Latest Odisha News

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀମନ୍ଦିରର ନାଟ୍ୟ ମଣ୍ଡପ ବା ନାଟ୍ୟ ମନ୍ଦିରର କଳା ଓ ସ୍ଥାପତ୍ୟରେ ଅନେକ ବିଶେଷତ୍ୱ ରହିଛି । ପ୍ରାୟ ୮୦ଫୁଟ ଙ୍ଘ ୮୦ଫୁଟ ଭିତ୍ତିଭୂମି ଉପରେ ନିର୍ମିତ ଏହି ମଣ୍ଡପ ସାଧାରଣତଃ କଳିଙ୍ଗ ଶୈଳୀର ମନ୍ଦିରର ସ୍ଥାପତ୍ୟଠାରୁ କିଛିଟା ଭିନ୍ନ । ଏହାର ଉପରିଭାଗରେ ମସ୍ତକ ନ ରହି ସମତଳ ଛାତ ରହିଥିବାରୁ ଏଥିରେ ଅନ୍ୟ ମନ୍ଦିର ଅପେକ୍ଷା ବ୍ୟତିକ୍ରମ ଦେଖାଯାଏ । ପଶ୍ଚିମରେ ଜଗମୋହନ ଓ ପୂର୍ବରେ ଭୋଗ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ସରଳ ରେଖାରେ ଅବସ୍ଥିତ ଏହି ନାଟ୍ୟ ମଣ୍ଡପ ଭିତରେ ଥିବା ଅନେକ ଚିତ୍ରକଳା ତଥା ମୂର୍ତ୍ତିକଳା ଗୁରୁତ୍ୱ ବହନ କରେ । ଏହାର ଉତ୍ତର ଓ ଦକ୍ଷିଣ ଦିଗରେ ଗୋଟିଏ ଲେଖାଏଁ ପ୍ରଶସ୍ତ ଦ୍ୱାର ଭିତର ପରିକ୍ରମା ତଥା ପାଟ ଅଗଣାକୁ ଉନ୍ମୁକ୍ତ ।

ଉତ୍ତର ଦିଗରେ ରହିଥିବା ଦ୍ୱାର ସଂଲଗ୍ନ ‘ସାତ ପାହାଚ’ ସମ୍ପ୍ରତି ଯାତ୍ରୀମାନଙ୍କ ମୁଖ୍ୟ ପ୍ରବେଶ ପଥ ଭାବରେ ବ୍ୟବହୃତ । ରଥଯାତ୍ରା ସମୟରେ ଏହି ସାତ ପାହାଚ ଦେଇ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ହେଇଥାଏ । ଏହା ବ୍ୟତିତ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ଆଉ ତିନୋଟି ଲେଖାଏଁ ଛୋଟ ଦୁଆର ମଧ୍ୟ ରହିଅଛି ।

ଅଗ୍ନିକୋଣରେ ରହିଥିବା ଦ୍ୱାର ଦେଇ ଭୋଗ ସମୟରେ ଛେକ ବୁହା ଯିବାର ବ୍ୟବସ୍ଥା ରହିଛି । ଉତ୍ତର ପଟେ ରହିଥିବା ସାତପାହାଚର ସମାନ୍ତରାଳ ଭାବେ ଅନ୍ୟ ପାହାଚ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗାରଦ ପାଶ୍ୱର୍ରେ ରହିଛି । ଅନ୍ୟ ଦୁଇଟି ଛୋଟ ଦୁଆର ମଧ୍ୟରୁ ଗୋଟିଏ ସିଧା ଗାରଦ ସହିତ ସଂଯୁକ୍ତ ଏବଂ ଅନ୍ୟଟି ନାଭିକଟା ମଣ୍ଡପ ପାଶ୍ୱର୍ରେ ରହିଛି ।

ନାଟ୍ୟ ମଣ୍ଡପର ଚତୁଃପାଶ୍ୱର୍ ବାଡ଼ର ଆଭ୍ୟନ୍ତର ଭାଗରେ ଚଟାଣ ଉପରେ ଚାରିଗୋଟି ଧାଡ଼ିରେ ମୋଟ ଷୋହଳଗୋଟି ସ୍ତମ୍ଭ ଦଣ୍ଡାୟମାନ । ଏହି ଆୟତ ଘନାକାର ସ୍ତମ୍ଭଗୁଡ଼ିକର ପ୍ରତ୍ୟେକ ପାଶ୍ୱର୍ର ପ୍ରସ୍ଥ ସାଢ଼େ ଚାରି ଫୁଟ । ଚାରି ପାଶ୍ୱର୍ରେ ବାଡ଼ଠାରୁ ପ୍ରାୟ ସାଢ଼େ଼ ସାତ ଫୁଟ ବ୍ୟବଧାନରେ ସଳଖ ଧାଡ଼ିରେ ସ୍ତମ୍ଭଗୁଡ଼ିକ ବିଦ୍ୟମାନ । ମଧ୍ୟବର୍ତ୍ତି ଦୁଇ ଧାଡ଼ିର ସ୍ତମ୍ଭର ବ୍ୟବଧାନ ଦୁଇ ପାଶ୍ୱର୍ର ସ୍ତମ୍ଭର ବ୍ୟବଧାନ ଅପେକ୍ଷା ଅଧିକ ପ୍ରଶସ୍ତ ରହିଛି । ସ୍ତମ୍ଭଗୁଡ଼ିକର ସ୍ଥାପନଏପରି କରାଯାଇଛି ଯାହା ଦ୍ୱାରା ଗରୁଡ଼ ସ୍ତମ୍ଭ ପାଖରୁ ମହାପ୍ରଭୁଙ୍କ ଦର୍ଶନରେ ବାଧକ ହୁଏନାହିଁ । ମଧ୍ୟବର୍ତ୍ତିୀ ଚାରିଗୋଟି ଅପେକ୍ଷାକୃତ ଅଧିକ ଉଚ୍ଚତା ବିଶିଷ୍ଟ (ପ୍ରାୟ ୨୫ ଫୁଟ) ସ୍ତମ୍ଭ ଦ୍ୱାରା କେନ୍ଦ୍ରରେ ଯେଉଁ ଚତୁଃଷ୍କୋଣ ସୃଷ୍ଟି ହୋଇଛି ତାହା ସମଗ୍ର ମଣ୍ଡପର ନକ୍ସାକୁ ସୁବିଭାଜିତ କରିଛି । ଏହା ବ୍ୟତିତ ଏହାର ଚତୁଃର୍ଦିଗ ପରିବେଷ୍ଟିତ ଅବଶିଷ୍ଟ ବାରଟି ସ୍ତମ୍ଭର ଉଚ୍ଚତା ପ୍ରାୟ ଷୋଳ ଫୁଟ ରହିଛି । ଏହି ବାରଟି ସ୍ତମ୍ଭର ଉପରେ ପୀଢ଼ଗୁଡ଼ିକ ରହିଥିଲା ବେଳେ କେନ୍ଦ୍ରୀୟ ଚାରିଟି ସ୍ତମ୍ଭ ଉପରେ ସମତଳ ଛାତ ରହିଥିବାର ଜଣାଯାଏ । ଭୋଗ ମଣ୍ଡପ ସ୍ଥାପତ୍ୟରେ ଅନ୍ତଃନିର୍ହିତ ଜ୍ୟାମିତିକ ସୂତ୍ରକୁ ଅନୁଶୀଳନ କଲେ ପାରମ୍ପରିକ ମନ୍ଦିର ନିର୍ମାଣ କୌଶଳର ବିଜ୍ଞ ବିନ୍ଧାଣୀମାନଙ୍କ ଜ୍ଞାନର ପରାକାଷ୍ଠା ପ୍ରମାଣିତ ହୁଏ ।

ଶ୍ରୀମନ୍ଦିର ନିର୍ମାଣର ସଠିକ୍ କାଳ ଓ ନିର୍ମାତାଙ୍କ ନାମ ବିଷୟରେ ମତପାର୍ଥକ୍ୟ ରହିଛି । ତେବେ ସୂର୍ଯ୍ୟବଂଶର ଗଜପତି ପୁରୁଷୋତ୍ତମ ଦେବଙ୍କ (୧୪୭୬- ୯୭)ଶାସନ କାଳରେ ଏହି ନାଟ୍ୟ ମଣ୍ଡପ ନିର୍ମାଣ ହୋଇଥିବାର ତଥ୍ୟ ଅଧିକ ଗ୍ରହଣୀୟ ହୋଇଛି । ତତ୍‌କାଳୀନ ସ୍ଥପତିମାନଙ୍କର ପାରମ୍ପରିକ ଜ୍ଞାନକୌଶଳର ଉପଯୋଗ କରି ଏହି ମଣ୍ଡପ ନିର୍ମାଣ କରାଯାଇଛି । ସମୁଦାୟ ନିର୍ମାଣ କାର୍ଯ୍ୟ ସାହାଣ
ପଥରରେ ସଠିକ୍ ଜ୍ୟାମିତିକ ସୂତ୍ର ପ୍ରୟୋଗରେ ଏହାର ନକ୍ସା ସମୃଦ୍ଧ । ଦୃଢ଼ ମୁଳଦୂଆ ଉପରେ ଚାରିପଟେ ବାଡ଼ ସହିତ ମଧ୍ୟ ଭାଗରେ ଷୋହଳ ଗୋଟି ସ୍ତମ୍ଭକୁ ନେଇ ଯେଉଁ ପୀଢ଼ଯୁକ୍ତ ସ୍ଥାପତ୍ୟ ସୃଷ୍ଟି କରାଯାଇଛି ତାହା ଅନନ୍ୟ ।

ଉପରିଭାଗର ଚାପ କମାଇବା ପାଇଁ ପୀଢ଼ଗୁଡ଼ିକର ନିମ୍ନଦେଶରେ ଅନେକଟି ସମ ଦ୍ୱିବାହୁ ତ୍ରିଭୂଜାକୃତି କାନ୍ଥଖୁରା ସୃଷ୍ଟି କରାଯାଇଛି ।
ମଧ୍ୟ ଭାଗରେ ଥିବା ଚାରିଗୋଟି ସୁଉଚ୍ଚ ସ୍ତମ୍ଭ ପରସ୍ପରକୁ ତିନିଗୋଟି ଲେଖାଁଏ ଲୌହ ବିମ୍ ଦ୍ୱାରା ସଂଯୁକ୍ତ କରି ତା’ ଉପରେ ସମତଳ ଛାତର ଭାର ରହିଅଛି । ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ବାୟୂ ସଞ୍ଚାଳନ ପାଇଁ କିଛି ଜାଲି ବା ଦ୍ୱାର ରହିଛି ।

ଚାରୁକଳା ଓ କାରୁକଳା :-
ନାଟ୍ୟ ମଣ୍ଡପରେ ସ୍ତମ୍ଭଗୁଡ଼ିକର ଚତୁଃପାଶ୍ୱର୍ରେ ଅନେକ ମୂର୍ତ୍ତି ରହିଥିବା ବେଳେ ଅନେକ କେବଳ ଚିତ୍ରଣ ମଧ୍ୟ ରହିଛି । ମୂର୍ତ୍ତିଗୁଡ଼ିକର ଗଠନ ଶୈଳୀ ତଥା ଚିତ୍ରଣ ସମଗ୍ର ଓଡ଼ିଶୀ ପାରମ୍ପରିକ ଧାରାରେ କରାଯାଇଛି । ସ୍ତମ୍ଭର ଅନେକ ପାଶ୍ୱର୍ରେ ପୂର୍ବେ କିଛି ବା କିଛି ଚିତ୍ରଣ ରହିଥିଲା ମାତ୍ର ଏହି ୨୦୨୦-୨୧ରେ ଯେଉଁ ପୁନଃଚିତ୍ରଣ କରାଯାଇଛି ସେଥିରେ ଅନେକ ପାଶ୍ୱର୍ ଶୂନ୍ୟ ଅଥବା କିଛି ଅଳଙ୍କରଣ ନକ୍ସା ମାତ୍ର କରାଯାଇଛି ।

ଚତୁଃପାଶ୍ୱର୍ରେ ଉପରେ ପୀଢ଼ ତଳକୁ ରହିଥିବା ପଟିରେ ରାଧା ଓ କୃଷ୍ଣଙ୍କ ଧାରାବାହିକ ଚିତ୍ରଣ କରାଯାଇଛି । ମଧ୍ୟ ଭାଗରେ ଥିବା ଚାରିଗୋଟି ସ୍ତମ୍ଭକୁ ନେଇ ଯେଉଁ ସମତଳ ଛାତ ରହିଛି ତା’ର ନିମ୍ନରେ ବୃତ୍ତାକାରରେ ସେହିଭଳି ରାଧାକୃଷ୍ଣଙ୍କ ପରସ୍ପର ହାତଛନ୍ଦା ରାସ ଚିତ୍ରଣର କେନ୍ଦ୍ରରେ ଏକ ସୁଦୃଶ୍ୟ ପଦ୍ମ ନିମ୍ନମୁଖୀ ହୋଇ ଗଢ଼ାଯାଇଛି । ଏଥିରେ ଦ୍ୱାଦଶ ସଂଖ୍ୟକ ଶ୍ରୀରାଧା- ଶ୍ରୀକୃଷ୍ଣଙ୍କ ରାସର ଚିତ୍ରଣ
ରହିଛି । ଏହା ବ୍ୟତୀତ ନାଟ୍ୟ ମଣ୍ଡପର ସମସ୍ତ ସ୍ତମ୍ଭର ଚତୁଃପାଶ୍ୱର୍, ପୀଢ଼ର ନିମ୍ନଭାଗ ଓ କାନ୍ଥଗୁଡ଼ିକର ଉପରିଭାଗ ସର୍ବତ୍ର ଚିତ୍ରଣରେ ପରିପୂର୍ଣ୍ଣ । ମଣ୍ଡପର ବାହ୍ୟଦେଶରେ କୌଣସି କଳାତ୍ମକ ବିଭବ ରହିନଥିବାର ଅଭାବକୁ ଆଭ୍ୟନ୍ତରର ଏହି ଚାରୁକଳା ଓ କାରୁକଳା ଅନେକାଂଶରେ ମେଣ୍ଟାଇଥାଏ । ନାଟ୍ୟ ମଣ୍ଡପର ପୂର୍ବ ପାଶ୍ୱର୍ କାନ୍ଥ ତଥା ଭୋଗ ମଣ୍ଡପର ପଶ୍ଚିମ ପାଖ କାନ୍ଥରେ ଅନେକ ଆକର୍ଷଣୀୟ କାରୁକଳା ରହିଅଛି । ଉତ୍ତର ପୂର୍ବ କୋଣରେ ଅନନ୍ତଶୀୟୀ ବିଷ୍ଣୁଙ୍କ ମୁଣ୍ଡ ଉପରେ ସପ୍ତଫଣା ଛତା ପରି ଢାଙ୍କି ହୋଇରହିଛି । ତାଙ୍କ ପାଦ ନିକଟରେ ମା’ ଲକ୍ଷ୍ମୀ ବସି ପାଦ ମଞ୍ଚାଳୁଛନ୍ତି । ନିକଟରେ ନାରଦ ବୀଣା ବାଦନ କରୁଥିବା ଦେଖାଯାଏ ।

ଏହା ସହିତ ଶିବ ଓ ବ୍ରହ୍ମାଙ୍କ ମୂର୍ତ୍ତି ମଧ୍ୟ ପରିଲକ୍ଷିତ । ଭୋଗ ମଣ୍ଡପ ଦ୍ୱାରର ଉତ୍ତର ପଟ କାନ୍ଥରେ ସୁଦୃଶ୍ୟ ବୃହଦାକାର କାଞ୍ଚି ବିଜୟର ଗାଥା ବହନ କରିଥିବା ସ୍ଥାପତ୍ୟ ବିଦ୍ୟମାନ । ଏଥିରେ ଯୋଦ୍ଧା ରୂପରେ କୃଷ୍ଣକାୟ ଜଗନ୍ନାଥ ଧଳାରଙ୍ଗର ଘୋଡ଼ା ଉପରେ ଓ ଶ୍ୱେତବର୍ଣ୍ଣ ବଳଭଦ୍ର କଳାଘୋଡ଼ା ଉପରେ ଖଡ଼୍‌ଗ ହସ୍ତରେ ଆସୀନ । ସମ୍ମୁଖରେ ଦଧିଭାଣ୍ଡ ମୁଣ୍ଡରେ ଧରି ମାଣିକ ଗଉଡ଼ୁଣୀ ଦଣ୍ଡାୟମାନ ।

କିମ୍ବଦନ୍ତୀ କହେ କଳିଙ୍ଗ ସମ୍ରାଟ ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହେବା ପରେ ଦ୍ୱିତୀୟବାର ଯୁଦ୍ଧଯାତ୍ରା କରିଥିଲେ । ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ସାହାଯ୍ୟ ଭିକ୍ଷା କରି ଯାଇଥିଲେ । ରଜାଙ୍କ ପୂର୍ବରୁ ଜଗନ୍ନାଥ ବଳଭଦ୍ର ଯୁଦ୍ଧ କ୍ଷେତ୍ରକୁ ଯାଇଥିବାର ପ୍ରମାଣ ରଜା ଗଉଡ଼ୁଣୀଠାରୁ ପାଇଥିଲେ । କହିବା ବାହୂଲ୍ୟ ସେହି ଯୁଦ୍ଧରେ ପୁରଷୋତ୍ତମ ଦେବଙ୍କ ବିଜୟ ହୋଇଥିଲା ଏବଂ ତାଙ୍କରି ଶାସନକାଳରେ ଭୋଗ ମଣ୍ଡପର ନିର୍ମାଣ ହୋଇଥିବାରୁ ଏହି ତଥ୍ୟ ମୂର୍ତ୍ତି ଆକାରରେ ଶୋଭା ପାଇବା ଯଥାର୍ଥ ଜଣାଯାଏ । ଭୋଗ ମଣ୍ଡପ ପଶ୍ଚିମ ଦ୍ୱାରର ଦୁଇ ପାଶ୍ୱର୍ କାନ୍ଥ ଧାରରେ ଉତ୍ତର ପଟୁକୁ ଶିବ ଓ ଦକ୍ଷିଣ ପାଶ୍ୱର୍ରେ ବ୍ରହ୍ମାଙ୍କ ମୂର୍ତ୍ତି ରହିଅଛି । ଏ ଦୁଇ ମୂର୍ତ୍ତିର ଉଚ୍ଚତା ପ୍ରାୟ ବାର ଫୁଟ ହେବ । କାନ୍ଥର ଦକ୍ଷିଣ ପାଶ୍ୱର୍ରେ ସୁଦୃଶ୍ୟ ଦଶାବତାର ମୂର୍ତ୍ତି ଯଥା ମୀନ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ , ଜଗନ୍ନାଥ (ବୁଦ୍ଧ) ଓ କଳ୍‌କୀ ଏହି କ୍ରମରେ ବିଦ୍ୟମାନ ।

କାନ୍ଥର ଉଭୟ ପାଶ୍ୱର୍ରେ ଥିବା ଏହି ମୂର୍ତ୍ତି ସମୁହ ପାରମ୍ପରିକ ରୀତିରେ ଚୂନ, ଗୁଡ଼ ଓ ପ୍ରାକୃତିକ ଅଠାର ସମିଶ୍ରଣରେ ନିର୍ମିତ ହୋଇ ସେଥିରେ ଚିତ୍ରକାରଙ୍କ ଦ୍ୱାରା ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଇଛି । ନାଟ୍ୟ ମଣ୍ଡପରେ ପୂର୍ବ ପାଶ୍ୱର୍ ମଧ୍ୟବର୍ତ୍ତିୀ ସ୍ଥାନରେ ଭୋଗ ମଣ୍ଡପ ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ଗରୁଡ଼ ସ୍ତମ୍ଭ ଅନେକ ଗୁରୁତ୍ୱ ବହନ କରେ । ଯେଉଁ ପଥରରେ ଏହି ସ୍ତମ୍ଭଟି ନିର୍ମିତ ତାହାର ସଠିକ୍ ଚିହ୍ନଟ ଏପର୍ଯ୍ୟନ୍ତ ହୋଇନାହିଁ । ସ୍ତମ୍ଭ ଉପରେ ଥିବା ମୁଗୁନି ପଥରର ଗରୁଡ଼ ମୂର୍ତ୍ତିଙ୍କ ନିୟମିତ ମାଜଣା ସ୍ୱତନ୍ତ୍ର ସେବକଙ୍କ ଦ୍ୱାରା କରାଯାଇଥାଏ । ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଭକ୍ତମାନେ ପ୍ରଥମେ ଗରୁଡ଼ ସ୍ତମ୍ଭରେ ମୁଣ୍ଡ ଲଗାଇ ଯିବାର ପ୍ରଥା ରହିଛି । ନାଟ୍ୟ ମନ୍ଦିରର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକୁ ଏହାର ପୂର୍ବରେ ଭୋଗ ମଣ୍ଡପର ପଶ୍ଚିମ ପାଶ୍ୱର୍ ଦ୍ୱାର ଓ ପଶ୍ଚିମ ପାଶ୍ୱର୍ରେ ଜଗମୋହନର ପୂର୍ବ ପାଶ୍ୱର୍ ଦ୍ୱାର ବା ଜୟ ବିଜୟ ଦ୍ୱାର ଦ୍ୱୟର ସୂକ୍ଷ୍ମ କାରୁକଳା ମଣ୍ଡିତ ଦ୍ୱାରବନ୍ଧ ବହୁଗୁଣିତ କରିଥାଏ । ସମ୍ପୂର୍ଣ୍ଣ  କଳିଙ୍ଗ ଶୈଳୀର ବିଷ୍ଣୁ ମନ୍ଦିରର ପାରମ୍ପରିକ ସ୍ଥାପତ୍ୟର ଗୁରୁତ୍ୱ ବହନ କରିଥିବା ତଥା ଶିଳ୍ପଶାସ୍ତ୍ରରେ ବର୍ଣ୍ଣିତ ନିୟମ ଅନୁସାରେ ନିର୍ମିତ ଏହି ଦୁଇଗୋଟି ଦ୍ୱାରବନ୍ଧରେ ବିଶେଷ ପାର୍ଥକ୍ୟ ଦେଖାଯାଏ ନାହିଁ । ପ୍ରବେଶ ପଥର ଦୁଇ ପାଶ୍ୱର୍ ତଥା ଉପର ବନ୍ଧରେ ସାତଗୋଟିି ଥାକରେ ବିଭିନ୍ନ ନକ୍ସାର ଖୋଦନ ଏବଂ ବାହାର ପଟିରୁ ଆରମ୍ଭ କରି ଭିତରକୁ ରହିଥିବା ଥାକଗୁଡ଼ିକ କ୍ରମାନ୍ୱୟରେ ସାମାନ୍ୟ ପଛକୁ ରହି ଏକ ଭିନ୍ନ ପାଶ୍ୱର୍ଦୃଶ୍ୟ  ସୃଷ୍ଟି କରନ୍ତି ।

ଏହି ପଟି ବା ବନ୍ଧନୀଗୁଡ଼ିକରେ ବିଭିନ୍ନ ଫୁଲର ଡାଳିଲତା, ନାଗଛନ୍ଦ, ପଦ୍ମପାଖୁଡ଼ା, ଡାଳି ସହିତ ଛନ୍ଦାୟିତ କୌତୁକୀ ମଣିଷ ଇତ୍ୟାଦି ସ୍ଥାନ ପାଇଛି । ଏହି ବନ୍ଧନୀଗୁଡ଼ିକ ଦୁଇ ପାଶ୍ୱର୍ର ନିମ୍ନ ଭାଗରୁ ଆରମ୍ଭ ହୋଇ ସମାନ୍ତରାଳ ଭାବରେ ଉର୍ଦ୍ଧ୍ୱମୁଖୀ ହୋଇ ଉପର କୋଣରେ ପୁନଃ ଅର୍ନ୍ତମୁଖୀ ହୋଇଛନ୍ତି । ଲିନ୍‌ଟେଲ ମଧ୍ୟ ଭାଗରେ ଏକ ପ୍ୟାନେଲ ମଧ୍ୟରେ ଗଜଲକ୍ଷ୍ମୀ ବିଭୂଷିତ । ଦୁଇ ପାଶ୍ୱର୍ ଦ୍ୱାର ବନ୍ଧର ଏଇ ସପ୍ତ ବନ୍ଧନୀର ବାହାରକୁ ଦୁଇଟି ସ୍ତମ୍ଭ ସଦୃଶ୍ୟ ସ୍ଥାପତ୍ୟ ଦେଖାଯାଏ ଯାହାର ମଧ୍ୟ ଭାଗରେ ଜୟବିଜୟ ମୂର୍ତ୍ତି ବିଦ୍ୟମାନ । ବନ୍ଧନୀର
ନିମ୍ନଦେଶରେ ଦୁଇପାଶ୍ୱର୍ରେ ଦୁଇଟି ଠଣା ମଧ୍ୟରେ ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ରହିଥିବାର ଦେଖାଯାଏ ।

ଜୟବିଜୟ ଦ୍ୱାର ବନ୍ଧରେ ଥିବା କୁଟିକମ ଅପେକ୍ଷା ଭୋଗ ମଣ୍ଡପ ଦ୍ୱାରର କାମ ଅଧିକ ସୂକ୍ଷ୍ମ । ଜୟବିଜୟ ଦ୍ୱାରର ଦୁଇ ପାଶ୍ୱର୍ର କାନ୍ଥରେ ଜୟ ଓ ବିଜୟଙ୍କର ବୃହତ୍‌ ଚିତ୍ର ଅଙ୍କିତ ଓ ଜଗମୋହନ ଓ ନାଟ୍ୟ ମଣ୍ଡପର ସଂଯୁକ୍ତ ସ୍ଥଳୀର ଉପର ବିମ୍‌ରେ କ୍ଷୁଦ୍ରାକାରର ବହୁ ପ୍ରାଚୀନ ମୂର୍ତ୍ତି ରହିଅଛି । ଏହାର ପୂର୍ବ ପାଶ୍ୱର୍ ବିମ୍‌ରେ ରହିଥିବା ଦଶାବତାର ମୂର୍ତ୍ତିର ନବମ ଅବତାରରେ ବୁଦ୍ଧ ରହିଛନ୍ତି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

କ୍ରମଶଃ…

Comments are closed, but trackbacks and pingbacks are open.