Latest Odisha News

BREAKING NEWS

ଲିମ୍ଫାଟିକ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ୧୯ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୬ ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯିବ ।

ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସଂସ୍ଥାର ମିଳିତ ଅନୁକୁଲ୍ୟରେ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏଥିପାଇଁ ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷଠାରେ ଗୁରୁବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି ।

କର୍ମଶାଳାରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡା. ବିଜୟ ମହାପାତ୍ର କହିଥିଲେ ଯେ, “୬ ଟି ଜିଲ୍ଲା ଯଥା ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡାର ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତରୂପେ ଖାଇବେ ସେ ନେଇ ସରକାର ସୁଚିନ୍ତିତ ପଦକ୍ଷେପ ନେଇଛନ୍ତି । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବାକୁ ଅନୁରୋଧ କରୁଛି ।”

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଥିଲେ ଯେ, “ଫାଇଲେରିଆ ଏକ ସାମୁହିକ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ସଠିକ ସମୟରେ ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଏବଂ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଗୁରୁତର ରୋଗରେ ପରିଣତ ହୁଏ ।

ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଶରବ୍ୟର ଶିକାର ହୋଇଥାନ୍ତି । ଏହି ରୋଗକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।”

ସେ ମଧ୍ୟ କହିଥିଲେ ଯେ, ‘ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ବହୁଦିନରୁ ବ୍ୟବହୃତ ଔଷଧ ।

Comments are closed.