ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଳ୍ପ କାମ ପାରିଛିଁ ସାରି
ବହୁତ ରହିଛି ଆହୁରି
ଜାଣେନି କରିବି କିପରି
ଯାଉଛିଁ ତାହା ଯୋଗୁଁ ହାରି
ଅକ୍ଷର ପାଠକ ଅନେକ
ନୁହଂତି ସହାୟକ ଲୋକ
ନୂଆ କିଛି ବି ଦେଲେ ଲେଖି
ବୁଲାଂତିନାହିଁ ଥରେ ଆଖି
କେହି ନ ପଢ଼ୁଥିଲେ ସୁଦ୍ଧା
ଲେଖିବା ପାଇଁ ନାହିଁ ବାଧା
ତେଣୁ ଲେଖୁଛିଁ ମନ କଥା
ରକ୍ଷା କରୁଛିଁ ସ୍ବାୟତ୍ତତା
ଯାହା ବି ଭାବେଁ ମୁଁ ଜରୁରି
ସେତିକି ଲେଖାଲେଖି କରି
ରହିଛିଁ ଏହି ସମାଜରେ
ଲାଗିଛିଁ ଏପରି କାର୍ଯରେ
ସ୍ବେଚ୍ଛା ନିଯୁକ୍ତ ହୋଇ ମୁହିଁ
ନିଜକୁ ବାଧା ଦିଏଁନାହିଁ
ମନରେ ରଖିନାହିଁ ଦ୍ବିଧା
ନିଜର ଲାଗୁଛି ବସୁଧା
ପରିଶ୍ରମରେ ନାହିଁ କ୍ଳାଂତି
ବିବେଚନାରେ ନାହିଁ ଭ୍ରାଂତି
ଲଗାଇ ମୋ ମନର ଶକ୍ତି
ଅର୍ଜନ କରୁଅଛିଁ ତୃପ୍ତି
ପୁନର୍ଲିଖନ କରୁନାହିଁ
ଏତିକି ସ୍ପଷ୍ଟ ଜାଣେ ମୁହିଁ
ମନରେ ଜାତ ହେଲେ ଚିଂତା
ଆନଂଦେ କରୁଛିଁ କବିତା
ସ୍ବଭାଷା ସହିତ ସଂପୃକ୍ତି
ଯେହେତୁ ମୋର ପ୍ରେମ, ଭକ୍ତି
କରୁଛିଁ ନିଜ ସାଧ୍ୟ ମତେ
ଜାଣେନି କ’ଣ ହେଲା କେତେ
ମନ ଭାବନା ବୀଜ ରୂପୀ
ପାରଇ ଚାରିଆଡ଼େ ବ୍ୟାପି
ଯାହାକୁ କହେଁ ଭାଷା ପ୍ରେମ
ତାହା ତ ମୂଳତଃ ଅସୀମ