Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୭

କ’ଣ ହେଲା ? ପଡିଗଲେ ? ନିଜକୁ ନିଜେ କହୁଥିଲି …କେମିତି …. ଦାୟିତ୍ୱହୀନ … ଚା କପରେ ମୋ’ର ଓଠ ଛୁଉଁଥିଲା…।ଧାଇଁଲି ବସିବା ଜାଗାରୁ ଉଠି…ଗୋଟାଏ ସମସ୍ୟାର ସମାଧାନ ନସରୁଣୁ ଆଉ ଏକ …ଉଃ … ପ୍ରଭୁ ତୁମେ ଚାହୁଁଛ କ’ଣ ଆମଠାରୁ….।

ଗାଳିଦେଲେ କି ବିରକ୍ତହେଲେ କେବେ କିଛି ପୂରଣ ହୁଏନି ତ…। ଘଟଣା ଘଟିବା ଆଗରୁ ସତର୍କ ରହିଲେ ମଣିଷ ହୁଏତ ଅଘଟଣ ଘଟନ୍ତାନି।ବିରକ୍ତ କାହା ଉପରେ ହେବି…ନିଜକୁ ..ମିଲିକୁ ..ସମୟକୁ…ଏକ ପ୍ରକାର ଅଣନିଃଶ୍ବାସୀ…ତୁମେ ସମସ୍ୟା ଦେଇଚ ମାନେ ତୁମେ ସମାଧାନ ପାଇଁ ରାସ୍ତା ଦେଖାଇବ… ସମସ୍ୟା ନକହି ବରଂ କର୍ତ୍ତବ୍ୟ କହିଲେ ହେବ…।

:ମିଲି, ଏମିତି ଦାୟିତ୍ୱହୀନ ହେଲ…
:ଭୁଲ ହୋଇଗଲା
ତଳକୁ ମୁହଁ ପୋତି ଭୁଲ ହୋଇଗଲା କହିଲେ ତ ଚଳିବନି… କି ଉତ୍ତର ଦେବି ମୁଁ ଏବେ…

ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ବହୁତ ଦିନ ଏମିତି ପଡି ରହିବା ଫଳରେ ଶରୀରର ଅନେକ ଅଙ୍ଗ ଅକାମୀ ହେବାକୁ ଯାଉଛି … ମଲ୍ଟି ଅର୍ଗାନ … କହିବାକୁ ହବ ..ଜଣେଇବାକୁ ହବ… ନା ଏକା ଏକା ସବୁ ବୁଝିବି…।

ଜବାର ଅକ୍ଳାନ୍ତ ପରିଶ୍ରମ ପାଣିଫୋଟକା ପରି ମିଳେଇଯିବ…କାହିଁକି ତାକୁ ନେଇଗଲି… ନ ନେଇଥିଲେ ଝାମ୍ପି ନେଇଥାଆନ୍ତେ…ଦୁଇଟା ଜୀବନ ଏକାସହିତ ମିଳେଇ ଯାଇଥାଆନ୍ତା…। ବିଶ୍ବନିୟନ୍ତାଙ୍କ ଉଦ୍ଦେଶ୍ୟରେ ଆଖି ବନ୍ଦକରି ପ୍ରାର୍ଥନା କଲି।

‘ଶ୍ବେତାବ୍ଜ’ର ମାଲିକାଣୀ ବହୁତ ସୁନ୍ଦର କଥାସବୁ କହନ୍ତି। ବେଶ ସ୍ନେହୀ ମଣିଷ। ସବୁଦିନ ତାଙ୍କ ବକ୍ତବ୍ଯ ପ୍ରଚାରିତ ହୁଏ ଏଠାରେ। ବହୁତ ଭଲ ଲାଗେ ଶୁଣିବାକୁ। କାମ କରୁକରୁ ସେସବୁ ଶୁଣିଲେ ଉତ୍ସାହ ବଢିଯାଏ। ପ୍ରେରଣା ମିଳେ। କ୍ବେଷ୍ଟର କ୍ଲବରେ ଥିବାଭଳି ଲାଗେ ବେଳେବେଳେ।ସବୁଠି ସେଇ କଥା…ମାନବିକତାର ଜୟଗାନରେ ମୁଖରିତ।

ମନେପଡୁଥିଲା ଅତୀତ। ତଥାପି ଭଲ ଲାଗୁଥିଲା ଏ ନୂଆ ଜୀବନ। ଆଣ୍ଟି କେମିତି ଥିବେ…ଜବା ବିନା ତାଙ୍କୁ କେମିତି ଲାଗୁଥିବ..ରାତି ଅଧରେ ଯେତେବେଳେ ରାଜକୁମାରୀ ନିଜ ଖୋଳପାରୁ ବାହାରିଯାଇ ନଦୀକୁ ଗାଧୋଇବାକୁ ଯାଆନ୍ତି, ରାଜକୁମାର ଜଳେଇଦିଅନ୍ତି ସେ ଖୋଳପାକୁ। ସବୁଦିନ ପାଇଁ ରହିଯାଆନ୍ତି ଜେମାମଣି ରାଜାପୁଅ ସାଙ୍ଗରେ। ସେମିତି ମୋ’ ସହିତ କିଏ ଜଣେ କରି ନଥାନ୍ତା… ନାଃ ନିଜେ ଫୋପାଡିଦେଇ ଆସିବାକୁ ବାଧ୍ୟ ହେଲି…। ହୁସ୍…ବୁଲାଣି ବାଙ୍କୁଣି ବିନା ଜୀବନ କାହିଁ ଯେ… !

ଏ ଜବା କାମରେ ମନ ଦେଏରେ… ଭାବିହେଲେ କୋଉଠି ମିଳେସବୁ।ଭାବୁଥିଲୁ ଯାହା ସେସବୁ ତ ଦୂର ଆକାଶରେ ମିଞ୍ଜିମିଞ୍ଜି ତାରା… ସବୁବେଳେ ଏଇଆହିଁ ହେଉଚି ମୋ’ ସହିତ …ହାରିନି କି ଜିତିନି…କେବଳ ଅପେକ୍ଷା କରିଚି…ଫୁଲଫୁଟିବାକୁ କେତେ ସମୟ ନେବ… ସିଷ୍ଟର ଆଇରିନ କାନ୍ଧରେ ହାତ ରଖିଲେ। ଝରକା ଖୋଲି ଦିଗବଳୟକୁ ଦେଖୁଥିବା ଆଖି ତାଙ୍କ ଆଡକୁଫେରିଲା। ସେଦିନ ସେଇଠି ଜାଣିଲି ଏ ନର୍ସିଂହୋମର ମାଲିକାଣୀ ଜଣେ ଓଡ଼ିଆ । ଆଉ ଡକ୍ଟର ବସା ଆଣ୍ଟି ଆସିଲେ ଗେଷ୍ଟହାଉସରେ ନ ରହି ତାଙ୍କ ଘରେ ରହନ୍ତି। ମନଟା ଖୁସି ହୋଇଗଲା। ଏ ଅପରିଚିତ ଜାଗାରେ ଜଣେ ନିଜଲୋକ ମିଳିଗଲେ। ଆଃ କି ସୁନ୍ଦର …କେବେ ଦେଖାହେବ ତାଙ୍କ ସହିତ …।

 

( କ୍ରମଶଃ )

Leave A Reply

Your email address will not be published.