Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ସନ୍ଧ୍ୟା ଆଗମନରେ ଉଭୟ ପକ୍ଷରୁ ଯୁଦ୍ଧ ବିରତିର ଘୋଷଣା କରାଗଲା। ସେହି ରାତ୍ରୀ ଅସୁରମାନଙ୍କର ଉଲ୍ଲାସର ସୀମା ନାହିଁ। ମେଘନାଦ ଆଜି ବୀର ଲକ୍ଷ୍ମଣଙ୍କୁ ଆସନ୍ନ ମୃତ୍ୟୁମୁଖରେ ଛାଡ଼ି ଆସିଛନ୍ତି। ବିଜୟର ସମ୍ଭାବନା ସୁନିଶ୍ଚିତ।

ସ୍ୱାମୀଙ୍କର କ୍ଷତ ସ୍ଥାନରେ ଔଷଧୀୟ ପ୍ରଲେପ ଲଗାଉ ଲଗାଉ ସୁଲୋଚନା କହିଲେ, “ସ୍ୱାମୀ ! ଲକ୍ଷ୍ମଣଙ୍କ ପରି ମହାନ ଯୋଦ୍ଧାଙ୍କୁ ପରାଜିତ କରିବା ସହଜ ତ ହୋଇ ନ ଥିବ ନିଶ୍ଚୟ ! ଶୁଣିଛି ତାଙ୍କୁ ଭୂମିରୁ ଉଠାଇବାରେ ଆପଣ ଆଜି ଅସମର୍ଥ ହୋଇଥିଲେ !”

” କାଲିର ପ୍ରଭାତ ଲକ୍ଷ୍ମଣର ମୃତ୍ୟୁ ସମ୍ବାଦ ସାଙ୍ଗରେ ନେଇ ଆସିବ। ଶକ୍ତିବାଣର ଆଘାତରୁ ସେ କେବେହେଲେ ବଞ୍ଚି ପାରିବ ନାହିଁ। ”

ସୁଲୋଚନା ଆଉ ଅଧିକ କିଛି ନ କହି ନିରବ ରହିଲେ। ସେ ଜାଣନ୍ତି , ବର୍ତ୍ତମାନର ପରିସ୍ଥିତିରେ ତାଙ୍କର ଅନ୍ୟ କୌଣସି ବଚନ ମେଘନାଦଙ୍କୁ ସୁଖ ଦେଇ ପାରିବ ନାହିଁ।

ମହାଦେବ କହୁଛନ୍ତି, ” ହେ ଗିରିଜା ନନ୍ଦିନୀ ! ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦେଖ ! ଅନୁଜ ଲକ୍ଷ୍ମଣର ଏପରି ଅବସ୍ଥା ଅବଲୋକନ କରି ମାନବୀୟ ଆବେଗରେ ସେ କିପରି ଶୋକାତୁର ହୋଇ ପଡୁଛନ୍ତି। ଲୀଳାମୟଙ୍କ ଲୀଳା ତାଙ୍କୁ କେବଳ ଜଣା ” ।

ଜାମ୍ବବାନ ପ୍ରସ୍ତାବ ଦେଲେ , ଲଙ୍କାର ବୈଦ୍ୟ ସୁଷେଣ ହିଁ କେବଳ ଲକ୍ଷ୍ମଣଙ୍କୁ ଆରୋଗ୍ୟ କରି ପାରିବେ। ତାଙ୍କୁ ଆଣିବା ଦାୟିତ୍ବ ହନୁମାନଙ୍କ ଉପରେ ନ୍ୟସ୍ତ କରାଗଲା। ସେ ତ ହନୁମାନ… ବୈଦ୍ୟଙ୍କୁ ତାଙ୍କ କକ୍ଷ ସହ ଉଠାଇ ଆଣିଲେ।

ଉଇଁ ଆସିଥିବା ଆଶାର କିରଣ କଳା ବାଦଲ ପଛରେ ଜହ୍ନ ଛପିଲା ପରି ଛପିଗଲା, ଯେତେବେଳେ ବୈଦ୍ୟ କହିଲେ ହିମାଳୟରୁ ସଂଜୀବନୀ ବୁଟି ପ୍ରଭାତ ପୂର୍ବରୁ ଆଣିବାକୁ ହେବ। ଲଙ୍କାରୁ ହିମାଳୟର ଦୂରତ୍ୱକୁ ଏତେ କମ୍ ସମୟ ମଧ୍ୟରେ ଯାଇ ପୁନଃ ଫେରିଆସିବା ଏତେ ବି ସହଜ ନ ଥିଲା।

 

Leave A Reply

Your email address will not be published.