Latest Odisha News

ପୁସ୍ତକ ପରିଚୟ : କବିତା ସାରା ଜୀବନ

କବିତା ସାରା ଜୀବନ
କବି : ସମରେନ୍ଦ୍ରନାଥ ମହାପାତ୍ର
ପ୍ରକାଶକ : ଶ୍ରଦ୍ଧା ପବ୍ଲିକେସନ

” କବିତା ପାଇଁ ସହିଲି ସବୁକିଛି ।ତଥାପି ଲେଖି ପାରିଲି ନାହିଁ କବିତାଟିଏ ଏଯାଏଁ ଠିକ୍ ସେ ଠିକ୍ ବାଗରେ ।ହୃଦୟରୁ ଚିପୁଡା , ରକ୍ତରେ ନିଗିଡା , ହାଡରେ ଗହୀରା ଶବ୍ଦ ମାନେ ଯେ ବହିଯାଆନ୍ତି ନିବିଡ ଆତ୍ମୀୟତାରେ ——ଏକଥା ବୁଝି ପାରିଲି ସିନା ବୁଝେଇ ପାରିଲି ନାହିଁ କାହାକୁ । କବି ଟିଏ ହେଲି ନାହିଁ ଯେ ପାଲଟିଗଲି ଶବ୍ଦର ମଣିଷଟିଏ ; ସାରା ଜୀବନ କଷ୍ଟ କୁ କାନ୍ଧେଇ କାନ୍ଧେଇ ଦୁଃଖକୁ ରକ୍ତରେ ମିଶେଇ ବୋହିଚାଲିଲି ଆପଣାର ଶବ ଆପେ। କବିତା ଟିଏ ଲେଖିଲି ନାଇଁ ଯେ କଳଙ୍କ ମୁଣ୍ଡେଇ ବୁଲିଲି କଙ୍କରିତ ପଥରେ ——-”
(“ସାରା ଜୀବନ” କବିତା ସଂକଳନ, ମୁଖବନ୍ଧ)

ଏଭଳି ଜୀବନନିଷ୍ଠ ଶବ୍ଦାବଳୀମାନଙ୍କର ସ୍ରଷ୍ଟା ଶ୍ରୀମାନ ସମରେନ୍ଦ୍ରନାଥ ମହାପାତ୍ର ଓଡିଆ ସାରସ୍ୱତ ଜଗତର ଜଣେ ବିସ୍ମୟ ପ୍ରତିଭାଧାରୀ ସାଧକ ।ସେ ଏକାଧାରରେ ଯଶସ୍ୱୀ କବି, ଶିଶୁ ସାହିତ୍ୟିକ , ଗୀତିକାର , ଝରକା ପତ୍ରିକାର ସମ୍ପାଦକ, ସାମ୍ବାଦିକ ଏବଂ ଜଣେ ପ୍ରକାଶକ ।

ଜୀବନ ଯନ୍ତ୍ରଣାର ବ୍ଯାପକ ଅନୁଭବସିଦ୍ଧ ରୂପକାର । “ସାରା ଜୀବନ ” , ” ବିଷର୍ଣ୍ଣ ନଦୀର ତୀରେ”
” ଟଙ୍କିକିଆ ମଣିଷ ” , “ମୌନ ଅଭିସାର” , ” ଉତ୍ତୀର୍ଣ୍ଣ ଅବତ୍ତୀର୍ଣ୍ଣ” ,
” ଏକା ଏକା ବିକ୍ରମାର୍କ”, “କଳିକାଳ”
“ଶବ୍ଦସମଗ୍ର” , ” ନାୟକ”, ଆଦି ନଅ ଗୋଟି କବିତା ସଂକଳନ ର ସେ ସ୍ରଷ୍ଟା ।ସାରସ୍ୱତ ସାଧନା ପାଇଁ ରାଜ୍ଯସରକାରଙ୍କ ଯୁବ ପୁରସ୍କାର ସମେତ ଅନେକ ପୁରସ୍କାର ପ୍ରାପ୍ତ କରି ସେ ପାଲଟିଯାଇଛନ୍ତି ଓଡିଆ ସାହିତ୍ୟର ବରେଣ୍ଯ ସାହିତ୍ୟିକ ।
ଆଲୋଚ୍ୟ “ସାରା ଜୀବନ ” କବିତା ସଂକଳନ ର ପ୍ରତ୍ୟେକ କବିତା ମଣିଷର ଜୀବନ ସଂଗ୍ରାମରେ ମୁଖରିତ ଏବଂ ସାଂପ୍ରତିକ ସମୟରେ ପରିଦୃଷ୍ଟ ସାମାଜିକ ସମସ୍ୟା, ଅମାନବିକ ଆଚରଣାଦିକୁ ଜୀବନ୍ତ ଭଙ୍ଗୀରେ ଉପସ୍ଥାପିତ କରିବାରେ ବେଶ୍ ସମର୍ଥ ।ପୁନଶ୍ଚ ଏ ସଂକଳନ କବି ସମରେନ୍ଦ୍ରନାଥଙ୍କ ଶୈଳ୍ପିକ ଜୀବନର ଏକ ଦଲିଲନାମା କହିଲେ ବି ଅତ୍ୟୁକ୍ତି ହେବନାହିଁ ।କବି ଜୀବନର ଦୁଃଖ, ଦୈନ୍ଯ , ନୈରାଶ୍ୟବୋଧ , ଈଶ୍ବରହୀନତା , କ୍ରମପରିବର୍ଦ୍ଧନଶୀଳ ଆବଶ୍ୟକତା ମେଣ୍ଟାଇବା ସକାଶେ ନିତ୍ଯ ସଂଘର୍ଷୀଶୀଳ ଜୀବନର ରାଶି ରାଶି ସମସ୍ୟାରେ ଅତିଷ୍ଠ ସ୍ୱପ୍ନଭଙ୍ଗର ଯନ୍ତ୍ରଣା ଓ ଯାତନା , ଜୀବନ ପ୍ରବାହର ଅସ୍ତିତ୍ବବାଦୀ ଜୀବନ ସଂଗ୍ରାମ ସଂପର୍କୀୟ ଖୁବ୍ ଉଚ୍ଚକୋଟୀର ଆଲୋଚନା କରିବାରେ ସମର୍ଥ ହୋଇଛନ୍ତି ।ସଂକଳନସ୍ଥ “କବିତା ” ଶିରୋନାମ୍ନୀ କବିତା ରେ କବିଙ୍କ ସ୍ବୀକାରୋକ୍ତି ଏହାକୁ ପ୍ରମାଣିତ କରିଦିଏ —-
” କେତେ ଆଉ ଲେଖିଥାନ୍ତି ହାଡ ମାଂସ ନିଶ୍ୱାସର ସାହାନାଇ ବଜାଇ
ଶିରାରେ ସ୍ନାୟୁ ରେ ଖୋଦେଇ ଜୀବନ ଯୁଦ୍ଧର ସଂଘାତ ସବୁକୁ
ହାଡ ର କଲମରେ ରକ୍ତର ସ୍ଯାହିଦେଇ କେତେ ଆଉ ଲେଖିଥାନ୍ତି
ସ୍ୱପ୍ନ ଭଙ୍ଗର ସଂଗୀନ କଥାକୁ ;
କବିତା ମନା କରିଦେଲା କବିତା ହେବାକୁ ।”

କବି ମହାପାତ୍ରଙ୍କ କବିତା ଗୁଡିକରେ ସମୟର ପ୍ରାଣସ୍ପନ୍ଦନ ଏକାନ୍ତ ଜୀବନ୍ତ ଏବଂ ଉଦ୍ଦେଶ୍ୟନିଷ୍ଠ। ଅନେକ କ୍ଷେତ୍ରରେ ସେ ନିଜ ଅଭିଜ୍ଞତାକୁ ଆଧାର କରି ସତ୍ଯମ୍ବଦ ଭଙ୍ଗୀରେ କବିତା ଗୁଡିକୁ ଅବତାରଣା କରିଛନ୍ତି ।

” ଅଳକା ସାମଲ ” କବିତା ରେ ସାଂପ୍ରତିକ ଶଠ, ଲମ୍ପଟ , ମଣିଷର ଚରିତ୍ରବତ୍ତାକୁ ଉପସ୍ଥାପିତ କଲାବେଳେ ଦର୍ଶେଇଦେଇଛନ୍ତି କି ମଣିଷର ପେଟର ଭୋକଠାରୁ ଶରୀରର କ୍ଷୁଧା ଖୁବ୍ ପ୍ରଚଣ୍ଡ । ମଣିଷର ଅନ୍ତର୍ଗତ ଜୀବନ  ସଇତାନ୍ ନୁହେଁ, ଅବା ସରସ ସ୍ବପ୍ନ ନୁହେଁ ବୋଲି ସୂଚିତ କରିଛନ୍ତି । କବିଙ୍କ ଭାଷାରେ—-
“ମୋର କେଉଁ ରକମର ଭୋକ ଯେ ମୁଁ ଆସିଛି ଏଠାକୁ , ବେଳେ ବେଳେ ଦେହର ଭୋକ ବଢିଯାଏ ପେଟର ଭୋକଠୁ , ନଚେତ୍ ମୁଁ କଣ ଆସିପାରିଥାନ୍ତି ସ୍ତ୍ରୀ ପିଲାଙ୍କ ସଂସାରରେ ଏଠାକୁ ।”

ସ୍ଥିତିବାଦୀ ଦାର୍ଶନିକଙ୍କ ଭଳି ସମାଜ ଗଢା ନିୟମ ଦ୍ୱାରା ଜୀବନକୁ ହେୟ କରିନାହାନ୍ତି କବି ସମରେନ୍ଦ୍ରନାଥ । ‘ ରେଶମୀବାଈ’ କବିତା ରେ ଏହା ପ୍ରତୀୟମାନ ହୋଇଥାଏ ।
” ଯଦିଓ ଆସନ୍ତି ଏଠାକୁ ଜାନୁଆର ଭୋକ ବିକଳରେ , ସେମାନେ ଫେରି ଯାଆନ୍ତି ମୋ ଦେହରୁ ସବୁ ଅନ୍ଧାର ଶୋଷିନେଇ , ଫିଙ୍ଗି ଦିଅନ୍ତି ମୋତେ ଯେମିତି ଗୋଟେ କଳଙ୍କିତ କଣ୍ଢେଇ।”

କବି ସର୍ବଦା ମଣିଷ ପ୍ରେମରେ ବିଭୋର ହୋଇଛନ୍ତି ।” ସାମବେଦ” ରେ ଅଛି—
” ପରି ପ୍ରାସଷ୍ଯ ଦକ୍ତବିଃ ସିନ୍ଧୋରୂର୍ମା ବଧି ଶ୍ରିତଃ ,
କାରୁଁ ବିଭ୍ରପୁରୁ ସୁହମ୍ ।”

ଅର୍ଥାତ୍ କବି ନିଜ ହୃଦୟ ସିନ୍ଧୁକୁ ପ୍ରେମଭାବନାରେ ତରଙ୍ଗାୟିତ କରିପାରେ ଓ ଯାବତୀୟ ସଂକୀର୍ଣ୍ଣତାଠାରୁ ଦୂରେଇ ଯାଇ ପ୍ରେମବଳରେ ଅନେକ ମଣିଷକୁ ଆପଣାର କରିପାରେ ।କବିଙ୍କ “ଦଳିତ” କବିତା ରେ ଏହା ପ୍ରତୀକିତ ହୋଇଥାଏ ।
“ତୁମ ଅଭିଧାନର ଭାଷାରେ ‘ମଣିଷ ‘ ନୁହେଁ ମୁଁ, ନାହିଁ ମୋର ଝକମକି ମୁଖାପିନ୍ଧା ଜୀବନ ।”

“କନ୍ଧମାଳ “କବିତା ରେ ନିରୀହ ସରଳ କନ୍ଧମାଳ ବାସୀଙ୍କପ୍ରତି ବର୍ବର ମଣିଷଙ୍କ ଅବିଚାରକୁ ଉପସ୍ଥାପନା କଲାବେଳେ ମର୍ମାହତ ହୋଇଛନ୍ତି ।
” ଜଳିଗଲା ଜଙ୍ଗଲ ଜଙ୍ଗଲ କ୍ଷୁଧା
ରକ୍ତରେ ଥିଲା କୋଉ ହିଂସ୍ର ଆଦିମତା ,
ଲୋଳୁପ ପିଶାଚ ଜିଭରେ ଚାଟିନେଲା କେତେ ନୀରିହତା ।”

“ବୟଫ୍ରେଣ୍ଡ ” କବିତା ରେ ଅତ୍ୟାଧୁନିକ ନାରୀର ସ୍ବେଚ୍ଛାଚାରିତା ପ୍ରକାଶ ପାଇଛି ।ସ୍ୱାମୀଙ୍କ ଥିବା ସତ୍ତ୍ବେ ବୟଫ୍ରେଣ୍ଡ ବା ପ୍ରେମିକ ପ୍ରତି ତାର ପ୍ରେମ ନିବେଦନ କୁ କବି ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି ।
” ସାରା ଜୀବନର ଅତୃପ୍ତିକୁ ମେଣ୍ଟାଇ ପାରିବ ତୁମେ , ସବୁ ଦିନେ ତୁମେ ଏମିତି ପ୍ରେମିକ ଥିବ ନା ।”
‘ ବିପ୍ଳବ ‘, ‘ରେଳରୋକ ‘, ‘ବଡବାବୁ’ କବିତା ରେ ସଂଘର୍ଷମୟ ଜୀବନର କଥା ହିଁ ଲେଖିଲା ବେଳେ ବ୍ଯଥିତ ହୋଇପଡିଛନ୍ତି ।

କବିତା ସାରା ଜୀବନ ” ରେ ଏହା ସୂଚୀତ ହୋଇଥାଏ ।କବିତା ଲେଖନୀ ରେ ଆଜୀବନ ମୋହଚ୍ଛନ୍ନ ହେଲେହେଁ ଜୀବନ ଜଞ୍ଜାଳର ଯନ୍ତ୍ରଣା ଶରୀର ଓ ଆତ୍ମାକୁ କ୍ଷୁବ୍ଧ କରିଛି ।

ତଥାପି ଲେଖୁଛି ସିସିଫସ ପରି ଘୁଷୁରି ଘୁଷୁରି ଯନ୍ତ୍ରଣାକ୍ତ ଦେହରେ ଚାଲୁଛି ଆଗକୁ , ସ୍ବପ୍ନ ସବୁ ଢୋକି ଢୋକି ତଣ୍ଟିରେ , କେଉଁ ଜାଗତିକ ମାୟାରେକି ରକ୍ତାକ୍ତ ନିଶାରେ ମୁଁ ଲେଖିଚାଲିଛି କବିତା , ସାରା ଜୀବନ ଯୋଉ କବିତାଟି ଲେଖୁଛି
ଜାଣେନା ସରିବକି ନାହିଁ
ସରିବା ପୂର୍ବରୁ ମୋର ଚାଲିବା ଏଇ ପୃଥିବୀରେ ।”

“ସାରାଜୀବନ” କବିତାଟି ଆଲୋଚ୍ୟ ଗ୍ରନ୍ଥ ର ହୃଦୟ ସଦୃଶ ।ସମଗ୍ର ଜୀବନ ସେ ଦଧିଚି ଭଳି ଗୋଟିଏ ବିନ୍ଦୁରେ ଠିଆ ହୋଇ କବିତା ହିଁ ରଚନା କରିଛନ୍ତି ।ଶବ୍ଦମାନଙ୍କ ଝଙ୍କାରରେ ନିଜ ଜୀବନକୁ ଝଙ୍କୁରିତ କରିଦେଲା ବେଳେ କବିତା ମୟ ପାଲଟିଯାଇଛନ୍ତି ।ଏଠି ସେ ଲେଖନ୍ତି
” ସାରା ଜୀବନ ମୁଁ କଲମରେ କାଳି ଡରୁଛି, (ନିଜ ହାଡରେ ତିଆରି ସେ କଲମ , କାଳି ବି ରକ୍ତରେ ——)
ଦରକାର ପଡିଲେ , କଲମ ପରେ କଲମ ବଦଳାଉଛି
ସାରା ଜୀବନ ମୁଁ ଗାରେଇଚାଲିଛି
କେତେ କାଗଜ ।”
ଆଲୋଚ୍ୟ ସଂକଳନସ୍ଥ ସମସ୍ତ କବିତା ବାସ୍ତବତାରେ ପରିପୂର୍ଣ୍ଣ ଏବଂ ପୁଞ୍ଜିଭୂତ ମାନବପ୍ରେମରେ ମହିମାମଣ୍ଡିତ । ମଣିଷର ବିବିଧ ପ୍ରାବୃତ୍ତିକ ଆଚାର ବିଚାର ଯଥା ପ୍ରେମ , ମୃତ୍ୟୁ, ଶୋଷଣ କଷଣ, ଯୌନତା , ଜଟିଳ ଚିନ୍ତା ଚେତନା , ସମସ୍ଯାମାନଙ୍କ ଦ୍ୱାରା ଏ ସଂକଳନ ଟି ପରିପୁଷ୍ଟ । ତେବେ ସାମଗ୍ରିକ ଭାବରେ ଓଡିଆ କବିତା କ୍ଷେତ୍ରରେ ବ୍ଯାପକ ଜୀବନାନୁଶୀଳନରେ ନିତ୍ଯପ୍ରବୃତ୍ତ ଭାବମାଧୁର୍ଯ୍ଯ ବଣ୍ଟନ ରେ ସାଧନାରତ ଯେଉଁ କେତେ ଜଣ ସମର୍ଥ କବି ମଣିଷର ଅନ୍ତଶ୍ଚେତନାର କଥା ଲେଖିବାରେ ମୁଖର ଅଛନ୍ତି ତନ୍ମଧ୍ଯରୁ କବି ସମରେନ୍ଦ୍ରନାଥ ମହାପାତ୍ରଙ୍କୁ ମାନବୀୟ ଉଛ୍ୱାସ ସ୍ବଚ୍ଛନ୍ଦ ପ୍ରବକ୍ତା ଭାବରେ ବିଶେଷ ଗୌରବ ପ୍ରଦାନ କରାଯାଇପାରେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ମମତା ପ୍ରିୟଦର୍ଶିନୀ ସାହୁ

ଓଡ଼ିଆ ଅଧ୍ୟାପିକା
ସରକାରୀ ଏସ୍ ଏସ୍ ଡି, ଏଚ୍ ଏସ୍ ଏସ୍
ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ
ବାଲିଶଙ୍କରା, ସୁନ୍ଦରଗଡ

Leave A Reply

Your email address will not be published.