Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭

ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ।  ପେଟରେ କଷ୍ଟ ଅନୁଭବ କରେ।ନା,ଆଉ ତଳେ ବସି ପାରେନି। ଇଟାରେ ବି ହୁଏନି ବସି ଭଲ ଭାବରେ। ସନିଆ ଭାଇ କୁଆଡୁ ଖୋଜିଆଣି ବଡ ପଥରଟେ ପକାଏ ଗଛ ମୂଳେ।ବାଃ, ବଢିଆ ଆସନ ମିଳିଗଲା ମୋତେ। ଗଢିବା ପାଇଁ ସହଜ ହୋଇଗଲା। ମାଟି ଚକଟେ ଭାଇ, ଆଉ ମୁଗୁନି ବଢେଇଦିଏ ଗୁଳା। ହାତ ଗଢା କଣ୍ଢେଇ ଧରିନିଏ ସତର୍କତାର ସହ।ଶୁଖେଇକି ରଖେ। ଅଭିନବ ଉପାୟଟେ ଏଥର ମନକୁ ଆସିଲା। ଟିକିଏ  ଦୂରରେ ଦର୍ଜୀ  ଦୋକାନଟେ ଥିଲା। ଟୁକୁରା କନା ଯାହା ସେମାନେ ଓଳେଇକି ଫିଙ୍ଗି ଦିଅନ୍ତି ତା’କୁ ପିନ୍ଧନ୍ତି ଏସବୁ କଣ୍ଢେଇ। ରଙ୍ଗ  ବେରଙ୍ଗୀ … ବାଉଁଶ ଡଲା, ଚଲାରେ ପସରା ସଜାଡେ ମୁଗୁନି ବଡ ଯତ୍ନରେ।ଖୁବ ଶୀଘ୍ର ସେସବୁ  ଖାଲି ହୋଇଯାଏ। ‘ମାଟି କାମର କି ଚାହିଦା ମ’ ,କହେ ହସିହସି ।’ବାଉଁଶକାମବି ବେଶ   ସୁନ୍ଦର’ ସନିଆ ଭାଇ କହେ ସ୍ବଭାବ ସୁଲଭ ଢଙ୍ଗରେ।ଲଗନ ଲଗନ କହି ହାତ ଚଲାଏ ମୁଗୁନି।

ବଗଡା ଚାଉଳର  ପେଜୁଆ ଭାତ ସହ ଲଙ୍କାମରିଚ, ଲୁଣ ଓ ଆଳୁ ଚଟଣି  କି ବାଇଗଣ ପୋଡା ଲଗେଇ ଖାଇଦେଲେ ହେଲା। ଦିନେ ଦିନେ ମନ ହୁଏ ଆଉ କିଛି ଖାଇବାକୁ। ଗାଁରେ ରଜନୀ ଅପା କି ବିନ୍ଦୁ ଭାଉଜର କେମିତି ସଦଖିଆ ହୁଏ ଯେ।କେତେ ପ୍ରକାରର ପିଠା, ମିଠା,ତରକାରୀ ଫଳମୂଳ  ଦିଆହୁଏ। ଡାକି ହାକି କିଏ କେତେ ପ୍ରକାର ଖୁଆଏ। କେତେ ଲୁଗାପଟା ମିଳେ। ପିଲା ପୁଷ୍ଟ ହୁଏ, ମାଆର ଏଇ ଯତ୍ନରେ। ବିଭିନ୍ନ ପ୍ରକାର ଆହାରରେ ବିଭିନ୍ନ ପ୍ରକାର ପୁଷ୍ଟିସାର ଥାଏ। ବିଜ୍ଞାନ ନପଢି ବି ନିପଟ ମୂର୍ଖ ମଣିଷ କେଡେ ସୁନ୍ଦର ଭାବରେ ଆମ ପରମ୍ପରା, ଚଳଣି ସହିତ ଖାପଖୁଆଇ ମାଆର ଓ ଶିଶୁର ଯତ୍ନ  ନେଇ ଥାଆନ୍ତି। କାହାକୁ  କହିବ  ଏ କଥା ଶିଉଳି। ମନେମନେ ଚୁପ୍ ଚାପ୍ ରହିଲେ ଗଲା।

ରାସ୍ତା ସେକଡରେ କେତେ ନା କେତେ ଉଠା ଦୋକାନ। କେତେ ଠେଲା। କେତେ ପ୍ରକାର  ଖାଦ୍ୟ। କେତେ ପ୍ରକାର ଲୋକ। କିଏ ଦୋନା ଚାଟେ ,କିଏ ଖାଇଥାଏ ଚୋବେଇ। କୁକୁର, ଷଣ୍ଢ ସବୁ  ଏକାକାର।  ଆଉ ଲୋକେ ହାଉଯାଉ। ନାକରେ ବାସ୍ନା ବାଜେ। ଦବ କିଏ? ମାଗିବ କାହାକୁ? ସାହସ ହୁଏନି।  କେତେ କଷ୍ଟରେ ଦୁଇ ଅଚିହ୍ନା ଲୋକଙ୍କ ହାତ ମୁଣ୍ଡ ଉପରେ ରହିଛି। ଛି, ଖାଇବା ପାଇଁ  ଏମିତି ହେଉଚି କାହିଁକି ମନ। ହେ ପ୍ରଭୁ, ତୁମେ ହିଁ ସାହା ହୁଅ ଏ ସମୟରେ। ରକ୍ତ ସମ୍ପର୍କ ଯେଉଁଠି ଆଖି ବୁଜିଦେଇ ପର କରିଦେଲେ, ସେଇଠି କାହାକୁ ଆଉ ନିଜର କହିବ ମଣିଷ। ଢେର ଭଲ ଏ ଦୁହେଁ। ମୋତେ ଭଲରେ ରଖିଛନ୍ତି, ସୁରକ୍ଷା ଦେଇଛନ୍ତି, ଖାଇବାକୁ ଦେଉଛନ୍ତି ।

ଖଞ୍ଜି ଦେଇଚି କିଏ  ସୁଖ ପରେ ଦୁଃଖକୁ…। କେତେ ବେଳେ କୋଉଟା ଆଗ କୋଉଟା ପଛ ଜଣା ପଡେନି କିଛି। କିଏ ଚାଲୁଥାଏ ଆଗେ ଆଗେ ଆଉ କିଏ ଧାଉଁଥାଏ ପଛେ ପଛେ।  ଫଁକରି ନିଃଶ୍ବାସଟେ ବାହାରିଗଲା। ତରଳ ମହମ ପରି ବହିଗଲା ଗାଲ ଓଦା କରି କିଛି।

ରାସ୍ତାର ଆଲୋକ ଓ ଗଛର ଛାଇ ମିଶି ବଡ ସୁନ୍ଦର ଲାଗେ ଏ ସମୟ।  ପୋଲିସ ଭାଇ ଡରରେ ପଶିଯିବା କଥା ଜରି କୁଡିଆ ଭିତରେ।ନହଲେ ସେ ପଥର ଉପରେ ଘଡିଏ ବସିରହିବାକୁ ମନ ହୁଏ। ରାନ୍ଧିବାଢି ଖାଇ ପିଇ ବାସନ ମାଜି ଥିରକିନା ଶୋଇବା କଥା, ନିଦ ଆସୁକି ନ ଆସୁ। ଆଗାମୀ ସମୟ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ପୁଣି, ନୂଆ ଦିନଟେ ଆସିବ। ଏ ଅପେକ୍ଷା ଏମିତି ଅନବରତ ଚାଲିଥିବ। କାନିରେ ଗଣ୍ଠେଇଥିବା କିଛି ସୁନାକୁ ବଡ ଯତ୍ନରେ ଲୁଚେଇ ରଖିବାକୁ ପଡେ। ଏଇଟା ଲୋଭ ନା ଆସକ୍ତି …କେଜାଣି କଣ…ଥାଉ ଏବେ ସେସବୁ। ଭାବୁ ଭାବୁ ଆଖି ଲାଗିଯାଏ। ବଡିଭୋରରୁ ଉଠି ସବୁକାମ ସାରିବାକୁ ପଢିବାର ଭୟ ଭିତରେ ମଣିଷ ଶୋଇଯାଏ।

ସତ କହିବାକୁ ଗଲେ ମୁଗୁନିର ପିଲାପିଲି ନାହିଁ। ଥିଲେ ଏ କଣ୍ଢେଇ ବେପାର ହୁଅନ୍ତା କି ନାହିଁ  କେଜାଣି। ପିଲାଏ ଭାଙ୍ଗି ଭୁଙ୍ଗି ଦିଅନ୍ତେ। ଜିଦ୍ କରନ୍ତେ ଅନେକ ପ୍ରକାରେ। ଛାଡ ସେସବୁ। ପକ୍କା ଘରଣୀ  କିନ୍ତୁ ସେ। ବୁଢୀ ଭଳି କଥାବାର୍ତ୍ତା, ଢଙ୍ଗରଙ୍ଗ ,ବେଭାର ।ଦାୟିତ୍ୱ ଓ  ସେବା ଯତ୍ନ କୋଉଥିରେ କମ କରେନି କେବେ ସେ । ଶିଉଳି ମାଆ ହବ ଆଉ ସେ ଯୋଶଦା  ହେବ …। ଦେବକୀ ଓ ଯୋଶଦା କ’ଣ   ଏକାସହିତ ରହିପାରିବେ…କେଜାଣି। ଭାବନାର ଖିଅ ଲମ୍ବେ। ମନ ଉଡେ କାହୁଁରୁ କାହିଁ । ଚିନ୍ତା ପଶେ ମନ ଇଚ୍ଛା ଅଡୁଆ ତଡୁଆ ହୋଇ।

Leave A Reply

Your email address will not be published.