Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦

ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ’ ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ ଦେଲେ ଆଲୋକ ଅନ୍ଧାର ହେବା ସହ ଫ୍ୟାନ ଘୂରି ପାରୁଥିଲା । ଛୋଟିଆ ଟେବୁଲ ଓ ଚେୟାର ଥିଲା । ଡର ଲାଗୁଥିଲା ବହୁତ ,ଖୁସିବି ଲାଗୁଥିଲା। ଆଗତ ଭବିଷ୍ୟତ କିଛି ଦିଶୁନଥିଲା। ହାତ ଯୋଡି ଆଖି ବୁଜି ଜଗନ୍ନାଥଙ୍କୁ ଡାକୁଥିଲି ରକ୍ଷାକର ପ୍ରଭୁ କହି ।

କଣ ଡାକିବି ? କେମିତି ସମ୍ବୋଧନ କରିବି ? ମନେ ମନେ ଅସଂଖ୍ୟ ପ୍ରଶ୍ନ । ସେ ଜଣକ ସହଜ କରି ଦେଲେ ମୋତେ, ‘ତୋ ନାମ କ’ଣରେ’ , ପଚାରି।

ମୁଁ ଉତ୍ତର ଦେଲି ପୁରା ନାମ ଶିଉଳି ଶୈବାଳିନୀ।
:ଶୁଣ , ଆଜିଠୁ ମୁଁ ତୋର ମା
:ଆଜ୍ଞା
: ମାଆ ଡାକିବୁ ମତେ, ବୟସ ଦେଖୁଛୁ ତ !
: ଆଜ୍ଞା
: ଚାଲ ଖାଇବୁ , ଭୋକ ହେଉଥିବ
: ହୁଁ
ଭୟ ମିଶା ଆଖିରେ ଅନେଇ ତାଙ୍କ ପଛେ ପଛେ ଗଲି । ରୋଷେଇ ଘରେ ପଶିଲେ ସେ ।
:ଭାତ ନା ଆଉ କିଛି ?
:ଭାତ
ଗରମ ଗରମ ଭାତ , ତରକାରୀ ସୁନ୍ଦରିଆ ଥାଳିରେ ବାଢ଼ିଦେଲେ । ନିଜ ପାଇଁ କିନ୍ତୁ କଣ ଟିକିଏ ଆଣିଲେ। ମତେ ମୋ ଥାଳି ଧରେଇ ଦେଲେ ମୁଁ ତଳେ ବସିଲାରୁ ଗାଳି ଶୁଣିଲି ।ମୋ ରୁମକୁ ପଠେଇଲେ ,ଆଉ କହିଲେ ‘ଚେୟାରରେ ବସି ଟେବୁଲ ଉପରେ ରଖି ଖାଇବୁ ଯା’।’

ଏ ସମୟରେ ସତରେ ବହୁତ ଅସହଜ ଲାଗେ ତଳେ ବସିବା ପାଇଁ। ସେ ସତରେ ମୋ ମନକଥା ଜାଣୁଥିଲେ କେମିତି ଯେ ?
ପାଖକୁ ଆସିଲେ ତାପରେ । ‘ଆଉ ନେବୁ’ ….. ‘ନା’ ,କହିଲି । କହିଲେ ,ଯା ବାସନ ଧୋଇ ରଖି ଦେଏ ।

ସବୁ ଦେଖାଇ ଦେଲେ । ଏଥର ଦେଖିଲି ବାସନ ଧୁଆ ମେସିନ, ଲୁଗାକଚା ମେସିନ , ଲୁଗା ଶୁଖା ମେସିନ, ଆଉ ଘର ଝାଡୁ ପାଇଁ ବି ମେସିନ , ଆରେ ସବୁ ମେସିନ କରିବ ଆଉ ଆମେ ମଣିଷ ମାନେ କଣ କରିବୁ ! ମୋ’ ମନକୁ ପଢିଦେଲେ କି କଣ, କହିଲେ , ‘ମୁଁ କଣ ସବୁ କାମ କରିପାରିବି ଏଇଥିପାଇଁ ଏ ମେସିନର ସାହାଯ୍ୟ ନେଉଛି। ତୁ ମତେ ସାହାଯ୍ୟ କରିବୁ କି କହ।’ ମୁଁ ଖୁସିରେ ଆତ୍ମହରା ହୋଇଗଲି।ସାଙ୍ଗେସାଙ୍ଗ ଅଙ୍କୁଶ ଲଗେଇ କହିଲେ, ଏବେ ନୁହେଁ, ‘ମୁଁ କହିବି କେବେଠାରୁ କରିବୁ।’ ମୋ’ ପାଖରେ ଅସହାୟ ହୁଁ ଛଡା ଆଉକିଛି ନଥିଲା।

ଡର ସହିତ ଖୁସି ଲାଗୁଥିଲା ମୋତେ। ସାଧାରଣ ଘରୁ ରାସ୍ତାକଡହୋଇ ଜୀବନ ଆସି ପହଞ୍ଚିଲା ଏ ନଅରରେ…। ଭବିଷ୍ୟତ ଚିନ୍ତା ଖାଉଥିଲା ମନରେ ପୁଣି ଆଶ୍ବାସନା ଆସୁଥିଲା ଆପେ। ଆଗାମୀ ଦିନ ଭଲରେ ଆସୁ। ପିଲା ସୁରକ୍ଷିତ ରହୁ, ଏ ଭାବନା ମନ ଭିତରେ ..। ଆରାମପ୍ରଦ ବିଛଣାରେ ପଡୁପଡୁ ଆଖି ବୁଜିଗଲା।

‘ଶିଉଳି ଉଠ। ସନ୍ଧ୍ୟା ସମୟରେ ଶୋଇବା ଠିକ୍ ନୁହେଁ, ‘ ମିଠା ଆକଟ ସହିତ ମିଠା ସ୍ବରରେ ନିଦଭାଙ୍ଗିଲା।
:ଏ ମାଆ
:ସନ୍ଧ୍ୟା ଦେବି ଏବେ।

ହାତ ଯୋଡି ହୋଇଗଲା ମୋର।ଏତେ ବଡ ଘରେ ଆଜିକାଲି ସମୟ ଅନୁସାରେ ସନ୍ଧ୍ୟା ଦୀପ,ଶଙ୍ଖ ଫୁଙ୍କା, ପ୍ରାର୍ଥନା, ଭାଗବତ ପଢା, ଆଶ୍ଚର୍ଯ୍ୟ କଲା ମୋତେ। ଆଜିକାଲି ଗାଁରେ ବି ଧୂପଟିଏ ଲଗେଇ କାମ ସାରିଦିଅନ୍ତି ଅନେକେ।

:ରାତିରେ କଣ ଖାଇବାକୁ ଭଲଲାଗେ ତୋତେ।
:ଯାହାହେଲେ ଚଳିବ ,ମାଆ।

:ଟିନୁ ଆସିବ ଏବେ ରାନ୍ଧିବା ପାଇଁ। ତା’ ପାଖରେ ରହି କହିବୁ ତୋ’ ମନପସନ୍ଦର ଖାଇବା ସେ କରିଦବ। ‘ହଉ’ କହିଲି। ଟିନୁ ପାଠ ପଢୁଆ, ସାହସୀ ଓ କାମିକା ଝିଅ। ବେଶ ଅଳ୍ପ ସମୟରେ ନିଜର କରିନେଲା ମୋତେ। ସେହିଁ କହିଲା ଏ ମାଆ ଜଣକ ଡାକ୍ତରାଣୀ ବୋଲି।ଦେବୀଦତ୍ତା ତାଙ୍କ ନାମ। ଦେବୀ ଡାକନ୍ତି ସମସ୍ତେ। ଏଇ ଏତେ ବଡ ଘର ତାଙ୍କର। ତଳେ ନର୍ସିଂହୋମ ତାଙ୍କର।ରୋଗୀ ସେବା ପରମ ଧର୍ମ। ଦୁଃଖୀ ରଙ୍କିଙ୍କର ଢେର କାମ ସେ କରନ୍ତି। ଦୟାବତୀ ସେ। ଏ ଘରେ ତାଙ୍କ ବାପା, କି ଶ୍ବଶୁର ଅସୁସ୍ଥ ଅଛନ୍ତି। ସେ ସବୁକିଛି ତାଙ୍କର ନିଜେ କରନ୍ତି, ପ୍ରିୟ ମଣିଷ ପାଇଁ। ପିଲାଏ ବିଦେଶରେ କି କେଜାଣି, ସବୁ ପିଲାଙ୍କର ନିର୍ଦ୍ଦିଷ୍ଟ ରୁମ୍ ଅଛି।ପ୍ରତ୍ୟହ ସଫାସୁତୁରା ହୁଏ। କେବେ ସେମାନେ କେହି ଆସିବା ଦେଖିନି ସେ।

ଟିନୁସହ ବନ୍ଧୁତା ବଢୁଥିଲା। ଘର କଥା ବୁଝି ପାରୁଥିଲି। ଆଉ ସେମିତି ଭୟ ଲାଗୁନଥିଲା। ମାଆଙ୍କର କାମ ଭଲ ଲାଗୁଥିଲା। ଆଦୌ ଥକ୍କି ପଡନ୍ତିନି ସେ। ସଦା ହସହସ ମୁହଁ। ଯୋଗ, ପ୍ରାଣାୟାମ ସହ ପ୍ରାର୍ଥନା, ଧ୍ୟାନ, ପୂଜାପାଠ, ତଳେ ଥିବା ନର୍ସିଂ ହୋମକୁ ଯିବା ସହ ଅନ୍ୟ ଅନେକ କାମ କରନ୍ତି। ସମୟକୁ ସମ୍ମାନ ଦିଅନ୍ତି। ଆଉ ଏକ ଡାକ୍ତରଖାନା ସହ ଅନୁବନ୍ଧିତ ବୋଲି କହୁଥିଲେ, ବାପରେ ସେ ଏତେକିଛି କରନ୍ତି କେମିତି? ନିଜେ ନିଜ କାର ଚଲାନ୍ତି। ବହୁତ କମ୍ ଖାଆନ୍ତି। କେଜାଣି ସେ ଦେବୀ ନାମକୁ ଯଥାର୍ଥରେ ପାଳିଛନ୍ତି ଯେମିତି। ଅମୃତମୟୀ ସେ। ଶୃଙ୍ଖଳା ସହିତ ସଂସ୍କୃତି, ସମୟ ସହିତ କାମ…. ଉତ୍ସାହ ସହିତ ଆଗ୍ରହର ମଧୁର ସମନ୍ବୟ ସେ। ମିଶିବ ଯିଏ ସେ ଭୁଲିବିନି କେବେ। ସବୁବେଳେ ଭାଗ୍ୟକୁ ଗାଳିଦେଉଥିବା ମୁଁ ପରମ ସୌଭାଗ୍ୟବତୀ ମଣୁଥିଲି।ଏମିତି ମାଆ ଯୁଗେଯୁଗେ ମିଳୁଥାଆନ୍ତୁ।ହେ କାଳିଆ, ହେ ମାଆ ବୃନ୍ଦାବତୀ ମୋ’ ମାଆଙ୍କୁ ଆୟୁଷ ଦେଇଥାଅ। ହେ ଷଠୀଦୁଷୀ ନିରୋଗା ରଖିବୁ ଲୋ। ସେ ମୋ’ଭଳି କେତେ ନିଆଶ୍ରୀଙ୍କ ସାହା । ସହାୟ ହୋଇଥାଅ ସମସ୍ତେ ତାଙ୍କୁ।

Leave A Reply

Your email address will not be published.