Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶବ୍ଦର ଆଦାନ ପ୍ରଦାନ
ଭାଷାରେ ହୁଏ ପ୍ରତିକ୍ଷଣ
ବହୁ ଭାଷାରୁ ଶବ୍ଦ ନେଇ
ଭାଷାଟେ ସମୃଦ୍ଧ ହୁଅଇ

ଭାଷାରେ ଥିଲେ ବ୍ୟତିକ୍ରମ
ସୁଦ୍ଧା ହୋଇଲେ ବୋଧଗମ୍ୟ
ଭାଷୀଏ ପାରଂତି ସଂଭାଳି
ତେଣୁ ଭାଷାଟେ ପାରେ ଚଳି

କୌଣସି ଭାଷା ଅନୁଯାୟୀ
ଅନ୍ୟ ଭାଷା ତ ଚଳେନାହିଁ
ପ୍ରତ୍ୟେକ ଭାଷାର ବୈଶିଷ୍ଟ୍ୟ
ଭାଷୀଏ କରଂତି ସୁସ୍ପଷ୍ଟ

ଆପଣା ଭାଷା ବ୍ୟବହାର
କରଂତି ଯେତେ ନାରୀ, ନର
ସେମାନଂକର ଅବଦାନ
ଭାଷାକୁ କରେ ଶ୍ରୀସଂପନ୍ନ

କେବଳ ସାହିତ୍ୟ ନିମିତ୍ତ
ଭାଷାଟେ ହେଲେ ବ୍ୟବହୃତ
କେବେ ବି ହୁଏନି ଉନ୍ନତ
ଅଥବା ବହୁ ଜନାଦୃତ

କିଏ କ’ଣ ଭାବଂତି ମନେ
ଅନ୍ୟ କେହି କି କେବେ ଜାଣେ ?
ଭାବକୁ କରିଲେ ଅକ୍ଷର
ଘଟଇ ଭାବର ବିସ୍ତାର

ଦେବା ପାଇଁ ତ କିଛି ନାହିଁ
ନିଜର ଭାବନା ଜଣାଇ
ଲେଖକେ ହୁଅଂତି ସଂପୃକ୍ତ
ରହଂତି ଲୋକଂକ ସହିତ

ଜନଭାଷାକୁ ମଣି ନ୍ୟୂନ
କରିଲେ କଥନ, ଲିଖନ
ଭାଷାଟେ ହୁଏ ଗତିହୀନ
ହେଲେ ହେଁ ଶାସ୍ତ୍ରୀୟ, ପ୍ରାଚୀନ

Leave A Reply

Your email address will not be published.