ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ ଏହି ସେବକ ପରିବାର ବା ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି। ଏହି ଗୋଷ୍ଠୀମାନଙ୍କ ମଧ୍ୟରୁ କିଛି ସେବାକୁ ଆମେ ଶାଢ଼ୀ ବନ୍ଧା ସେଵା ବୋଲି କହିଥାଉ। ଅର୍ଥାତ ଏହି ସେବକ ପରିବାରର କୌଣସି ସଦସ୍ୟ ପ୍ରଭୁଙ୍କର ସେବାରେ ନିୟୋଜିତ ହେବା ପୂର୍ବରୁ ଏଥିପାଇଁ ଯୋଗ୍ୟ ହେବା ସହ ନିଜକୁ ସେବକ ସଜେଇବା ପାଇଁ ଏକ ଆବେଦନ କରେ ଓ ଯାଞ୍ଚ ପରେ ସେହି ଆବେଦନକାରୀଙ୍କୁ ଯୋଗ୍ୟ ଘୋଷଣା କରିବା ପାଇଁ ଏହି ଶାଢ଼ୀ ବନ୍ଧା ରୀତିନୀତି କରାଯାଇଥାଏ। ଏହି ସବୁ ପ୍ରକ୍ରିୟା ଶ୍ରୀମନ୍ଦିର ସତ୍ୱଲିପି ବା ସେବା କର୍ମାଙ୍ଗୀ ଆଧାରରେ ହୋଇଥାଏ। ଆଜି କିନ୍ତୁ ଆମେ ଆଲୋଚନା କରିବା କିଛି ଏମିତି ସେବା ଓ ସେବକଙ୍କ ବିଷୟରେ ଯେଉଁମାନେ ଉପରୋକ୍ତ ପ୍ରକାରେ ସେବକ ହୋଇନଥାନ୍ତି। ଶ୍ରୀମନ୍ଦିର ସତ୍ୱଲିପିରେ ଉଲ୍ଲେଖ ପ୍ରକାରେ କେତେଜଣ ବିଶେଷ ବ୍ୟକ୍ତିଙ୍କୁ ସେମାନଙ୍କ ନିଷ୍ଠା ଓ ଭକ୍ତି ପ୍ରକାରେ କିଛି ସେବା କରିବାକୁ ଉପସ୍ୱତ୍ୱ ମିଳିଥାଏ. ଏହି ବ୍ୟକ୍ତି ବିଶେଷ ମାନେ ଶ୍ରୀଜୀଉମାନଙ୍କ ନିକଟରେ ମୁଖ୍ୟତଃ ଉପଚାର ଚାମର ସେବା, ଚାମର ସେବା , ମଶାଲ ସେବା , ଝାଡୁ ମାରିବା ସେବା, ଆଲଟ ସେଵା କରିପାରନ୍ତି । ସେହିପରି କିଛି ଅନୁଷ୍ଠାନ ବିଶେଷତଃ ମଠ ଅନୁଷ୍ଠାନ ଯେଉଁମାନେ ଶ୍ରୀମନ୍ଦିର ସେବାନୀତି ସହ ଜଡିତ। ସେମାନେ କିଛି ଦ୍ରବ୍ୟ ଯୋଗାଇବା ସେବା କରିଥାନ୍ତି। କିଛି ମଠର ମହନ୍ତ ମହାରାଜମାନେ ଉପଚାର ଚାମର ସେବା କରନ୍ତି। ବିଭିନ୍ନ ଯାନୀଯାତ୍ରା ଓ ପର୍ବ ପର୍ବାଣୀରେ ଏହି ମଠ ଗୁଡିକ ଆବଶ୍ୟକୀୟ ବେଶ ଉପକରଣ ତଥା ପନ୍ତି ଭୋଗ ପ୍ରଦାନର ସେବା ଅନୁମତି ପାଇଛନ୍ତି। ଶ୍ରୀମନ୍ଦିର ବାହାରେ ଥିବା କିଛି ଦେବା ଦେବୀଙ୍କ ମନ୍ଦିର ମଧ୍ଯ ଶ୍ରୀମନ୍ଦିର ରୀତିନୀତିରେ ଭାଗ ନେଇଥାନ୍ତି ଓ ପ୍ରତିଦାନରେ ଶ୍ରୀମନ୍ଦିରରୁ ଦୈନିକ ଓ ପର୍ବଯାତ୍ରା ଖେଇ (ଭୋଗର ନିର୍ଦ୍ଧିଷ୍ଟ ଭାଗ ) ପାଇଥାନ୍ତି। ତେଣୁ ଶ୍ରୀମନ୍ଦିରର ସେବା ଓ ସେବକଙ୍କ ବିଷୟରେ ଆଲୋଚନା ବେଳେ ଏହି ପ୍ରକାର ସେବା ବା ସେବକଙ୍କୁ ଅଣଦେଖା କରିହୁଏନି। ଆଗାମୀ ଅଧ୍ୟାୟରେ ବାକି କିଛି ସେବା ଓ ସେବକ ବିଷୟରେ ଆଲୋଚନା କରିବା, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ।
ତୁ ବ୍ରହ୍ମ ଜ୍ଞାନ ଗୁରୁ ଦାତା
ତୋ ତହୁଁ ନାହିଁ ନା ବକତା ।
ନାନା ପ୍ରପଞ୍ଚ ବେଦ ବାଦେ
କେ ଅଛି ସୁରସଭା ମଧ୍ୟେ ।
ବ୍ରହ୍ମlଦି ଯେତେ ଦେହବନ୍ତ
ତୋହର ମାୟାରେ ମୋହିତ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )