Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯

ପାଦ ଘୋଷାରି ଚାଲୁଥିଲି କି, ଘୋଷାରି ହୋଇ ବାହାରି ଯାଉଥିଲି କେଜାଣି।ମୁକ୍ତିକାମୀ  ଖୋଜେ ମୁକ୍ତି  ତା’ର ପ୍ରତି ବାତାୟନ ଦ୍ବାରେ…କହୁଥିଲି ମନକୁ ମନ ।ପଛକୁ ଟାଣେ ତାହାହେଲେ କିଏ …କିଏ ମ ପିଠିରେ  ହାତମାରି  ଇଙ୍ଗିତରେ ଡାକିଦିଏ..।ମୋହ ନା ଆସକ୍ତି  …କି ନାମ ତା’ର।

ବାରମ୍ବାର ମନେପକେଇଦେଉଥିଲି ନିଜକୁ ଦାଦାଭାଇଙ୍କ କଥା।ରହିବି କୋଉଠି ..ଯିବି କୁଆଡେ …। କୋହ ଲୁହ ଫେଣ୍ଟାଫେଣ୍ଟି ଅବସ୍ଥା,ଡକ୍ଟର ଆଣ୍ଟିଙ୍କୁ ଫୋନ ଲଗେଇଲି। ମୁଁ  ଆପଣଙ୍କୁ  ଟିକିଏ ଦେଖାକରିବାକୁ ଚାହୁଁଚି, ଏତିକି ଥିଲା ମୋର ବକ୍ତବ୍ଯ।ସେ ବହୁତ  ବ୍ୟସ୍ତ ରହନ୍ତି। ତଥାପି କଲ ବ୍ୟାକ କରନ୍ତି।ଯାହାହେଉ ସେଇ ପାଖରେ ତାଙ୍କର କିଛି କାମଥିଲା।ମୋତେ ବସରୁ ଓହ୍ଲାଇ ଅପେକ୍ଷା କରିବାକୁ କହିଲେ, ଆନନ୍ଦ ବଜାର  ଛକ ଉପରେ। ମୁଁ  ବସଷ୍ଟପ ଛାତତଳେ ଛିଡା ହେଲି।

କ୍ଲିନିକକୁ ଗଲୁ ମିଶିକି।ଶୁଣିଲେ ସବୁ ମୋ’ଠାରୁ।ଆମେ ଗଲୁ ପୂର୍ବରୁ ପରିଚିତ କ୍ବେଷ୍ଟର କ୍ଲବ ପରିସରକୁ।ସେଇଠି କ୍ୟାଣ୍ଟିନରୁ ଖାଇଲୁ। ଆଃ ମାଆ ଗାଉଥିବା ମଧୁରାଷ୍ଟକମ୍! ଏ ପାଖରେ ଲୁହ ଆଉ ସେ ପାଖରେ ଦିବ୍ୟ ମିଠା ସ୍ବର।ମାଆ ତୁ ଏମିତି ଥା ମୋ’ ପାଖରେ, ମନେମନେ ନିଜକୁ ନିଜେ କହିହେଲି  ।

ଏଥର ବାହାରିଲୁ  ଦେବୀ ଭବନକୁ। ସେଇଠି ମୋ’ ପାଇଁ ଉଦ୍ଦିଷ୍ଟ ରୁମ୍ ମୋତେ ଦେଖେଇଦେଲେ।ସବା ଉପର ମହଲାରେ କୋଣିକିଆ ହୋଇଥିବା  କୋଠରୀ। ଅଜ୍ଞାତବାସର ଜୀବନ  ଆରମ୍ଭ  ହେଲା। ଜଣେ ଡାକ୍ତରାଣୀ ଆଉ ଜଣକ ହାତକୁ ଟେକିଦେଇ ଚାଲିଗଲେ। ମୁଁ ଜନ୍ମ ହୋଇଚି ହାତରୁ ହାତକୁ  ଯିବାପାଇଁ। ସମୟ ପାଖରେ  ଝୁଙ୍କି ପଡୁଥିବା ନାଚାର ମଣିଷଟିଏ କେବଳ ।

କବାଟ ବନ୍ଦକରି ନିଃଶ୍ବାସ ମାରିଲି।ଏଇଠିକୁ ମିଥିଳା ଦିଦିର ହାତ ଆସିପାରିବନି ଆଦୌ। ଏଇ ନିରାପଦ ସ୍ଥାନଟିକୁ ବହୁତ  ଭଲପାଇବାକୁ ପଡିବ ଏବେଠାରୁ । ମୋ’ ସିମ୍ ବଦଳିଯିବ ବୋଲି କହିଥିଲେ। ମୋବାଇଲ ସ୍ବିଚ ଅଫ କଲି।

ଧୁଆଧୋଇ ହୋଇ ଲୁଗା ବଦଳେଇଲି। ଏବେ ଏହାରି ଭିତରେ ରହିବାକୁ ହବ। ଝରକା ପାଖରେ ବସି ଆକାଶକୁ ଦେଖି ଖୁସିହବାକୁ ପଡିବ।ମାଆ ଶିଖେଇଥିବା  ଭଜନ ଗାଇବାକୁ ହବ।ଆଉ ଦାଦାଭାଇଙ୍କ  କଥକ…। ବ୍ୟାଗଟା ଖୋଲିଲି। ତା’ ଭିତରେ ତୂଳୀ, ପେଲେଟ, ରଙ୍ଗ ଆଉ ପଟ୍ଟଚିତ୍ରର କିଛି ସାଜସରଞ୍ଜାମ। କେବେ କେବେ ଇଜଲ୍ ଉପରେ ଥୋଇ କରୁଥିଲେ ପେଣ୍ଟିଂ ଦାଦାଭାଇ। ପଟ୍ଟଚିତ୍ର ଭଲ ଲାଗେ। କାଗଜ ଉପରେ କେତେଥର ଛୋଟ ଜବା ରଙ୍ଗ ପେନସିଲରେ ଖେଳିଚି। ଆଜି ଆଉଥରେ ଖେଳିବ ରଙ୍ଗ, ବେରଙ୍ଗୀ ସମୟଥିବା ସତ୍ତ୍ବେ। ଏଇଠି ବି କଣ କ୍ୟାମେରା ଲାଗିଚିକି, କେଜାଣି। ଯିଏ ଥରେ ସିସି ଟିଭି ସହ ମିଶିଚି, ସେ ଜାଣିଚି ବାଘ ପାଟିରେ ହାତ ଦେବା …. ଆଉ ସେ ମିଥିଳା ଦିଦି, ବାଘୁଣୀ… ନା ସିଂହୀ …କେଜାଣି। ସତରେ ବିପଦ ନାହିଁ ତ ଏଇଠି। ରେଡ ଲାଇଟ ଏରିଆରେ ବଢିଥିବା ଝିଅ ସହଜରେ ବିଶ୍ବାସ କରିଯିବକି କାହାକୁ , ନା ଜମା ନୁହେଁ। ତାକୁ ଜଣା ବାଘଛେଳି ଖେଳ । ହାରିବନି,ଡରିବନି ଆଉ ଫେରିଯିବନି ସେ ଜାଗାକୁ…ଏବେ    ଏଇଟା ଜୀବନର ଲକ୍ଷ୍ୟ। ଏକଦମ ସ୍ଥିର। ପରେ ଦେଖାଯିବ ଆଉ କିଛି।

ଖାଇବା, ଶୋଇବା, ନାଚିବା,ଗାଇବା, ଚିତ୍ର ଆଙ୍କିବା ସବୁ ହେଉଥିଲା। ସରୁନଥିଲା ଏ ସମୟ। ବୁଝୁନଥିଲା ମନ। ଜାଣିବାକୁ ମନ ହେଉଥିଲା  ଦିଦିର କଥା, ସେ କେମିତି  ଗରଗର ହୋଇ ଖୋଜୁଥିବ, ରାଗୁଥିବ, ଗାଳିଦେଉଥିବ, ଫିଙ୍ଗା ଫୋପଡା କରୁଥିବ…କରୁ ଯାହା କରିବ, ପାଇବନି ତ।ପାଇଲେ ବି ଯିବନି ଜବା । ଆଉ ଦାଦାଭାଇ,  ଆହା, ପ୍ରିୟ ମଣିଷ  ନୀରବ ରହିଥିବେ।  ତାଙ୍କ  ଟିକିଝିଅର ସୁରକ୍ଷା ବଳୟରେ କଣା ହେବାକୁ ସେ ଦେବେନି …। ଭରସା ସେତିକି।

ଟିଭି ଖୋଲି ପ୍ରତିଦିନ ଶୁଣୁଥିଲି ଡକ୍ଟର ଆଣ୍ଟିଙ୍କ କଥା। ଭଲ ଲାଗେ। କିଛି ବୁଝେ କିଛି ଅବୁଝା ରହେ। ସେ ମଝିରେ ମଝିରେ  ଆସୁଥିଲେ। ଭଲମନ୍ଦ ବୁଝୁଥିଲେ। ଆଉ ଅପେକ୍ଷା କରିବାକୁ କହୁଥିଲେ ଏକ ସୁଦିନ ପାଇଁ। ଅନ୍ତଃହୀନ ଅପେକ୍ଷା…. ଚୁଲବୁଲ୍ ଜବା  ଶୋକ ପାଳିବ ନା  ଖୁସିରେ ଗୋଡକଚାଡି ନାଚିବ..। ପିଠି କରି ପଳେଇ ଆସିଥିବା ଗତକାଲି  ଦୁଃସ୍ବପ୍ନ ପରି ଲିଭିଯିବ …। ମାଆ ଲିଭିଗଲା। ଯିବାକୁ ଥିବା ସବୁ ଜିନିଷ  ଆଗରୁ ଟିକିଏ  କହି ଦିଅନ୍ତେନି …ଆଉ ଟିକିଏ  ଭଲପାଇବା , ଆଉ ଟିକିଏ  ସମୟ ସହିତ ଖେଳିବା , ଆଉ ଟିକିଏ  ହାଲୁକାଫୁଲକା ଜୀବନସହ ମଜା ମଜାରେ ବଞ୍ଚିବାର ଅବଧି ବଢିଯାଆନ୍ତା ମଣିଷର। (କ୍ରମଶଃ)

Leave A Reply

Your email address will not be published.