ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ କିଛି ଦିନରେ ବର୍ଷା ବଢ଼ିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି ହୋଇଛି।
ସମୁଦ୍ରରେ ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି ହୋଇଛି। ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ସତର୍କ ସୂଚନା ଜାରି ହୋଇଛି। ୨୪ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
IMD ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଗତି କରିବା ସହ ଏହା କ୍ରମେ ଘନୀଭୂତ ହେବ। ୨୧ ସେପ୍ଟେମ୍ବର ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବାର ଖୁବ୍ ଅଧିକ ସମ୍ଭାବନା ରହିଛି। ଏହାପରେ ଆହୁରି ଶକ୍ତିଶାଳୀ ହୋଇ ୨୨ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇପାରେ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଉତ୍ତର ଥାଇଲାଣ୍ଡ ଉପରେ ଥିବା ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବା ପରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଏହା ଆଗାମୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ।

