Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

BjdElectrycity

ପାଞ୍ଚ ବର୍ଷର ଅଜ୍ଞାତବାସ ଆଜି ମୁଖା ଖୋଲିବା ପାଇଁ ଉଦ୍ୟତ । ସମୟର ଏଇ ରୂପକୁ ବଦଳାଇବା ଶକ୍ତି ତା’ର କାହିଁ? ଶୁଖିଲା ପତ୍ର ପରି ସମୟର ପ୍ରବାହ ତାକୁ ଯେତେବେଳେ ଯେଉଁ ଆଡ଼କୁ ଉଡ଼ାଇ ନେଇଛି, ବିନା ପ୍ରତିବାଦରେ, ସେ ତ ଉଡ଼ି ଚାଲିଛି ।

ତେବେ ଆଜିର ଏ ପରାଭବକୁ ସହ୍ୟ କରିବା ତା’ପାଇଁ ଦୁର୍ବିସହ ହୋଇ ଉଠିଛି । ଚନ୍ଦ୍ରଭାନୁ ଓଡ଼ିଶା ଆସିଗଲେଣି-ଶୁଣିବା ପରଠାରୁ ତା’ ସ୍ନାୟୁ କୋଷ ଗୁଡ଼ିକ ଶୀଥିଳ ହୋଇ ଗଲେଣି । ଆଜି ତାଙ୍କର ସାମ୍‌ନା ସାମ୍‌ନି ହେଲାବେଳେ ନିଜକୁ ସେ କେମିତି ବଞ୍ଚାଇ ରଖିବ? କାହାକୁ, କ’ଣ କହିବ ? ତା’ର କେଉଁ ଦୁର୍ଗୁଣ ପାଇଁ ଚନ୍ଦ୍ରଭାନୁ ଭଳି ପୁରୁଷ ତା’ଠାରୁ ଦୂରେଇ ଗଲେ?

ଖ୍ରୀ:ପୂର୍ବ ଶତାବ୍ଦୀର ଯଶୋଧାରା ବି ଏଇଭଳି ମାନସିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଯେଉଁ ରାତି ସିଦ୍ଧାର୍ଥ ଗୃହତ୍ୟାଗୀ ହୋଇଥିଲେ, ସେଇ ରାତି ପର ପ୍ରଭାତ ଥିଲା ଯଶୋଧାରା ପାଇଁ ଏଇଭଳି ଏକ ସମୟ । ପତ୍ନୀପଣର କେଉଁ ଅପାରଗତା ପାଇଁ ଗୌତମ ଗୃହତ୍ୟାଗୀ ହେଲେ!

ଘରର କୋଣ ଅନୁକୋଣରେ ଚନ୍ଦ୍ରଭାନୁ ହିଁ ଦିଶୁଛନ୍ତି । ତାଙ୍କର ସୁନ୍ଦର- ଶ୍ରୀମନ୍ତ-ହସନ୍ତ ଚେହେରା ଲୁଚକାଳି ଖେଳିଲା ଭଳି ଦେଖା ଦେଇ ପୁଣି ଲୁଚି ଯାଉଛି ।

ଆଃ…ବାହାର ଯା’ର ଏତେ କମନୀୟ, ତା’ ହୃଦୟ ଭିତରେ ବିଶ୍ୱାସଘାତକତାର ଜୀବାଣୁ କେମିତି ରହିପାରେ ? ବଚନରେ ଯା’ର ଶବ୍ଦ ନୁହେଁ, ମହୁ ଝରୁଥାଏ, ତା’ ମନରେ ଏତେ ହଳାହଳ କେଉଁଠୁ ଆସେ? ହଁ, ହେଇପାରେ ଇଏ ପ୍ରକୃତିର ଖେଳ । ସୁନ୍ଦର ମହାକାଳ ଫଳ ଭିତରେ ଅଙ୍ଗାରର ସମାରୋହ ।
ପଦ୍ମିନୀର ବକ୍ଷ ଥରାଇ ଏକ ଦୀର୍ଘଶ୍ୱାସ ଉତୁରି ଆସିଲା । କାନ୍ଥ ଘଣ୍ଟାରେ ପାଞ୍ଚଟା ବାଜିଲା । ବିଶ୍ୱାସକୁ ସାଥିରେ ନେଇ ସରୋଜ ପୁରୀ ଯାଇଛନ୍ତି । ଫେରୁ ଫେରୁ ରାତି ହେବ । ପଦ୍ମିନୀର ଏଇ ଅନ୍ତଃସଂଘର୍ଷର ସାମାନ୍ୟ ସୂଚନା ବି ସେ ପାଇ ନାହାନ୍ତି । ବିଶ୍ୱାସ ତ ସହଜେ ଅବୋଧ ପିଲା ।

କ୍ରମଶଃ

Leave A Reply

Your email address will not be published.