Latest Odisha News

BREAKING NEWS

ନାରାରେ ନାରୀ, ଆନ୍ତରିକତା ଅଛି ତ ?

ଭୁବନେଶ୍ୱର: ରାଜନୈତିକ ରୂପ ନେଉଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପୋଲିସ ଉପରେ ଆକ୍ରମଣ ପ୍ରସଙ୍ଗ। ଶାସକ ବିଜେଡି ଏ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି। ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତାଙ୍କ ଅସଲ ରୂପ ପଦାରେ ପଡିଥିବାବେଳେ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି ।

ଏହା ସହ ଜୟନାରାୟଣଙ୍କୁ ବିରୋଧି ଦଳ ନେତା ପଦରୁ ବିଜେପି ହଟାଉ ବୋଲି ଦାବି କରିବା ସହ ବିଜେଡି ପକ୍ଷରୁ ବିରୋଧ ଶୋଭାଯାତ୍ରା ମଧ୍ୟ କରାଯାଇଛି। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ ବୋଲି କଟାକ୍ଷ କରିଛି ବିଜେଡି।

ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି ଦୁଇ ପାଦ ଆଗକୁ ଯାଇ ବିଜେଡି ନେତା ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ ଜୟ ନାରାୟଣଙ୍କୁ ସିଧାସଳଖ ସଭାରେ ଆକ୍ଷେପ କରିବାକୁ ମଧ୍ୟ ପଛେଇ ନାହାଁନ୍ତି। ଧକ୍କା ଖାଇଥିବା ମହିଳା କେବଳ ଜଣେ ମା ନୁହନ୍ତି ଜଣେ ପୋଲିସ ଅଫିସର। ସେ ଲୋକ ଆମ ହାବୁଡ଼ରେ ପଡି ନାହାଁନ୍ତି ପଡ଼ିଥିଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା ସେ ଦେଖିଥାନ୍ତେ ବୋଲି କହିଛନ୍ତି ଅରୂପ। ଏପରିକି ଏଭଳି ଲୋକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇ ଖୋଲାଖୋଲି କହିଛନ୍ତି ଅରୂପ।

ସେପଟେ ବିଜେଡି କର୍ମୀ ସମ୍ବଲପୁରରେ ସର୍କିଟ ହାଉସ ଘେରାଉ କରିବାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ଜୟ ନାରାୟଣ। ତାଙ୍କୁ ହତ୍ୟା କରିବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଏପରିକି ନବ ଦାସ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ପ୍ରୟାସ କରାଯାଉଥିବା ଭଳି ବଡ଼ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା।

ସେପଟେ ବିଜେପି ରାଜ୍ୟ ପ୍ରଭାରୀ ଏ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି। ଏଠି ନ୍ୟାୟ ମାଗିଲେ ମିଛ ମାମଲା ରୁଜୁ ହେଉଛି । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମଧ୍ୟ ମିଛ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି। ଜଣେ ମହିଳା ଆଇଆଇସି ଧକ୍କା ଓ ମୁଥ ମାରୁଛନ୍ତି । ଜୟନାରାୟଣ ସୁରକ୍ଷିତ ନୁହନ୍ତି ତେଣୁ ସରକାର ତାଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ। ଦୋଷ ଦୁର୍ବଳତାକୁ ଲୁଚାଇବାକୁ ସରକାରୀ ଦଳର ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧା ଡ଼ଜନରୁ ଅଧିକ ମନ୍ତ୍ରୀ ହତ୍ୟା ସହ ବିଭିନ୍ନ କେଲଙ୍କାରୀରେ ସମ୍ପୃକ୍ତ ଅଛନ୍ତି। ତେଣୁ ଚାଲୁଣି କହୁଛି ଛୁଞ୍ଚିକୁ ମର୍ମରେ ଏ କଥାକୁ କହିଛନ୍ତି ଧର୍ମେନ୍ଦ୍ର। ଜୟ ନାରାୟଣ କାହା ଦୟାରୁ ବିରୋଧୀ ଦଳ ନେତା ହୋଇନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.