ଆରତୀ ପଟ୍ଟଯୋଷୀ
ବିରଷ ବଦନେ ମାତା କାତ୍ୟାୟନୀ
ବସିଥିଲେ କୈଳାସରେ,
ପଚାରିଲେ ଶିବ ଆଗୋ ପ୍ରାଣପ୍ରିୟା
କି ହୋଇଛି କହ ବାରେ।
କାହିଁକି ଶୁଖିଛି ତୁମ ଚନ୍ଦ୍ର ମୁଖ
କିସ ଅଭାବ ରହିଲା,
ମନଖୋଲି କୁହ ମୁଁ, ଯେ ଦେବଦେବ
କିଏ ଅବା କି କହିଲା।
ସ୍ବାମୀ ମୁଖୁ ଶୁଣି ଶ୍ରୀମଧୁର ବାଣୀ
ବିରଷେ ଚାହିଁଲେ ମାତା,
କି କହିବି କିଛି ବୁଝିକି ପାରୁନ
ମରମ ତଳର କଥା।
ଶ୍ରାବଣଟା ଗଲା ଯେମିତି ସେମିତି
ନହେଲା ତୁମକୁ ଖୋଜା,
ଭାଦ୍ରବ ବି ଗଲା କେହି ନ କରିଲେ
ମୋ ଦୁଃଖି ଧନକୁ ପୂଜା।
ଆଶ୍ୱିନ ଆସିଛି ଭଲ ଲାଗୁନାହିଁ
ଶୁଣ ଆହେ ପ୍ରାଣ ପ୍ରିୟ,
କାହାରି ମନରେ ଦିଶୁନି ଉଲ୍ଲାସ
ମହାମାରୀ ପାଇଁ ଭୟ।
ରଥଯାତ୍ରା ପର୍ବ ଯଥା ତଥା କରି
ନାରାୟଣ ଭିଆଇଲେ,
ଗଣେଶର ପୂଜା କେତେ ଭଲ ହୁଏ
ଦୁଃଖ ଲାଗେ ଭାବିଦେଲେ।
ମୋର ପୂଜା ପାଇଁ ତମାମ ବରଷ
ମର୍ତ୍ତ୍ୟ ବାସୀ ଚାହିଁଥାନ୍ତି,
ବାଜା ବାଣ ଆଉ ରୋଷଣୀ ଜଳାଇ
ମୋତେ ସ୍ଵାଗତ କରନ୍ତି।
ଗହଳ ଚହଳ ପୁରୀ ରହିଥାଏ
ଦେବୀ ପକ୍ଷ ଆସିଗଲେ,
ମାଆଲୋ ମାଆଲୋ ଡାକ ପଡୁଥାଏ
ମୋ ଭକ୍ତ କୁଆଡେ ଗଲେ।
ଭଲରେ ମୋ ପୂଜା ହେବନି ଏ ବର୍ଷ
ଭାବି ଲାଗେ ମନଦୁଃଖ,
ନ ହେଉ ପଛକେ ମୋର ଷୋଳପୂଜା
ଫେଡ ମର୍ତ୍ତ୍ୟବାସୀ ଦୁଃଖ।
ଏ ବର୍ଷ ନହେଲେ ଆର ବରଷକୁ
ଭଲେ ପୂଜା ପର୍ବ ହେବ,
କରୋନା ଦାଉରୁ ରକ୍ଷାକର ବାରେ
ଦେବ ଦେବ ମହାଦେବ ।