କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୮
ଏଇଠି ଦେବୀ ଦିନେ ଧୂଳି ଖେଳୁଥିଲା। ଏଇଠି ପ୍ରଜାପତିଙ୍କ ସାଙ୍ଗରେ ଖେଳୁ ଖେଳୁ କିଶୋରୀ ଉଡାଣରେ ପହଞ୍ଚିଯାଇଥିଲା ଯୌବନର ଯାଦୁନଗରୀରେ। ଏଇଠି ଦେବ ଦେଖିଥିଲା ଦେବୀର କାୟା ପରିବର୍ତ୍ତନ। ଦେଖିଥିଲା କେମିତି ମାଡିଆସି କାବୁକରିଦିଏ ଯୌବନର ସ୍ଵପ୍ନମୟ ଆବେଗ।
ଏଇ ଦିଶୁଛି ଗୋଟେ ରଙ୍ଗଛଡା ଘର। ଶିଉଳିଲଗା ପାଚେରୀ। ଦୁଆର କବାଟ କଣରୁ ହସୁଛି ଗୋଟେ କଅଁଳ ଥରଥର ମୁହଁ। ଉଦାସ, ମଉଳା, ଲୁହସିକ୍ତ ହୋଇ ହସୁଛି ପଙ୍କ ଭିତରେ ପଙ୍କଜ ପରି। ଘର ଆଗରେ ଠିଆ ହୋଇ ଦେବ ଭିତର ଅଗଣାକୁ ଚାହିଁଲା ।
କେହି କୁଆଡେ ନାହିଁ। ଶୂନ୍ୟତାର ଏକ ବିଚିତ୍ର ରୂପ ଦେଖିପାରୁଥିଲା ସେ। ସେ ହଠାତ୍ ଠିଆ ହୋଇଗଲା।ତାକୁ ଲାଗିଲା ଯେମିତି ସେ ଭଙ୍ଗା ଅଗଣା କବାଟ ଆରପଟେ ଗୋଟେ ଅଥଳ ସମୁଦ୍ର ଅଛି।ନହେଲେ ଅଛି କିଛି ଭୟ ସଙ୍କୁଳ ଭବିଷ୍ୟତ, ରକ୍ତଶୋଷୀ ଅତୀତ। ଯାହାକୁ ଲଙ୍ଘିବାକୁ ତାର ଯୁ ନାହିଁ।କି ସେ ଜାଣେନା ଏମିତି କିଛି ଶବ୍ଦ ଯାହାକୁ ନେଇ ସେ ଲଢ଼ିପାରିବ ବର୍ତ୍ତମାନ ସହିତ।
ପଛରେ ତାର ଧିରେଧିରେ ଧାଡି ବାନ୍ଧୁଥିଲେ ଆଶ୍ଚର୍ଯ୍ୟ ଚକିତ ଆଖି ସବୁ।ସତେ ଯେମିତି ଆକାଶରେ ଉଡୁଛନ୍ତି ପାହାଡ଼ ଓ ଗଛ।ସତେ ଅବା ଗଛରେ ଫଳିଛି ମାଛ।ସମୁଦ୍ର କଇଁଛ ମୁଣ୍ଡରେ ବୋହିଆଣିଛି ଏକ ସମୁଦ୍ର।
ଏଇଟା ଅବଶ୍ୟ ଦେବ ପାଇଁ ନୂଆ କଥା ନୁହେଁ। ଆଗରୁ ସେ ଯେତେଥର ଗାଆଁକୁ ଆସିଛି ସେତେଥର ତା ପଛଧରିଛନ୍ତି ଏମିତି ବିଚଳିତ ଆଖିମାନେ।ଆଉ ଯଦି ସେ ସମୟରେ ଦେବୀ ଗାଆଁରେ ଥାଏ,ତେବେ ଏଇ ଆଖିସବୁ କଳ୍ପନାରେ ଟାଣିଆଣନ୍ତି ଅତୀତକୁ। ଚିପା ହସ ଆଉ ଖଣ୍ଡିକାଶରେ ପୁରିଯାଏ ଦେବର ବର୍ତ୍ତମାନ।
ବେଳେବେଳେ ଦୟା ଲାଗେ ଦେବକୁ।ସେ କ୍ଷମା କରିଦିଏ ଏଇଭଳି ଦୋମୁହାଁ ମଣିଷମାନଙ୍କୁ। ମନେ ପକାଏ ବୋଉ କହୁଥିବା କଥା – ବାରେ। ଯେଉଁମାନେ ମୁହଁରେ ହସି ପଛରେ ଛୁରୀ ଭୂଷିବାକୁ ଆସନ୍ତି ସେମାନେ ସବୁ ଶାପ ଗ୍ରସିତ।କ୍ଷମା କରିଦେବୁ ସେମାନଙ୍କୁ।
କିରେ କଥା କ’ଣ…କ’ଣ ଆଜି ଦିନରେ ତାରା ପଡିଲେଣି।
ତାପରେ ଅଶ୍ଳୀଳ ହିହି। ଦେବ ସେଆଡୁ ମନ ହଟେଇ ଆଗନ୍ତୁକ ସମୟ ଉପରେ ଧ୍ୟାନ ଦେଲା। ଆଖି ଆଗରେ କେହି ନଥିଲେ। ଶୂନ୍ୟତାର ଏକ ଅଚଳ ଆସ୍ତରଣ ମାଡ଼ିଯାଇଥିଲା ସମଗ୍ର ପରିବେଶକୁ।
ଦେବ ପାଦ ଉଠେଇଲା। ଅନେକ ବର୍ଷ ପରେ ଏକ ନିଷିଦ୍ଧ ନିରବତା ଭିତରକୁ । ଦିନେ ଏଠି ପାଉଁଜି ରୁଣୁଝୁଣୁରେ କମ୍ପିଉଠୁଥିଲା ସଚରାଚର ପୃଥିବୀ । କେହିଜଣେ କୋଇଲିଠୁ କଥା ଶିଖି ଅଦିନରେ ସୃଷ୍ଟିକରୁଥିଲା ବସନ୍ତର ଭ୍ରମ । ତା ନିର୍ମଳ ମୁଁହ ଚଞ୍ଚଳ ନଜର ଚିତ୍ର ଆଙ୍କୁଥିଲା ବୈଶାଖର ଦରସିଝା ପିଠିରେ।
ଯିବାକୁ ହେବା। ଆଗରେ ଅପେକ୍ଷା କରିଛି କେଉଁ ଏକ ସମୟର ଅନିଶ୍ଚିତତା। କିଏ ଜାଣେ କଣ ହେବ। ପ୍ରସ୍ତରୀକୃତ ପାଦ ଦୁଇଟାକୁ କୌଣସି ମତେ ରାଜି କରାଇ ସେ ଆଗକୁ ବଢିଲା।
ସେ ବାରଣ୍ଡା ସେମିତି ଅଛି। ଅଛି ତା ଦାଢ଼ରେ ସେଇ ଅଧାତିଆରି ରାଧାକୃଷ୍ଣ ମୂର୍ତ୍ତୀ । କାନ୍ଥ ଫାଟି ଦେଖାଯାଉଛି ଏକ ସମୃଦ୍ଧ ଅତୀତର ରୁଗ୍ଣ ରୂପ। ଦେବ ଆର ଘର ପାଖରେ ଠିଆ ହେଲା। ମଝିରେ ମଝିରେ ଶୁଣା ଯାଉଥିଲା ଘାଗଡା କଣ୍ଠର ଖଣ୍ଡିକାଶ।
ଏଇଠି ଯେମିତି ସରି ଯାଇଛି ପୃଥିବୀ । ପୃଥିବୀର ପ୍ରତିଟି କୋଳାହଳ। ପବନ ଜଡ।ଆକାଶ ପଥର।କେବଳ ଗୋଟିଏ ଶବ୍ଦ ବଞ୍ଚିଛି ଅବଶିଷ୍ଟ ପୃଥିବୀରେ। ସେ ଶବ୍ଦରେ ଖୋଜିହେବନି ଆଗନ୍ତୁକ ମୁହୂର୍ତ୍ତକୁ। ଲେଖିହେବନି ଅପ୍ରକାଶ୍ୟ କୋହର ସୃତିଗାଥା।ସେ ଶବ୍ଦ ଗୀତ ହୋଇ ବୋଳି ପାରିବନି ଆଘାତ ଛାତିରେ ମଲମ।ସେ ଶବ୍ଦ କେବଳ ବର୍ଣ୍ଣି ପାରିବ ଗୋଟିଏ ଦୁର୍ବଳ ଅତୀତ।
କ୍ରମଶଃ……