Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ତମେ ବିଶ୍ୱାସ କରିବନି ସରୋଜ ! ଜୀବନର ତ୍ରିଛକ ଉପରେ ମୁଁ ଆଜି କେତେ ଅସହାୟ । ଦିନ ଥିଲା, ରୂପର ଅହଂକାରରେ ମୁଁ ଉନ୍ମାଦିନୀ ଥିଲି । ମୁଁ ଥିଲି ସହରର ସର୍ବାପେକ୍ଷା ଅନବଦ୍ୟାଙ୍ଗୀ ରୂପସୀ । ଏମିତି ରୂପର ପସରା ନେଇ ମୁଁ ବିବାହ କରିଥିଲି ଯେଉଁ ଅନିନ୍ଦ୍ୟ ସୁନ୍ଦର ପୁରୁଷକୁ; ପରେ ଜାଣିଲି, ତାଙ୍କ ସୁନ୍ଦର ଶରୀରର ଆବରଣ ତଳେ ଏକ ବିଷଦିଗ୍‌ଧ ବିଶ୍ୱାସଘାତକ ଆତ୍ମଗୋପନ କରିଛି । ମୋ ଜୀବନର ଯାବତୀୟ ରମ୍ୟବୋଧ… ମୋ କଳ୍ପନାର ରଙ୍ଗୀନ ଇନ୍ଦ୍ରଧନୁ ସବୁ କିଛି ବିବର୍ଣ୍ଣ ହୋଇଯାଇଛି । ତମେ ଶିଳ୍ପୀ… । ସମୟ ସିନା ଆଜି ତମ ହାତରୁ ତୁଳୀ
ଛଡ଼ାଇ ନେଇଛି; ତମେ ଚାହିଁଲେ ମୋ ଜୀବନର ବିବର୍ଣ୍ଣ ଆଲେଖ୍ୟ ଉପରେ ଆଙ୍କିପାରିବ ଅପୂର୍ବ କଳାର ଅଭିନବ ର୍କୀି । ମୋ ଜୀବନର ରଙ୍ଗହୀନ ଆକାଶରେ ତମେ ହିଁ ଅଙ୍କନ କରିବ ନୂତନ ସୂର୍ଯ୍ୟୋଦୟ ।

କୋହ ଏବଂ ଅଶ୍ରୁରେ ମୀନାକ୍ଷି ପରିବେଶକୁ ବିଗଳିତ କରିଦେଉଥିଲା । ସରୋଜ ନିର୍ବାକ୍ ହୋଇଯାଇଥିଲେ । ପ୍ରସନ୍ନତାର ଚାନ୍ଦୁଆ ତଳେ ପଦ୍ମିନୀ ଲକ୍ଷ୍ୟ କରୁଥିଲା ଏକ ନୂତନ ସୂର୍ଯ୍ୟାଲୋକ । ତା’ କର୍ଣ୍ଣରେ ସେତେବେଳେ ଶବ୍ଦାୟିତ ହୋଇ ଉଠୁଥିଲା ମାଙ୍ଗଳିକ ଶାହାନାଇର ଗୁଂଜନ । ସେହି ପରିବେଶ ମଧ୍ୟରେ ସେ ଯେମିତି ମୀନାକ୍ଷିର ଶଙ୍ଖଶୁଭ୍ର ହାତକୁ ନେଇ ସରୋଜଙ୍କ ଶ୍ୟାମଳ ହାତରେ ମିଶାଇଦେଲା । ଦ୍ୱାପର ଯୁଗର ରାଧାମୋହନ ତା’ କଳ୍ପନାର ହାନ୍ଦୋଳାରେ ବସି ତା’ ଚାରିପାଖରେ ଶତଶତ ରୂପ ନେଇ ଘୂରି ବୁଲିଲେ । ତା ଅଂଜଳିରେ ଉଡ଼ିଉଡ଼ି ଆସି ପଡ଼ିଥିବା ଫୁଲଟିକୁ ସେ ଜଣେ ଆରାଧିକା ହାତକୁ ଟେକି ଦେଉଛି- ଏଇ କଳ୍ପନା ଭିତରେ ପଦ୍ମିନୀର ଦୁଇହାତ ଯୋଡ଼ି ହୋଇଗଲା ।

 

କ୍ରମଶଃ

Leave A Reply

Your email address will not be published.