Latest Odisha News

BREAKING NEWS

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠୁ ଓଡ଼ିଶାରେ ବଢ଼ିବ ବର୍ଷା ପରିମାଣ । ଆସନ୍ତା ୧୪ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ
ଆଜି ପାଇଁ ୯ ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରକୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷିବ । ସେହିପରି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାରୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି ।

ଫାଇଲ୍ ଫଟୋ

କାଲି ପାଇଁ ୯ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ
ସେହିପରି ଆସନ୍ତାକାଲି ପାଇଁ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ୱଲପୁର, ଅନୁଗୋଳ ଓ ନବରଙ୍ଗପୁର ଜିଲ୍ଲାରୁ ରେଡ୍ ସତର୍କତା ଦିଆଯାଇଛି । ବାକି ୧୧ ଜିଲ୍ଲାରୁ ଅରେଞ୍ଜ ଓ ୧୦ ଜିଲ୍ଲାରୁ ଦିଆଯାଇଛି ୟେଲୋ ଓ୍ୱାର୍ଣ୍ଣିଂ ।
ଫ୍ଲାସଫ୍ଲଡ୍ ଓ ଭୂସ୍ଖଳନ ଆଶଙ୍କା
ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ଫ୍ଲାସଫ୍ଲଡ ଓ ଭୂସ୍ଖଳନ ଆଶଙ୍କା ବି ରହିଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ପ୍ରଶାସନକୁ କୁହାଯାଇଛି । ୧୪ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.