Latest Odisha News

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଯିଏ ଚାହିଁଲେ ଆସି ମିଶେ
ଚାହିଁଲେ ପୁଣି ସୁଖେ ଖସେ
ସେ ହିଁ ବୋଲାଏ ଜନନେତା
ସବୁ ଦଳରେ ଏ ଅବସ୍ଥା

ସକାଳେ ଥିଲା, ସଂଜେ ନାହିଁ
କୁଆଡ଼େ ଗଲା ଜଣା ନାହିଁ
ଅନ୍ୟ ଦଳର କାର୍ଯାଳୟ
ହୁଏ ତା ଅଭୟ ଆଶ୍ରୟ

ଦଳ ଦଳ ମଧ୍ୟରେ ଭେଦ
ନ ଥାଏ ବୋଲି ଏ ପ୍ରମାଦ
ଘଟେ, ବୁଝିଲେ ବି ଜନତା
ସହଜେ ବୁଝେନାହିଁ ନେତା

ନେତାଂକୁ ବିଦାୟ, ସ୍ବାଗତ
ଜଣାଂତି ଦଳ-ଅନୁଗତ
ନାହିଁ କୌଣସି ନୀତି, ବିଧି
ଯେ କେହି ଲଂଘୁଛି ପରିଧି

ଆତ୍ମନିଯୁକ୍ତିପ୍ରାପ୍ତ ନେତା
ଲୋଡ଼ଂତି ଧନ ଓ କ୍ଷମତା
ଉପାୟ, ପ୍ରକ୍ରିୟା ନଗଣ୍ୟ
ସିଏ ନିଜେ ହୁଅଂତି ପଣ୍ୟ

ସର୍ବଦା ପ୍ରହରୀ-ବେଷ୍ଟିତ
ହୋଇ କରିଲେ ଯାତାୟାତ
ମନରେ ରହିଥାଏ ଭୟ
କେବେ ଘଟିବ ପରାଜୟ

ଆଶଂକାଗ୍ରସ୍ତ ହେଲେ ମନ
ନିଶ୍ଚିତ କର୍ତବ୍ୟ ପାଳନ
ହୁଏ ଯେହେତୁ ବାଧାପ୍ରାପ୍ତ
ଏ ବିଶ୍ବ ହେଉନି ଉନ୍ନତ

ଅସରା ତର୍କ ଓ ବିତର୍କ
ହେତୁ ଯେ ଭାଂଗେ ସୁସଂପର୍କ
ଏ କଥା ବୁଝିଗଲେ ନେତା
ସ୍ଥାପିତ ହୁଅଂତା ସ୍ଥିରତା

ଯିଏ ନିଜେ ଦୋଳାୟମାନ
ନିଜ କର୍ତବ୍ୟ ସମାପନ
କେବେ ବି କରି ପାରେନାହି
ଜନତା ବିବ୍ରତ କିପାଇଁ?

ଲୋକାନୁଗତ ନେତା ଜଣେ
କାହିଁକି ନାହାଂତି କେଜାଣେ
କାହାକୁ ଜଣା ନାହିଁ ଏହା
ତେଣୁ ତ ଦିଶୁନାହିଁ ରାହା

ନ କରି ଅସଂତୋଷ ବ୍ୟକ୍ତ
ଲୋକେ ହୋଇଲେ କର୍ମରତ
ଅଲୋଡ଼ା ହେବେ ବହୁ ନେତା
ଲୋକେ ବୁଝିବେ ଦେଶ କଥା

Leave A Reply

Your email address will not be published.