Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା: ଭିନ୍ନଭିନ୍ନ ବେଶରେ ଦର୍ଶନ

ଅକ୍ଷୟ ତୃତୀୟା ଠାରୁ ଚାଲିଛି ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି।  ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଯୋର ଧରିଛି। ଆଜି ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଛି । ସେପଟେ ରୂପକାର ସେବାୟତ ମାନେ ଗତକାଲି କୋଣଗୁଜ ଅନୁକୂଳ କରିବା ପରେ ସେଥିରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ରାମକୃଷ୍ଣ, ଭୂଦେବୀ,ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ଚାଲିଛି ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା । ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ସହ ଭିନ୍ନଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦନ ଚକଡାରେ ପହଞ୍ଚିବା ପରେ ଆକର୍ଷଣୀୟ ଟାହିଆ ପରିଧାନ କରନ୍ତି।

ପୂର୍ବରୁ କେନ୍ଦୁଝର ରାଜା ଏହି ଟାହିଆ ଯୋଗାଉଥିଲେ । ତାଙ୍କ ପରେ ଜଗନ୍ନାଥବଲ୍ଲଭ ମଠରେ ଥିବା ସାଧୁ ଆଦିକନ୍ଦ ଦାସଙ୍କ ପାଖରେ ଏହି ଟାହିଆ ଛାଞ୍ଚ ରହିଥିଲା। ଦଇତାପଡ଼ା ସାହିର ଅବଧୂତ ପଟନାୟକ ସାଧୁଙ୍କ ଠାରୁ ଏହି ଛାଞ୍ଚ ନେଇ ଦୀର୍ଘ ୬୦-୭୦ବର୍ଷ ହେବ ଏହି ଟାହିଆ ଯୋଗାଇ ଆସୁଛନ୍ତି ।

ଜୁଇ କଢ଼, ବଉଳଫୁଲ, ସୁବର୍ଣ୍ଣଗନ୍ଧା,ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ୟବହାର କରି ଏହି ଟାହିଆ ପ୍ରସ୍ତୁତ କରାଯାଉଛି । ଏହି ଟାହିଆ ପ୍ରସ୍ତୁତି ପାଇଁ ଦୈନିକ ୧୫-୨୦ ଜଣ ନିୟୋଜିତ ହୋଇଥାନ୍ତି ।

ସେପଟେ ଶ୍ରୀନହର ସମ୍ମୁଖ ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ନିହଣ,ମୁଗର ଓ ବାରିସି ମାଡ ଧ୍ଵନିରେ ଗୁଞ୍ଜରି ଉଠୁଛି ରଥଖଳା।ଆଜି ମା ଚର୍ଚ୍ଚିକାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଭୋଇ ସର୍ଦ୍ଧାର ପ୍ରଥମେ ତାଳଧ୍ଵଜ,ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥ ପାଇଁ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ସମ୍ପନ୍ନ କରିଥିଲେ । ପ୍ରତି ତୁମ୍ବରେ ୩୨ ବିନ୍ଧ ଓ ୧୬ଟି ଲେଖାଏଁ ଅର ସଂଯୋଗ କରାଯାଇଥାଏ । ତାଳଧ୍ଵଜ ଓ ନନ୍ଦିଘୋଷ ରଥର ୧୬ଟି କୋଣ ଓ ଦେବଦଳନ ରଥର ୧୨ଟି କୋଣରେ ଗୁଜ ସ୍ଥାପନ ହେବ।ଗୁଜ ରଥର ସୁରକ୍ଷା କବଚ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେ ପ୍ରାଥମିକ ପର୍ଯ୍ୟାୟରେ ଚକ ନିମନ୍ତେ କାର୍ଯ୍ୟ ହେଉଥିବା ବେଳେ ଆସନ୍ତା ଭଉଁରୀ ତିଥିରେ ତିନିରଥର ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ ହେବ।

Leave A Reply

Your email address will not be published.