Latest Odisha News

BREAKING NEWS

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’  ବିମଳା ଶଙ୍କର ଦାଶଙ୍କ ସହ ‘ସ୍ୱଳ୍ପ ଆଳାପ

 

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ପ୍ରାଥମିକ ଶିକ୍ଷା ବେଳେ ନନା (ବାପା) ମୋ ଆଦ୍ଯଗୁରୁ ସ୍ବର୍ଗତ ସୁଦାମ ଚରଣ ଦାଶ ପ୍ରଧାନଶିକ୍ଷକ ଥିଲେ । ସ୍କୁଲରେ ନିୟମିତ ଭାବରେ ଯେଉଁ ପ୍ରାର୍ଥନା ବୋଲାଯାଉଥିଲା ତାହା ନନା ଲେଖିଥିଲେ । ନନାଙ୍କ ରଚିତ ପ୍ରାର୍ଥନା ଗାନ କଲା ବେଳେ କାହିଁକି କେଜାଣି ମନରେ ଗର୍ବ ଅନୁଭବ ହେଉଥିଲା । ଏହାଛଡା ନନା ଭାରତଲୀଳା, ପ୍ରହହ୍ଲାଦ ନାଟକ , ସଂକୀର୍ତ୍ତନ ମଣ୍ଡଳୀର ଗାୟକ ଥିଲେ । ନିଜ ରଚନାରୁ ଅନେକ ଗୀତ ସ୍ୱର ଦେଇ ଗାଇ ଶୁଣାଉଥିଲେ । ନନାଙ୍କ ରଚିତ ଗୀତଗୁଡିକୁ ଗୋଟିଏ ଖାତାରେ ଟିପି ରଖେ । ଲେଖିବାବେଳେ ନନା ଗୀତର ଭାବ , ଅର୍ଥ , ଅଳଙ୍କାର , ବନାନ ଶୁଦ୍ଧି ବିଷୟରେ ବୁଝାଉଥିଲେ । ପ୍ରକୃତରେ ଲେଖିବା ପାଇଁ ପିଲାଟି ଦିନରୁ ନନାଙ୍କଠୁ ହିଁ ପ୍ରେରଣା ପାଇଥିଲି । ସେତେବେଳେ ଅନେକ ଗୀତିକବିତା ଲେଖି ନନାଙ୍କୁ ଦେଖାଏ । ନନା ସଜାଡି ଦିଅନ୍ତି । ଥରେ ଗୋଟିଏ ଜଣାଣ – ତୋର ନାମ ଡାକି ଡାକି ସୁଖ ମୁଁ ଦେଇଛି ବିକି… ଦୁଃଖ ହିଁ ରହିଛି ବାକି , ହେ…ଚକାଆଖି ! ଗାଇ ଶୁଣାଇବା ପରେ ନନା ଗଦ୍ ଗଦ୍ ହୋଇ ପଡିଥିଲେ । ନନାଙ୍କଠୁ ପାଇଥିବା ସେହି ପ୍ରଶଂସା ସାହିତ୍ୟ ସର୍ଜନା କ୍ଷେତ୍ରରେ ଖୁବ୍ ଆଗ୍ରହ ଜନ୍ମାଇଥିଲା । କଲେଜ୍ ପଢୁଥିବା ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବାଗତ ଗୀତ ଲେଖି ସାଙ୍ଗମାନଙ୍କଠୁ ଖୁବ୍ ଆଦର ପାଇବା ସାଙ୍ଗକୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ସବୁବେଳେ ପୁରସ୍କୃତ ହେବା ମୋର ଆତ୍ମବିଶ୍ବାସ ବଢାଇଥିଲା । ଜଣେ ବିଜ୍ଞାନର ଛାତ୍ର ହୋଇଥିଲେ ମଧ୍ୟ ସାହିତ୍ୟ ପ୍ରତି ମୋର ଆଗ୍ରହ ପ୍ରଥମରୁ ଥିଲା । ଆମ ମାଟିର ସାଧାରଣ ଲୋକଙ୍କ କଥା-ବ୍ଯଥା, ଭାଷା-ଭାବନା, ଚିନ୍ତା-ଚେତନାର ଶାଣିତ ସ୍ବରଟିଏ ହେବା ଲକ୍ଷ୍ଯରେ କଲମ ଧରିଛି । ଏସବୁ ପାରିପାର୍ଶ୍ବିକ ପରିସ୍ଥିତି ମୋତେ ସାହିତ୍ୟ ସର୍ଜନା ପାଇଁ ଆଗ୍ରହୀ କରାଇଲା ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ” ମୋ ଗାଁ” ଶୀର୍ଷକରେ ଏକ କବିତା ପ୍ରଭାତ କୁମାର ଶତପଥୀଙ୍କ ସମ୍ପାଦନାରେ ପ୍ରକାଶିତ ପତ୍ରିକା “ଯୁବ ଜାଗୃତି” ରେ ସ୍ଥାନ ପାଇ ମତେ ପ୍ରେରିତ କରିଥିଲା । ତତ୍ପରେ ସମ୍ବାଦର ଦକ୍ଷିଣ ଓଡ଼ିଶା ବିଶେଷାଙ୍କରେ ଜନଜାତି ସଂସ୍କୃତି ଆଧାରିତ ପ୍ରବନ୍ଧ “ରାୟଗଡାର ବେଜୁନାଚ” ପ୍ରକାଶ ପାଇ ଗଦ୍ୟ ସାହିତ୍ୟ ପ୍ରତି ମନୋଯୋଗୀ କରାଇଥିଲା । ଆଗରୁ ଅନେକ ଛୋଟ ଗଳ୍ପ ଲେଖିଥିଲେ ବି ପ୍ରଥମ ପ୍ରକାଶିତ ଗଳ୍ପ – “ଭୂତାଣୁ ” କିର୍ତ୍ତୀ ଚନ୍ଦ୍ର ସାହୁଙ୍କ ସମ୍ପାଦନାରେ ପ୍ରକାଶିତ ପତ୍ରିକା “ପ୍ରତିଫଳନ” ରେ ସ୍ଥାନ ପାଇଥିଲା । ସେତେବେଳେ ଏଇ ଗଳ୍ପ ପାଇଁ ଜିଲ୍ଲାର ବରେଣ୍ଯ ସାହିତ୍ୟ ସାଧକ ସତ୍ୟ ନାରାୟଣ ଗନ୍ତାୟତ, ଅଗ୍ରଜ ପ୍ରତିମ ଜଣାଶୁଣା କଥାକାର ଦ୍ବିତୀ ଚନ୍ଦ୍ର ସାହୁଙ୍କଠାରୁ ଖୁବ୍ ପ୍ରଶଂସା ସାଉଁଟିବା ସହ ଗଳ୍ପ କ୍ଷେତ୍ରରେ ଅଧିକ ମନୋନିବେଶ କରିବାକୁ ପ୍ରେରଣା ପ୍ରଦାନ କରିଥିଲା ।

ଗଳ୍ପ  ବା  କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କବିତା ଲେଖୁଥିଲେ ବି ଖୁବ୍ କମ୍ ପ୍ରକାଶିତ । ପ୍ରଥମେ ପ୍ରଥମେ ଆଧ୍ୟାତ୍ମିକ , ପ୍ରେମ ଓ ପ୍ରକୃତି ଆଧାରିତ କବିତା ଲେଖୁଥିଲି । ପରବର୍ତ୍ତୀ ସମୟରେ ସାମାଜିକ ପରିସ୍ଥିତି ଓ ସମସ୍ୟାକୁ ନେଇ କବିତା ରଚନା କରିବାକୁ ଚେଷ୍ଟା କରୁଛି । ଗଳ୍ପ ମୋ ପ୍ରାଣ । ଗଳ୍ପକୁ ଗଳିରୁ ସାଉଁଟିବାକୁ ଚେଷ୍ଟା କରେ । ଗଳ୍ପରେ ଆବେଗଭରା କାହାଣୀ ସାଙ୍ଗକୁ କୌଣସି ନା କୌଣସି ସାମାଜିକ ବାର୍ତ୍ତାଟିଏ ରଖିବାକୁ ଚେଷ୍ଟା କରେ । ନାରୀ ଶୋଷଣ ଓ ନିର୍ଯ୍ୟାତନା, ଦେଶପ୍ରେମ, ମାନବିକ ମୂଲ୍ଯବୋଧ, ପ୍ରେମ ଓ ସମ୍ପର୍କର ମୂଲ୍ୟ ଏସବୁ କଥା ଗଳ୍ପ ମାଧ୍ୟମରେ ଲେଖିବାକୁ ପ୍ରୟାସରତ ।

 

ତାଙ୍କ ରଚନାରୁ ‘ଗଳ୍ପ : ଶୀତରାତିର ଗୀତ’ 

ଶୀତ ଆସିଲେ ସେ ଆନମନା ହୁଏ । ଶୀତ ରାତିର ଜହ୍ନ ଯେତିକି ଶୀତଳ ଲାଗେ ତାହାଠୁ ଅଧିକ ପ୍ରଗଳ୍ଭ କରାଏ ସାରା ରାତି । ଦେହରେ ଜହ୍ନର ଜ୍ଯୋଛନାକୁ ବୋଳି ସାରା ରାତି ଗୀତ ଗାଇ ବୁଲେ । ନିଃଶବ୍ଦ ରଜନୀରେ ସେଇ ଗୀତର ମୂର୍ଚ୍ଛନାରେ ମୁଗ୍ଧ ହେଲା ପରି କେହି ନ ଥିଲେ ବି ସେ ସାରା ରାତି ସେମିତି ପାଗଳୀ ପରି ଗୀତ ଗାଏ । ତା’ ସୁର ଦୂର ଦୂର ଯାଏଁ ଶୁଣାଯାଏ । ଯେଉଁ ସୁରରେ ପ୍ରତିଧ୍ବନିତ ହୁଏ ଜଣେ ପ୍ରେମ ବିରହିଣୀର ବିରହ ବେଦନା । ସେଇ ବିରହ ସଙ୍ଗୀତରେ ସତେ ଯେମିତି ଗଛ ପତର ବି କାନ୍ଦିଉଠେ, ଭିଜିଯାଏ ଲୁହ କାକରରେ । ଦୁଃଖରେ ବତୁରିଯାଏ ତରୁ ତୃଣ । ତଥାପି ସମସ୍ତେ ନୀରବ ଓ ପ୍ରତିକ୍ରିୟା ହୀନ ।

ସେହି ଘଞ୍ଚ ଜଙ୍ଗଲରେ କେଉଁ କାଳରୁ ତିଆରି ହୋଇଥିବା ବଙ୍ଗଳାରେ ନୂଆ କରି ରହୁଥିବା ଫରେଷ୍ଟ ଅଫିସର୍ ଅବିନାଶ ବାବୁ କିନ୍ତୁ ନିର୍ଜନ ରାତିରେ ସେଇ ଶୋକାତୁର ସଙ୍ଗୀତକୁ ଶୁଣନ୍ତି ଓ ତା’ ପଛେ ପଛେ ଘୂରିବୁଲନ୍ତି । ବୋଧହୁଏ ସେଇ ଗୀତର ମୂର୍ଚ୍ଛନା ରେ ମୋହିତ ହୋଇ ପଡିଛନ୍ତି କେତେ ଦିନରୁ ।

ଶୀତ ରାତିର ଶୀତରେ ବି ତାଙ୍କ ଦେହ ଝାଳରେ ଗମ୍ ଗମ୍ ହୋଇଯାଏ ଯେତେବେଳେ ସେ ଅଦୃଶ୍ଯ ରମଣୀର ପିଛା କରନ୍ତି । ଅନେକ ରାତି ବିନିଦ୍ର କଟିଛି ଅଥଚ ସୁରିଲା ଗୀତ ଶୁଣିବା ବ୍ଯତିରେକ ଦେଖିପାରି ନାହାନ୍ତି ସେଇ ରହସ୍ୟମୟୀ ନାରୀଙ୍କୁ । ତାଙ୍କର ଡ୍ଯୁଟି ସରି ଯାଇଥିଲେ ବି ସେ ସେଇ ଜଙ୍ଗଲର ଡାକ ବଙ୍ଗଳା ଛାଡି ଘରକୁ ଚାଲିଯାଇ ପାରୁ ନ ଥିଲେ । ହୁଏତ ଅହେତୁକ ଭାବେ ସେଇ ଅଦୃଶ୍ଯ ନାରୀର ମୋହରେ ପଡିଯାଇଛନ୍ତି ସେ । ଥରୁଟେ ସେଇ ନାରୀର ଦର୍ଶନକୁ ଅପେକ୍ଷାକରି ଅଟକି ଯାଇଛନ୍ତି ସେଇ ଜଙ୍ଗଲରେ । ଅନେକ ଦିନର ରହଣି ପରେ ବି କେବେ ଧରାଦେଇ ନ ଥିଲା ଅଦୃଶ୍ଯ ନାରୀ ଜଣକ । ତାଙ୍କ ସହକର୍ମୀ ସତର୍କ କରାଇଦେଇଥିଲେ ସେ କେଉଁ ନାରୀ ନୁହଁ, ଏଇ ଜଙ୍ଗଲରେ ବୁଲୁଥିବା ଜଣେ ପିଶାଚୀନି । ଏକଥାକୁ ଅବିନାଶ ବାବୁ ସ୍ବୀକାର କରିବାକୁ ରାଜି ନଥିଲେ । ଏଣୁ ସେ ସବୁ ରାତିରେ ଜଙ୍ଗଲ ସାରା ଘୂରି ବୁଲୁଥିଲେ ସେଇ ନାରୀର ସନ୍ଧାନରେ ।

ଅନେକ ରାତି ବେକାରରେ କଟିବା ପରେ ଶେଷରେ ବଙ୍ଗଳା ଛାଡି ଚାଲି ଯିବାକୁ ସେ ନିଷ୍ପତ୍ତି ନେଲେ । ଏହା ହୁଏତ ଅବିନାଶ ବାବୁଙ୍କ ଶେଷ ରାତି ସେଇ ଜଙ୍ଗଲରେ । ସକାଳ ପାହିଲେ ଚାଲିଯିବେ ସହରକୁ । ସବୁରାତି ପରି ସେଇ ରାତିରେ କିନ୍ତୁ ଆଉ ଶୁଣାଗଲାନି ଗୀତ । ଅବିନାଶ ରାତିର ଶେଷ ପ୍ରହର ଯାଏଁ ଅପେକ୍ଷା କଲେ । କିନ୍ତୁ ନା ଦେଖି ପାରିଲେ ନିର୍ଜନ ନିଶିଥର ରଜନୀ ରାଣୀକୁ ନା ଶୁଣି ପାରିଲେ ବିରହ ରାଗେଣୀ ।

ସକାଳୁ କୁହୁଡିଭରା ଜଙ୍ଗଲ ଫାଙ୍କରୁ ଜିପ୍ ସହରୀ ରାସ୍ତାକୁ ବଙ୍କାଇଲାବେଳେ ଶେଷଥର ପାଇଁ ଅବିନାଶ ଜଙ୍ଗଲ ଆଡକୁ ଟିକିଏ ବୁଲି ଚାହିଁଲେ । ପଛରୁ ଛାୟାମୂର୍ତ୍ତି ପରି କେହିଜଣେ ହାତ ହଲାଇ ବିଦାୟ ଜଣାଉଥିଲା ।

ଡ୍ରାଇଭରକୁ ଗାଡି ରଖିବା ପାଇଁ କହିଲେ । ଜିପ୍ ରୁ ଓହ୍ଲାଇ ପଛକୁ ଦେଖିଲାବେଳେ ସବୁକିଛି ଅଦୃଶ୍ଯ । ଦେହ ଶୀତେଇ ଗଲା ତାଙ୍କର । ମନସ୍ତାପରେ ଘରକୁ ଫେରି ଆସିବା ବାଟରେ ଅବିନାଶଙ୍କ ଆଖିରେ ନାଚି ଉଠୁଥିଲା ଛାୟାମୂର୍ତ୍ତିଟିର ସେଇ ଝାପ୍ସା ଚେହେରା । ଆଦୌ ପ୍ରକୃତିସ୍ଥ ହୋଇ ପାରୁ ନଥିଲେ ସେ । ରଜନୀରାଣୀର କଳ୍ପିତ ଛବି ଓ ଗୀତ ପ୍ରତିକ୍ଷଣ ମନକୁ ଖୁବ୍ ଆନ୍ଦୋଳିତ ଓ ଉଦ୍ ବେଳିତ କରିବାକୁ ଲାଗିଲା ।
ଡ୍ରାଇଭରକୁ କହିଲେ ତୁରନ୍ତ ଜିପ୍ ସେଇ ଜଙ୍ଗଲ ଅଭିମୁଖେ ବୁଲେଇବାକୁ । ପୁଣି ଫେରି ଆସିଲେ ନିଜ କୋଠରୀକୁ ।

ଡ୍ରାଇଭର୍ ସଚେତ କରାଇ ଡରିଡରି କହିଲେ- ବାବୁ ଆପଣ ଜଙ୍ଗଲ କୁ ଫେରି ଆସି କିଛି ଠିକ୍ କରି ନାହାନ୍ତି । ଆଗରୁ ଏମିତି ଘଟଣା ଅନେକ ଥର ଘଟିଛି । ଲାଗ ଲାଗ ଦୁଇଜଣ ବାବୁ ସେଇ ମାୟାବିନୀ ରଜନୀରାଣୀର ମୋହରେ ପଡି ମୃତ୍ୟୁର ସ୍ବାଦ ଚାଖିଛନ୍ତି । ସେଇ ଭୟରେ ଏଇ ଜଙ୍ଗଲରେ କୌଣସି ସରକାରୀ ବାବୁ ରୁହନ୍ତିନି ।

ଅବିନାଶ ବାବୁ ହସିଲେ !

ଆଉ ମାତ୍ର ଗୋଟିଏ ରାତି । ନିଶ୍ଚୟ ସେ ମାୟାବିନୀର ସାନ୍ନିଧ୍ୟ ଲାଭ କରି ଫେରିବି ।

ସେଦିନରୁ କିନ୍ତୁ ଅବିନାଶ ବାବୁ ଆଉ କେବେ ଫେରି ନାହାନ୍ତି ସେଇ ମାୟାବିନୀ ଜଙ୍ଗଲରୁ …..!!

ଗୋଡିଆବନ୍ଧ (ପଦ୍ମପୁର)
ଜିଲ୍ଲା-ରାୟଗଡ
ମୋ- ୭୯୭୮୧୭୧୪୩୭

 

Leave A Reply

Your email address will not be published.