Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଅଫିସ ରୁମ୍ ଭିତରେ ପ୍ରବେଶ କରି ପଦ୍ମିନୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁଡ଼୍‌ ମର୍ଣ୍ଣିଂ ଜଣାଇ ଦେଖିଲା ପ୍ରକାଶ ଓ ଆଉ ଦୁଇଜଣ ସହକର୍ମୀ ହିଁ ଆସିଛନ୍ତି । ଘା ଦେଖି ଜାଣି ନେଲା ସେ ଆଜି ଶୀଘ୍ର ପହଞ୍ଚି ଯାଇଛି । ସବୁଦିନ ଭଳି ପ୍ରକାଶ ତାକୁ ଚାହିଁ ସୈାଜନ୍ୟ ସୂଚକ ଭାବେ ହସିଦେଲା । ପଦ୍ମିନୀ ନିଜ ସିଟ୍‌ରେ ବସୁ ନବସୁଣୁ ପ୍ରକାଶ ନିଜ ସିଟରୁ ଉଠଆସି ପଦ୍ମିନୀ ସାମନାରେ ଏକ ରକମ ପରିତୃପ୍ତ ଶୈଳୀ ନେଇ ବସି ପଡ଼ଲା । ପଦ୍ମିନୀ ଜାଣେ, ପ୍ରକାଶ ସବୁବେଳେ ଏମିତି । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ହାଲୁକା ଭାବେ ଫୁଟକି ମାରି ଆଡ଼େଇ ଦେବ । ଅଥଚ ନିହାତି ସାଧାରଣ, ଲଘୁ ଘଟଣାକୁ ବନେଇ ଚୁନେଇ, ଦୀର୍ଘ ଉପକ୍ରମଣିକା ଖଞ୍ଜି ବର୍ଣ୍ଣନା କରିବାକୁ ଏମିତି କୁଣ୍ଡଳୀ ମାରି ସାମନା ଟେବୁଲ ଉପରେ ବସିଯିବ । ପଦ୍ମିନୀ ଗନ୍ଧ ବାରି ନେଲା । ଆଜି ବି କୈାଣସି ସାଧାରଣ କଥା ବା ଘଟଣାକୁ ଅସାଧାରଣ ରୂପ ଦେବା ଉଦ୍ଦେଶ୍ୟ ନେଇ ପ୍ରକାଶ ପ୍ରସ୍ତୁତ ହେଇଛି ।

ପଦ୍ମିନୀ ତାକୁ ଚାହିଁ ଖାଲି ହସିଦେଲା । ମୁହଁ ଖୋଲିଲା ନାହିଁ । ନିଜକୁ ଏକ ରାଜସିକ ମୁଦ୍ରାରେ ଜମେଇ ଜବରଦସ୍ତ କଥା ଆରମ୍ଭ କଲା ପ୍ରକାଶ ।

ପଦ୍ମିନୀ, ଆଜି ତମକୁ ଗୋଟେ ହ୍ୟାପି ନିଉସ୍ ଦେବି । ଶୁଣିବ? ଆପଣଙ୍କ ପାଇଁ କେଉଁଟା ହ୍ୟାପି, କେଉଁଟା ଅନ୍‌ହ୍ୟାପି ଏଇଟା ବଡ଼ କଥା ନୁହେଁ । ଦେଖିବାର କଥା ହେଉଛି, ଆପଣଙ୍କ ଜମାଣିଆ କଥାର୍ବାାର ପ୍ରକାଶ ଭଙ୍ଗୀ ।

ସେଇଥିପାଇଁ ଆପଣଙ୍କ ବସିବା ଠାଣିକୁ ସଲାମ ମାରି ପଚାରୁଛି, କୁହନ୍ତୁନା, କ’ଣ ଆଜିର ସୁସମ୍ବାଦ? ଆଉ ସେଇଟା ପରସନାଲ୍‌, ନା ଜେନେରାଲ, ନା ନ୍ୟାସନାଲ ନାଇର ନ୍ୟାସନାଲ?

ଆରେ ବାଃ, ଉପକ୍ରମଣିକାରେ ତ ଗୋଟିଏ ଝଟକାରେ ତମେ ମତେ ଚେଲା ବନାଇ ଦେଲ । କିନ୍ତୁ ମନେ ରଖିବ, ଶୁଭ ଖବରଟା ଯାହା ବି ହେଉ, ଏଥିନେଇ ତମେ ମତେ କିଛି ଦେବ ।

କ୍ରମଶଃ

Leave A Reply

Your email address will not be published.