Latest Odisha News

BREAKING NEWS

ସମାଜରେ ଘଟୁଥିବା ବାସ୍ତବ ଘଟଣାର କାଳ୍ପନିକ ପରିପ୍ରକାଶ ହିଁ ମୋ ସାହିତ୍ୟର ସ୍ୱର : ଦେବବ୍ରତ ବାରିକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦେବବ୍ରତ ବାରିକଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ପିଲାଦିନରୁ ସାହିତ୍ୟ ପ୍ରତି ଅନୁରାଗ ରହିଆସିଛି। କବିତା ଓ ଗଳ୍ପ ଲେଖା ଲେଖି କରିବାକୁ ଭଲପାଏ। ସମାଜରେ ଘଟୁଥିବା ଘଟଣାକୁ ନେଇ କିଛି ଏଣୁ ତେଣୁ ଲେଖି ଦିଏ। ଆମ ଏ ସବୁଜ ସୌନ୍ଦର୍ଯ୍ୟକୁ କଲମ ମୁନରେ ଆଙ୍କିଧରେ । ତା’ ସହ ବହି ପଢିବା ପାଇଁ ବି ଭଲ ଲାଗେ।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମାସିକ ଓଡ଼ିଆ ଇ-ପତ୍ରିକା “ଶୁଭପଲ୍ଲବ ” ଯାହା ଭଦ୍ରକରୁ ପ୍ରକାଶିତ ହୁଏ ସେଥିରେ ମୋର ପ୍ରଥମ ଲେଖା “ ଏକା ଏକା ” ପ୍ରକାଶିତ ହୋଇଥିଲା । ମୋ ଗୁରୁ ଧୀରେନ୍ ବାଗଙ୍କ ଜରିଆରେ ମୋ ଲେଖାଟି ସେଇ ପତ୍ରିକାରେ ସ୍ଥାନ ପାଇଥିଲା ଏବଂ ମୁଁ ସାହିତ୍ୟ କ୍ଷେତ୍ରରେ ଏକ ନୂଆ ପରିଚୟ ପାଇଥିଲି।

ଗଳ୍ପ ଓ କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ ଓ କବିତାରେ ମୁଁ ସବୁ ବେଳେ କିଛି ନିଜର କଥା ଏବଂ ସମାଜରେ ଘଟୁଥିବା ଘଟଣା ସବୁର ରୂପ ଦେଇଥାଏ। କିଛି ବାସ୍ତବିକ୍ ଓ କାଳ୍ପନିକ କାହାଣୀ ଲେଖିଥାଏ।

ତାଙ୍କ ରଚନାରୁ କବିତା : ସନ୍ଧ୍ୟାରେ ଫେରୁଛି କାଇଁ

ମିଞ୍ଜି ମିଞ୍ଜି ଆଲୁଅରେ ସମ୍ଭାବନା
ସ୍ଥିତ ଏକ ବାସ୍ତବତା
ଅନ୍ଧାର ଭିତରେ ନିମନ୍ତ୍ରିତ କବି
ପ୍ରୀତି ଭରା ସେ କବିତା।।

ବତୀଖୁଣ୍ଟ ପରି ଅନେକ ଆଲୋକ
ସୁନ୍ଦର ସୌରଭ ଶାହୀ
କଲମ ଫଲମ କିଛି ନୁହଁ ତୁମେ
ପ୍ରେମ କଥାଦିଏ କହି।।

ନିରୋଳା ରାସ୍ତାରେ ଆସୁଥିବା ଲୋକ
ସମ୍ପର୍କ ଦେଇଛି ବାନ୍ଧି
ଅମନ ସୁମନ ଅର୍ପଣ କରି ଯେ
ଦେଇଚି କାହାକୁ ଛନ୍ଦି।।

ଯିବା ଆସିବାରେ ଲାଗିଛି ଗହଳି
ପ୍ରୀତି ସମ୍ଭାବନା ପାଇଁ
ସମୟ ଯେଉଁଠି ଅଟକି ଯାଇଛି
ସନ୍ଧ୍ୟାରେ ଫେରୁଛି କାଇଁ।।

ଓଭର ବ୍ରିଜର କଳା ଧଳା ରଙ୍ଗ
ମଥା ଟେକି ଚାହିଁଥାଏ
କେତେ ସାଙ୍ଗ ସାଥି ଚାଲି ତ ଗଲେଣି
ଭାବିଲେ ଆଉ କି ହୁଏ।।

 

Leave A Reply

Your email address will not be published.