Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’

ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା’ ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଉଥିଲା ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା’ ଭିତରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ବାଣ୍ଟିବା ପାଇଁ ସ୍ଥିର କଲା ଆସ୍ଥା !

ଏହା ଭିତରେ, ସମ୍ଭବଙ୍କର ଆସ୍ଥା ପ୍ରତି ଥିବା ପୂର୍ବ ଭଳି ଅହେତୁକ ଦୁର୍ବଳତା ତଥା ସମ୍ମାନ ସବୁ ଆସ୍ତେ ଆସ୍ତେ ମଉଳି ଯାଇଥିଲା ସମୟର କଷାଘାତରେ ! ସେତେବେଳେ ଆସ୍ଥାର ପ୍ରତ୍ୟେକ ଛୋଟ ଛୋଟ କଥା କୁ କେତେ ଯତ୍ନର ସହିତ ପୂରଣ କରୁଥିଲେ, ଏବେ କିନ୍ତୁ ପ୍ରତ୍ୟେକ କଥାକୁ ଅଣଦେଖା କରିବା ତାଙ୍କର ଯେମିତି ଗୋଟିଏ ଅଭ୍ୟାସରେ ପରିବର୍ତ୍ତନ ହୋଇ ଯାଇଥିଲା। ଘଡ଼ିଏ ନଦେଖିଲେ ପାଗଳଙ୍କ ପରି ହେଇଯାଉଥିଲେ, ଏବେ ନଜର ପଡିଗଲେ ଆଖିକୁ ଯେମିତି ଖଟକା ଲାଗେ ଆସ୍ଥା ସମ୍ଭବଙ୍କ ଆଖିକୁ ! ଭାରି ଅଲୀଅଳି ଆଉ ଅଭିମାନି ବୋଲି ତାର ହୃଦୟକୁ ସବୁବେଳେ ଯଥାସମ୍ଭବ ବୁଝିବାକୁ ଚେଷ୍ଟା କରୁଥିଲେ ସମ୍ଭବ , ଆଜି କିନ୍ତୁ ସେ ତାଙ୍କ ପାଇଁ ବୋଝ ! ଖୁବ୍ ଅବହେଳିତ !

କଥାରେ କହନ୍ତି –
“ମହୁ ଯେତେ ପୁରୁଣା ହୁଏ ସେତେ ଅଠା
ସମ୍ପର୍କ ଯେତେ ପୁରୁଣା ହୁଏ ସେତେ ମିଠା” ।

ପ୍ରକୃତରେ ବୋଧହୁଏ କଥାଟା ପୁରା ଓଲଟା ହୋଇଥାଏ। ପ୍ରତ୍ୟେକ ନୂଆ ଜିନିଷ ଆଖିକୁ ଚକ୍ ଚକ୍ ଆଉ ସମୟ ସହ ବହଳ ଆସ୍ତରଣ ପଡ଼ି ସବୁ ଫିକା, ପାଉଁଶିଆ, ବେରଙ୍ଗ ଆଉ ବକବାସ ହୋଇଯାଏ । ବାସ୍ ଆଉ ତା ‘ପରେ ମଣିଷ ନୂଆର ସନ୍ଧାନରେ , ତା’ ମୋହରେ, ଅନେକ ନୂଆ ନୂଆ ସ୍ୱପ୍ନର ଆବେଶରେ ଛନ୍ଦି ହୋଇପଡେ ! ଖୋଜେ ନୂଆ ନୀଡ଼ ! ପୁଣି ପୁରୁଷ ଜାତି ! ସମ୍ଭବ ବା ଏଥିରୁ ବାଦ୍ ଯାଇଥାନ୍ତେ କିପରି ?

ଆସ୍ଥାର କିଛି ଦିନ ଅସୁସ୍ଥତା ପାଇଁ କାମ କରିବା ଉଦ୍ଦେଶ୍ୟରେ ଘରେ କାମ କରିବା ପାଇଁ ବହୁତ ଖୋଜାଖୋଜି ପରେ ଶେଷରେ ଝିଅଟିଏ ଠିକ୍ ହୁଏ । ଝିଅଟିର ବୟସ ହେବ ବାଇଶି କି ତେଇଶ ।

କ୍ରମଶଃ….

Leave A Reply

Your email address will not be published.