ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୩

ମୁଁ ମାଆ ହେଲି। ପଟ୍ଟପରିବର୍ତ୍ତନ ହେଲା। ମାତୃତ୍ଵ ପରେ ଅନେକ ଦୁଃଖ ଭୁଲି ହୋଇଗଲା।  ସେବା ଯତ୍ନ ମୋ’ ପ୍ରତି , ମୋ’ ପିଲାଙ୍କ ପ୍ରତି ଆଦୌ କମ ନଥିଲା ।ଏ ଦୁନିଆରେ ଏମିତି ମା ଅଛନ୍ତି, ବିଶ୍ୱାସ ହେଉନଥିଲା । କାହିଁକି ଏ ମାଆ ଜଣକ ଏଭଳି  ସାହାଯ୍ୟ କରୁଛନ୍ତି ? କ’ଣ ଅଛି ତାଙ୍କ ମନ ଭିତରେ ? ବୁଝି ତ ପାରୁ ନଥିଲି ବିଶ୍ୱାସ ସହ ଅବିଶ୍ୱାସ ଗୁଡ଼େଇ ହୋଇ ଯାଉଥିଲା ମଝିରେ ମଝିରେ  ମନରେ। ମା’ କିନ୍ତୁ କରୁଣାର ପ୍ରତିମୂର୍ତ୍ତି , ନିଜ ମା’ ବି ଏମିତି ଆଦୌ ନୁହେଁ। କି ଅନାବିଳ  ଶ୍ରଦ୍ଧା, କି ନିରୁତା ଭଲପାଇବା  …ପରକୁ  ଏତେ ଆଦର !

ଦୁଇ ଯାଆଁଳା ପିଲା ମୋର,ପୁଅଟେ ଝିଅଟେ। ନା ମୁଁ ମାଆ ସୀତା ନଥିଲି। ମୁଁ ତ ଶିଉଳି, ଅତିସାଧାରଣ ମଣିଷଟିଏ କେବଳ। କି ସେବା କି ଯତ୍ନ, ଆଖି ଝଲସି ଯାଏ ସେସବୁ ଦେଖିଲେ। ମନ ପୂରିଉଠେ ମୋ’ର। ଭାବନା ଦିଗ ବଦଳାଏ।ପିଲାଏ ବଢୁଥିଲେ ,ରାଜାଘର ପୁଅଝିଅ ଭଳି।

ପଚାରିଲି ସାହସ କରି,କ’ଣ ଦେଖିଲ ମା’ ମୋ’ ଭିତରେ , ସାଉଁଟି ଆଣିଲ ଯେ ରାସ୍ତା କଡରୁ ?
: ତୋ’ ହସ, ଠିକ୍  ମୋ’ ଝିଅଭଳି।
ମନଖୁସି ହୋଇଗଲା ମୋ’ର। ସେଇଲାଗି ମୁଁ ଏ ଘରର ଝିଅ ବୋଲି ଭାବିନେଲି ସେଦିନରୁ ।
: ମାଆ ଗୋ, ଦିନେ ଯିବା ,ଯୋଉଠୁ ମୋତେ ଆଣିଥିଲ ସେଠାକୁ
: ହଁ, ଯିବା, କାରଣ କହ
: ପିଲାନାହିଁ ସେମାନଙ୍କର , ଦେଖିଲେ ଖୁସିହେବେ। ଆଉ ମୋତେ ଆଶ୍ରୟ ଦେଇଥିଲେ ବୋଲି , କିଛି ଦବାକୁ ମନ ହେଉଚି।
: ମାପିଦେଏନି କାହାକୁ ଏମିତି। ସେମାନଙ୍କୁ ଆଣିବା। ମୋ’ର ବିଶେଷ କାମ ଅଛି ସେମାନଙ୍କ ପାଖରେ । କାମକରିବେ ଓ ରୋଜଗାର କରି ପେଟପୋଷିବେ। ପରୀକ୍ଷା କରି ଦେଖିଲେ ଜଣାଯିବ କାହିଁକି ଏମିତି ପିଲାପିଲି ରହିତ।
: ଠିକ୍ ଅଛି ମାଆ, ଯେମିତି କହିବ ସେମିତି ହବ
ମନଟା ଖୁସି ହୋଇଗଲା। ସତରେ ଏ ମାଆ ସମସ୍ତଙ୍କଠାରୁ ଅଲଗା।

ପିଲାଙ୍କ କାମପାଇଁ ବାଛି ବାଛି    ଦୁଇଜଣଙ୍କୁ ରଖାଗଲା । ସତେ ଯେମିତି  ପୂର୍ବ ପ୍ରସ୍ତୁତିଥିଲା  ମାଆଙ୍କର ଏସବୁ । ସେମାନେ ଦୁହେଁ ଆଜିକାଲିକା ଢଙ୍ଗରେ ବିଶେଷ ଯତ୍ନ ନେଉଥିଲେ।ମାଆ ହିସାବରେ ମୁଁ ଯେତିକି କରିବା କଥା କରୁଥିଲି।ସତ୍ୟପୀର ପୂଜା ସହ ନାମକରଣ ହୋଇଗଲା, ଶ୍ରୀମନ୍ତ ଓ ସଂହିତା। ଶ୍ରଦ୍ଧାରେ ଡାକିଲେ ପଲଟୁ ଆଉ ସିତୁ।

ମୋ’ ଜ୍ଞାନର ପରିସର ବଢ଼ୁଥିଲା, ଏ ଘରର ଆଦବ କାଇଦାରେ। ଯାହାହେଉ ଅଳ୍ପକିଛି ପଢ଼ିଥିଲି। ଏଥର ମୋ ପାଇଁ ମାଷ୍ଟ୍ରାଣୀ ଜଣେ ରହିଲେ।  ବିଧିବଦ୍ଧ  ପାଠ ସହ ପିଲାଙ୍କ କଥା,ନୂଆ ନୂଆ ଆଦୌ ଭଲ ଲାଗୁ ନଥିଲା ଏସବୁ।ଖାଲି ମାଆଙ୍କ ଡରରେ  ଆଉ ପିଲାଙ୍କ ସୁରକ୍ଷା ପାଇଁ ପଢୁଥିଲି।  ଧୀରେ ଧୀରେ ଦେହସୁହା ହୋଇଗଲା ସେସବୁ । ପାଠର  ସୋପାନଟିଏ  ଅତିକ୍ରମ କଲେ ଛୋଟ ଛୋଟ ଉପହାର ମିଳୁଥିଲା , ଉତ୍ସାହିତ ହେଉଥିଲି।  ପରୀକ୍ଷା ଦେଉଥିଲି , ପାସ କରୁଥିଲି।ମାଟ୍ରିକ ପାସ୍ କରିଗଲି ମାଆଙ୍କର ଉତ୍ସାହ ଓ ନିଜର ଉଦ୍ୟମ ଫଳରେ।ଏଥର କଲେଜରେ ପଢେଇବେ କହିଲେ।ମୁଁ ଡରିଲି ବହୁତ।ପଳେଇଯିବାକୁ କୁଆଡେ ହେଲେ ମନ କହୁଥିଲା। ମାତ୍ର ମୋ ପିଲା …ମାତୃତ୍ବ ବନ୍ଧା ପଡିଥିଲା।

ଯେଉଁଦିନ ଏଇ ମା’ଙ୍କର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଘରଗୁଡିକରେ ପଶି କିଛି କିଛି ଘାଣ୍ଟି ପକେଇଲେ  ଶ୍ରୀମନ୍ତ ଓ ସଂହିତା  ସେଦିନ ତାଙ୍କର ଏକ ନୂତନ ରୂପ ଦେଖିଲି।ସଦା ହସହସ,ସଦା କରୁଣାରେ ଭର୍ତ୍ତି, ସର୍ବଦା ପରୋପକାରୀ,ସଦା ସେବାଯତ୍ନର ମନ ତଳେ ଯେ  ଆଉ ଏକ ବିଷର୍ଣ୍ଣ ସତ୍ତା ଲୁଚିରହିଥିଲା ସେ କଥା ଜାଣିଲି।ଖୁସିବାସିଆ ମଣିଷର ହୃଦୟ ବିଦାରକ ସଂଳାପ ଶୁଣିଲି। ଜାଣିଲି ଯେ, ତିନିଜଣଯାକ ପିଲା ଭଲ ପଢୁଥିଲେ, ଭଲ ଖେଳୁଥିଲେ ଭଲ ଗୁଣର ଥିଲେ। ସବୁ ଭଲ ଭିତରେ ବିଧାତା ଟିକିଏ ଭେଲ ରଖି ଦେଇଥିଲେ।

ସାନ ପୁଅଟି ପ୍ରଥମେ ମସକୁଲର ଡିଷ୍ଟ୍ରୋଫିରେ  ପୀଡିତ ହେଲା।  ପରେ ଝିଅଟି  କ୍ୟାନସରରେ , ଆଉ ବଡ଼ ପୁଅର ଏକ ଦୁର୍ଘଟଣାରେ   ମୃତ୍ୟୁ ହେଲା  ପରେ ଏ ମାଆ ନିଜକୁ ସମ୍ଭାଳିବା କଷ୍ଟକର ଥିଲା।ଜଣଜଣ କରି ଚାଲିଗଲେ ତିନିଜଣ। ବିଶ୍ୱାସ କରିପାରୁ ନଥିଲେ ପିଲାଙ୍କ ମୃତ୍ୟୁକୁ।ଆଦୌ ସହଜରେ ଗ୍ରହଣ କରିପାରୁନଥିଲେ ସେମାନଙ୍କର  ଅବର୍ତ୍ତମାନକୁ।  ତେଣୁ ସେ ପ୍ରତ୍ୟେକ ରୁମରେ କିଛି ସମୟ ବସୁଥିଲେ ପ୍ରତିଦିନ।ଆଦରରେ ସଜାଡୁଥିଲେ ଘରର ଆସବାବପତ୍ରକୁ ।ରାତିରେ  ସବୁଘରେ ବସି ଫଟୋ ସହ କଥା ହେଉଥିଲେ ,ଫଟୋ ସହ ବ୍ୟସ୍ତ ରଖୁଥିଲେ  ନିଜକୁ।ବିଛଣା ଚାଦର ବଦଳୁଥିଲା। ପର୍ଦ୍ଦା ବଦଳୁଥିଲା।ନିୟମିତ ଝଡାପୋଛା ହେଉଥିଲା କୋଠରୀ, ସତେ ଯେମିତି କେହି ଅଛି ବା କାହାର ଅପେକ୍ଷାରେ ଅଛନ୍ତି ସେ।ମୁଁ ଭାବୁଥିଲି କି ପିଲାଏ ତାଙ୍କର, ଆସୁନାହାଁନ୍ତି ଜମା।ମାଆ ଖୋଜି ହେଉଛନ୍ତି କେତେ ବୋଲି। ମାଆର ଏ ତୀବ୍ର ଅପେକ୍ଷା .. ପିଲାଏ କିନ୍ତୁ ଆସୁଥିଲେ ଠିକ୍ ତାଙ୍କ ପାଖକୁ ।ମୁଁ ଯାହା ବୁଝିପାରିନଥିଲି ମୋ ମୂର୍ଖତା ହେତୁ।

ପିଲାଙ୍କ ଜନ୍ମଦିନ ପାଳନହେଉଥିଲା ଖୁସିରେ ।କେତେ କ’ଣ ବାଣ୍ଟୁଥିଲେ ମାଆ କୁଆଡେଯାଇ ।କହୁଥିଲେ , ‘ଆଜି ମଣ୍ଡା କରିବା, ବଡ ପୁଅ ଭଲପାଏ,ପନିର୍ ପୋକଡା ଝିଅକୁ  ଭଲଲାଗେ,ସାନଟା ମୋର ସବୁଖାଏ।କିଛି ବାଛେନି।’ଓଃ! ବୁଝିବା ଓ ବୁଝେଇବା ଏସବୁ କଷ୍ଟକର ସତରେ।

ଝରଝର ଝରୁଥିଲି ମୁଁ, କେମିତି ସହଜରେ ସହିବ ଜଣେ ମଣିଷ  ଏତେ ଦୁଃଖ ?ଆଃ ସମୟ ତୁ କେତେ ନିଷ୍ଠୁର, ଭଲମଣିଷଙ୍କୁ ଏତେ କଷ୍ଟ ଦେଇପାରୁ? ପାଖରେ ବସିବି ନା ସଜାଡିଦେବି ଭାବୁଥିଲି। ଦେହ କାଠ ହୋଇଗଲାକି ଆଉ। ପାଦ ଚଳୁନଥିଲା।

ଭାଙ୍ଗି ପଡିଥିବା ଗଛ କଅଁଳେ। ଶୁଖିଲା ନଈ ବି ଉଛୁଳେ। ମାଆ ନିଜକୁ ସଜାଡି ନେଉଥିଲେ  ଧିରେ। ଘରକୁ ସଜାଡିଲେ ତାପରେ।କହିଲେ ,’ଖୁଣ୍ଟ  ହୋଇଗଲୁକି? ଯାଃ  ନିଜକାମ କର।’

ଏବେ ବୁଝୁଥିଲି ମାଆଙ୍କର ବ୍ୟସ୍ତ ବହୁଳ ଜୀବନକୁ। ସାମାଜିକ କାର୍ଯ୍ୟରେ , ସେବା ଶୁଶ୍ରୁଷାରେ ସମୟ  ବିତେଇବାର ରହସ୍ୟକୁ।  ରୋଗୀ ଜଣେ ଏବେବି ଘରେ ବିଛଣାରେ ମୃତ୍ୟୁ ସହ  ଲଢୁଥିଲେ।ଜୀବନ  ଏମିତି  ବି ଥାଏ ! ଅମାପ ଧନ ସମ୍ପତ୍ତି ସହ ଅସୁମାର ଦୁଃଖ ଯୋଡି ଦେଇ ସିଲେଇ କରିଦେଇଚି କି ବିଧାତା? ଫଟୋ ସହ ଏକ ପ୍ରକାର ପାଗଳ ମଣିଷ   କିନ୍ତୁ  କୌଣସି ଦିନ କୌଣସି କାମରେ ଏତେ ଟିକିଏ ଭୁଲ ହେଉ ନଥିଲା  ମନପ୍ରାଣ ଦେଇ ସମସ୍ତଙ୍କର କାମ , ସମସ୍ୟାର ସମାଧାନ କରୁଥିଲେ ସେ। ଦୟା, କ୍ଷମା, କରୁଣାର ଜୀବନ୍ତ ମୂର୍ତ୍ତି ଏଇ ମାଆ।  ( କ୍ରମଶଃ )