Latest Odisha News

ବ୍ୟଙ୍ଗ : ମହାବାତ୍ୟା

ଆଜି ଏମିତି ବୁଲୁ ବୁଲୁ ଜଣେ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଲା । ଖାଲି ଦେଖା ତ ହେଲାନି ଭଦ୍ରବ୍ୟକ୍ତିଙ୍କ ଆଚରଣ ଆମ ମନ ଚଇତନକୁ ଟାଣି ନେଲା । ଭଦ୍ରବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ସ୍କ୍ରିନକୁ ଖୋଲି ଜଣେ ମହିଳାଙ୍କ ଫୋଟ ବାରମ୍ବାର ଦେଖୁଥାନ୍ତି ।

କୌତୂହଳରେ ପଚାରିଲି ,”ସାର୍ ଏ କ’ଣ ଆପଣଙ୍କ ପତ୍ନୀ ?”

ଭଦ୍ରବ୍ୟକ୍ତି ଜଣଙ୍କ ମୁଣ୍ଡ ଟୁଙ୍ଗାରି କ୍ଷୀଣ କଣ୍ଠରେ “ହଁ” କହିଲେ ।

ମୁଁ ଆଚମ୍ବିତ ହେଲି । ଆଜି ଯାଏଁ ଗୋଟେ ଧାରଣା ମନରେ ଗଣ୍ଠିଲି କରି ରଖିଥିଲି ଯେ , ଏକୁଟିଆଟି ବାହାର ଜାଗାରେ ନିଜ ଇଚ୍ଛାକୁ ପୂର୍ଣ୍ଣ କରିହୁଏ ପତ୍ନୀଙ୍କ ଅନୁପସ୍ଥିତିରେ । ପ୍ରଥମ ଥର ଦେଖିଲି ଭଦ୍ରବ୍ୟକ୍ତି ନିଜ ପତ୍ନୀଙ୍କ ଫଟୋକୁ ଭକ୍ତ ହନୁମାନଙ୍କ ଭଳି ଖାଲି ଦେଖୁନାହାଁନ୍ତି ବରଂ ଦରକାର ପଡ଼ିଲେ, ଛାତି ଫାଡ଼ିକି ବି ଦେଖେଇ ଦେଇ ପାରିବେ ।

ତଥାପି କହିଲି, ” ଯାହାହେଉ ସାର୍ ଆପଣ ଆପଣଙ୍କ ପତ୍ନୀଙ୍କୁ ସତରେ କେତେ ଭଲ ପାଉଛନ୍ତି ! ମୋବାଇଲ ସ୍କ୍ରିନରେ ଆମେ ମାନେ ଠାକୁରଙ୍କ କି ଫୁଲର ଚିତ୍ର ( ବାହାର ଅପରିଚିତ ଲୋକଙ୍କୁ କଣ କହିଥାନ୍ତି ସେଫ ଫାଇଲରେ ଆମେ ଆମ ମନ ଖୁସିର ମହିଳା ଫଟୋ ରଖି ଲୁଚେଇ ଲୁଚେଇ ଦେଖୁ !) ରଖୁଥିବା ବେଳେ ଆପଣ ନିଜ ପତ୍ନୀଙ୍କ ଫୋଟ ରଖିଛନ୍ତି । ସତରେ ଆପଣଙ୍କ ଭଳି ଜଣେ ପତ୍ନୀ ସ୍ନେହୀ , ସ୍ତ୍ରୀପ୍ରେମୀ କାଙ୍ଗାଳ ମଣିଷ ଆଜିର ଦୁନିଆଁରେ ବିରଳ ।”

ଭଦ୍ର ବ୍ୟକ୍ତି ମୋତେ ଟିକେ ଅବିଶ୍ୱାସୀ ଢଙ୍ଗରେ ଗାରଡେଇ ଚାହିଁଲେ । ମୁଁ ଟିକେ ଦବିଗଲି ଯଦିଓ ତାଙ୍କ ଚାହାଣୀରେ, କିନ୍ତୁ ଜନ୍ମଜାତ ମାଡୁଆ ବୁଦ୍ଧିରେ ଭୁଡୁକି ମାରି କହିଲି , “ଯଦି କିଛି ମନେ ନକରିବେ ଆପଣଙ୍କ ସହ ଗୋଟେ ସେଲ୍ଫି ନେଇପାରିବି କି ? ଆପଣଙ୍କ ଭଳି ଜଣେ ପତ୍ନୀବତ୍ସଳ ପତି ଆମ ଭଳି ଅନେକଙ୍କ ଆଦର୍ଶ ।”

ମୋ କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ ମୋ ଆଡ଼କୁ ଅନେଇ ମୁରୁକି ହସିଦେଲେ । ତାପରେ ଏକ ଦୀର୍ଘନିଃଶ୍ୱାସ ଛାଡି କହିଲେ, ” କଥା କ’ଣ କି ଯେତେବେଳେ କିଛି ବାତ୍ୟା, ତୋଫାନ କି ଅତି ସାଙ୍ଘାତିକ ଲଘୁଚାପ ଆସିବାର ଖବର ପାଏ ସଭିଏଁ ଟିଭି ନିୟୁଜରେ ବ୍ୟସ୍ତ ଥାଇ ବିତ୍ପାତକୁ ମୁକାବିଲା କରିବାକୁ ମାନସିକ ପ୍ରସ୍ତୁତି ନେଉଥିଲା ବେଳେ ମୁଁ ମୋବାଇଲ ସ୍କ୍ରିନ ଅନ କରି ପତ୍ନୀଙ୍କ ଚେହେରା ଦେଖେ । ଈଶ୍ୱରଙ୍କ ରାଣ ମନକୁ ଅସମ୍ଭବ ଦମ୍ଭ ଆସେ । ଯଦି ତାଙ୍କ ଭଳି ବାତ୍ୟାକୁ ମୁଁ ଗତ ଅଠର ବର୍ଷ ହେଲା ସମ୍ଭାଳି ପାରୁଛି ତେବେ କୌଣସି ବି ବାତ୍ୟାକୁ ମୁଁ ସାହସର ସହ ମୁକାବିଲା କରିପାରିବି ବୋଲି ଭାବେ । ଫନି, ହୁଡୁହୁଡୁ , ଫାଇଲିନ କି ତିତିଲି ଭଳି ବାତ୍ୟା ମୁଁ ନିତି ସାମ୍ନା କରୁଥିବା ମହାବାତ୍ୟା ଆଗରେ କେତେ ତୁଚ୍ଛ ତାହା କେବଳ ମୋ ଭଳି ଜଣେ ଅନୁଭବୀ ହିଁ ଜାଣେ ।”

ଏମିତି ଅତର୍କିତ ଜ୍ଞାନ ଅର୍ଜନ ପାଇଁ ବୋଧହୁଏ ମୋର ମାଡୁଆ ମନ ପ୍ରସ୍ତୁତ ନଥିଲା । ସ୍ୱତଃ ମୋର ଡାହାଣ ହାତ କାନ ଉପରକୁ ଥିବା ମରୁଡ଼ିଆ କଲିକୁ ସାଉଁଳେଇ ନେଲା । ଲାଗୁଥିଲା ଯେମିତି ଗୋଟେ ବାଳମୂଳିଆ ଘାଆ ଏଇ ମାତ୍ର ଫାଟିବ ଫାଟିବ ହେଉଛି ।

(ବିଦ୍ର: ଏଇଟା ସୁଦ୍ଦୁ ଗୁଲି କିଛି ବି ସତ୍ୟତା ନାହିଁ । କେହି ଏହାକୁ ଦେହକୁ ନେଲେ କମ୍ପାନୀ ଦାୟୀ ରହିବ ନାହିଁ)

ବନମାଳୀ ଭବନ
ଖାନ ନଗର , କଟକ

Comments are closed.