Latest Odisha News

BREAKING NEWS

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି । ଆଗରୁ ଥିବା ଡର ଭୟ ଏବେ ଦୂରକୁ ପଳାୟନ କରିଛି । ଉଭୟଙ୍କ ଭିତରେଥିବା ବ୍ୟବଧାନ କମି କମି, ଖୁବ ନିକଟତର ଭାବ ଗଢିଉଠିଛି ।

ଏମିତିକି ଆଗରୁ ଛାତ୍ର -ଛାତ୍ରୀ ଡରୁଥିଲେ ଗୁରୁଙ୍କୁ । ଏବେ ଟୋଲ ଫ୍ରି ନମ୍ବର, ଏମିତି କରିଛି କମାଲଯେ, ଗୁରୁ ଡରୁଛନ୍ତି.. ଛାତ୍ର ଛାତ୍ରୀଙ୍କୁ । ଏଇଟା ଗୋଟେ ଶୁଭ ସଙ୍କେତ ।

କେଉଁଠି କେଉଁଠି ଗୁରୁ ଓ ଛାତ୍ର ଛାତ୍ରୀ ଭିତରେ ଖୁଵ ଭଲପାଇବା.. ପ୍ରେମ ପ୍ରୀତି ବଢ଼ି, ପୂର୍ବ ସମ୍ପର୍କ ବଦଳିଯାଉଛି ତ କୋଉଠି ଗୁରୁଙ୍କୁ ଚୋରଭଳି ନାନାଦି ଉପାଧିରେ ଭୂଷିତ କରାଯାଉଛି । ଦଣ୍ଡଧାରୀ ଏବେଆଉ ଦଣ୍ଡ ଦେଉନାହାନ୍ତି, ବରଂ ଦଣ୍ଡ ସହିବା ଶିଖୁଛନ୍ତି । ଅପମାନକୁ ହଜମକରୁଛନ୍ତି । ଏହା ମଧ୍ୟ ଏକ ଶୁଭ ସଙ୍କେତ ।

ଆଗରୁ ପ୍ରଶ୍ନ -ପରିପ୍ରଶ୍ନ.. ସେବାଦ୍ୱାରା ଗୁରୁଙ୍କ ଜ୍ଞାନ, ଛାତ୍ର ଛାତ୍ରୀମାନଙ୍କୁ ସଂକ୍ରମିତ ହେଉଥିଲା । ଏବେ କିନ୍ତୁ ଅଲଗା ଭାବରେ ହେଉଛି । ଏକତ୍ର ଭୋଜନ, ବିଦେଶୀ ପାନୀୟ ସେବନ ବିଧିଦ୍ୱାରା, ଅଥବା ଧମକ ମାଧ୍ୟମରେ ନତୁବା ବ୍ୟକ୍ତିଗତ ଟିଉସନପ୍ରାପ୍ତି ପ୍ରଣାଳୀରେ, ଜ୍ଞାନବର୍ଦ୍ଧନ ହେଉଛି ବୋଲି, ବହୁ ବିଜ୍ଞଗଣ ଗଭୀର ଗବେଷଣାକରି କହୁଛନ୍ତି । ଆଗପରି ଏବେଆଉ ଆମ ଶିକ୍ଷାରେ ଖରାପ ଅବସ୍ଥା ନାହିଁ । ବିନା ଜ୍ଞାନ ଅର୍ଜନ ବିନାଅଧ୍ୟୟନରେ ମଧ୍ୟ ସହଜ ହୋଇଛି ଶ୍ରେଣୀ ଉତ୍ତୀର୍ଣ୍ଣ । ଏହା ଶୁଭ ସଂକେତ ନୁହଁ ତ ଆଉ କ’ଣ ?

ଆଉ କେଉଁଠି ଗୁରୁ ଓ ଛାତ୍ର ଛାତ୍ରୀଙ୍କ ଭିତରେଥିବା ବ୍ୟାଧିଭଳି ବ୍ୟବଧାନକୁ ଦୂରେଇବାର ଆଦର୍ଶ ଚିନ୍ତାରେ ଏକତ୍ରମିଶି ନିଶାର୍ଦ୍ଧରେ, ନିର୍ଭୟରେ ନିଶାସେବନ, ନୃତ୍ୟ ଗୀତାଦିରେ ମନରଞ୍ଜନ କରିବା ପ୍ରଥା ପ୍ରଚଳିତ କରିବାକୁ ପ୍ରୟାସ ଜାରିକଲେଣି । ଆଉ କେଉଁଠି ବିନାଦୋଷରେ ଗୁରୁଙ୍କୁ ଅସନମାନ, ଅପମାନ ଦିଆଯାଇ, ତାଙ୍କ ସହିବାର ଧୈର୍ଯ୍ୟ ଶକ୍ତି ବଢାଯିବାର ଚେଷ୍ଟା ମଧ୍ୟ ଏକ ଶୁଭ ସଙ୍କେତ ।

ଆଜିକାଲି ପ୍ରାୟ ଛାତ୍ର ଛାତ୍ରୀ.. ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଠାରୁ ପ୍ରାଇଭେଟ କୋଚିଂ ସେଣ୍ଟର ଯାଏ.. ପିଲାମାନେ ଗୁରୁଦିବସ ପାଳନରେ ବହୁତ ଆଗ୍ରହ ଦେଖାଉଛନ୍ତି । ନାନାଦି ଉପହାର. ଫୁଲତୋଡ଼ା ଦେବାରେ ଅବହେଳା କରୁନାହାନ୍ତି । କାରଣ ଏହାଦ୍ୱାରା ପୂର୍ବରୁ କରିଥିବା ଅପାପମାନ.. କ୍ଷମାରେ ବଦଳିଯାଏ। ଗୁରୁଙ୍କ ତୁଣ୍ଡରୁ ନିର୍ଗତ ଅଳ୍ପାୟୁ… ଦୀର୍ଘାୟୁ ଆଶୀର୍ବାଦ ମିଳିଥାଏ । ଏହା ମଧ୍ୟ ଶୁଭ ସଙ୍କେତ ।

ଏବେ ଅଧିକାଂଶ ଛାତ୍ର ଛାତ୍ରୀ ବୁଝିଲେଣି ଯେ, ବେଶିପାଠପଢି, ଗୁଡ଼ାଏ ଜ୍ଞାନଅର୍ଜନକରି, ଅଯଥା ଅର୍ଥବ୍ୟୟ ଓ ସମୟ ଅପଚୟ କରିବାଠାରୁ,.. ଅଳ୍ପ ଜ୍ଞାନ ଲାଭ, ଅଧିକ ଲାଭଦାୟକ ଏବଂ ଭବିଷ୍ୟତ ଉଜ୍ୱଳର ଲକ୍ଷଣ । ଅଧିକ ପଢି, ବେଶି ବିଦ୍ୱାନ ହୋଇ, କର୍ମ ନିଯୁକ୍ତି ପାଇଲାପରେ ଉପର ଉପର ପଦସ୍ଥ ଅଧିକାରୀଙ୍କୁ ହାତଯୋଡ଼ି ନେହୁରାହେବା… ଜୁହାରକରିବା ଏବଂ ଡ଼ରିମରି ଚଳି ସୀମିତ ଆୟରେ ପାରିବାର ପୋଷଣକରିବା ଅପେକ୍ଷା.. କମ ଜ୍ଞାନ.. ବିଦ୍ୟାଅର୍ଜନ କରି, ନେତୃସ୍ଥାନୀୟ ପଦବୀ ଭୂଷିତହେଲେ ଭଲ । ବଡ଼ ବଡ଼ ମେଧାବୀ ଅଧିକାରୀ ମଧ୍ୟ ତାଙ୍କୁ ହାତଯୋଡ଼ି ସନମାନ ଦିଅନ୍ତି ଓ ତାଙ୍କ କଥାରେ ଉଠ ବସ ହୋଇଥାନ୍ତି । ଏହା ମଧ୍ୟ ଏ ଯୁଗର ଶୁଭ ସଙ୍କେତର ସୂଚନାଦିଏ ।

ମୋଟାମୋଟି ଭାବରେ କହିବାକୁଗଲେ, ଏବେ ଯେଉଁ ବିଧିରେ ପରମ୍ପରା ବଜାୟ ରଖିବାକୁ ଆମ ସମାଜରେ ନିଷ୍ଠାରେ ସାବିତ୍ରୀ ବ୍ରତ ଭଳି ଅନେକ ଓଷା ଉପାସନା ପୂଜା ଚାଲିଛି ,.. ଠିକ ସେଇ ବିଧିରେ ଗୁରୁଦିବସ ପାଳନହେଉଛି ।

ଏଇ ଅତିଭକ୍ତିରେ ଗୁରୁଦିବସ ପାଳନ , ଉପହାର ପ୍ରଦାନଦ୍ୱାରା ହେଉ, କି ପ୍ରଚଣ୍ଡ ଭୟ ଧମକ ପ୍ରଭାବରେହେଉ,… ଗୁରୁ -ଶିଷ୍ୟ ସମ୍ପର୍କର ସୁଫଳ ବହୁପରୀକ୍ଷାବେଳାରେ ସୁଲଭ୍ୟ ହୋଇଥାଏ । ବିନା ଦଣ୍ଡରେ ଅଳ୍ପଜ୍ଞାନ ପ୍ରଦାନରେ ଯେତିକି ଶିକ୍ଷା ମିଳୁପଛକେ,.. ମାତ୍ରାଧିକ ପିଲା ଅତ୍ୟଧିକ ନମ୍ବରରଖି ପାସ କରିପାରିଲେ ହିଁ ଅନୁଷ୍ଠାନର ସୁନାମ ଓ ଗୁରୁଙ୍କ ମହତ୍ତ୍ୱ ବଢ଼େଇଥାଏ । ଏଥିପାଇଁ ଶିକ୍ଷାଦାତା କେତେବେଳେ କି କି ପଦକ୍ଷେପ ନେବା ଉଚିତ ତାହା ଚିନ୍ତାକରି କାର୍ଯ୍ୟ କରିବା କଥା l ତାହେଲେ ଏହା ଶୁଭ ସଙ୍କେତ ।

ହଉ.. ଭଲହେଲା, ଏମିତି ଯୁଗ ଆଗଉ । ଗୁରୁଙ୍କ ଆଶୀର୍ବାଦ ଛାତ୍ର ଛାତ୍ରୀଙ୍କୁ ମିଳୁଥାଉ । ପଠନ, ଭୋଜନ, ଏକତ୍ରିକରଣ ଯୋଜନା ମଧ୍ୟ ସଫଳ ହେଉ । ସାରା ଦୁନିଆଁ ଏହାକୁ ସର୍ବଦା ଶୁଭ ସଂକେତବୋଲି ଦେଖୁଥାଉ । ଏତିକି ଆମର କାମ୍ୟ ।

Leave A Reply

Your email address will not be published.