Latest Odisha News

BREAKING NEWS

ବ୍ୟଙ୍ଗ : ଗୁରୁପୂଜାର ଫଳଶ୍ରୁତି

ଏଇ ଘଟଣା ସେହି ସମୟର ଯେଉଁ ସମୟରେ ପୁଅ ମୋର ନର୍ସରୀ ଡେଇଁ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଥିଲା । ଯିବା ଆସିବା ପାଇଁ ତାର ସ୍କୁଲଗାଡି ବ୍ୟବସ୍ଥା ହୋଇଥାଏ କିନ୍ତୁ ପ୍ରାୟ ତାର ଉଠିବାରେ ଡେରି ହୁଏ ବୋଲି ବିରକ୍ତି ସତ୍ତ୍ୱେ ବାଧ୍ୟ ହୋଇ ତାକୁ ବାଇକରେ ସ୍କୁଲରେ ଛାଡିବାକୁ ପଡେ । ପୁତ୍ରମଣିର କାନ୍ଦ ରୂପକ ଅନୁରୋଧ ସିଧା ମାମାଙ୍କ ବାଟଦେଇ ଆସେ । “ପିଲାଟା ଯଦି ମନ କରୁଛି ବାପା ସାଙ୍ଗରେ ଗାଡ଼ିରେ ଗୀତ ଶୁଣି ଯିବ ବୋଲି ତାକୁ ସ୍କୁଲରେ ଛାଡି ଦେବାକୁ ଏତେ କୁନ୍ଥେଇ ହେଉଛ କଣ ପାଇଁ ? ଛଅଟା ନାଁ ନଅଟା , ଗୋଟିଏ ବୋଲି ପୁଅ ପାଇଁ ସମୟ ଟିକିଏ ଦବନି !କେମିତିକା ବାପ କେଜାଣି !’

ମୋ ଇଚ୍ଛା ନଥିଲେ ବି ପତ୍ନୀଙ୍କ ଜିଦ୍ ଯୋଗୁଁ ପୁଅ ଗୋଟେ ସମ୍ଭ୍ରାନ୍ତ ସ୍କୁଲରେ ପଢେ । ବଡ଼ ବଡ଼ିଆଙ୍କ ସ୍କୁଲର ଏକ ବିଶେଷ ଆକର୍ଷଣ ହେଲା ସେଠାରେ ପଢ଼ୁଥିବା ପିଲାମାନଙ୍କ ମାମା ଓ ସ୍କୁଲର ଶିକ୍ଷୟିତ୍ରୀମାନେ ଆବଶ୍ୟକତାଠାରୁ ବହୁଗୁଣରେ ରୁଚିପୂର୍ଣ୍ଣ ଓ ଆକର୍ଷଣୀୟ ହୋଇଥାନ୍ତି । ମୋତେ କିନ୍ତୁ ବେଶି ସୁନ୍ଦରୀ ଓ ଆପଣାର ଲାଗୁଥିଲେ ଧନ ମାନେ ପୁଅର ଶ୍ରେଣୀ ଶିକ୍ଷୟିତ୍ରୀ । ତାଙ୍କ ପରିପାଟୀ ଓ ବ୍ୟବହାର ମୋ ପସନ୍ଦର ଥିଲା । ସ୍କୁଲ ଛୁଟି ସମୟରେ ପିଲାମାନଙ୍କୁ ଅବିଭାବକମାନଙ୍କ ପାଖରେ ଛାଡିବା ପାଇଁ ଶ୍ରେଣୀ ଶିକ୍ଷୟତ୍ରୀ ପିଲାମାନଙ୍କ ସହ ସ୍କୁଲ ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ହସ ହସ ମୁହଁରେ ଆସନ୍ତି । ସେଇଠି ମୋର ପରିଚୟ ଓ ତାଙ୍କ ସହ କଥାବାର୍ତ୍ତା । ତାଙ୍କ ମିଠା ମିଠା କଥାରେ ଆମେ ଉଭୟେ ବାପ ପୁଅ ଫିଦା ।

ପ୍ରତିଦିନ ବାହାନା ଖୋଜି ମୁଁ ତାଙ୍କୁ ପୁଅର ପାଠପଢା ବିଷୟରେ ପଚାରେ । ସନ୍ଧ୍ୟାରେ ପୁଅକୁ ଅଳ୍ପ ହେଉ ପଛେ ପଢାଏ । ସେଇଥିରୁ ଖିଅ ବାହାର କରି ପରଦିନ ମିସଙ୍କ ସହ କଥା ହୁଏ । ଘରେ ପତ୍ନୀବି ମୋର ପୁଅର ପାଠପଢ଼ା ପ୍ରତି ଆଗ୍ରହ ଦେଖି ଭାରି ଖୁସି । ସ୍କୁଲରେ ପୁଅର ପଢା ବିଷୟରେ କଥାହେଲା ପରେ ଯାହା ବାକି ରହିଯାଏ ତାକୁ ମୁଁ ମିସଙ୍କଠାରୁ ଆଦାୟ କରି ଆଣିଥିବା ତାଙ୍କ ହ୍ଵାଟ୍ସଆପ ନମ୍ବରରେ କଥା ହୋଇ ବୁଝେ ।

ଏହି ଭିତରେ ପୁଅ ସ୍କୁଲ ଗାଡ଼ିରେ ଯିବା ଆସିବା ପ୍ରାୟ ବନ୍ଦ ହୋଇଗଲା କହିଲେ ଚଳେ । ମୁଁ ଯଦିଓ ତାକୁ ବାଧ୍ୟ ହୋଇ ସ୍କୁଲରେ ଛାଡେ କିନ୍ତୁ ସ୍କୁଲରୁ ଆଣିବାକୁ ଖୁସି ଖୁସି ବାହାରିଯାଏ । ସ୍କୁଲରୁ ଫେରିଲା ବେଳେ ତାକୁ ଦୋକାନରୁ ତା ମନପସନ୍ଦର ଚଟପଟି ଖାଇବାକୁ ଦିଏ । ପୁଅ ଘରେ ଶୁଣେଇ ଦେଇଥିଲା ବାବା ଯଦି ସ୍କୁଲରୁ ଆଣିବାକୁ ଯିବେ ତ ସେ ସ୍କୁଲ ଯିବ ନଚେତ ନାହିଁ । ପୁଅ ପାଇଁ ମୋର ଏହି ଅଚାନକ ପାଠ ଯତ୍ନ ପତ୍ନୀଙ୍କୁ ଅଭିଭୂତ କରିଥିଲା । ମୋ ପରି ଜଣେ ଦାୟିତ୍ୱବାନ ସ୍ନେହୀ ପିତାଙ୍କୁ ପତି ଭାବେ ପାଇ ପତ୍ନୀ ନିଜ ଭାଗ୍ୟ ପ୍ରତି ବଡ଼ ପ୍ରୀତ ବୋଲି ତାଙ୍କ ମାଆଙ୍କୁ କହିବାର ମୁଁ ନିଜେ ଶୁଣିଛି । ଏକତରଫା ହେଉ ପଛେ ମିସଙ୍କ ପ୍ରତି ମୋର ଅହେତୁକ ଆକର୍ଷଣ ମୋତେ ଫୁର୍ତ୍ତିବାଜ ଏବଂ ଜିନ୍ଦାଦିଲ କରିଦେଇଥିଲା ।

ଗୁରୁଦିବସର ଗୁରୁତ୍ୱ ହିଁ ମୋର ସବୁ କୁରୁଳାପଣକୁ କୁହୁଳା କରିଦେଲା । ନିଜ ନିଜ ଗୁରୁମାନଙ୍କ ପାଇଁ କିଛି ଉପହାର ଦେବାର ଏକ ଅଲିଖିତ ପ୍ରଥା ପିଲାଙ୍କ ଭିତରେ ଚଳି ଆସୁଥିବା କଥା ସମସ୍ତଙ୍କୁ ଜଣା । ସେଦିନ ପତ୍ନୀ ମଧ୍ୟ ମୋତେ ସକାଳୁ ତାଗିଦ କରିଦେଇଥାନ୍ତି ଯେମିତି ମନେ ପକେଇ ଗିଫ୍ଟ ସହ ଫୁଲ ତୋଡାଟିଏ କିଣି ଧନ ହାତରେ ମିସଙ୍କୁ ଦେବାର ବ୍ୟବସ୍ଥା କରେ । କି ଯୋଗ ଥିଲା କେଜାଣି ସେଦିନ ବାଟରେ ଗୋଟେ ବି ଭଲ ଗିଫ୍ଟ ଦୋକାନ ନଜରରେ ପଡିଲାନାହିଁ । ବାଧ୍ୟ ହୋଇ ସ୍କୁଲ ପାଖ ଦୋକାନରୁ ଗୋଟେ ଅଧାଫୁଟା ଗୋଲାପ ଫୁଲ ଓ ପୁଅର ଟିଫିନ ପାଇଁ କେକ ଓ ଅମୂଲ କୁଲ କିଣି ତାକୁ ଦେଇଆସିଲି । ବୁଝେଇଦେଲି ନେବାକୁ ଆସିବା ବେଳେ ମିସଙ୍କ ପାଇଁ ଭଲ ଗିଫ୍ଟ ଗୋଟାଏ ଆଣିଥିବି । ମିସଙ୍କୁ ଫୁଲ ଦେଇ ଗୁରୁଦିବସର ଶୁଭେଚ୍ଛା ଖାଲି ଜଣେଇ ଦେଇଥାଉ ।

ଇଚ୍ଛା ଥିଲା କିଛି ଗୋଟାଏ ମନପସନ୍ଦିଆ ଉପହାର କିଣି ଛୁଟି ସମୟରେ ମୁଁ ନିଜେ ମିସଙ୍କୁ ଦେବି । ମୋ ପୋଡ଼ା କପାଳକୁ ସେଦିନ ଧନର କଣ ମନ ହେଲା କେଜାଣି ବ୍ୟାଗରୁ ଗୋଲାପ ଫୁଲ ସହ ତା ଟିଫିନ ପାଇଁ ଦେଇଥିବା ଅମୂଲ କୁଲ ନେଇ ମିସଙ୍କୁ ଦେଇଦେଲା । କେବଳ ସେତିକି ନୁହେଁ କହି ବି ଦେଲା ବାବା ଦେଇଛନ୍ତି ବୋଲି । ଏଣେ ସ୍କୁଲ ଛୁଟି ସମୟରେ ସରାଗରେ ସାରା ସହର ଅଣ୍ଡାଳି କିଣିଥିବା ଗିଫ୍ଟଟି ମିସଙ୍କୁ ଆଉ ଦେଇ ହେଲାନି କାରଣ ସେଦିନ ମିସ ଆଉ ପିଲାଙ୍କୁ ଛାଡିବାକୁ ଗେଟ ପାଖକୁ ଆସିଲେ ନାହିଁ । ରାସ୍ତାରେ ପୁଅ ଅମୁଲ କୁଲକୁ ଉପହାର କହି ମୋ ନାଁରେ ତାଙ୍କୁ ବଢ଼େଇ ଆସିଛି ଶୁଣି ମୋର ହାଲତ ଖରାପ । ମୋ ପ୍ରତି ତାଙ୍କ ଇଂପ୍ରେସନ କଣ ହୋଇଥିବ ଭାବି ଛାନିଆଁରେ କେତେଦିନ ହ୍ଵାଟ୍ସଆପ ଆଉ ଖୋଲିଲିନି ।

ଏହାର କିଛି ଦିନ ପରେ ପିଟିଏମ ପାଇଁ ଆମ୍ଭର ପତ୍ନୀ ସ୍କୁଲକୁ ଯାଇଥାନ୍ତି । କୌଣସି ଏକ ଜରୁରୀ କାମ ଥିବାରୁ ସେଥର ମୁଁ ତାଙ୍କ ସହ ଯାଇପାରିଲି ନାହିଁ । ସ୍କୁଲରେ ପତ୍ନୀଙ୍କୁ ଏକା ଦେଖି ମିସ୍ ମୋତେ କୁଆଡେ ମିସ୍ କଲେ । ଗୁରୁଦିବସରେ ଡଟ ପେନମାନଙ୍କ ଗହଳି ଭିତରେ ମୋ ଗୋଲାପ ଫୁଲ ଓ ଅମୁଲ କୁଲର କ୍ୟୁଟେଷ୍ଟ କମ୍ବିନେସନର ଉପହାର ତାଙ୍କୁ ସ୍ୱତନ୍ତ୍ର ଲାଗିଥିଲା ବୋଲି ଜଣେଇଲେ । ପ୍ରାଣପ୍ରିୟା ପତ୍ନୀଙ୍କ ପୁରୁଣା ବଦହଜମୀ ରୋଗ ସେହି କଥାରୁ ପୁଣି ବାହାରିଲା । ଶନି ଦଶାର କଷ୍ଟ ସେଥିରେ ସରିଲା କଣ ! ସେଠାରେ ଉପସ୍ଥିତ ଥିବା ମାମାଙ୍କ ଭିତରୁ ଜଣେ କହିଲେ, “ମିଷ୍ଟର ସାହୁଙ୍କ ସେନ୍ସ ଅଫ ହ୍ୟୁମର୍ ରିଅଲି ନାଇସ । ଯେତେ ଗମ୍ଭୀର ଲୋକ ହେଉ ସେ ନହସି ରହିପାରିବନି । ମିସେସ ସାହୁ ବହୁତ ଲକି । ମିସଙ୍କୁ ଦେଖନ୍ତୁ ସେ କେମିତି ନୂଆ ଅନ୍ଦାଜରେ ଗିଫ୍ଟ ଦେଇଛନ୍ତି ।” ଆଉ ଜଣେ କାଳେ କହିଲେ, “ହଁ ମ ପ୍ଲାଷ୍ଟିକ ଡଟ ପେନ ଅପେକ୍ଷା ଅମୁଲ କୁଲ ସ୍ୱାସ୍ଥ୍ୟ ପାଇଁ ହିତକର । ଦେଖୁନ ଆଗ ଅପେକ୍ଷା ମିସ କେମିତି ଝଡି ଗଲେଣି । ସାହୁ ବାବୁଙ୍କ ନଜରରୁ କଥାଟି କେମିତି ବାହାରି ଯାଇନି ।”

ମୋର ଆଜନ୍ମ ସନ୍ଦେହୀ ପତ୍ନୀ ସେଦିନ ଛାତିରେ ଛାତିଏ ରାଗ ନେଇ ଘରକୁ ଫେରି ସବୁ କଥାରେ ଖାଲି ମୋ ଉପରେ ଫଁ ଫଁ ହେଲେ । ତା ପର ଦିନ ସକାଳୁ ମୁଁ ଚଇନି ଚିକ୍କଣ ହେଇ ପୁଅକୁ ଡାକିଲା ବେଳେ ମାମାଶ୍ରୀ ସେପଟୁ ଚିଲେଇଲେ “ଥାଉ ତୁମେ ଆଉ ଏତେ କଷ୍ଟ କରି ପ୍ରତିଦିନ ସ୍କୁଲ ଯିବା ଦରକାର ନାହିଁ । ପଇସା କଣ ମହାଳିଆ ପଡିଛି କି ଗାଡି ବାଲାକୁ ମାସକୁ ମାସ ଭଡା ଗଣା ହେଉଥିବ ? ଧନକୁ ସ୍କୁଲରୁ ନେବା ଆଣିବା କରିବା ବାଟରେ କି ନାଟ ସବୁ ଲଗାଉଚ ଖବର ପାଇସାରିଲିଣି । ଆଉ କାହାର ନାଁ ଗାଁ ତ କାହିଁ ପଡୁନି ପୁଅର ମିସଠାରୁ ମାମାମାନଙ୍କ ଯାଏଁ ସଭିଏଁ ତୁମ ନାମ କୀର୍ତ୍ତନରେ ଲାଗି ପଡିଛନ୍ତି କାହିଁକି ! ତୁମର ଏ ସଂସାରଛଡ଼ା ଗୁଣ ଯୋଗୁଁ ମୋ ସଂସାର କେବେ ଉଚ୍ଛନ୍ନ ହେଇଯିବ କିଏ ଜାଣେ ।”

ବନମାଳୀ ଭବନ ,
ଖାନ ନଗର , କଟକ

Comments are closed.