Latest Odisha News

BREAKING NEWS

ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଚିନ୍ତନ ବୈଠକ;ଶାସକ ଦଳକୁ ଛାଡି ଯୋଗ ଦେଲେ ସମସ୍ତ ରାଜନୈତିକ ଦଳ

ଭୁବନେଶ୍ୱର:ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ମହାନଦୀରେ ଉପଲବ୍ଧ ଜଳରାଶି ପ୍ରସଙ୍ଗରେ ଏକ ଚିନ୍ତନ ବୈଠଜ ଅନୁଷ୍ଠିତ ହୋଇଯାଇଛି । ଶାସକ ବିଜେପି ଦଳକୁ ଛାଡି ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ, କଂଗ୍ରେସ, ସିପିଏମ, ସିପିଆଇ, ଫରୱାର୍ଡ ବ୍ଲକ, ଏସ ୟୁ ସି ଆଇ, ସି ପି ଆଇ ଏମ (ଏଲ ), ଓଡିଶା ଜନତା କଂଗ୍ରେସ ପାର୍ଟି, ସମତା କ୍ରାନ୍ତି, ରାଷ୍ଟ୍ରୀୟ ଜନତା ଦଳ ର ନେତା ମାନଙ୍କ ବ୍ୟତୀତ ଅନେକ ବିଶେଷଜ୍ଞ, ପୂର୍ବତନ ଯନ୍ତ୍ରୀ, ପ୍ରଶାସକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

ପୂର୍ବତନ ପୁଲିସ ଡି ଜି ଅମୀୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଚିନ୍ତନ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଦାଖଲ ହୋଇଥିବା ତଥ୍ୟ ବା ଡାଟାକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଛତିଶଗଡ଼ ମହାନଦୀର ପ୍ରବାହକୁ ଯେଉଁଭଳି ରୋକି ଦେଇଛି ତାହା ଚିନ୍ତାର କାରଣ, କେବଳ ଓଡିଶା ପାଇଁ ନୁହେଁ ମହାନଦୀର ନିରନ୍ତର ପ୍ରବାହର ସୁରକ୍ଷା ପାଇଁ ମଧ୍ୟ ।

ପୂର୍ବତନ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ହୀରାକୁଦ ତଳେ ମହାନଦୀରେ ଜଳସଂରକ୍ଷ ପାଇଁ ଓଡିଶା ସରକାର ଆନ୍ତରିକ ଚେଷ୍ଟା କରିବା ଦରକାର । ବିଜେଡି ବିଧାୟକ ତଥା ମହାନଦୀ ଜଳ ବିବାଦର ସାନଧାନ ପାଇଁ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ନିରଞ୍ଜନ ପୂଜାରୀ ଆପୋଷ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ କଥା ସରକାର କହିଥିଲେ । କିନ୍ତୁ ଏ ଦିଗରେ କମିଟି ସେମିତି କିଛି ଅଗ୍ରଗତି କରି ପାରିନାହିଁ । ଏପରିକି ଯେଉଁ ତଥ୍ୟ ଟ୍ରିବୁନାଲ ନିକଟରେ ଦାଖଲ ହୋଉଛି ତାକୁ ମଧ୍ୟ କମିଟିର ସଦସ୍ୟମାନଙ୍କୁ ଅବଗତ କରା ଯାଇନାହିଁ ।

ବରିଷ୍ଠ ସାମ୍ବାଦିକ ରବି ଦାସ ମହାନଦୀ ସମ୍ପ୍ରତି ଯେଉଁ ସ୍ଥିତିରେ ପହଂଚିଛି ତାର ପ୍ରତିକାର ଯଦି କରା ନଯାଏ ତେବେ ସମୟ ଆସିବ ଓଡ଼ିଶାର ଅର୍ଦ୍ଧାଦିକ ଅଞ୍ଚଳ ମରୁଭୂମି ପାଲଟିଯିବ ।

କଂଗ୍ରେସ ଦଳର ନେତା ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ମହାନଦୀ ଓ ଓଡିଶା ବାସୀଙ୍କ ସୁରକ୍ଷା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନର କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ ଜାନୁନଗୋ, ବିଶିଷ୍ଟ ଓକିଲ ଶିବାନନ୍ଦ ରାୟ, ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ରମେଶ ତ୍ରିପାଠୀ, ଭାରତୀୟ ଭୂତତ୍ତ୍ଵ ବିଭାଗର ପୂର୍ବତନ ଉପ ମହାନିର୍ଦ୍ଦେଶକ ଡ଼ ଶୁଭ୍ରାଂଶୁ ରାୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ସୂର୍ଯ୍ୟ ନାୟକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଅଣ ମୌସୁମୀ ସମୟରେ ଓଡ଼ିଶାର ପାଣିର ଆବଶ୍ୟକତା କୁ ଅଣଦେଖା କରାଯିବା ଉଚିତ ନୁହଁ ବୋଲି କହିଥିଲେ ।

ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ କେବଳ ମହାନଦୀ ନୁହଁ ଓଡ଼ିଶାର ସମସ୍ତ ନଦୀ ଗୁଡିକର ସୁରକ୍ଷା ପାଇଁ ପ୍ରୟାସ ନେବାକୁ ନିବେଦନ ରଖିଥିଲେ ।

ଶେଷରେ ସର୍ବ ସମ୍ମତି କ୍ରମେ ତିନୋଟି ପ୍ରସ୍ତାବ ପାରିତ ହୋଇ ଥିଲା । ମହାନଦୀରେ ପ୍ରକୃତରେ କେତେ ପାଣି ବାସ୍ତବରେ ଉପଲବ୍ଧ ତାକୁ ନେଇ ଦିଲ୍ଲୀରେ ଏକ ଜାତୀୟ ସ୍ତରୀୟ ବିଶେଷଜ୍ଞ ମାନଙ୍କ ସମ୍ମିଳନୀ ଆୟୋଜିତ ହେବ । ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପୂର୍ବରୁ ମହାନଦୀର ସୁରକ୍ଷା ପାଇଁ ଭୁବନେଶ୍ୱର ରେ ଏକ ମାନବ ଶୃଙ୍ଖଳ ଆୟୋଜିତ ହେବ । ତୃତୀୟରେ ନଦୀ କୁଳିଆ ଜିଲ୍ଲା ଗୁଡିକରେ ମହାନଦୀ ବଞ୍ଚାଓ ସମ୍ମିଳନୀ ମାନ ଆୟୋଜନ ସହିତ ମହାନଦୀ ଯାତ୍ରା ଆୟୋଜିତ ହେବ ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ଭଟ୍ଟ, ମନୋଜ ଜେନା, ଆଶିଷ କାନୁନଗୋ, ଗିରିଜା ଶଙ୍କର ଦାସ, ପ୍ରସନ୍ନ ବିଶୋଇ, ବଦ୍ରି ନାରାୟଣ ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡା, ଅଶୋକ ପାଇକରାୟ, ପ୍ରଶାନ୍ତ ଶତପଥି, ହେମନ୍ତ କୁମାର, ପ୍ରଭାସ ସାମନ୍ତରାୟ, ଗଣେଶ ତ୍ରିପାଠୀ, ବ୍ରତୀନଦି ଜେନା, ଆଦର୍ଶ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ପ୍ରାରମ୍ଭରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଓ ଉପଦେଷ୍ଟା ଇଂ ଲଳିତ ମୋହନ ପଟ୍ଟନାୟକ ମହାନଦୀ ଜଳ ବିବାଦ ଓ ଟ୍ରିବ୍ୟୁନାଲ ରେ ଦାଖଲ ହୋଇଥିବା ତଥ୍ୟ ଓ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

Leave A Reply

Your email address will not be published.