ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାଳର ବିଶାଳ ଉଦର
କାଳ ହିଁ ତାହାର ଆହାର
କାଳକୁ କାଳ ଦେଇ ଗିଳି
ପାରଇ ନିରଂତର ଚଳି
କାଳର ନାହିଁ ଆଦି, ଅଂତ
କାଳସ୍ଥ ରହିବା ପର୍ଯଂତ
ଜୀବଂତ ଓ ଜଡ଼ ସଂସାର
କାଳରେ କରଇ ବିହାର
କାଳ ଯେହେତୁ ଗୁଣଶୂନ୍ୟ
ସଂସାର ହୋଇ କାଳାଧୀନ
କରଇ ବଶ୍ୟତା ସ୍ବୀକାର
ଏମିତି ସାମର୍ଥ୍ୟ ତାହାର
କାଳର ସହିତ ବିବାଦ
କେବେ ବି ନୁହେ ନିରାପଦ
ଭାଷାରେ ପ୍ରକଟିତ ଚିଂତା
ସୂଚାଏ କାଳର ଅବସ୍ଥା
ବିଗତ କାଳର ରଚନା
ହେଲେ ହେଁ ସ୍ମୃତିର ଖଜଣା
ହୋଇଲେ ଅତୀତ ଆଶ୍ରୟୀ
ଭାଷାଟେ ହୁଏ ଅବକ୍ଷୟୀ
ପୋଷି ପାଳିଲେ କର୍ମକୁଂଠା
ବ୍ୟକ୍ତିର ଭାଷା ପ୍ରତି ନିଷ୍ଠା
ହୁଏନି ସକ୍ରିୟ ସଚଳ
ସହଜେ ନଷ୍ଟ କରେ କାଳ