Latest Odisha News

BREAKING NEWS

ଉପାସନାଙ୍କ ‘ବିଜୟ’ ଗଣିତ, କେତେ ହେବ ସଫଳ ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ରୂପରେଖ କଣ ହେବ। ଯେଉଁମାନେ ପ୍ରମୁଖ ଦଳର ଆଗ ଧାଡ଼ିର ନେତା ସେମାନେ କଣ ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ? ନା ଚିତ୍ର କିଛି ଅଲଗା ହେବ। ଏଭଳି କିଛି କଳ୍ପନା କଳ୍ପନା ଏବେ ମୁଣ୍ଡ ଟେକିଛି। ରାଜ୍ୟରେ ବିଆରଏସର ଏଣ୍ଟ୍ରି ଓ ଏଥିରେ ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କ ପ୍ରବେଶ ଚର୍ଚ୍ଚା ରାଜନୈତିକ ପରିବେଶକୁ ସରଗରମ କରି ଦେଇଛି।

ଏଭଳି ସ୍ଥିତିରେ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାର ମୁଖ୍ୟ କାରଣ ସାଜିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଏଥିରେ ବିଜୟ ମହାପାତ୍ରଙ୍କ ଯୋଗଦାନ। ଲୁଲୁଙ୍କ ଝିଅ ଉପାସନାଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ସମେତ ରାଜ୍ୟ ରାଜନୀତିର ଆଉ କିଛି ପ୍ରମୁଖ ଚେହେରା ଦେଖିବାକୁ ମିଳିଥିଲା।

ଏପରିକି ଉପାସନା ଆଗାମୀ ସାଧାରଣ ନିର୍ବାଚନରେ ଲଢ଼ିବା ନେଇ ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ଲୁଲୁଙ୍କ ଭାଇ ତଥା ଉପାସନାଙ୍କ ଦାଦା ବିଜେପିର ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନ ରେ ଯଦି ଉପାସନା ଲଢନ୍ତି ତାହେଲେ କଣ ଲଳିତେନ୍ଦୁ ଲଢ଼ିବେ ନାହିଁ କି ବୋଲି ଚର୍ଚ୍ଚା ହେଉଛି। ଉକ୍ତ ସଭାରେ ଲଳିତେନ୍ଦୁ ଯୋଗ ନ ଦେବାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।

ଏପରିକି ଉକ୍ତ ସଭାରେ ବିଜୟ ମହାପାତ୍ରଙ୍କ ଯୋଗଦାନକୁ ନେଇ ଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ହେଉଛି। ରାଜ୍ୟରେ ବିଆରଏସ ନିଜର ସ୍ଥିତି ଦୃଢ଼ କରୁଥିବା ବେଳେ ବିଜୟଙ୍କୁ ବିଆରଏସ ନେତା ଭେଟିଛନ୍ତି। ସେ ଚର୍ଚ୍ଚା ନ ଥମୁଣୁ ବିଜୟ ମହାପାତ୍ର ଲୁଲୁଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଅନ୍ୟ ନେତାଙ୍କ ସହ ଏକାଠି ହେବା ଭିନ୍ନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଲୁଲୁ ମହାପାତ୍ରଙ୍କର ସାରା ରାଜ୍ୟରେ ଏକ ବଡ଼ ନେଟୱର୍କ ଏବେ ବି ଅଛି। ବିଜୟ ମହାପାତ୍ରଙ୍କର ମଧ୍ୟ ରାଜ୍ୟବ୍ୟାପୀ ବହୁ ଅନୁଗାମୀ ଅଛନ୍ତି। ତେଣୁ ଲୁଲୁଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ବିଜୟ ଉପାସନା ଏକାଠି ହେବା ରାଜନୀତିକୁ ସରଗରମ କରିଛି। ୨୦୧୯ ଭଳି ୨୦୨୪ ନିର୍ବାଚନ ହେବ ନାହିଁ ବୋଲି ବିଜୟ ସଂକେତ ଦେଇ ସାରିଥିବାରୁ ଏଭଳି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର ଧରୁଛି।

Leave A Reply

Your email address will not be published.