Latest Odisha News

BREAKING NEWS

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ପାକଳ ହେଲେ ଦୃଷ୍ଟିଭଂଗୀ
ସୃଷ୍ଟି ବି ହୁଏ ସତ୍ୟ-ସଂଗୀ
ନ ଥାଏ କୌଣସି ଆଶଂକା
ଲେଖକ ଲେଖେ ଏକାଏକା

ପାଠକ ପଢ଼େ ଏକାଏକା
ଲେଖକ ପାଏନି ତା’ ଦେଖା
ତେବେ ବି ଏ ଶୁଦ୍ଧ ସଂପର୍କ
ସର୍ବଦା ହୁଅଇ ନିର୍ଭୀକ

ପାଠକ ନ ପଢ଼ିଲେ ଲେଖା
ମୁଦ୍ରିତ ବହି ହୁଏ ଏକା
ଥାକରେ ହୋଇଥାଏ ରଖା
ହୁଏନି କେବେ କାହା ସଖା

ପାଠକ ନ ହେଲେ ଆଗ୍ରହୀ
ଯାହା ବି ହୋଇଥାଉ ବହି
କିଛି ବି ଯାଏଆସେନାହିଁ
ଜ୍ଞାନୀଏ ଯାଇଛଂତି କହି

ସୀମିତ ବଂଧୁମହଲରେ
ବାଂଟିଲେ ବହି ଘରେ ଘରେ
ଆପେ ପାଏନି ଲୋକାଦର
ଏ ସତ୍ୟ କରିବା ସ୍ବୀକାର

ବହିର ଗୁଣ, ସ୍ତର ଦେଖି
ଯେ ପାରେ ମହତ୍ତ୍ବ ପରଖି
ସେ ହୁଏ ଉତ୍ତମ ପାଠକ
ରଖେ ନିଜ ଭାଷାର ଟେକ

କେବଳ ହେଲେ ଲୋକାର୍ପିତ
ବହିଟେ ହୁଏନି ପଠିତ
ଏହା ହେଲେଁ ହେଁ ସତ କଥା
ସ୍ବୀକାର କରେନାହିଁ ମଥା

କଳ୍ପିତ ଯଶ-ସୁଖ ପାଇ
କେହି ଲେଖକ ତୃପ୍ତ ହୋଇ
ବିତାଏ ନିଶ୍ଚିଂତ ଜୀବନ
ହୁଏନି କେବେ ସଂଦିହାନ

ସ୍ବାନୁଭୂତି ହିଁ ଶ୍ରେଷ୍ଠ ଜ୍ଞାନ
ତାହାକୁ ଜଣାଉଁ ସମ୍ମାନ
ଗଚ୍ଛିତ ଜ୍ଞାନ ଅନୁଯାୟୀ
ସାହିତ୍ୟ କେବେ ଚଳେନାହିଁ

ଅନ୍ୟର ଖ୍ୟାତି ବୃଦ୍ଧି ପାଇଁ
ମୁଁ କିଆଁ ଦୂରେ ଯିବି ଧାଇଁ ?
ମୁଁ ନିଜେ ହୋଇ ଏକ ଭିଡ଼
ଭାଂଗିବି ନିଜର ପହୁଡ଼

ଭାବନାବଳି ମୋର ସଂଗୀ
ସଂକଳ୍ପ ଦିଅଂତିନି ଭାଂଗି
ଭାବନା ଓ ଚିଂତା ସଜାଇ
ସଂସାରେ ଥାଏଁ ସୁଖେ ରହି

ଦୁଃଖ ନ କଲେ ଉତ୍ପାଦନ
ସୁଖରେ ପୂର୍ଣ ହୁଏ ମନ
ମନୋଭାବ କରେଁ ପ୍ରକାଶ
ଏ ସବୁ ନୁହେ ଉପଦେଶ

ସାହିତ୍ୟ ସହିତ ସଂପୃକ୍ତି
ଯୋଗାଇ ଚାଲିଛି ସଂପ୍ରୀତି

Leave A Reply

Your email address will not be published.