Latest Odisha News

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ ପ୍ରାଣୀ ସଂଗ୍ରହ ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯାଉଛି ।

ଏହି କ୍ରମରେ ଆଜି ସୁନ୍ଦରଗଡ଼ର ମେସର୍ସ ଗୀତାରାଣୀ ମହାନ୍ତି ରାଇକେଲା ଆଇରନ ଓର୍ ମାଇନ୍ସ ପକ୍ଷରୁ ମ୍ୟାନେଜିଂ ପାର୍ଟନର ଶ୍ରୀନିବାସ ସାହୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରି ପ୍ରାଣୀ ସଂଗ୍ରହ ଓ ପାଳନପୋଷଣ ପାଇଁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର ଆନିମଲ ଆଡପସନ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ଚେକ୍‌ ଗ୍ରହଣ କରି କହିଥିଲେ ଯେ, ନନ୍ଦନକାନନ ଆମ ଓଡିଶାର ଗର୍ବ । ଏହାର ବିକାଶ ପାଇଁ ଅନୁଷ୍ଠାନ ତାର ପ୍ରତିବଦ୍ଧତା ଦର୍ଶାଇଛି । ଏଥିପାଇଁ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଉଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ସହଯୋଗ ରହିଲେ, ନନ୍ଦନକାନନ ସହିତ ଏହାର ପ୍ରାଣୀସଂପଦର ଉନ୍ନତି ନିଶ୍ଚିତ ହେବ।

Comments are closed.