିବାରେ ଏକମାତ୍ର ପ୍ରତିବନ୍ଧକ ।

ଏଇ ସବୁ ବ୍ୟତିତ ଯାହା ସବୁଠୁ ବଡ କାରଣ କାରଣ ,କାଫକା ଆଉ ଡାଃ ୱେଇଜ୍ ଙ୍କ ମଧ୍ୟରେ ସଂପର୍କର ଫାଟ କହିବାକୁ ଗଲେ ଆଗରୁ ଉଲ୍ଳେଖ କରାଯାଇଥିବା ଡାଃ ୱେଇଜ୍ ଙ୍କ ଉପନ୍ୟାସ ” ଦି ଷ୍ଟ୍ରଗଲ୍” କୁ କେନ୍ଦ୍ର କରି ଘଟିଥିଲା । କାଫକା ଏହି ଉପନ୍ୟାସକୁ ପ୍ରକାଶନ ପୂର୍ବରୁ ପଢିଥିଲେ ଆଉ ଡାଃ ୱେଇଜ୍ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ,ପ୍ରକାଶନ ପରେ ସେ ଏହି ଉପନ୍ୟାସର ଗୋଟିଏ ରିଭିଉ ବା ସମୀକ୍ଷା ସମ୍ବାଦପତ୍ର ରେ ଲେଖିବେ । ମାତ୍ର ୧୯୧୬ ମସିହାରେ ସେହି ଉପନ୍ୟାସଟି ପ୍ରକାଶିତ ହେଲା ବେଳକୁ କାଫକା ଦୀର୍ଘଦିନ ଧରି ଗୋଟିଏ ଲେଖକୀୟ ଅସୁସ୍ଥତା ଭୋଗୁଥାନ୍ତି । ସବୁ ଲେଖକ ମାନେ ମଝିରେ ମଝିରେ ଏଇଭଳି ଅସୁଖ ଭୋଗିଥାନ୍ତି ,ଯେତେବେଳେ ସେମାନେ ଯେତେ ଚେଷ୍ଟା କଲେ ବି ଧାଡିଟିଏ ଲେଖିପାରୁନଥାନ୍ତି । ଏହାକୁ “ରାଇଟର୍ସ ବ୍ଲକ୍” ବୋଲି କୁହାଯାଏ । କାଫକାଙ୍କର ସେହି ସାହିତ୍ୟ ଦୃଷ୍ଟିରୁ ଉତ୍ପାଦହୀନ ସମୟକୁ ଡାଃ ୱେଇଜ୍ ଭିନ୍ନ ଅର୍ଥରେ ଗ୍ରହଣ କରିଥିଲେ । ତାଙ୍କର ଧାରଣା ହୋଇଥିଲା ଯେ,କାଫକା ଙ୍କର ସେହି ଉପନ୍ୟାସର ସମୀକ୍ଷା ନଲେଖିବା ହେଉଛି ଏକ ଇଚ୍ଛାକୃତ ବାହାନା । ତେଣୁ ଉଭୟଙ୍କ ଭିତରେ ସଂପର୍କ ତିକ୍ତ ହେବାକୁ ଲାଗିଲା। ଅନ୍ୟପକ୍ଷରେ ସେସମୟରେ କାଫକା ନିଜର ପ୍ରିୟତମା ଫେଲିସ୍ ବାଉର୍ କୁ ଗୋଟିଏ ଚିଠିରେ ଲେଖିଥିଲେ,”ଯେ ପର୍ଯ୍ୟନ୍ତ ଆମ ଭିତରେ ସଂପର୍କରେ କିଛି ସୁଧାର ଆସିନାହିଁ ସେଯାଏଁ ନୂଆ ଆଉ କିଛି କାର୍ଯ୍ୟ କରିବା ସମ୍ଭବ ନୁହଁ ।”

କାଫକା ଆଉ ଡାଃ ଆର୍ଣ୍ଣଷ୍ଟ ୱେଇଜ୍ ଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର କରିବାପାଇଁ ଚେଷ୍ଟା ହୋଇଥିଲା ମାତ୍ର ତାହା ସଫଳ ହେଲା ନାହିଁ । ସେମାନଙ୍କ ଭିତରେ ସଂପର୍କ କ୍ରମଶଃ ଏହିଭଳି ତିକ୍ତ ହୋଇଯାଇଥିଲା ଯେ, ଡାକ୍ତର ୱେଇଜ୍ ପ୍ରକାଶ୍ୟ କହିଥିଲେ,” କାଫକା ଜଣେ ସ୍କାଉଣ୍ଡ୍ରେଲ୍ ଆଉ ସାମାଜିକ ଭାବରେ ଜଣେ ପ୍ରତିବନ୍ଧୀ”।

ଗୋଟିଏ ସମୀକ୍ଷା ଲେଖାକୁ ନେଇ ଲେଖକ ଲେଖକ ଭିତରେ ସମ୍ପର୍କର ରାତି ଅଧର ପୋଲ କେମିତି ଭୁଷୁଡିଯାଏ ,ଇଏ ହେଉଛି ସେମିତି ଏକ କରୁଣ ଛବି ।

Leave A Reply

Your email address will not be published.