Latest Odisha News

ମୋ କୁମାର ପୂର୍ଣ୍ଣିମା

ଲୋପାମୁଦ୍ରା ପରିଡା 

“ପୁଚି ଲୋ ପୁଚି
ଯା ଯା ଲୋ ଘୁଞ୍ଚି ।।”

କୁନି କୁନି ପାଦ ସବୁ ଘୁଞ୍ଚି ଘୁଞ୍ଚି ଯାନ୍ତି ହସର ତାଳେ ତାଳେ ।

“ଠିଆ ପୁଚି ନାରଙ୍ଗ
ଗୋଡ ଦିଟା ସାରଙ୍ଗ
ସାରଙ୍ଗ ବଣକୁ ଯାଇଥିଲି
ସାରଙ୍ଗ କୋଳି ଆଣିଥିଲି
ଅଧେ କଲି କଞ୍ଚା, ଅଧେ କଲି ଭଜା
ମୋ ଭଉଣୀ ରାଣୀ ଲୋ,
ମୋ ଭାଇ ଟି ରଜା ।।”

ଟୋପି ଚନ୍ଦନ , ଅଳତା, ଗୋଲାପି ପାପୁଲିରେ ମଞୁଆତି ବଟାର ମହକ, ଟଗରହାର ଗଜରା ବନ୍ଧା ଓଲଟ କଦଳୀ ବେଣୀରେ ନୂଆ ରିବନ , ଲାଜୁଆ ହସ, ବାଙ୍କ ଚାହାଣୀରେ ଝରୁଥାଏ ଚାନ୍ଦିନୀ ।

“କୁଆଁର ପୁନେଇଁ ଜହ୍ନ ଗୋ ,ଫୁଲ ବଉଳ ବେଣୀ
କୁଆଁରୀ ମାନଙ୍କ ଅପୂର୍ବ ଆନନ୍ଦ
ଚାନ୍ଦ ବସିବା ମୋ ସଖି ଗୋ
ଫୁଲ ବଉଳବେଣୀ ଲୋ, ଫୁଲ ବଉଳବେଣୀ ।।”

ଆହା , ସେ ସକାଳର ଆଞୁଳା ଟେକା ପାଇଁ ତା ଆଗ ଦିନ ରାତିରୁ ସବୁ ଝିଅ ମେଳି ହେଇ ଏକାଠି ଗୋଟେଠି ଶୁଆ, ଉଦିତ ସୂର୍ଯ୍ୟ ସଜବାଜ ହେଇ କୁଆଁରୀମାନଙ୍କ ନଜରକୁ ଆସିବାକୁ ତିଆର ହେଲା ବେଳକୁ ସବୁ କନିଆଁମାନେ ଏକାଠି ଗାଧୁଆବୁଡ ସାରି ଓଦା ଲୁଗା ଚିପୁଡି , ଆଉ ଯାହାର ନୂଆ ଅଛି ନବବସ୍ତ୍ର କାନ୍ଧରେ ପକେଇ ଆସି ଚଉରାଠି ଅପେକ୍ଷାରେ । ହସ ପାଇଁ କାରଣ ଖୋଜା ପଡେନି। ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ ଦେଇ ହି ହସ ଫୁଲ ଫୁଟେଇଦିଅନ୍ତି । ମିଠା ମିଠା ହସ ଫୁଲ ପ୍ରଜାପତି ହେଇ ଉଡିଯାନ୍ତି ଆଉ ଡାକିଆଣନ୍ତି କୁନି କୁଆଁରୀମାନଙ୍କୁ ଏକାଠି ହେବାକୁ, ଚଞ୍ଚଳ ହେବାକୁ । ସହଳ ସହଳ ପୂଜିବାକୁ ହେବ । ନୂଆ କୁଲାରେ ହଳଦୀ, ସିନ୍ଦୁର ମାରି ଜହ୍ନି, କାକୁଡି, ଖଇ ( ଲିଆ ), ନଡିଆ, କଦଳୀ, ଗୁଆ, ଆଦି ଗୋଟା ଫଳ ସବୁ ରଖି ପୂଜାବିଧି ସରେ ମହା ଆନନ୍ଦ ଉଲ୍ଲାସରେ । ଆରମ୍ଭ ହୁଏ କୁଆଁର ପୁନେଇ ବା କୁମାର ପୂର୍ଣ୍ଣିମା ।

ଚଉରାରାଣୀ ଙ୍କୁ ବି ନୂଆ ଲୁଗା, ଶଙ୍ଖା, ସିନ୍ଦୁର ଲଗେଇ ସଜାଯାଏ ।ଦିନ ସାରା ପିଠା, ଖିରିରେ ,ହସଖୁସିରେ , ବୁଲାବୁଲି, ସାଙ୍ଗସଖା,ଗୀତ ,ଫଟୋ ଉଠା, ଭାବ ଦିଆନିଆରେ ସରେ ।କନିଆଁ ମାନେ ସଞ୍ଜକୁ ଚାହିଁଥାନ୍ତି।

ସନ୍ଧ୍ୟା ରାଣୀଙ୍କ ସହ ବୃନ୍ଦାବତୀଙ୍କ ଠି ଯିଏ ଯାହାର ଚାନ୍ଦ ଚକଟି ଜହ୍ନ ଆକୃତିରେ ଥାଳିରେ କଦଳୀ ପତ୍ର ଉପରେ ପୂର୍ଣ୍ଣ ଚାନ୍ଦ ଆଉ ଅର୍ଦ୍ଧ ଚାନ୍ଦ ଗଢାହୁଅନ୍ତି ସକାଳର ଆଞୁଳା ସାମଗ୍ରୀରେ । ଜହ୍ନକୁ ଅନେଇଥାନ୍ତି । ଜହ୍ନ ଆକାଶରେ ହସେ ଆଉ କୁଆଁରୀ ମାନେ ଗଗନ ତଳେ ନୀଳ କୁମୁଦ ପାଲଟନ୍ତି ।

ପାର୍ବତୀ ପୁତ୍ର କୁମାର କାର୍ତ୍ତିକେୟଙ୍କ ପରି ଅନିନ୍ଦ୍ଯ ସୁନ୍ଦର ଓ ଦିବ୍ୟ ଜୀବନ ସାଥୀଟିଏ ପ୍ରାପ୍ତିର ଅଭିପ୍ସା କୋମଳ ଇଛ୍ଛାଟିମାନର ରୂପ ନେଇ ଆଖି ମୁଦି ହାତଯୋଡି ମନ ଦର୍ପଣରେ ମୁରୁକି ହସିଦିଏ ।

ଯେଉଁ ବର୍ଷ ପୁରୀରେ ଥାଏ ମୋର ସମବୟସ୍କୀ ଭଉଣୀ ଆଉ ମାଉସୀମାନଙ୍କ ଗହଳି ସହ ସଜବାଜ, ପୁଚି ଖେଳ, ସମୁଦ୍ର କୂଳ ବୁଲା, ଆଦିରେ ମନ ପବନ ଡଙ୍ଗାରେ ଦୋହଲୁଥାଏ । ମୋ ବୋଉ ଭରିଆ ନବମ, ଦଶମରୁ ଶାଢୀ ପିନ୍ଧା ଆରମ୍ଭିଥିଲେ ।ଏଇ ସାନ ବଡ ମାଉସୀ (ବେଶୀ ବଡ ନୁହଁ) ମାନେ ସବୁ ନୂଆ ନୂଆ ସାଲୁଆର ପିନ୍ଧିଲେ । ଆମେ ପିଲେ ସବୁ ତାଙ୍କ ଓଢଣୀ କୁ ନେଇ କେତେ ରଙ୍ଗରେ ଖେଳୁଥିଲୁ । କୁମାର ପୂର୍ଣ୍ଣିମା ରାତିସାରା ପୁରୀ ସହର ଉଜାଗର ରହେ । କୁହନ୍ତି କାଳେ ମଣିମା ଓ ମହାଲକ୍ଷ୍ମୀ ମଧ୍ୟ ଆଜି ରାତି ସାରା ବସି କଉଡି ଖେଳନ୍ତି । ସେଇ ପରମ୍ପରା ଅନୁସାରେ ସାହି ସାରା କଉଡି ଖେଳ ,ତାସ୍ ପାଲି ପଡେ । ଘରେ ସବୁ ମଧ୍ୟ ବଡମାନେ ସବୁ ଖେଳନ୍ତି । ଆମେ ଆମର ଚକା ଭଉଁରୀ ଆଉ ପୁଚି ଅଭ୍ଯାସରେ ଲାଗିଥାଉ ।

ଆମ ପୁରୀରେ କୁମାର ପୂର୍ଣ୍ଣିମାଟି ବଡ ପର୍ବ । ସାରା ରାତି କଉଡି, ପାଲି, ତାସ୍ ଖେଳ ଲାଗିଥାଏ ।ରାତିରେ ଶୁଆ ନାହିଁ ।ଲକ୍ଷ୍ମୀ ଆସିବେ ଯେ । ସମସ୍ତେ ନୂଆ ପିନ୍ଧନ୍ତି । କଟକରେ ଦଶହରା ରେ ସମସ୍ତେ ନୂତନ ବସ୍ତ୍ର ପିନ୍ଧୁଥିବା ବେଳେ ଆମେ ପୁନେଇଁକୁ ଅପେକ୍ଷା କରୁ ।

ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।କୁମାର ଉତ୍ସବ ପ୍ରାୟ ସବୁଆଡେ ପାଳନ ହୁଏ ।

ଯୋଉବର୍ଷ କଟକରେ ସେଦିନ ଘର ତୁଳସୀ କୁଣ୍ଡକୁ ବୋଉ ଧୋଇ ଲିପି ନୂଆ ଲୁଗା,ସିନ୍ଦୁର, ହଳଦୀ ଦେଇ ସଜେଇଥାଏ ।ଚାଉଳବାଟି ଚିତା ଆଙ୍କିଥାଏ । ଆଞୁଳି ଟେକୁ ମୁଁ ଆଉ ଦୀପୁ । ସଞ୍ଜକୁ ଚାନ୍ଦ ଚକଟି କବାଟ କୋଣରେ ଲୁଚି ଦୁହେଁ ଦୁହିଁଙ୍କୁ ଖୋଇଦଉ । ସେ ମୋ ଚାନ୍ଦ ହୋଇଯାଏ ହସ ଦିଆ ନିଆରେ । ଅତି ବେଶୀରେ ସପ୍ତାହଟେ ଚାନ୍ଦ ଡକାଡକି ହଉ ,ମୁଁ ଆଗେ ଭୁଲିଯାଇ ଦୀପୁ ଡାକିଦିଏ ….. ସିଏ ମୁହଁ ଫୁଲାଏ, ରୁଷେ….. ମୁଁ ଗେଲେଇଦେଲେ, ମୋ ରାଣ ପକେଇଦେଲେ ପାଣି ଫାଟିଯାଏ ସବୁ ….. କୋଳାକୋଳି ହେଇଯାଉ । କହେ ହଉ ଆର ବରଷ କୁ ଯେମିତି ନ ଭୁଲୁ । ଚାନ୍ଦ ହିଁ ଡାକିବୁ ହେଲା ସବୁଦିନେ । ମୋର ସବୁବରଷ ଯେଉଁ କଥା କୁ ସେଇକଥା । ତାର ମୋର ରୁଷାରୁଷି ଜମା ହେଇ ରହିପାରୁନା ।

ଗୋଟେ ବର୍ଷ କୁମାର ପୂର୍ଣ୍ଣିମା ପାଇଁ ଦୂରଦର୍ଶନ କେନ୍ଦ୍ର ତରଫରୁ ଅମେ କେତେ ଜଣ ଝିଅ ଓଡିଶୀ ନୃତ୍ୟ ଶିଳ୍ପୀମାନେ ମିଶି ପ୍ରସିଦ୍ଧ ଓଡିଶୀ ନୃତ୍ୟ ଗୁରୁ ଚିତ୍ତରଞ୍ଜନ ସାହାଣୀ ଭାଇଙ୍କ ଗାଁକୁ ସୁଟିଙ୍ଗ୍ ପାଇଁ ଯାଇଥାଉ । ପୁନେଇଁକୁ ଆହୁରି ସାତଦିନ ଥାଏ । ମୁଁ ଭାବୁଥାଏ, ପୁନେଇଁ ତ ହେଇନି ଗୋଲ ଜହ୍ନ କୋଉଠୁ ଆସିବ ? ବିନା ରୂପା ଥାଳି ଜହ୍ନର ଉପସ୍ଥିତିରେ କେମିତି ସମ୍ପୂର୍ଣ୍ଣ ହବ କୁମାର ଉତ୍ସବ ?

ସେଠି ଯାଇ ଭାଇଙ୍କ ଘରଠି ସମସ୍ତେ ରହିଲୁ ,ତାଙ୍କ ବୋଉ, ଭାଉଜ ଆଉ ଗାଁ ସାରା ସମସ୍ତଙ୍କର ସ୍ନେହ ଅତୁଳନୀୟ ।ସେ ସବୁ ଏକ ସୁନ୍ଦର ଅନୁପମର ଦୃଶ୍ୟ ପରି ମନରେ ରହିଛି । ଦୁଇଦିନ ରହିଲୁ ସେଠି କିନ୍ତୁ ଫେରିବା ଦିନ ଆଖିରେ ଲୁହ ଥିଲା ।

ସକାଳୁ ଦିନରୁ ସୁଟିଙ୍ଗ ଚାଲିଥାଏ ଭିନ୍ନ ଭିନ୍ନ ଲୋକେସନରେ । ସନ୍ଧ୍ୟାରେ ଆମେ ମ୍ଯୁଜିକର ତାଳେ ତାଳେ ନାଚୁଥିବା ବେଳେ ଦୂର ଗଛ ଉହାଡରେ ପୂର୍ଣ୍ଣ ଚନ୍ଦ୍ରମାଙ୍କୁ ଦେଖି ବୋଉ ମନେପଡିଲା । ଭାବିଲି ଆଜି କୁମାର ପୂର୍ଣ୍ଣିମା ହେଇଗଲା ,ମୋର ନୂଆ ଡ୍ରେସ୍ …… ବାସ୍ କାନ୍ଦ ତ ଲାଗିଲା ଆଉ । ଆଉ କି ନାଚରେ ମନ ! ସମସ୍ତେ ବ୍ଯସ୍ତ ହେଲେ, ଭାବିଲେ କାଳେ ଦେହ ଭଲ ଲାଗୁନି କି କଣ ।

କଥା କଣ ବୁଝୁ ବୁଝୁ ଚିତ୍ତ ଭାଇ କହିଲେ, ଆଲୋ ତୁ ଏଡେ ବୋକି । ସେଇଟା ବା ଡୁପ୍ଲିକେଟ୍ ମୁନ୍ । ସମସ୍ତେ ହସିଲେ । ମୁଁ ବି ହସିଦେଲି । ଆମ ଡାରେକ୍ଟର ମ୍ଯାମ୍ ଟିକେ କଡା ମିଜାଜର ଥିଲେ ତ ବେଶୀ ସମୟ ନଷ୍ଟ ନ ହେଇ ସୁଟିଙ୍ଗ୍ ସରିଲା । ମନେ ଅଛି ,ସେ ଜମା ହସୁ ନ ଥିଲେ ପୁରା ଦିନରେ ବି । ତାଙ୍କ ଏମିତି ମୁହଁ ଟା ବିନା କାରଣରେ ଡରଉଥିଲା ।

ଫେରିଲା ପରେ ବୋଉକୁ ଚିତ୍ତ ଭାଇ କହିଲେ, ମା ଲୋ ମାଉସୀ ତମ ଝିଅ ଜଗତ ଫୁଲେଇ ଗୋଟେ । ଶୁଦ୍ଧ ବାୟାଣୀଟା ।ଏବେବି ମନେ ପଡିଲେ ହସ ଲାଗେ ।ଚିତ୍ତ ଭାଇ ଆଜି ବି ମତେ ଲୋପା କମ, ଫୁଲେଇ ବେଶୀ ଡାକନ୍ତି ସ୍ନେହରେ ।

କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୁଏ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଢେଙ୍କାନାଳରେ ,ଚୌଦ୍ବାର ରେ । ଅପୂର୍ବ ସୁନ୍ଦର ମେଢ ଓ ମେଳା ଲାଗେ ।ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୁଏ । ବର୍ଷଟେ ଯାଇଥିଲୁ ଯେ ଘରୁ ସମସ୍ତେ ଢେଙ୍କାନାଳ ମୁଁ ବସରେ ଶୋଇପଡିଥିଲି । କିନ୍ତୁ ଉଠିକି ଦେଖେ ସବୁଆଡେ ଲକ୍ଷ୍ମୀମୟ ।ସାଗର ନନ୍ଦିନୀ ହସୁଛନ୍ତି ସବୁଠି ବରଦା ହସ୍ତେ ।

ଚଉରା ମୂଳରେ ଝିଅ କୁମାରୀ ମାନେ ଏକାଠି ହେଇ ଶୀତରେ ଥରି ଥରି ଜାକି ଜାକି ବସି ଗାଆନ୍ତି

” ଜହ୍ନିଫୁଲ ଲୋ ପୁଜିଲି ତୋତେ, କି ବର ମାଗୁଛି ଦବୁ ଟି ମୋତେ ,
କାକୁଡି ଫୁଲ ଲୋ ପୁଜିଲି ତୋତେ,
କି ବର ମାଗୁଛି ଦବୁ ଟି ମୋତେ ।।”

ହଳଦିଆ, ଧଳା ଜହ୍ନି ଆଉ କାକୁଡିର ଫୁଲ ମାନେ ଠରାଠରି ହୋଇ ହସା ହସି ହୁଅନ୍ତି । ଲାଜାନ୍ତି ଆଉ କୋଉ ବର ଦେବେ ଭାବି ଭାବିକା ଫୁଟୁଥାନ୍ତି ବାରି ଯାକ।

ଏବେ ମୋ ଝିଅ ଆଉ ତାରି ପରି କୁନିମାନେ ମିଶି ପାଳୁଛନ୍ତି କୁମାର ପୂର୍ଣ୍ଣିମା । ବାଙ୍ଗାଲୋର ସହରର ରେ ସଞ୍ଜ ନଇଁଲେ ଶୁଭୁଛି ଶୁଭଶଙ୍ଖ ପ୍ରକମ୍ପ । ଘରେ ଘରେ ହୁଳହୁଳି ଶୁଭୁଛି । ପିଲେ ଏକାଠି ହୋଇ ଆମ ସଂସ୍କୃତିକୁ ଧରୋହର ସାଜି ଆଗେଇ ନେଉଛନ୍ତି ।

ଅନ୍ୟ ଦିନେ ନିଜର କର୍ମ କ୍ଷେତ୍ରକୁ ନେଇ ବ୍ଯସ୍ତ ଥିବା ଅଭିଭାବକମାନେ ନିଜର ଓଡିଆ ପର୍ବ ଓ ସଂସ୍କୃତିକୁ ଆଗେଇ ନେବାରେ ତତ୍ପରତା ପ୍ରକାଶ କରିଥାନ୍ତି । ଏଠାରେ ଏକ ମିନି ଓଡ଼ିଶା ଆମେ ଗଢିଛୁ କହିଲେ ଅତ୍ଯୁକ୍ତି ହେବ ନାହିଁ । ଓଡିଶା ଏକ ମାତ୍ର ପରିଚୟ , ଓଡ଼ିଆପଣ ଆମ ମହକ । ପ୍ରାନ୍ତର ତେଣିକି ଯେଉଁ ଟି ହେଉ , ଦେଶ ତ ସେଇ ଗୋଟିଏ ।

ପାନାଥୁର
ବାଙ୍ଗାଲୋର

Comments are closed.