Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଶରଣାର୍ଥୀ

୧୯୨୧ ମସିହାରେ ଅବିଭକ୍ତ ସିନ୍ଧୁ ପ୍ରଦେଶର ନୱାବଶାହ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦ ମାଲ୍‌ହୀ ଆଧୁନିକ ସିନ୍ଧୀ ସାହିତ୍ୟର ଜଣେ ପ୍ରଖ୍ୟାତ ଲେଖକ ଭାବେ ସୁପରିଚିତ । ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମଲାଭ କରିଥିଲେ ସୁଦ୍ଧା ଯୁବାବସ୍ଥାରେ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ଏବଂ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନବେଳେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ । ଦେଶ ସ୍ୱାଧୀନତା ଲାଭ କରିବା ପରେ ସେ ପ୍ରଗତିଶୀଳ  ସାହିତ୍ୟ ଆନ୍ଦୋଳନର ଜଣେ ପ୍ରମୁଖ କର୍ଣ୍ଣଧାର ସାଜିଥିଲେ । ତାଙ୍କର ଗଳ୍ପ ଏବଂ ଉପନ୍ୟାସ ରଚନା ନିମନ୍ତେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ଅନ୍ୟ ବହୁ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୦୧ ମସିହାରେ ଏହି ସାହିତ୍ୟ ମହାରଥୀଙ୍କର ଦେହାବସାନ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୩

ମୂଳ ସିନ୍ଧି: ଗୋବିନ୍ଦ ମାଲ୍‌ହୀ 

ତା’ ପୂରା ନାଁ ଟୋପାନ୍ ଦାସ, ହେଲେ ସବୁ ଲୋକ ତାକୁ ‘ଟୋପୁ’ କି ‘ଟୋପା’ ବୋଲି ଡାକନ୍ତି । ଆଉ ବେଳେବେଳେ କିଏ ‘ଟୋପାନମଲ’ ବୋଲି ସମ୍ବୋଧନ କରୁଥିଲା । ସିଏ ତା’ ମା’ ପେଟରେ ଥିବାବେଳେ ହିଁ ତା’ ବାପାର କାଳ ଘଟିଥିଲା । ଜନ୍ମ ହେବାପରେ ହିଁ ତା’ ମା’ ତା’ର ନାକ ଫୋଡ଼ାଇଥିଲା ଓ ସେଥିରେ ଗୋଟିଏ ଫାଶିଆ ପିନ୍ଧେଇଥିଲା । ସେତିକିବେଳେ ତା’ର ନାମକରଣ କରାଯାଇଥିଲା – ‘ଟୋପାନ’; ମାନେ ନାକଫୋଡ଼ା ହୋଇଥିଲା ଲୋକ । ମା’ କିନ୍ତୁ ତାକୁ ‘ଟୋପୁ’ କି
‘ଟୋପା’ ବୋଲି ସ୍ନେହରେ ଡାକୁଥିଲା । ତା’ ଦେଖାଦେଖି ସାଇପଡ଼ିଶା ଓ ଆଖପାଖର ଲୋକମାନେ ବି ସେଇ ନାଁଟାକୁ ଅପଭ୍ରଂଶ କରି ପକାଇଥିଲେ । ତାକୁ ତ ମୂଳରୁ ଟୋପାନ ନାଁଟା ବି ଅଡ଼ୁଆ ଲାଗୁଥିଲା । ଆଉ ତା’ସାଙ୍ଗକୁ ଏବେ ଏଇ ନୂଆ ଡାକ ‘ଟୋପୁ’ ଓ ‘ଟୋପା’ ତା’ ବିରକ୍ତିକୁ ଦ୍ୱିଗୁଣିତ କରିଥିଲା । ଗାଆଁ ଲୋକେ
ତ ପୂରା ନାଁ କ’ଣ ସେକଥା ଜାଣି ନ ଥିଲେ, ଆଉ ଠିକ୍‌ ନାଁଟା କ’ଣ ସେକଥା ଜାଣନ୍ତେ କେମିତି? ଏପରିକି ଲୋକେ ତାକୁ କାଇଁକି ଟୋପୁ କି ଟୋପା ଡାକୁଛନ୍ତି ସେକଥା
ବି ସେମାନଙ୍କୁ ମାଲୁମ ନ ଥିଲା । ବାପଛେଉଣ୍ଡ ପିଲାଟା, ତା’ ସାଙ୍ଗକୁ ଗରିବ । ତେଣୁ ପ୍ରାଥବିକ ଶ୍ରେଣୀରେ ପଢ଼ିବା ସୁଦ୍ଧା ତା’ ଭାଗ୍ୟରେ ଜୁଟି ନ ଥିଲା । ତେଣୁ ସ୍କୁଲ ସାମ୍ନାରେ ଚଣା ଓ ବୁଟଭଜାର ପସରା ଧରି ସେ ସଦାବେଳେ ବିକୁଥିଲା । ସେଇ ରୋଜଗାରରେ ସେ ତା’ର ମା’ ଓ ବଡ଼ଭଉଣୀଙ୍କୁ ଚଳାଉଥିଲା । ପରେ ପରେ ସେ ବିଡ଼ି ବଳା ଶିଖିଲା ଏବଂ ନିଜ ଉଦ୍ୟମରେ ଓ ଭାଗ୍ୟ ବଳରେ ସଫଳତା ହାସଲ କରିପାରିଥିଲା । ପ୍ରଥମେ ପ୍ରଥମେ ତ ସିଏ ଅନ୍ୟପାଇଁ ବିଡ଼ି ବଳୁଥିଲା । କିନ୍ତୁ ଏମିତି ସମୟ ଆସିଲା ଯେତେବେଳେ ତା’ ବିଡ଼ି ବଳିବା ଲାଗି ସିଏ ତିନି ଚାରିଜଣ ଲୋକଙ୍କୁ ରଖିଲା । ବିଡ଼ି ଦିଆସିଲି ବିକା ସାଙ୍ଗକୁ ଶୀତଦିନେ ଗରମ ଚା’ ବି ବିକିବା ଆରମ୍ଭ କଲା । ଆଉ ଖରାଦିନେ ଲେମ୍ବୁ ସୋଡ଼ା ସରବତ ।

ସୋଡ଼ା ଓ ଲେମ୍ବୁ ସରବତ ବନେଇବା ପାଇଁ ନିଜର ଖଣ୍ଡେ ମେସିନ୍ କିଣିବାକୁ ତା’ ମନରେ ପ୍ରବଳ ଆଗ୍ରହ ଥିଲା । ତା’ହେଲେ ନିଜେ ବିକିବା ସାଙ୍ଗକୁ ଅନ୍ୟ ଖୁଚୁରା
ଦୋକାନୀଙ୍କୁ ବି ସେ ସୋଡ଼ା ବୋତଲ କିଛି ଯୋଗେଇ ପାରିବ । ଶେଷରେ ତା’ର ସେ ଆଶା ବି ପୂରଣ ହୋଇଥିଲା । ଖୁବ୍ ଶୀଘ୍ର ସେ ସୋଡ଼ା ବୋତଲ ପ୍ରସ୍ତୁତ କରିବା ମେସିନ୍‌ଟିଏର ମାଲିକ ବନି ଯାଇଥିଲା । ମନେ ରଖିବାକୁ ହେବ, ଟୋପୁର ସୋଡ଼ା ମେସିନ କିଛି ଯାହିତାହି ମେସିନ୍ ନଥିଲା । ଥରକେ ସେଥିରୁ ହ୍ୟାଣ୍ଡଲ ଦବାଇ ତିନିତିନିଟା ସୋଡ଼ା ବୋତଲ ଭରି ପାରୁଥିଲା । ଲକ୍ଷ୍ମୀ ତା’ ଉପରେ ସଦୟ ହେବା ସହିତ ବ୍ୟବସାୟରେ ବି ସେତିକି ଉନ୍ନତି ଘଟିଥିଲା । ତା’ପରିବାରର ଚଳିବା ମଧ୍ୟ ସେତିକି ଫର୍ଚ୍ଚା ହୋଇଯାଇଥିଲା । ଆର୍ଥିକ ଦୃଷ୍ଟିରୁ ଏବେ ସେ ସମ୍ପନ୍ନ ବୋଲି କୁହାଯାଇପାରିବ । ୟା’ଭିତରେ ତା’ ବଡ଼ ଭଉଣୀର ବାହାଘର ବି ହୋଇସାରିଥିଲା ଓ ସେ ତା’ ଶାଶୂଘରେ ବେଶ୍‌ ଖୁସିରେ ଥିଲା । ତା’ ଶାଶୂଘରେ ଯେତିକି ମାଛ ସେତିକି ଗହମ ଫସଲ ହେଉଥିଲା ।

ଟୋପୁ ମଧ୍ୟ ଇତି ମଧ୍ୟରେ ବାହାସାହା ହୋଇ ଦିଓଟି ସନ୍ତାନର ବାପ ହୋଇସାରିଥିଲା । ପରିବାରର ଅତୀତର ଦୁର୍ଦ୍ଦିନକୁ ପଛକୁ କରିଦେବା ଦିଗରେ ତା’ ମା’ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ ସେଥବସେ ସେ ସଫଳ ହୋଇଥିଲେ । ଏବେ ମା- ପୁଅଙ୍କ ପ୍ରତି ଭାଗ୍ୟଦେବୀଙ୍କ କୃପା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହେଉଥିଲେ । ଯଦିବା ଟୋପୁର ସବୁ ଆଶା ଆକା„ା ଭଗବାନ ପୂର୍ଣ୍ଣ କରିଥିଲେ, ତଥାପି ଗୋଟିଏ ଆଶା ଏପର୍ଯ୍ୟନ୍ତ ଅପୂର୍ଣ୍ଣ ଥିଲା । ସେ ଇଚ୍ଛାଟି ହେଲା – ଲୋକେ ତାକୁ ତା’ ପୂରା ନାଁ ଧରି ଡାକନ୍ତୁ । ସମ୍ମାନର ସହ ସମ୍ବୋଧନ କରନ୍ତୁ । କିନ୍ତୁ ତାହା ସମ୍ଭବପର ହୋଇ ନ ଥିଲା । ଏବେ ଉନ୍ନତିର ଶିଢ଼ିରେ ସେ ଅନେକ ପାହାଚ ଚଢ଼ି ସାରିଥିଲା ସତ, କିନ୍ତୁ
ତା’ ନାଁ’ରେ ମାତ୍ର ‘ମଲ’ଶବ୍ଦଟି ଯାହା ଯୋଡ଼ି ହୋଇପାରିଥିଲା । ଟୋପୁ କି ଟୋପା ସାଙ୍ଗକୁ ମଲ ଯୋଡ଼ି ଲୋକେ ତାକୁ ସମ୍ବୋଧନ କରୁଥିଲେ ।

ନିଜ ଘର କି ଦୋକାନ ଖଣ୍ଡିକ ଛଡ଼ା ଟୋପୁକୁ ଆଉ କିଛି ଭଲ ଲାଗୁ ନ ଥିଲା । ରାଜନୀତି ହେଉ କି ଦେଶ ଦୁନିଆର ଖବର ସେଥିରେ ତା’ର ତିଳେ ହେଲେ ଆଗ୍ରହ ନଥିଲା । ଦେଶ କଥା ଛାଡ଼, ତା’ ନିଜ ଗାଆଁ କଥା ବିଷୟରେ ସୁଦ୍ଧା ସେ ଅଜ୍ଞ ଥିଲା । ଗ୍ରାକମାନଙ୍କ କଥା ବାନି ସେ ‘ସାସାର ସମାଚାର’ ଓ ‘ହିନ୍ଦୁ’ ପତ୍ରିକା ଖଣ୍ଡିଏ ଲେଖାଏଁ ମଗାଉଥିଲା ସତ, କିନ୍ତୁ ସେଥିରୁ ବିନ୍ଦୁବିସର୍ଗ କିଛି ହେଲେ ପଢ଼ୁ ନ ଥିଲା । ଲୋକମାନେ ମୁହଁ ଗୁଞ୍ଜି ଖବରକାଗଜରୁ ପ୍ରତିଦିନ କ’ଣସବୁ ପଢ଼ାପଢ଼ି କରୁଥିଲେ, ଆଗ୍ରହର ସହ ଆଲୋଚନା କରୁଥିଲେ ସେଥିପ୍ରତି ତା’ର ଆଦୌ ନିଘା ନ ଥିଲା । ତା’ କାନରେ କଦବା କେମିତି ଯେଉଁ ଖବରଟା ପଡ଼ୁଥିଲା, ତାହା
ହେଲା- ‘ସହରଟା ବରବାଦ ହୋଇଗଲା’ କି ‘ସାମାନ୍ୟ ଶଙ୍ଖାପଟେ ଲାଗି ସ୍ତ୍ରୀଲୋକଟିର ହାତକୁ ଦୁର୍ବୃତ୍ତମାନେ କାଟିଦେଲେ’ କିମ୍ବା ‘ସମ୍ଭ୍ରାନ୍ତ ଘରର ବଢ଼ିଲା ଝିଅ ଚାକର ଟୋକା ସାଙ୍ଗରେ ଚମ୍ପଟ’ ଅଥବା ‘ଜଣେ ମୁସଲମାନ ଚାଷୀର ନିଜ ସ୍ତ୍ରୀପିଲାଙ୍କୁ ହାଣି ରକ୍ତ ଜୁଡ଼ୁବୁଡ଼ୁ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ’ ଇତ୍ୟାଦି । କଦବା କେମିତି ଯୁଦ୍ଧା ଖବର ପଢ଼ିବାକୁ ତାକୁ ଆଗ୍ରହ ଲାଗୁଥିଲା; ହେଲେ ରାଜନୀତି ଖବରରେ ସେ ଧାର ଧାରେନା । ଟୋକୁର ଦୃଢ଼ ବିଶ୍ୱାସ ଯେ ଯେତେ ଆନ୍ଦୋଳନ କଲେ ସୁଦ୍ଧା ଦେଶକୁ କଦାପି ସ୍ୱାଧୀନତା ମିଳିବନି । ଇଂରେଜମାନେ  ଦେଶ ଛାଡ଼ି ଯିବେନି । ଯଦିବା ସେପରି ଘଟେ, ସ୍ୱାଧୀନ ଭାରତରେ ତା’ ଭାଗ୍ୟର ସେମିମତି କିଛି ପରିବର୍ତ୍ତନ ଘଟିବନି ।

ଲୋକମାନେ ସେମିତି ଶୀତଦିନେ ଚା’ବନେଇ ପିଉଥିବେ ଓ ଖରାଦିନେ ସୋଡ଼ାପାଣି ଖୋଜିବେ । ଏଭଳି ଚିନ୍ତାଧାରା ତା’ର ନିଜସ୍ୱ ନୁହେଁ, କିନ୍ତୁ ଖାମଖିଆଲ ଭାବରେ ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲା, ତାହା ଥିଲା ଅନ୍ୟ ଲୋକମାନଙ୍କ ରାଜନୀତିଆ ଆଲୋଚନା ଶୁଣି । ସମୟ ଏମିତି ଗଡ଼ି ଚାଲିଥିଲା । ଦିନେ ତା’ର ଜଣେ ଗ୍ରାହକ ଖବରକାଗଜ ପଢ଼ିଲାବେଳେ ଟୋପାକୁ କହିଲା, ‘ଟୋପାମଲ, ତୁ କ’ଣ ଜାଣିଚୁ କହିଲୁ?

ଖୁବ୍ ଜଲ୍‌ଦି ପାକିସ୍ତାନ ଗଠନ ହେବାକୁ ଯାଉଛି । ଏଇ ଅଗଷ୍ଟ ୧୪ ତାରିଖ ଦିନ । ଜିନ୍ନା ମିଆଁ ହେବେ ପାକିସ୍ତାନର ଶାସକ, ଭାଗ୍ୟ ବିଧାତା ।’

ଗ୍ରାହକ ଜଣକ ଥିଲା ହିନ୍ଦୁ । ତେଣୁ ତା’ ମୁହଁରୁ ଏମିତକା ଖବର ଶୁଣି ଟୋପାମଲ ମନରେ ଘୋର ଆଘାତ ଲାଗିଥିଲା । ସତେ ଯେମିତି ତା’ ଦେହରେ ଗଭୀର କ୍ଷତ ସୃଷ୍ଟି ହେଲା ପରି ସେ ଅନୁଭବ କଲା । କିନ୍ତୁ ଟୋପାମଲ ସବୁ ଶୁଣି ସେମିତି ଅବିଚଳିତ ହୋଇ ବସି ରହିଥିଲା । ଭାରତର ସ୍ୱାଧୀନତା ପ୍ରାପ୍ତି ନେଇ ତା’ ମନରେ କିଛି ପ୍ରତିକ୍ରିୟା ବି ସୃଷ୍ଟି ହୋଇ ନ ଥିଲା କିମ୍ବା ପାକିସ୍ତାନ ଗଠନକୁ ନେଇ । ଏଇ ଦୁଇଟିଯାକ ଘଟଣାରେ ନା ସେ ଦୁଃଖ କରିଥିଲା, ନା ଖୁସିରେ କୁରୁଳି ଉଠିଥିଲା । ଅଗଷ୍ଟ ୧୪ ତାରିଖ ପାଖେଇ ଆସିଲା । ନିର୍ଦ୍ଧାରିତ ଦିନ କରାଚୀ, ହାଇଦରାବାଦ, ନୱାବଶାହ ଓ ସୁକ୍କୁରଠାରେ ବେଶ୍‌ ଜାକଜମକର ସହ ସ୍ୱାଧୀନତା ଉତ୍ସବ ପାଳନ କରାଗଲା ।

ଥାରୁଶାହରେ ବି ସୟିଦ ଅରିଫ୍ ଶାହା ଓ ମୁଖୀ ଦୟାରାମ ପଟୁଆରମାନ ବାହାରକଲେ । ପିଲାମାନଙ୍କୁ ମିଠେଇ ବାଣ୍ଟିଲେ  । ଏତେ ସାଜସଜ୍ଜା ଓ ରୋଶନୀ ଦେଖି ଟୋପାମଲ ବି ସେଇ ଉତ୍ସବରେ ସାମିଲ ହୋଇଯାଇଥିଲା । ତେବେ ଏଭଳି ଉତ୍ସବ ପାଳନର ମହତ୍ତ୍ୱ କ’ଣ ସେକଥା ସେ ଜାଣି ନ ଥିଲା କି ଜାଣିବାକୁ ଚାହୁଁ ନ ଥିଲା ।ଯେଉଁଦିନ ସେ କ୍ଷୀରବାଲା ସୁଲେମାନ ଖାନ୍‌କୁ ଏକଥା ପଚାରିଲା, ସେଇଦିନ ଇ ତା’ ମୁଣ୍ଡରେ ପାକିସ୍ତାନ କଥା ଢୁକିଥିଲା । ସୁଲେମାନ ଖାନ୍ ତା’ ଦୋକାନରୁ ଏଗାର ଅଣାର ବିଡ଼ି ବାକିରେ ନେଇଥିଲା । କିନ୍ତୁ ପଇସା ଶୁଝୁ ନ ଥିଲା । ସେଦିନ କୃତଘ୍ନ ସୁଲେମାନ ଖାନ୍ ରୋକଠୋକ ଜବାବ ଦେଇଥିଲା, ‘ବଣିଆ, ଆଉ ଏମିତି ବହପ ଦେଖାନା’ । ଏବେ ଏଇଟା ପାକିସ୍ତାନ । ବୁଝିଲୁ । ଆମେ ମୁସଲମାନମାନେ ଏବେ ହେଲୁ ଏ ଇଲାକାର ମାଳିକ । ଯଦି ପକେଟରେ ପଇସା ଥିବ ଦେବୁ, ନହେଲେ… ।’
ସୁଲେମାନର ଏଭଳି ବେପରୁଆ କଥା ସତେ ଯେମିତି ଟୋପାମଲର କାନ ଓ ଦେହମୁଣ୍ଡ ବିନ୍ଧି ପକେଇଥିଲା । ତା’ ଚିନ୍ତା ଚେତନାକୁ ଓଲଟପାଲଟ କରି ଦେଇଥିଲା । ସୁଲେମାନ ତା’ପରେ ଆଉ କ’ଣସବୁ କହି ଚାଲିଥିଲା, ସେକଥା କିନ୍ତୁ ତାକୁ ଶୁଭୁ ନ ଥିଲା । ଏଇ ଘଟଣା ପରେ ପରେ ସବୁକିଛି ଖୁବ୍ ଶୀଘ୍ର ବଦଳିବା ଆରମ୍ଭ କଲା । ଗାଆଁର ମୁସଲମାନ ଲୋକମାନେ ଆଇନକୁ ବେଖାତିର କରି ମନଇଚ୍ଛା ଯାହାକୁ ପାଇଲେ ମାରଧର, ଗାଳିଫଜିତ ଓ ଲୁଟପାଟ ଆରମ୍ଭ କରିଦେଲେ ।

ସେମାନଙ୍କୁ ବାରଣ କରିବାକୁ କି ରୋକିବାକୁ କେହି ସାହସ କରୁ ନ ଥିଲେ । ଏବେ ସେମାନେ ହିନ୍ଦୁ ଲୋକମାନଙ୍କୁ ରୀତିମତ ହଇରାଣ ହରକତ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଆଇନ କାନୁନ କି ଚିହ୍ନା ପରିଚିତଙ୍କ ପ୍ରତି ସୁଦ୍ଧା ସେମାନଙ୍କା ଖାତିର ନ ଥିଲା । ହିନ୍ଦୁ ସ୍ତ୍ରୀଲୋକମାନେ ବଜାର ଦେଇ ଯା’ଆସ କଲାବେଳେ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଇଙ୍ଗିତ ଓ ଗାଳିଗୁଲଜ କରୁଥିଲେ । ରାତି ହେଲେ କ୍ଷୀରବାଲାମାନେ ଟୋପୁମଲ ଦେକାନ ବାରଣ୍ଡାରେ ରୁଣ୍ଡହୋଇ
ଗାଳିଫଜିତ୍ କରୁଥିଲେ । ଟୋପୁମଲ ବୁଝିପାରୁ ନ ଥିଲା ଏତେ ଜଲଦି ସବୁକିଛି ଏମିତି ବଦଳିଗଲା କେମିତି ଅବା  କାହିଁକି? ଆଗରୁ ତ ଏଇ ସୁମଲମାନ ଲୋକେ ହିନ୍ଦୁମାନଙ୍କ ସାମ୍‌ନାରେ ମୂଷାଭଳିଆ ଲାଙ୍ଗୁଡ଼ଜାକି ଯା’ଆସ କରୁଥିଲେ । ସତେକି ସେମାନଙ୍କ ଘରେ ଆଗର ପା’ପୋଛ!ଯେତେ ମାଡ଼ କୁଦ, କିଛି ବୋଲି କିଛି କହୁ ନ ଥିଲେ । ଏବେ କିନ୍ତୁ ସେମାନେ ସତେକି ଲଢ଼େଇ କରିବାକୁ କୁହାଟ ଛାଡ଼ୁଥିଲେ! ହିନ୍ଦୁ ଲୋକମାନଙ୍କୁ ଖୋଲାଖୋଲି ଆହ୍ୱାନ କରୁଥିଲେ । ଆଉ କ’ଣ ହେଲା କେଜାଣି ଏ ହିନ୍ଦୁଗୁଡ଼ାକ ରାତାରାତି ଏମିତି ମାଇଚିଆ ପାଲଟିଗଲେ କେମିତି! ସେମାନଙ୍କର ମାନ ମହତ, ବଳ, ପ୍ରତିପତ୍ତି କୁଆଡ଼େ ମିଳେଇଗଲା! ସେମାନେ ଏବେ ସବୁ ଗାଳି, ଟାହିଟାପରା, ଅପମାନକୁ କେଡ଼େ ସହଜରେ ହଜମ କରି ପକାଉଥିଲେ ।

ଯେତେବେଳେ ସେମାନଙ୍କୁ ରାଗ ମାଡ଼ୁଥିଲା, ସେମାନେ କଂଗ୍ରେସିଆ ନେତାଙ୍କୁ ମନଇଚ୍ଛା ବହେ ଲେଖାଏଁ ଗାଳି ଦେଉଥିଲେ । ସତେ ଯେମିତି ସବୁ ନାଟର ଗୋବର୍ଦ୍ଧନ ସେଇମାନେ! କାରଣ, ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କ ସକାଶେ ସେମାନଙ୍କ ମନରେ ତିଳେହେଲେ ଦରଦ ନ ଥିଲା । ସେମାନେ ଦେଶ ବିଭାଜନକୁ ଅତି
ସହଜରେ ଗ୍ରହଣ କରି ନେଇଥିଲେ ।

ହିନ୍ଦୁ ମୁସଲମାନଙ୍କ ଭିତରେ ଥିବା ସମ୍ପର୍କରେ ଏଭଳି ପରିବର୍ତ୍ତନକୁ ଦେଖବ ଟୋପୁମଲ କିଛି ବୋଲି କିଛି ବୁଝି ପାରୁ ନ ଥିଲା । ଏମିତି ଦିନେ, ହଠାତ୍ ସେ ତା’
ଭିଣୋଇଙ୍କଠାରୁ ଖଣ୍ଡେ ଚିଠି ପାଇଲା । ତା’ଭିଣୋଇଙ୍କ ଘର ନୱାବଶାହରେ । ତା’ଦୋକାନ ଆଗଦେଇ ଯାଉଥିବା  ଗୋଟିଏ ସ୍କୁଲପିଲାକୁ ଅଟକେଇ ଟୋକୁ ଚିଠିଖଣ୍ଡିକ ପଢ଼େଇଲା । ଚିଠିରେ ଏମିତି କିଛି ଲେଖାଥିଲା, ‘ଟୋପୁ, ଆମେ ଯେତେ୍ ଜଲ୍‌ଦି ପାରିବୁ ଯୋଧପୁର ଚାଲିଯିବୁ । ଆଉ ଅଧିକ ସମୟ ଏଠାରେ ରହିହବନି ।

କଲେକ୍ଟର ମାସୁଦ ସା’ଙ୍କୁ ଧନ୍ୟବାଦ, ଏଠାରେ ତାଙ୍କରି ଦୟାରୁ ଦଙ୍ଗା ମୁଣ୍ଡ ଟେକିଛି । ତୁ ମଧ୍ୟ ଯେତେ ଶୀଘ୍ର ପାରୁଛୁ ଆମ ପାଖରେ ଆସି ପହଞ୍ଚିଯା ’ । ତା’ହେଲେ ଆମେ ସମସ୍ତେ ଏକାଠି ପଳେଇ ଯାଇପାରିବା ।’

ଏବେ ଟୋପୁମଲକୁ ସବୁ ଘଟଣା କିଛି ମାତ୍ରାରେ ମାଲୁମ ପଡ଼ିସାରିଥିଲା । ସବୁ ଘଟଣାକୁ ଯୋଡ଼ଯାଡ଼ି ସେ ଭାବୁଥିଲା ଯେ ଦେଶଟା ସ୍ୱାଧୀନ ହେଲାନାହିଁ ଯେ ଆମ ସମସ୍ତଙ୍କ ଉପରେ କାହାର ଅଭିଶାପ ପଡ଼ିଲା! ଆଉ ସେ ଅଭିଶାପଟା ହେଲା ପାକିସ୍ତାନ ଯାହା ହିନ୍ଦୁମାନଙ୍କ ଉପରେ ଘେରେ ବିପଦ ଭାବେ ଘନେଇ ଆସୁଥିଲା । ବିଶେଷକରି ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କ ପାଇଁ ଫି’ଦିନ ସେମାନେ ଗଳିଫଜିତ୍ ଶୁଣୁଥିଲେ, ବେଜିତ୍ ହେଉଥିଲେ । ଏବେ ଯେମିତିହେଲେ ସେମାନଙ୍କୁ ଭାରତ
ପଟକୁ ଯିବାକୁ ହେବ । ଟୋପୁ ଏମିତି ଭାବି କିଛି ଗୋଟିଏ ନିଷ୍ପତ୍ତି ନେବା ଆଗରୁ ତା’ ଗାଆଁର ଅଧାଲୋକ ଭିଟାମାଟି ଛାଡ଼ି ସାରିଥିଲେ । ଆଉ ସେମାନଙ୍କ ଭିତରେ ଥିଲେ ତା’ଭଉଣୀ ଓ ତା’ର ପରିବାର । ସେମାନେ ଜୟପୁର ପଳେଇ ସାରିଥିଲେ । ଯେଉଁମାନେ ଆଁରେ ରହିଯାଇଥିଲେ ସେମାନେ ଯେକୌଣସି ମୁହୂର୍ତ୍ତରେ
ଯିବାକୁ ଗୋଟ ଟେକି ବସିଥିଲେ । ଟୋପୁ ମଧ୍ୟ ସେଇ ସମସ୍ୟାରେ ଥିଲା । ସବୁକିଛି ଛାଡ଼ିଛୁଡ଼ି ଦେଇ ଗଲେ ଟଙ୍କା ଦରକାର । ଘରଦ୍ୱାର, ଦୋକାନ, ଜମିବାଡ଼ି,
ଆସବାବପତ୍ର ବିକ୍ରି କରିବାକୁ ପଡ଼ିବ । ଏତେ ସମ୍ପତ୍ତି । ତାକୁ ତ ଏମିତି ଛାଡ଼ିଦେଇ ପଳେଇ ଯାଇହେବନି । ତା’ ଘରଦ୍ୱାର ଓ ଆଖୁପେଡ଼ା ମେସିନଟାକୁ କିଣିବାକୁ
କେହି ରାଜି ନ ଥିଲେ । ଅସ୍ରିଫ୍ ଶାହା ଯିଏ ତା’ଠାରୁ ସେସବୁ ଖର୍ଦ୍ଦି କରିବାକୁ ଚାହୁଁଥିଲା, ସେଥିପାଇଁ ମାତ୍ର ଦି’ଶହ ଟଙ୍କା ଦେବାକୁ କୁନ୍ଥୁକୁନ୍ଥୁ ହେଉଥିଲା ।

ଏତେଦିନ ଟଙ୍କା ସଞ୍ଚୟ କରି ସାତଶହ ଟଙ୍କାରେ ସେେସେଇ ମେସିନଟା  ପକେଇଥିଲା । ଗଲା ବର୍ଷ ତା’ଭିଣୋଇ ତାକୁ କହୁଥିଲେ ନୱାବଶାହଠାରେ ଆଉ ଖଣ୍ଡେ ସେଇଭଳିଆ କ୍ରିସିଂ ମେସିନ୍ ପକେଇବାକୁ । ସେଇଠି ରହି ସେ ତା’ ବ୍ୟବସାୟ  ଚଳେଇପାରିବ । କିନ୍ତୁ ଟୋକୁ ତାଙ୍କ କଥାରେ ରାଜି ହୋଇ ନ ଥିଲା । ଆଜି କିନ୍ତୁ ସେଇ କଥା ଭାବି ସେ ଭାରି ପସ୍ତେଇ ହେଉଥିଲା । କାରଣ, ସେ ଶୁଣୁଥିଲା ବଡ଼ ବଡ଼ ସହରମାନଙ୍କରେ ହିନ୍ଦୁମାନେ ସେମାନଙ୍କ ଘରଦ୍ୱାର କି ଜମିବାଡ଼ି କି ଅନ୍ୟ
ଆସବାବପତ୍ରର ଅନ୍ତତଃପକ୍ଷେ କିଣା ମୂଲ୍ୟ ପାଇପାରୁଛନ୍ତି । ତେଣୁ ସେ ଭାରି ଦୋ ଦୋ ପାଞ୍ଚ ଅବସ୍ଥାରେ ପଡ଼ିଥିଲା । ଅଧିକ କିଛି ଦରରେ ବିକିବାକୁ ସେ ଅପେକ୍ଷା କରିବ ନା ଯାହା ମିଳୁଛି ସେତିକିରେ ବିକାବିକି କରି ଜଲ୍‌ଦି ଏଠାରୁ ପଳେଇଯିବ? ଦିନକୁ ଦିନ ଚିହ୍ନାମୁହଁମାନେ ଅଦୃଶ୍ୟ ହେବାରେ ଲାଗିଥିଲେ । ଏବେ ପଠାନକୋଟଆଡ଼ୁ ମୁସଲମାନ ଶରଣାର୍ଥୀମାନେ ଆସି ଥରୁକଶାହରେ ପହଞ୍ଚିବା ଆରମ୍ଭ କରିସାରିଥିଲେ । ସେମାନେ ଆସି ପହଞ୍ଚିଯାବା ପରେ ସ୍ଥାନୀୟ ମୁସଲମାନ ଗଣ୍ଡଗୋଳକାରୀଙ୍କ ଉତ୍ପାତ ଆହୁରି ବଢ଼ି ଯାଇଥିଲା । ତେଣୁ ହିନ୍ଦୁ ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଆହୁରି ଶୋଚନୀୟ ହୋଇପଡ଼ୁଥିଲା ।

ସେତିକିବେଳେ ଦିନେ ଟୋପୁର ମା’ ତାକୁ କହିଲେ, ‘ପୁତା, ଦି’ଶ’ ଟ୍‌କାରେ ବିକ୍ରି ହଉଚି ଯଦି ମିସିନଟାକୁ ଦେଇ ଦେ’ । କିଛି ଚିନ୍ତା କରନା’ । ଆମେ କେମିତି ଜଲ୍‌ଦି ଏଠା ଛାଡ଼ି ପଳେଇଯିବା ସେଇ କଥା ଚିନ୍ତା କର । ଆମ ପାଖରେ ତ କିଛି ଗହଣାଗାଣ୍ଠି ଅଛି । ତାକୁ ବିକିଭାଙ୍ଗି କିଛି ଦିନ ଚଳିଯିବା । ଥରେ ଯୋଧପୁରରେ ପହଞ୍ଚିଲେ ତୁ ନୂଆ କିଛି ବେପାର ଆରମ୍ଭ କରିବୁ । ଆମେ ଅତୀତରେ କେତେ କେତେ ଦୁଃଖ ଦୁର୍ଦ୍ଦଶା ଦେଖିଛେ, ସହିଛେ; ଏଥର ବି ସେସବୁକୁ ସହିଯିବା । କିଛିଦିନ ପରେ ପୁଣି ସବୁକିଛି ଭଲ ହେଇଯିବ । ଭଗବାନ ଖାଲି ତୋତେ ଭଲରେ ରଖିଥିଲେ ହେଲା ।’

ଏକଥା ଶୁଣିବା ପରେ ଟୋପୁ ଯାଇ ହାଜର ପୁତୁରାକୁ ମେସିନ୍ ବିକିବା କଥା ପୁଣି ଥରେ କହିଲା । ତା’ ପୁତୁରା ଟୋପୁର ଏମିତି ଅବସ୍ଥା ଦେଖି ଦି’ଶ’ଟଙ୍କା ବଦଳରେ ଦେଢ଼ଶ’ ଦେବ ବୋଲି ଗୋଡ଼ ଲମ୍ବେଇଲା । ଟୋକୁ ମନେ ମନେ ଭାବିଲା, ପୂରା ଉଜୁଡ଼ିଗଲା ଘରୁ ଯେତିକି ମିଳୁଛି ମିଳୁ, ସେତିକିରେ ସନ୍ତୁଷ୍ଟ ହେବା ଭଲ । ଡେରି କଲେ ପରିସ୍ଥିତି ଆହୁରି ବିଗିଡ଼ିଯିବ ।

ଟୋପୁକୁ କୁଆଡ଼େ ଯିବା ଆସିବାକୁ ଭଲ ଲାଗେନି । ତା’ ଦୋକାନ ଭଲ ତ ସିଏ ଭଲ । ତା’ ଧାପ କେବଳ ଥାରୁଶାହ କି ନବାବଶାହ ପାଖଆଖର କେଇଖଣ୍ଡ ଗାଆଁକୁ ମାତ୍ର ଥିଲା । ତା’ଛଡ଼ା ସେ ଦେଶ ଦୁନିଆ କିଛି ଦେଖି ନ ଥିଲା । ସହର ତ ଦୂର କଥା । ହଜାର ହଜାର ମୁସଲମାନ ଓ ହିନ୍ଦୁ ଶରଣାର୍ଥୀଙ୍କ କରି ତାକୁ ଏବେ ଅନିଶ୍ଚିତ ଭାବେ ଦିନ ରାତି ଚାଲିବାକୁ ପଡ଼ିଲା । ତା’ ସାଙ୍ଗରେ କେତେ ହଚିହ୍ନା ଲୋକସବୁ ପିମ୍ପୁଡ଼ି ଧାର ଭଳି ଏକମୁହାଁ ଚାଲିଥିଲେ ।

ଟୋକୁ ଶୁଣିଥିଲା, ଚଳନ୍ତା ଟ୍ରେନରୁ କେମିତି ନିରିହ ହିନ୍ଦୁ ଯାତ୍ରୀମାନଙ୍କୁ ମୁସଲମାନ ଲୋକେ ତଳକୁ ଫିଙ୍ଗି ଦେଉଥିଲେ । ଏକଥା ଭାବିବାମାତ୍ରେ ତା’ ହାତଗୋଡ଼ ଅବଶ ହୋଇ ପଡ଼ୁଥିଲା । ସେ କେବଳ ଜପ ସାହିବର ପାଞ୍ଚଟି ଧାଡ଼ି ପ୍ରାର୍ଥନାକୁ ମନେ ମନେ ଦୋହରାଇ ଚାଳିଥିଲା । ଏବେ ସେମାନେ ଟ୍ରେନରେ ବସି ଯାଦ୍ରା କରୁଥିଲେ । ହାଇଦରାବାଦ ଷ୍ଟେସନଠାରେ ଟୋପୁ ତା’ର ଅଧା ଜିନିଷପତ୍ର ଛାଡ଼ିବାକୁ ପଡ଼ିଲା । ତା’ଛଡ଼ା ଜଣେ କୁଲିକୁ ପଚାଶଟଙ୍କା ଅଌକ୍ଷଗ୍ଧ;ାଗୁଞ୍ଜା ଦେବାକୁ ପଡ଼ିଲା । ସେତକ ପଇସା ନେଇ କୁଲିଟି ତାକୁ ଯୋଧପୁର ଯାଉଥିବା ଅନ୍ୟ ଗୋଟିଏ ଟ୍ରେନରେ ବସେଇଦେଲା । ତା’ ସାଙ୍ଗରେ ଆହୁରି ଶହ ଶହ ଶରଣାର୍ଥୀ ଥିଲେ । ତା’ରି ଭଳିଆ ସମସ୍ତେ ପାକିସ୍ତାନର ଜନ୍ମକୁ ଦେଖିଥିଲେ । ସମସ୍ତେ ହିନ୍ଦୁ ଶରଣାର୍ଥୀ ପରି ଜଣାପଡ଼ୁଥିଲେ । ଟୋପୁର ବିଶ୍ୱାସ ହେଲା ଯେ ଏବେ ତାକୁ କେହି ଟ୍ରେନ୍‌ରୁ ତଳକୁ ଫିଙ୍ଗିଦେବେନାହିଁ । ହେଲେ ମୁସଲମାନ ଦଙ୍ଗାକାରୀମାନେ ଅତର୍କିତ ଭାବେ ତାଙ୍କ ଟ୍ରେନ୍ ଉପରେ ଯେ ହମ୍‌ଲା ନ କରିବେ ସେକଥା କିଏ କହିବ? ହାଇଦରାବାଦରେ ସେ ଶୁଣିଲା ଯେ ମାତ୍ର ପନ୍ଦର ଦିନ ତଳେ ଏଠାକାର ମୁସଲମାନ ଉଦ୍‌ବାସ୍ତୁମାନେ କାଳେ ହିନ୍ଦୁ ଶରଣାର୍ଥୀମାନେ ଯାଉଥିବା ଗୋଟିଏ ଟ୍ରେନ୍ ଉପରେ ଆକ୍ରମଣ କରିଥିଲେ । ସେଇ ଆଶା ଆଶଙ୍କା ଭିତରେ ଟ୍ରେନ୍ ଷ୍ଟେସନ ଛାଡ଼ିଲା ।

ସେତିକିବେଳେ କେହି ଜଣେ ଟୋପୁକୁ ପଛରୁ ଡାକିଲା, ‘ଟୋପାନଦାସ, ଆଉ ଭୟ କରିବାର ନାହିଁ । ଏବେ ଆମେ ସ୍ୱାଧୀନ ଭାରତର ସୀମାନ୍ତ ଆଡ଼େ ଯାଉଛେ ।’ ଟୋପୁ ମନେମନେ ଭାବିଲା, ଏ ବଗିରେ ବସିଥିବା ଶହ ଶହ ଲୋକ ସମସ୍ତେ ତ ତା’ର ଅଜଣା । ତା’ହେଲେ ଏ ଲୋକଟା ମୋ ନାଁ ଜାଣି ‘ଟୋପାନଦାସ’ ବୋଲି ଡାକିଲା କେମିତି! ଏଇ ‘ଟୋପାନଦାସ’ ସମ୍ବୋଧନଟା ତ ତାକୁ ଶୁଣିବାକୁ ଭାରି ଭଲ ଲାଗେ । କେହି ଜଣେ ଅଚିହ୍ନା ଲୋକ ହେଉ ପଛେ, ତାକୁ ତ ଏଇ ନାଁରେ ସମ୍ବୋଧନ କଲା । ପର ମୁହୂର୍ତ୍ତରେ ତା’ ମନର ସରାଗ ପୁଣି ମରିଗଲା । ବାଟରେ ଯେତେଯେତେ କଷ୍ଟ ସହ୍ୟ କରି ସେ ଆସିଥିଲା, ସେସବୁ ତା’ ମନ ଭିତର ସ୍ମୃତିରେ ଉଜ୍ଜୀବିତ ହୋଇ ଉଠିଲା । କାଳେ ବାଟରେ ଆଉ କିଛି ଅଘଟନ ଘଟିପାରେ ସେଇ ଆଶଙ୍କା ତା’ମନକୁ ଗୋଟାପଣେ ଆବୋରି ବସିଲା ।

ସେ ମନକୁ ମନ ଭାବିହେଲା – ଏବେ ତା’ର ନାଁ ଧରି ଯେତେଯାହା ଡାକିଲେ ସୁଦ୍ଧା କିଛି ଫରକ ପଡ଼ିବନାହିଁ । ସ୍ୱାଧୀନ ଭାରତରେ ତା’ର କେବଳ ସେଇ ଗୋଟିଏ ପରିଚୟ ହିଁ ରହିବ – ସେ ଜଣେ ଶରଣାର୍ଥୀ!

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.