ଧାରାବାହିକ ଉପନ୍ୟାସ : ଦେବୀ (୪୪)

0
22

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୪

ସେଦିନ ବୋଧେ ବର୍ଷା ଅପେକ୍ଷା କରିଥିଲା ଦେବୀର ନିରବତାକୁ। ଦେବ ଭାଇଙ୍କ ଦିତୀୟ ଥର ପ୍ରଶ୍ନ ତା କୁଆଁରୀ ହୃଦୟ ଭିତରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଆଲୋଡନ । ଦେବୀକୁ ଲାଗିଲା ଯେମିତି ଆମୂଳଚୁଳ ପରିବର୍ତ୍ତନ ହେଉଛି ତା ଚେତନାର। ବାହାରେ ବର୍ଷା ନାଚୁଥିଲା।

ସତେ ଯେମିତି ସହସ୍ର ଜନ୍ମର ଅନ୍ଧାର ହଟିଯାଇ ଖେଳିଯାଉଛି ଏକ ଦିବ୍ୟାଲୋକ। ଦେବୀର କିଶୋରୀ ହୃଦୟ ପୁରି ଯାଉଛି ସେ ଆଲୋକର ଔଜ୍ଵଲ୍ୟରେ। ସେ ଭୁଲି ଯାଉଛି ତିନିକାଳର ଉପସ୍ଥିତି। ବିସ୍ମରି ଯାଉଛି ଭାବ, ଭଙ୍ଗୀ ଓ ଭାଷା।
କେତେ ମୁହୂର୍ତ୍ତ ଏମିତି ନିରବତା ଭିତରେ ସରିଗଲା ଦେବୀ ତା ଜାଣି ପାରିଲା ନାହିଁ। ତାର ମନେ ପଡ଼ିଲା ତା ପାଖରେ କେହିଜଣେ ଅଛି,ଯିଏ ଏଇ କେଇ ମୁହୂର୍ତ୍ତ ପୂର୍ବରୁ ବ୍ୟୟ କରିଛି କିଛି ଶବ୍ଦ। ସେ ଶବ୍ଦମାନଙ୍କ ଦେହରେ ବୋଳା ଯାଇଛି କିଛି ସଂଶୟ,କିଛି ବିଚଳିତପଣ।

ସେ ହଠାତ୍ ନିଦରୁ ଉଠିପଡ଼ିଲା ପରି ବର୍ତ୍ତମାନକୁ ଫେରିଆସି ଆଖପାଖର ପୃଥିବୀକୁ ଖୋଜିବାରେ ଲାଗିଲା। ସେ ଦେଖି ପାରିଲା ତା ପାଖରେ ଏକ ଆଶ୍ଚର୍ଯ୍ୟ ଚାହାଣୀରେ ଚାହିଁ ବସିଛନ୍ତି ଦେବ ଭାଇ।

ଦେବୀକୁ ଲାଜ ଲାଗିଲା, ଡର ବି। ଦେବ ଭାଇ ତା ଉପରେ ରାଗିନାହାନ୍ତି ତ! ପୁନଶ୍ଚ ତାର ମନେପଡିଲା ଦେବ ଭାଇ ପଚରିଥିବା ଏକ ପ୍ରଶ୍ନ।

ସେ ପ୍ରଶ୍ନର ଉତ୍ତର ତା ପାଖରେ ନାହିଁ ବୋଲି ଜାଣି ବି ଦେବ ଭାଇ କାହିଁକି ପଚାରିଲେ ତାକୁ। ସେ କଣ ତା ସହିତ ମଜା କରୁଛନ୍ତି,କି ଥଟ୍ଟା କରୁଛନ୍ତି ତାର ନିରୀହ ଅଜ୍ଞାତାକୁ। ତା ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ଆଖିରୁ ବୋହିବାର ଲାଗିଲା ଅମୃତ ଝରା ସୁନାମୁହିଁ ନଈ।

ଦେବ ଭାଇ ନର୍ଭସ ହୋଇଗଲେ ବୋଧେ। ଦେବୀ ଲୁହ ପୋଛୁପୋଛୁ ତାଙ୍କ ମୁହଁକୁ ଚାହିଁଲା। ସତେ ଯେମିତି ଏଇମାତ୍ର ହୋଇଛି କିଛି ଗୋଟେ ଅଘଟଣ। ନହେଲେ ଯେଉଁ ମୁହଁରେ ଦେବୀ ଦେଖିବାକୁ ପାଏ ଅନ୍ତହୀନ ପ୍ରଶାନ୍ତିର ଏକ ଅବର୍ଣ୍ଣନୀୟ ଝଲକ, ତାହା ଏତେ ଚିନ୍ତାଗ୍ରସ୍ତ କାହିଁକି।

ସେ କିଛି ଭୁଲ କରିଦେଲା କି? ଦେବୀ ନିଜେ ପଚାରିଲା ନିଜକୁ। ଉତ୍ତର ଯାହା ଆସିଲା ତାକୁ ବିଶ୍ୱାସ କରିପାରିଲା ନାହିଁ ଦେବୀ।ତା ଭିତରେ ଗୋଟେ ସୁଡ଼ଙ୍ଗ ତିଆରି ହେବାରେ ଲାଗିଲା। ସେ ସୁଡ଼ଙ୍ଗର ପ୍ରତିଟି ପାବଚ୍ଛରେ ବସିଛନ୍ତି ଦେବ ଭାଇ।ସେ ଦିନେ କେବେ ଭାବିଥିଲା,ଏମିତି କିଛି ଚମତ୍କାର ହୁଅନ୍ତା । ତା ମାନବୀୟ ଶରୀରର ପ୍ରତିଟି ଜୀବକୋଷ ଭିତରେ ସେ ଦେବଭାଇଙ୍କୁ ପାଆନ୍ତା। ତା ଭାବନା ଆଜି ସତ ହେବାରେ ଲାଗିଛି।

ଦେବ ଭାଇ ଉଠିବା ପାଇଁ ପ୍ରସ୍ତୁତ ହେଉଥିଲେ।ଦେବୀ ଧୀର ସ୍ଵରରେ ଡାକିଲା – ଦେବ ଭାଇ।

ତା ଆଗରେ ଠିଆ ହୋଇଥିଲା କାଇଁ କେତେ ଜନ୍ମର ଇପ୍ସିତ ପୁରୁଷ। ଦେବୀ ହଳେ ପାଦତଳେ ପ୍ରଣିପାତ କଲା। ଦେବ ଭାଇ ତା ହାତ ଧରି ତଳେ ବସେଇ କହିଲେ – ତୋର କଣ ହୋଇଛି ଦେବୀ,ଦେହ ଭଲ ଅଛି ଟି!

ଦେବୀକୁ ଖାଲି କାନ୍ଦ ଲାଗିଲା,କେବେ ଦୁଃଖରେ କେବେ ସୁଖରେ। କେବେ ସ୍ମରଣରେ କେବେ ବିସ୍ମରଣରେ କେବେ ବିସ୍ମୟରେ କେବେ ବିସ୍ମୃତରେ। ସେ ନିଜକୁ ନିଜେ ସଞ୍ଜତ କଲା। ଲୁହ ପୋଛି ଦେବ ଭାଇକୁ କହିଲା – ମୋର ଗଣିତ ଭଲ ହେଉନି ଭାଇ।ମତେ ଟିକେ ପଢେଇ ଦିଅନା!

ଦେବ ଭାଇ ହସିଲା। ଆଗନ୍ତୁକ ରାତିର ଅନ୍ଧାର ଛାତିରେ ଚେନାଏ ଜହ୍ନ କିରଣ ପରି ।

କ୍ରମଶଃ….