ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧

ଭାଷାରେ ବହୁ ଶବ୍ଦ ଅଛି
ସ୍ବରୁଚି ଜାଣି ନେଉଁ ବାଛି
କେଉଁଟି ଠିକ୍‌ କିମ୍ବା ଭୁଲ୍‌
ଭାଷାରେ ନୁହେ ବିଲ୍‌କୁଲ୍‌

ଭାଷା ମାତ୍ରକେ ଆଞ୍ଚଳିକ
କଥା ମାତ୍ରକେ ସାମୟିକ
ସ୍ଥାନ ଓ କାଳ ଅନୁଯାୟୀ
କିଛି ବି ନୁହେ ଚିରସ୍ଥାୟୀ

ଯେ କହେ କିମ୍ବା ଲେଖେ ଭିନ୍ନ
ତାହାକୁ କରିଦେଲେ ନ୍ୟୂନ
ବଢ଼େନି କାହାର ସମ୍ମାନ
ଏହା ଭାଷାର ବଡ଼ ଗୁଣ

ତୁ, ତୁମେ ସହିତ ଆପଣ
ଭାଷାର ଏହି ଶବ୍ଦମାନ
ସୂଚାନ୍ତି ପାତର ଅନ୍ତର
ନାହିଁ ଏହାର ପ୍ରତିକାର

ବୟସ, ଶିକ୍ଷା ବ୍ୟବଧାନ
ହେଲେ ହେଁ ସଭିଏଁ ସମାନ
ଭାଷାକୁ କରନ୍ତି ଆଦର
ତେଣୁ ବଢ଼ାନ୍ତି ବ୍ୟବହାର

ସମାର୍ଥକ ଶବ୍ଦର ଘର
ସ୍ବଭାଷା ଅଟଇ ଆମର
ହୁଏନି କେବେ ଶବ୍ଦାଭାବ
ଯାହା କହିବା, ତାହା ହେବ

ଜଣ କହିଲେ ଗଣ ବୁଝେ
କିଏ ବା ଶବ୍ଦ ଋଣ ସୁଝେ
କରିଲେ ଶବ୍ଦ ବ୍ୟବହାର
ଉନ୍ନତି ହୁଏ ସ୍ବଭାଷାର