Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭

ଚନ୍ଦ୍ରା କବାଟ ଖୋଲି ପଶିଲା। ସତରେ ଯେମିତି କୋଉ ଅତଳ ଗ୍ବହରରେ ପଶି ଗଲା ସେ। ଆଣ୍ଟିଙ୍କର କାମ ପୂର୍ବରୁ ପରିଷ୍କାର କରିନେବ ନିଜକୁ ଏ ଘରର ନିୟମ ଅନୁସାରେ। ଆଃ ଆଜି ଭାରି ସଫା ଲାଗୁଚି ଘର। ଅମୃତାର ଅମୃତ ହାତରେ ସ୍ପର୍ଶରେ।  ହଁ ମ, କିଏ ଅଛି ଘାଣ୍ଟିଦବାକୁ। ସଫା ରହିବା ସ୍ବାଭାବିକ। ଈର୍ଷା କି ଏଇଟା । ନା ,ନା , ସାଧାରଣ କଥାଟିକୁ ନ ବୁଝିପାରିବାରେ ବୋକାମି କହିଲେ ଠିକ୍ ହବ। ସାରା ସକାଳୁ କେତେ କଥା ଯେ ଏମନରେ  ପଶିଯାଉଛି  ତା’ର ଠିକଣା ନାହିଁ।

ଆରମ୍ଭ ହବ କାମ। ଘଷରା କଥା। ହେତ୍ , କାମ ତ। ଏତେ ବାରିଲେ ହବ ନା। ସେବା ବଦଳରେ ମୋଟା ରୋଜଗାର। ଭାଗ୍ୟରେ ଥିଲେ ମିଳେ। ଅଭାବୀ ଘର ପୂରିଯାଏ ଖୁସିରେ। ଛୋଟଛୋଟ ଇଚ୍ଛାସବୁ ଫଳବତୀ ହୋଇ ଦପଦପ କରନ୍ତି। ଖୁସିର ଲହରୀରେ ଭାସିଯାଏ  ଟିକି ଟିକି ଦୁଃଖ।
 ଅଭିବାଦନ କଲା ଚନ୍ଦ୍ରା  ନିତ୍ୟ ନିୟମିତ ଭାବେ। ମନେ ମନେ କହିଲା, ‘ ହେ ପ୍ରଭୁ  ଆଣ୍ଟିଙ୍କୁ  ଦୀର୍ଘଜୀବି କରାଅ। ‘
ମନ ଉଡୁଥିଲା ଆକାଶ କୋଳରେ। କାମରେ ମନ ଧରୁ ନଥିଲା। ଟିକିଏ ଭୁଲ କଲେ ସବୁ ଗଡବଡ ହୋଇଯିବ। ଯନ୍ତ୍ରଭଳି କାମ ଦରକାର ଏମାନଙ୍କର।  ସେ ପାଇଁ ଯଥେଷ୍ଟ ଅଧିକା ଦେଉଛନ୍ତି। ଭୁଲ୍ ହେଲେ କହିବେନି ତ କାଟି ପକେଇବେ ସିଧା। ଟଙ୍କାଟିଏ କଟିଗଲେ ତା’ର ଗଣିତ ଭୁଲହବ।ହିସାବରେ ଚଳୁଚି।ସ୍ବଳ୍ପ ସଞ୍ଚୟ କରୁଚି। ସ୍ବପ୍ନ ଚୁରମାର ହୋଇଯିବ ଯେ ନହଲେ।
ଆଜି ଆସିବେ ଡକ୍ଟର ବସା।  ତାଙ୍କର  ପ୍ରଶଂସା ଉପରେ ଖାମ୍ ମୋଟା ଓ ପେଟୁଆ ହୁଏ।  ଘରର ଆବଶ୍ୟକତା ରହିଛି ବୋଲି  ଖଟୁଚି ଦେହ ମନ ଲଗେଇ। ନର୍ସିଂ ଟ୍ରେନିଂ ନେଇଚି ବୋଲି ଇଞ୍ଜେକସନ୍  ଦିଏ  । ଆଉ ସେଇଟା ହିଁ ତା’ର ପ୍ଲସ ପଏଣ୍ଟ। ଆସନ୍ତୁ ଡକ୍ଟର। ଡରିବ କାହିଁକି। ଉଦବେଗ ରହିବ, ତା’କୁ  ନିମିଷକେ ଭିତରେ ଚାପିଦେବାକୁ ପଡିବ।
ଲାପଟପରେ ରଙ୍ଗର  ଖେଳ ଆରମ୍ଭ ପୂର୍ବରୁ ଦେଖିନେଲା ଚନ୍ଦ୍ରା  ହାଲୁକା ପୋଷାକ ପିନ୍ଧି ସୁନ୍ଦର ଦିଶୁଥିବା ମଣିଷଙ୍କୁ। ଆହା  କି ସୁନ୍ଦର! ଯାହା କହିଲେ ବି ସେ ଉତ୍ତର ଦେବେନି। ଆଜି ଯଦି ଭଲ ମଣିଷ ହୋଇଥାଆନ୍ତେ ହସଟିଏ ତ ଦିଅନ୍ତେ। କ’ଣ ଆଉ କରାଯିବ ଯେ। ମୁହଁରେ ବି ଭାବ ନାହିଁ।  ସାଧାସିଧା ସବୁ। ହାତଧରି ରଙ୍ଗ ଭରିଲା। ଟିକିଝିଅ ଭଳି ତ  ଆଣ୍ଟି  ଏଇଠି ନିର୍ବିକାରରେ  କରିଯାଉଚନ୍ତି।ମୋବାଇଲରେ ଟେକ୍ସଟ ମେସେଜ ଦେଖି ଜାଣିଲା ଡକ୍ଟର ଆସିଗଲେ।  ଟିକିଏ ଆଉଜେଇ ବସେଇଲା  ତାଙ୍କ ଦେହଧରି। କବାଟର କାଚଆଖିରୁ ଦେଖିନେଇ କବାଟ ଖୋଲିଦେଲା।  ‘ଗୁଡମର୍ଣ୍ଣିଂ’ , ଅଭିବାଦନ ପରେ ପଶିଆସିଲେ ମିସେସ ଡକ୍ଟର ବସା ଓ ମିସ୍  ଲିଜା,  ତାଙ୍କ ସହଯୋଗୀ। ହାତ ସାନିଟାଇଜ କରିନେଲେ। ସିଧା ଗଲେ ଆଣ୍ଟିଙ୍କ ପାଖକୁ। ହସହସ ମୁହଁରେ ପଚାରିଲେ, ‘କେମିତି ଅଛନ୍ତି,  ମିସେସ ଧରମହାପାତ୍ର ? ‘ନିରୁତ୍ତର ମଣିଷଙ୍କ ତରଫରୁ ଚନ୍ଦ୍ରା ହସଟିଏ ଉପହାର ଦେଲା। ଆରମ୍ଭ ହେଲା ପରୀକ୍ଷା ନିରୀକ୍ଷା। ଟିପିନେଲା ସବୁ  ଲିଜା। ଡକ୍ଟର କହିଲେ, ‘ ଆପଣ ଭଲ ଅଛନ୍ତି।’ ଏଥର ଧନ୍ୟବାଦ ଅର୍ପଣ ଚନ୍ଦ୍ରାର । ମନ ଖୁସି ହୋଇଗଲା ତା’ର । ସେବା ଶୁଶ୍ରୁଷାର ଫଳ ଏମିତି ମିଠା।  ଡକ୍ଟର ଆଣ୍ଟି  ତା’ ଉପରେ ସନ୍ତୁଷ୍ଟ।  ଇଞ୍ଜେକସନ୍ ଦେଇପାରେ। ଔଷଧ କଥା ବୁଝିପାରେ। ସେଇଥିପାଇଁ ତ ତାହାରି ଭାଗ ସମୟରେ ବସା ଆଣ୍ଟି ଆସନ୍ତି ନିୟମିତ ପରୀକ୍ଷା ପାଇଁ। ‘ଯେମିତି ଚାଲିଥିଲା ସେମିତି ଚାଲିବ ଔଷଧ ସବୁ’ ,  କହିଲେ ଡାକ୍ତରାଣୀ।  ସେ ସୁପ୍ ଭଲ ପାଆନ୍ତି। ଚାରିଜଣଙ୍କ ପାଇଁ କରିବାକୁ ଉଠିଲା ଚନ୍ଦ୍ରା।  ଦୁଇ ଆଣ୍ଟି ସାଙ୍ଗ ଭଳି ଗପିବେ। ସତକହିବାକୁ ଗଲେ ଜଣେ ଗପିବେ, ଆଉଜଣେ ଶୁଣିବେ । ସେ ସତରେ ଶୁଣନ୍ତି କି ନାହିଁ  କେଜାଣି।  ଲିଜା ବି ପଳେଇ ଆସିଲା ଡ୍ରଇଁରୁମକୁ।  ଗପନ୍ତୁ ଦୁହେଁ ମନଖୋଲି।
       ନିଜ ଭାଗତକ ରଖିନେଇ ବାକି ତିନିଜଣଙ୍କ ପାଇଁ  ସୁପ୍  ନେଲା ଚନ୍ଦ୍ରା। ଆଣ୍ଟିଙ୍କୁ  ଚାମଚରେ ଦବ ଟିକିଏ ଟିକିଏ, ଗପ କହିକହି।କଥା ହେବାକୁ କଡା ନିର୍ଦ୍ଦେଶ। ‘ଭଲ ଲାଗୁନି ନା’ ଲମ୍ବେଇଲେ ଡାକ୍ତର ଆଣ୍ଟି। ସତରେ କିନ୍ତୁ ଭଲ ଲାଗେ ବୋଲି ସେ ଆସିଲେ ନିଶ୍ଚିତ ପିଅନ୍ତି। ମୌନବ୍ରତ ଭାଙ୍ଗିବେ କି ଆଣ୍ଟି।  କେଜାଣି କେବେ ସେ ଭଲ ହେବେ। ଆଉ ଭଲ ହୋଇଗଲା ପରେ ଚାକିରି ଛୁ ମନ୍ତର। ଲୋଭ ଓ ଆଶା ତ ରହିଛି, ରହିବ। ବିବେକ ଛାଟ ମାରିଲା ,ବଡ ଜୋରରେ। କାହିଁକି ଏମିତି ଭାବନା ମୁଣ୍ଡରେ ପଶୁଚି। ସେ କ’ଣ ଅସହାୟ…। ପାର୍ଲୋର କୋର୍ସ କରୁଚି। ନର୍ସିଂ  ସାର୍ଟିଫିକେଟ ଅଛି। ସବୁ ଠିକ ହବ ବୋଲି ଆଶା ଓ ବିଶ୍ବାସ ରହିବା ଦରକାର। ନିଷ୍ଠାର ସହ ଧୈର୍ଯ୍ୟଧରି କରିବ ସବୁ। ପାହାଚେ ପାହାଚେ ଉଠିବ। ଧିରେ ଅଥଚ ସଠିକ ଭାବରେ । ଭାବନା ସେଇଠି  ରହିଲା । ଏଥର ଲିଜା ସହ ବାହାରିଲେ ଡକ୍ଟର ବସା।’ଭଲରେ ଥାଆନ୍ତୁ’, ହସିହସି କହିକହି ଆଗେଇଲେ। କବାଟ ପର୍ଯ୍ୟନ୍ତ ବସେଇଦେଇ ଆସିଲା ଚନ୍ଦ୍ରା।
‘ଗଲା ମୋ’ ସୁପ୍’…ଗଲାଆଆ… ହସିଲା ଏକାଏକା  ନିଜକୁ ନିଜେ କହି ଚନ୍ଦ୍ରା। ଘଣ୍ଟା କଣ୍ଟା ଟିକ୍ ଟିକ୍ କରୁଥିଲା ଠିକ୍ ଠିକ୍ କାମ କର କହୁ କହୁ। ତରତର ବେଳ ଏଇଟା। କାହିଁରୁ  କାହୁଁ ଆଣି ପହଞ୍ଚେଇ ଦଉଥିଲା। କାହିଁକି ମନଟା ଗୋଳମାଳିଆ ଧରୁଥିଲା ଯେ ତା’ର। ତା’ ଇଚ୍ଛା ଅନୁସାରେ ସମୟ ଚାଲିବନି ଜାଣିବି ବିରକ୍ତ ହେଉଥିଲା। ଆଣ୍ଟି ତା’ର ଠାକୁରାଣୀ।  ସେ ସେବାକରେ ମନଦେଇ। ନିଜକୁ ନିଜେ ତାରିଫ୍। ହସିଦେଲା ଫିକକରି।
 ସମୟ ଏବେ ବେଠିକ୍ ଚାଲିଚି। ଚାଲୁ। ଧୈର୍ଯ୍ୟ ଅଛି ଅସୀମ। ହାରିବା ଆଗରୁ ଜିତାପଟ ମାରିନବ। ସମୟ ଘୂରିପଡିବ କେତେବେଳେ କେହି କହିପାରିବନି। ଡାଳଟା ପବନର ବେଗରେ ଭୂଇଁ ଛୁଉଁଥିଲା, ଭାଙ୍ଗିପଡିବ ବୋଲି ସମସ୍ତେ କହୁଥିବାବେଳେ ହଠାତ୍ ଝଡ ବନ୍ଦହୋଇଗଲା। ଡାଳ ଯଥାସ୍ଥାନରେ ରହି ହଲି ଦୋଳିଖେଳୁଥିଲା।
ଆଜି ତ ମନଖୁସି ହବାକଥା। ପରୀକ୍ଷା ଫଳ ଭଲ ଆସିଚି। କାହିଁକି ଖୁସି ଲାଗୁନି। ଭୟ ଗୁଡେଇଯାଉଚି ଅଡୁଆସୂତାପରି। ଅସ୍ତିବାଣୀ ଶୁଣିଲା ପରେ ଯଦି ଏମିତି ଆଉ କେବେ ଖୁସିର ଢେଉରେ ଭାସିବ ସେ। ଇନ୍ଦ୍ରଧନୁଟିଏ କୋଣିକିଆ ହୋଇ ଅଛି ପରା। ହାତ ବଢାଇଲେ ସାତରଙ୍ଗ ଏକାସହିତ ଓହ୍ଲାଇ ଆସିବେ। ନା,  ସବୁ ଠିକ୍ ହବ। ଆସ୍ଥା ରଖିବ ନିଜ ଉପରେ। ଭାଇ ,ଭଉଣୀ  ପଢିବେ, ଢେର ଆଗକୁ ଯିବେ। ମାଆ ଭଲ ହବ । ପାର୍ଲୋର ହବ। ଗରାଖ ଆସିବେ। କାମ ହବ ଦିନ ,ରାତି  ।
ଆଜି ଖଇ, କ୍ଷୀର ଚକଟା ଖାଇବେ ଆଣ୍ଟି।  ନିଜପାଇଁ ବ୍ରେଡ, ଅମଲେଟ । ଓଃ ହୋ ରେ।ଧାଇଁ ଧାଇଁ କର ।
  କଫି ପର୍ବଟି ମଜାଳିଆ। ଭାରି ଖୁସି ସେଇ ସମୟ ଟିକକ। ଚା’ରେ  ଟିପେ କଫି ମିଶାଇଲେ ସ୍ବାଦ ବଦଳିଯାଏ।ମନେପଡେ ନାନା କଥା।  ମାଆ ବି  ଭଲପାଏ । କଫିର ବାସ୍ନା ଅଲଗା ସତରେ।
ବାଲକୋନି ପଟର କବାଟ ଖୋଲି ପୋଛିବାକୁ ହବ ଆଜି।  ସତରେ ଏଘରର ଦୁଃଖ ପୋଛିହୋଇଯାଉ ,ପୋଛିଯାଉ ଗ୍ଳାନି।  ଆଣ୍ଟି ଭଲ ହୋଇଯାଆନ୍ତୁ। ସେବା ଶୁଶ୍ରୁଷା ସହ ପଇସା ନପଡୁ ପାଣିରେ। କିଏ ମ ଏମିତି ବେପରୁଆ ଖର୍ଚ୍ଚ କରିପାରେ ଏଇ ମଣିଷ ପାଇଁ। କିଏ ଭଲପାଏ ଏତେ। ଏସବୁ  ଅଖାଡୁଆ ଲାଗୁଥିଲା। ଏମିତି ଅଜବ ପ୍ରଶ୍ନ ଉଠେ ମନରେ ବହୁଥର। ହଁ ,ଅସମାହିତ ସମସ୍ୟାକୁ ଭୁଲିଯାଇ କାମରେ ମନଦେଲେ ବରଂ ଭଲ।ମନକୁ ଆକଟିଲା ସେ । ବିନ୍ଧ ଗଣିବା ଠିକ୍ ନୁହେଁ  ଆଦୌ।
  ଓହୋରେ,  ମାଆର ସୁପ୍ରାଡିନ ସରିଚି।କିଣିନବ ଗଲାବେଳକୁ।ଚିତ୍ରା ,ସାନ ଭଉଣୀ ତା’ର ବରାଦିଚି ଚପଲ ହଳେ। ଆଉ ଲିପୁନ ସାନଭାଇ, ପେନ୍ ନବ ତା’ ପାଇଁ। ପର୍ସରେ କେତେ ଅଛି କେଜାଣି …।
ସ୍ବପ୍ନରେ ସ୍ବପ୍ନରେ ବୁଣିହୋଇଯାଏ କେତେ କେତେ ଲୁଗା। ଗୁନ୍ଥିହୋଇଯାଏ ସ୍ମୃତିର ରଙ୍ଗବେରଙ୍ଗୀ ମାଳା। ଏଇ ବୟସରୁ ଅମୃତା, ଚନ୍ଦ୍ରା, ଜବା, ତିଥି, ,ଲିଜା ସମସ୍ତେ  ସ୍ବାବଲମ୍ବୀ ହେବାପାଇଁ ନିରନ୍ତର ଚେଷ୍ଟାରେ ନିୟୋଜିତ। ଦୃଢ ଆତ୍ମପ୍ରତ୍ୟୟ ଭିତରେ ରହି ଉବୁଟୁବୁ ଜୀବନନୌକାକୁ ବାହିଚାଲନ୍ତି ଲକ୍ଷ୍ୟ ପଥରେ। ବାଃ ….ଏମାନଙ୍କର ଜୟ  ହେଉ। ଭିଡିଓ କ୍ଲିପ , ସର୍କିଟ କ୍ୟାମେରାରୁ ପଢିହୋଇଯାଏ ଏମାନଙ୍କର ମନୋଭାବ। ଦୂରରେ ଥାଇ ବି ଲାଗେ ପାଖରେ ଅଛି। କି ପରିଚୟ  ନିଜର ସେ ଦବ। ରଞ୍ଜନ …. ରଞ୍ଜନା ….ରଞ୍ଜୁ …।ମଣିଷ ସେ। ମଣିଷ ପରି ମଣିଷ। ଅଞ୍ଜନ ଆମେରିକାରେ।  ଟଙ୍କାର ଖେଳ  ସବୁଠି। ମୁଠାମୁଠା ପଇସା। ପ୍ରାଚୁର୍ଯ୍ୟରେ  ଅଣନିଃଶ୍ବାସି ଲାଗେନି…?  ଟଙ୍କା ଫିଙ୍ଗି ଖେଳ ଦେଖିହୁଏ, ମଣିଷ ହେଇ ହୁଏ କି ?
 ରୁଟିନ୍ ଜୀବନ। ଦିନ ଯାଇ ରାତି ,ଆଉ ରାତିରୁ ପୁଣି ଦିନ। ଅନାହତ ସମୟ। ଅନାଗତ…ଅନାବୃତ୍ତ ସ୍ରୋତ, ସାବଲୀଳ…ଚିରସ୍ରୋତା ସ୍ରୋତସ୍ବିନୀର ନୀଳବେଣୀ ଜଳଧାରପରି ଅଖଣ୍ଡ ଧାରଧାର …।
 ଘଣ୍ଟା  ଦେଖି ଦେଇ ଚମକିଗଲା ଚନ୍ଦ୍ରା। ଜବାର ଆସିବା ସମୟ ହୋଇଗଲା। ଗୋଟେଇ ନେ ନିଜକୁ ଏଥର ସେ।ଟେବୁଲ ଉପରେ ରଖିଦେଲା ଲେଖିକି ସବୁ। ଆଣ୍ଟିଙ୍କୁ   ଠିକରେ ଦେଖିନେଇ ଗୋଡ କାଢିଲା ପଦାକୁ।
ବାଃ, ଜବା କି ସୁନ୍ଦର ଦିଶୁଚି ମ ଆଜି,ମନେମନେ କହିକହି ଆଗକୁ ବଢିଲା ଚନ୍ଦ୍ରା।  ଦୁହେଁ ଦୁହିଁଙ୍କୁ ଅନେଇ ହସିଲେ ଆଖିରେ। ଭେଟ ହୋଇଗଲେ ଲିଫ୍ଟ ପାଖରେ। ଜଣେ ପଶିଗଲା ଜନ ସମୁଦ୍ରରେ ଆଉଜଣେ ନିଜ  କୋକୁନ …ଖୋସା ଭିତରେ।

Comments are closed.